Wednesday, February 28, 2024
Uncategorized

ସ୍ବୟମ୍ବର
….୬…..
ଗୁରୁ ଦକ୍ଷିଣା
………………
ଗୁରୁ ଦକ୍ଷିଣା ଦେବାକୁ କୁରୁ ରାଜପୁତ୍ରେ,
‘ଅହିଛତ୍ର’* କ୍ଷେତ୍ରେ ଯାଇ ମିଳିଲେ ସମସ୍ତେ।
ସେ ସମୟେ ଅହିଛତ୍ର ଉତ୍ସବରେ ଭରା ,
ମହାଦେବଙ୍କ ପୂଜାରେ ମଗ୍ନ ରାଜ୍ୟସାରା।
ଗଙ୍ଗାକୂଳେ ବିରାଜିତ ଏହି ପୁଣ୍ୟ ସ୍ଥଳି,
ପୂଜା ପାଆନ୍ତି ସେଠାରେ ଦେବ ଚନ୍ଦ୍ରମୌଳି।
ପ୍ରତି ସମ୍ବତ୍ସରେ ରାଜା କରେ ଯଞ୍ଜ,ପୂଜା,
ମୁଖରିତ ହୁଏ ପୀଠ ବାଜେ ନାନା ବାଜା।
ବେଦଧ୍ବନୀ କରି ଯଜ୍ଞ କରନ୍ତି ବ୍ରାହ୍ମଣ,
ଦାନ ଧର୍ମ କରି ପୁରେ ଫେରନ୍ତି ରାଜନ।

ମନ୍ଦିର ବେଢାରେ ପ୍ରବେଶନ୍ତେ ନୃପବର,
ଘୋର ଗର୍ଜନେ ଧାଇଁଲା ଦୁର୍ଯ୍ୟୋଧନ ବୀର।
କୌରବଙ୍କ ଆକ୍ରମଣ ଦେଖି ପ୍ରଜାଗଣ,
ଅସ୍ତ୍ର,ଶସ୍ତ୍ର ଘେନି କଲେ ପ୍ରତିଆକ୍ରମଣ।
ଦୁର୍ଦ୍ଧର୍ଷ ପାଞ୍ଚାଳ ସେନା ଆସି ପହଞ୍ଚିଲେ,
ଚାହୁଁ ଚାହୁଁ କୌରବଙ୍କୁ ରଣେ ହରାଇଲେ।
ଦୁର୍ଯ୍ୟୋଧନ,ଦୁଃଶାସନ,କର୍ଣ୍ଣ ଯେ ବିକର୍ଣ୍ଣ,
ପ୍ରାଣ ଭୟରେ ସକଳେ କଲେ ପଳାୟନ।
କଛା ସମ୍ଭାଳି ଧାଇଁଲା ଅଶ୍ବତ୍ଥାମା ବୀର,
ପଛରୁ ଗୋଳା,ବାରୁଦ ହେଉଛି ପ୍ରହାର।

ଦେଖି କୌରବଙ୍କ ଦଶା ହସିଲେ ପାଣ୍ଡବେ,
ଲମ୍ଫ ଦେଲା ଧନଞ୍ଜୟ ଭୀଷଣ ଆହବେ।
ଚାହୁଁ ଚାହୁଁ ଯୁଧିଷ୍ଠିର ସଙ୍ଗେ ଧନଞ୍ଜୟ,
ବିପୁଳ ପାଞ୍ଚାଳ ସେନା କ୍ଷଣେ କଲେ କ୍ଷୟ।
ଅଗ୍ନି ବର୍ଷେ ଆକାଶରୁ ସୈନ୍ୟ ଗଲେ ଘୂଞ୍ଚି,
ଶ୍ବେନ ପକ୍ଷୀ ପରି ପାର୍ଥ ଗଲାଟି ପହଞ୍ଚି।
ବିଶାଳ ଶ୍ବେନ ଯେସନେ ଶଶକକୁ ଧରି,
ଉଡିଯାଏ ଆକାଶକୁ ,ପାର୍ଥ ସେହିପରି,।
ଝାମ୍ପିନେଲା ରଥୋପରୁ ରାଜା ଦ୍ରୁପଦଙ୍କୁ,
ଗୋଚର ନୋହିଲା ତାହା ଉଭୟ ପକ୍ଷକୁ।
ମନେହେଲା ବ୍ୟାଘ୍ର, ମୃଗ ବେକମୂଳ ଧରି,
ଶୂନ୍ୟରେ ଉଠାଇ ନେଲା ଖେଳନା ଯେପରି।
ଛତ୍ରଭଙ୍ଗଦେଲେ ଏହା ଦେଖି ସୈନ୍ୟବଳ,
ଦ୍ରୋଣ ଶିଷ୍ୟଗଣ ଝିଙ୍କି ଦ୍ରୁପଦଙ୍କ ବାଳ,
ଧକ୍କାମାରି ଗୁରୁଙ୍କର ପାଦେ ନିକ୍ଷେପିଲେ,
ସବୁ ଶିଷ୍ଟାଚାର ରାଜପୁତ୍ରେ ଭୁଲିଗଲେ।
ଏକା ଯୁଧିଷ୍ଠିର କରୁଥିଲେ ଯା ବାରଣ,
ଭାସିଗଲା ସେ ବାରଣ ସ୍ରୋତେ ଯଥା ତୃଣ।

ଆହା!ବିଶାଳ ପାଞ୍ଚାଳ ରାଜ୍ୟର କେଶରୀ,
ପଡିଥିଲେ ଦ୍ରୋଣ ପାଦେ ବଦ୍ଧପଶୁ ପରି।
ରାଜାର ନତ ମସ୍ତକ ଅସୀମୁନେ ଟେକି,
ପଚାରନ୍ତି ଦ୍ରୋଣ “ଆହା!କି ଦଶା ହେଲାକି?
ଶେଳବିଦ୍ଧ ମୋ ଛାତିରେ ତୁମ୍ଭ ଅପମାନ,
କେମନ୍ତେ ଭୁଲିବି କୁହ ପାଞ୍ଚାଳ ରାଜନ?
ପୂର୍ଣ୍ଣ ରାଜ ଦରବାରେ ଅପମାନ ପାଇ,
ଆସିଥିଲି ଦ୍ରୁପଦ ହେ ଗଳାଧକ୍କା ଖାଇ।
ବିଚିତ୍ର ଏ କାଳ,ସବୁ ଦିନ କି ସମାନ?
ଆଜି ସେ ଭିକାରି,କାଲି ଯା ରାଜେନ୍ଦ୍ରାସନ।
ଏବେ ଯେବେ ପ୍ରାଣେ ଆଶା ଅଛି ମହୋଦୟ ,
ପାଦେ ପଡି କ୍ଷମା ମାଗି ଅର୍ଦ୍ଧେ ରାଜ୍ୟ ଦିଅ।
ଅହିଛତ୍ର କ୍ଷେତ୍ର ମୋତେ କର ସମର୍ପଣ,
ତା ହେଲେ ଦ୍ରୁପଦ ତୁମ୍ଭେ ପାଇବ ଜୀବନ।

କ୍ଷମା ଆଚରିଲେ ରାଜା ନିଜ ପ୍ରାଣ ପାଇଁ,
ଅର୍ଦ୍ଧରାଜ୍ୟ ଅହିଛତ୍ର କ୍ଷେତ୍ର ଛାଡିଦେଇ।
ଘୋର ଅପମାନେ ପ୍ରାଣ ଜଳେ ସେ ଦିନରୁ,
ଦ୍ରୋଣ ଝିଙ୍ଗାସ,ବିଦ୍ରୁପ ନଯାଏ ମନରୁ।
ତହୁଁ ଘୋର ତପସ୍ୟା ଆଚରି ଯାଜ୍ଞସେନ,
ଯଜ୍ଞରୁ ସମ୍ଭୁତ କଲେ କୃଷ୍ଣା,ଧୃଷ୍ଟଦ୍ୟୁମ୍ନ।
କୁରୁ ବଂଶ ଧ୍ବଂସ ପାଇଁ ଜନ୍ମ ଦ୍ରୌପଦୀର,
ଦ୍ରୋଣ ମୃତ୍ୟୁ ପାଇଁ ଜାତ ଧୃଷ୍ଟଦ୍ୟୁମ୍ନ ବୀର।
ଏ ତିନି ଜଳନ୍ତି ଯଜ୍ଞକୁଣ୍ଡେ ଘୃତ ପରି,
ଜାଳିଦେବେ କୁରୁ,ଗୁରୁ ଶୁଷ୍କ ତୃଣ ପରି।

ପିତାଙ୍କ ଦୁଃଖରେ ଦୁଃଖୀ ସତତ ଦ୍ରୌପଦୀ,
ପ୍ରତିଶୋଧ ପାଇଁ ପ୍ରତିକ୍ଷଣେ ବିଚାରନ୍ତି।
ପାର୍ଥ ବଳେ ବଳ ସିନା ହସ୍ତିନା ରାଜ୍ୟର,
ସେ ନଥିଲେ ଧ୍ବଂସ ହେବ ଗର୍ବ କୌରବର।
ଆଜି ପାର୍ଥ ଜତୁଗୃହେ ହେଲା ସିନା ଦାହ,+
ତା ନହେଲେ ତାଙ୍କ ସହ କରିଣ ବିବାହ,
ଧ୍ବଂସ କରି ପାରିଥାନ୍ତେ ହସ୍ତିନା ରାଜ୍ୟକୁ,
ଉପଯୁକ୍ତ ଶିକ୍ଷା ଦେଇ ଥାଆନ୍ତେ ଦ୍ରୋଣକୁ।
ଏମନ୍ତେ ଚିନ୍ତା କରନ୍ତି କୃଷ୍ଣା ଯାଜ୍ଞସେନୀ,
ନିଶି ଅନ୍ତେ ମନ୍ଦିରରେ ଶୁଭେ ଘଣ୍ଟା ଧ୍ବନୀ।
କ୍ରମଶଃ……

*ଅହିଛତ୍ର……ପାଞ୍ଚାଳ ରାଜ୍ୟର ପ୍ରମୁଖ ନଗ୍ର
+ ପାଣ୍ଡବଙ୍କର ଜତୁଗୃହରୁ ପଳାୟନ ବିଷୟରେ ଦ୍ରୌପଦୀ ଅଜ୍ଞାତ ଥିଲେ

Click to rate this post!
[Total: 0 Average: 0]

Leave a Reply