Thursday, July 25, 2024
Uncategorized

ସ୍ବୟମ୍ବର
…………..
“ସାମନ୍ତ ସ୍ମରଣେ” ଓ “ଅଭିମନ୍ୟୁ” ର ଧାରାବାହିକ ପରିବେଷଣ ସମୟରେ,ପାଠକୀୟ ଆଦୃତି ଓ ଆଗ୍ରହରେ ମୁଁ ବାସ୍ତବିକ୍ ଅଭିଭୁତ।ଏ ପ୍ରୟାସ ଜାରି ରଖିବା ପାଇଁ ,କେତେକ ଶ୍ରଦ୍ଧେୟ ବନ୍ଧୁ ଯେଉଁ ଅନୁରୋଧ କରିଛନ୍ତି,ତାକୁ ମୁଁ ଆଦେଶ ମନେକରି “ସ୍ବୟମ୍ବର”ପରିବେଷଣ କରିବାକୁ ଯାଉଛି।ଧୃଷ୍ଟତା ମାର୍ଜନା କରିବା ହେବେ ଏବଂ ଯେଉଁଠାରେ ଭୁଲ୍ ଭଟକା କିମ୍ବା ଅପ୍ରାସଙ୍ଗିକତା ଦୃଷ୍ଟିରେ ପଡିବ ସଙ୍ଗେ ସଙ୍ଗେ ମୋର ଦୃଷ୍ଟିକୁ ଆଣିବାକୁ ଅନୁରୋଧ।
ଡକ୍ଟର କେ.ଏମ୍ ମୁନ୍ସୀଙ୍କ “କୃଷ୍ଣାବତାର ” ଏକ କାଳଜୟୀ ରଚନା ଏବଂ ମୁଁ ସେ ରଚନା ଦ୍ବାରା ବହୁ ପରିମାଣରେ ପ୍ରଭାବିତ।ମୋର ଏ ଧାରା ବାହିକ ପରିବେଷଣ ସେହି କାଳଜୟୀ ବର୍ଣ୍ଣନାରେ ଥିବା ତଥ୍ୟକୁ ଅବଲମ୍ବନ କରେ।ଡକ୍ଟର ମୁନ୍ସୀ ଶ୍ରୀକୃଷ୍ଣଙ୍କୁ ସେ ସମୟର ଶ୍ରେଷ୍ଠ ରାଜନୀତିଜ୍ଞ ତଥା କୂଟନୀତିଜ୍ଞ ଭାବେ ଚିତ୍ରଣ କରିଛନ୍ତି।ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ପାଇଁ ଧର୍ମପଥ ଅନୁସରଣ କରୁଥିବା ସମସ୍ତ ଶକ୍ତିଙ୍କୁ ଦୁଷ୍ଟ ତଥା ଅଧର୍ମୀ ଶକ୍ତି ମାନଙ୍କ ବିରୁଦ୍ଧରେ ଏକତ୍ରିତ କରିବାର ସମସ୍ତ ପ୍ରୟାସ କରିଛନ୍ତି।ମୂଳ ଲକ୍ଷ,ସନାତନ ଧର୍ମ ତଥା ସଂସ୍କୃତିର ରକ୍ଷା।ଏହା ରାଜନୀତିର ଧ୍ରୁବିକରଣ କୁହାଯାଇପାରେ।ଯାଜ୍ଞସେନୀଙ୍କର ସ୍ବୟମ୍ବର ସେହି ଧ୍ରୁବିକରଣର ଏକ ଅଂଶ।ଧର୍ମପଥଗାମୀ ପାଣ୍ଡବ ମାନଙ୍କ ଶକ୍ତିକୁ, ସନାତନ ଧର୍ମର ପୃଷ୍ଠପୋଶକ ପାଞ୍ଚାଳ ସହିତ ବନ୍ଧୁତା ସୂତ୍ରରେ ଦୃଢିଭୂତ କରିବା ପ୍ରୟାସର ଏକ ଅଂଶବିଶେଷ ଥିଲା କୃଷ୍ଣା ସ୍ବୟମ୍ବର।ଏହା ଚକ୍ରୀଙ୍କର ଅତି ସୁନ୍ଦର ଚକ୍ରାନ୍ତର ଥିଲା ପରିଣାମ।ପରବର୍ତ୍ତି ସମୟରେ ସେହି ଉଦ୍ଦେଶ୍ୟରେ ସେ ଅଭିମନ୍ୟୁର ବିବାହ ବିରାଟ ରାଜାଙ୍କ କନ୍ୟା ଉତ୍ତରା ସହିତ କରାଇ ଥିଲେ।ଏହି ମହାନାଟକର କଳାକାର ନଥିଲେ ମଧ୍ୟ ସେ ମୂଖ୍ୟ ନିର୍ଦ୍ଦେଶକ ଥିଲେ।ଶ୍ରୀକୃଷ୍ଣଙ୍କର ମାୟାଜାଲରେ ଛନ୍ଦିତ ଏହି କୃଷ୍ଣା ସ୍ବୟମ୍ବରକୁ କାବ୍ୟିକ ରୂପ ଦେବାପାଇଁ ,
ଆପଣ ମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ମୋର ପଥ ପ୍ରଦର୍ଶକ
ହେବ।
                       ପ୍ରଥମ ସର୍ଗ
                       …………….
               ଅନୁପମା ରାଜକନ୍ୟା
               …………………………
କୃଷ୍ଣା ରୂପମୟୀ, ପାଞ୍ଚାଳ ରାଜ ଅବରୋଧର-
ଦ୍ବିତଳରେ ଥାଇ ଦେଖନ୍ତି ଅସ୍ତରାଗ ସମ୍ଭାର।
ଗଙ୍ଗା ସେପାରିରେ ସବିତା ଧୀରେ ଯାଆନ୍ତି ଢଳି,
ନଦୀ ସିକତାରେ ସୁବର୍ଣ୍ଣ ରଙ୍ଗ କେ ଦେଲା ଢାଳି!
ଅସ୍ତରବି ସ୍ବର୍ଣ୍ଣାଭ ରଙ୍ଗେ ନାଚେ ନୀର ଗଙ୍ଗାର
ପ୍ରାସାଦ ଉପରେ ଦେଖନ୍ତି ଜେମା ସଂଧ୍ୟା ସୁନ୍ଦର।
ଏ ସମୟେ ପ୍ରାଚୀ ଗଗନେ ପୂର୍ଣ୍ଣମାସୀ ଚନ୍ଦ୍ରମା,
ଉଦେ,ଜ୍ୟୋସ୍ନାସ୍ନାତ ହୋଇଲେ ଦ୍ରୁପଦ ରାଜଜେମା।

ଆୟତ୍ତ ଲୋଚନା, ଶ୍ୟାମ ବରନା,ବିଂଶ ବରଷୀ,
ସୁଗଠିତ ତନୁ,କେଶରୀ କଟି ଅଳପ ହାସୀ।
ଲାଳିତ୍ୟଭରା ମୁଖଶୋଭା,ଓଷ୍ଠେ ସ୍ବପ୍ନ ସମ୍ଭାର,
ସୁଦୀର୍ଘ ଭୃଲ୍ଲତା,କେଶରାଶି କି ମେଘ ମହ୍ଲାର!
ଝରି ପଡୁଅଛି ଅମୃତ ପ୍ରତି ଅବୟବରୁ,
କେତେ କାଳ ଧରି ବିଧାତା ଗଢିଛି ତନୁ ଚାରୁ!
ନୀଳ ଝିନ୍ନବାସ ଅନ୍ତରୁ ଫୁଟିଉଠେ ଯୌବନ,
ନୀଳୋତ୍ପଳ ବାସ ଅଙ୍ଗରୁ ହୁଏ ପ୍ରବହମାନ।
ପୁଷ୍ପ ଭାବି ଭ୍ରମେ ମିଳିନ୍ଦ ଆସି ଚୁମ୍ବନ୍ତି ମୁଖ,
ସେଥିପାଇଁ ଉଦ୍ୟାନେ ଗଲେ ବାମା ଲଭନ୍ତି ଦୁଃଖ।
ଚାରୁ ଚରଣେ ଅଲକ୍ତକ,ରୁମୁରୁ ପାଉଁଜିର,
କଟିରେ ସୁନାସୁତା ଭାଳେ”ଆହା କି ଭାଗ୍ୟ ମୋର!”
ସୁନା ବାଜୁବନ୍ଧ,ଆବର ଗଳାରେ ରତ୍ନମାଳ,
ହାତେ ସୁନାଚୁଡି ଚମକେ,ବେଣୀରେ ଫୁଲହାର।
ହୀରକ ମୁଦ୍ରିକା ଅଙ୍ଗୁଳି କରଇ ଶୋଭାବନ,
ରତ୍ନମୁଦି ପାଦ ମଣ୍ଡିଛି ସୁନାଫୁଲ ସମାନ।
ନାକରେ ଶୁଭ୍ର ନାକଚଣା ଦିଶଇ ଝଲମଲ,
ପ୍ରଭାତୀ ତାରା କି ଚମକେ ପ୍ରାଚୀ ଗଣ୍ଡମଣ୍ଡଳ।
ଚାରୁ ପଦ୍ମକଳି ସଦୃଶ ବାମା ବକ୍ଷ ଯୁଗଳ,
ନାଚଇ ନିତମ୍ବ ଜଳେ କି ପଦ୍ମପତ୍ର ସୁଢଳ।

ଚାଲିରେ ହସ୍ତୀଠାଣି,ମୁଖେ ଦୃଢ ସଂକଳ୍ପ ଦୀପ୍ତ,
ପାଞ୍ଚାଳ ସାମ୍ରାଜ୍ୟ ଅମୂଲ୍ୟ ହୀରା ହୋଇଛି ପ୍ରାପ୍ତ।
ଭ୍ରାତା ଧୃଷ୍ଟଦ୍ୟୁମ୍ନ ସହିତେ ଯଜ୍ଞରୁ ସେ ସମ୍ଭୁତା
ତେଣୁ ଯାଜ୍ଞସେନୀ ନାମରେ ଜଗତେ ସେ ବିଦିତା।
କ୍ରମଶଃ…….

Click to rate this post!
[Total: 0 Average: 0]

One thought on “

Leave a Reply