Saturday, April 27, 2024
Stories

ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମ ବୃତ୍ତାନ୍ତ

ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମବୃତ୍ତାନ୍ତ
———————-
ବିଶ୍ଵପ୍ରସିଦ୍ଧ ଜ୍ୟୋତିର୍ବିଦ ପୁଣ୍ୟଶ୍ଳୋକ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡିଶାର ଗର୍ବ ଓ ଗୌରବ ଅଟନ୍ତି।ସର୍ବସାଧାରଣରେ ସେ ପଠାଣି ସାମନ୍ତ ନାମରେ ପରିଚିତ।1835 ମସିହା ଡିସେମ୍ବର ମାସ 13 ତାରିଖରେ ସେ ତତ୍କାଳୀନ ଗଡଜାତ ଖଣ୍ଡପଡାରେ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ।ଖଣ୍ଡପଡାରେ ବଘେଲ ବଂଶୀୟ ରାଜାମାନେ 1599 ମସିହାରୁ ଶାସନକରିଆସୁଥିଲେ।ସାମନ୍ତ ଚନ୍ଦ୍ରଶେଖର ଏହି ବଘେଲ ବଂଶର ସପ୍ତମ ରାଜା ନୃସିଂହ ଭ୍ରମରବରଙ୍କର ଷଷ୍ଠପୁତ୍ର ଶ୍ୟାମବଂଧୁ ସିଂହଙ୍କର ଏକମାତ୍ର ପୁତ୍ର ଥିଲେ।ମାତାଙ୍କ ନାମ ଥିଲା ବିଷ୍ଣୁମାଳୀ ଦେବୀ।ପୂର୍ବରୁ ଦୁଇଟି କନ୍ୟା ଓ ଗୋଟିଏ ପୁତ୍ର ହରାଇଥିବା ବିଷ୍ଣୁମାଳୀ ଦେବୀ ସର୍ବଦା ନବଜାତକର ଦୀର୍ଘାୟୁ ଚିନ୍ତାରେ ରହୁଥିଲେ।ଅପର୍ତ୍ତ୍ୟାଣି(ଅପତ୍ୟହାନୀ) ନାମ ଦେଲେ ଯମ ବାଳକପ୍ରତି ଲୋଭାନ୍ୱିତ ହେବନାହିଁ ଭାବି ବିଷ୍ଣୁମାଳୀ ଦେବୀ ପୁତ୍ରକୁ ପଠାଣ କେଳାକୁ ଯତ୍ସାମାନ୍ୟ ଅର୍ଥରେ ବିକ୍ରି କରିଦେଇ “ପଠାଣି”ନାମରେ ନାମିତ କରିଥିଲେ।ବାଲ୍ୟକାଳରୁ ଚନ୍ଦ୍ରଶେଖରଙ୍କର ବିଲକ୍ଷଣ ପ୍ରତିଭାର ପରିଚୟ ମିଳିଥିଲା।ଅଧିକାଂଶ ସମୟ ସେ ଆକାଶକୁ ଅନାଇଁ ରହୁଥିଲେ।ଥରେ ଦିନବେଳେ ଆକାଶରେ ଖାଲି ଆଖିରେ ତାରାଟିଏ ତାଙ୍କର  ଦୃଷ୍ଟିଗୋଚର ହେବାରୁ ,ଗ୍ରହଦୋଷ ଲାଗିବା ଆଶଂକାକରି ପିତା ଶ୍ୟମବଂଧୁ ନୈଷ୍ଠିକ ବ୍ରାହ୍ମଣଙ୍କଦ୍ୱାରା ଜଗନ୍ନାଥ ମନ୍ଦିରରେ ହୋମ କରାଇ ସ୍ତୋତ୍ରପାଠ ଇତ୍ୟାଦି କରାଇ ଥିଲେ।ସେତେବେଳେ ଶିକ୍ଷାର ମାନଦଣ୍ଡ ଅନୁଯାୟୀ ସେ ସଂସ୍କୃତ ଓ ସାହିତ୍ୟରେ ସର୍ବୋଚ୍ଚ ଶିକ୍ଷା ପାଇଥିଲେ।

ରାଜମୁକୁଟରୁ ବଂଚିତ ଏହି ମୁକୁଟହୀନ ରାଜପୁତ୍ର ,ଜ୍ୟୋତିର୍ବିଜ୍ଞାନର ଜାଜ୍ବଲ୍ଯମାନ ସମ୍ମାନମୁକୁଟରେ ବିମଣ୍ଡିତହୋଇ ବିଶ୍ୱଦରବାରରେ ଓଡିଆର ବିଦ୍ମତା,ଅସ୍ମିତା ଓ ସଂସ୍କୃତିର ପ୍ରତୀକ ଥିଲେ।କବିବର ରାଧାନାଥଙ୍କ ଉକ୍ତି ଅନୁସାରେ ଉତ୍କଳର ଏହି ଯୋଗ୍ୟତମ ସନ୍ତାନଙ୍କ ଯୋଗୁଁ ଆମ୍ଭେମାନେ ସମସ୍ତେ ପବିତ୍ର ହେଲୁ।ବିଶ୍ୱଦରବାରରେ ଉତ୍କଳର ଖ୍ୟାତି ବଢିଲା।ଓଡିଆ ଭାଷାର ସ୍ଥିତି ଓ ଜାତିର ଅସ୍ମିତା ଉପରେ ଯେତେବେଳେ ପ୍ରଶ୍ନଚିହ୍ନ ଲାଗିଯାଇଥିଲା ଏବଂ ଯେତେବେଳେ ପଡୋଶୀ ରାଜ୍ୟ “ଓଡିଆ ଏକଟୁ ଭାଷା ନଏ” ବୋଲି ଚିତ୍କାର କରୁଥିଲେ, ସେତେବେଳେ ଓଡିଆଜାତି ତାର ଏକ ସମ୍ମାନଜନକ ପରିଚୟ ଖୋଜିବାରେ ଲାଗିଥିଲା।ସାମନ୍ତଙ୍କର “ସିଦ୍ଧାନ୍ତ ଦର୍ପଣ” ଗ୍ରନ୍ଥ ଓଡିଆ ଜାତିକୁ ସେହି ସମ୍ମାନଜନକ ପରିଚୟ ପ୍ରଦାନ କରିଥିଲା।ସେଥିପାଇଁ ପଠାଣି ସାମନ୍ତଙ୍କ କଥା ପଡିଲେ ,କବିବର ରାଧାନାଥଙ୍କ କାଳଜୟୀ ବାଣୀ “ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ,ନର ଦେହେ ଥିବ ଯାବତ ହୃଦୟ”ସ୍ୱତଃ ମନେପଡେ।
ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କର “ସୌରକୈନ୍ଦ୍ରିକ” ଗ୍ରହମଣ୍ଡଳ ଘୂର୍ଣ୍ଣନ ତଥ୍ୟକୁ ସମର୍ଥନ ନକରି ସାମନ୍ତ ‘ପୃଥିବୀକୈନ୍ଦ୍ରିକ’ ଘୂର୍ଣ୍ଣନ ତଥ୍ୟ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢିଥିଲେ।ଏଭଳି ଯୁକ୍ତି ତାଙ୍କର “ଦୃକସିଦ୍ଧ”ସିଦ୍ଧାନ୍ତ ଉପରେ ପର୍ଯ୍ଯବସିତ ଥିଲା।ରାତି ରାତି ଅନିଦ୍ରା ରହି ,ଦୁଇଖଣ୍ଡ କାଠି(ମାନଯନ୍ତ୍ର) ସାହାଯ୍ୟରେ ସେ ଆକାଶ ମଣ୍ଡଳରେ ଯାହା ନିଜ ଆଖିରେ  ଦେଖୁଥିଲେ ,ସେ ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥିତି ଓ ଗତି ନିର୍ଦ୍ଧାରଣ କରୁଥିଲେ।ଏହି ମହାକାଶୀୟ ଗବେଷଣାପାଇଁ ତାଙ୍କ ପାଖରେ କୌଣସି ଆଧୁନିକ ଯନ୍ତ୍ରପାତି ନଥିଲା।14 ବର୍ଷ ବୟସରୁ ସେ ଏହି ଗବେଷଣା ଆରମ୍ଭକରି 34ବର୍ଷ ବୟସ ପର୍ଯ୍ଯନ୍ତ ତାଙ୍କର ଗବେଷଣାର ବିବରଣୀ  ଲିପିବଦ୍ଧକରି ଚାଲିଥିଲେ।ଦୀର୍ଘ କୋଡିଏ ବର୍ଷପରେ ତାହା 2500 ଶ୍ଳୋକବିଶିଷ୍ଟ “ସିଦ୍ଧାନ୍ତ ଦର୍ପଣ”ଗ୍ରନ୍ଥରେ ପରିଣତ ହେଲା।
ବାସ୍ତବରେ ପଠାଣି ସାମନ୍ତ ତାଙ୍କ ଗବେଷଣା ଗ୍ରହମାନଙ୍କର ପୃଥିବୀ କୈନ୍ଦ୍ରିକ ଘୂର୍ଣ୍ଣନ ତଥ୍ୟକୁ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ କରୁନଥିଲେ।ତାଙ୍କ ଗବେଷଣାର ଲକ୍ଷଥିଲା , ଦୃକସିଦ୍ଧ ସିଦ୍ଧାନ୍ତ ଅନୁସାରେ,ସୂକ୍ଷ୍ମଗଣନାକରି ପୂର୍ବସୂରୀମାନଙ୍କଦ୍ୱାରା ପଞ୍ଜୀକାରେ ନିର୍ଦ୍ଧାରିତ(ସ୍ଥୁଳ ଗଣନା ଅନୁସାରେ) ଭୁଲକୁ ସୁଧାରିବା।

ପିତା ଶ୍ୟାମବନ୍ଧୁଙ୍କଠାରୁ ପିଲାଦିନୁ ସେ ଫଳିତ ଜ୍ୟୋତିଷରେ ସମ୍ୟକ ଜ୍ଞାନ ଆହରଣ କରିଥିଲେ।ସେଥିରୁ ସେ ଜାଣିପାରିଲେ ଯେ ସ୍ୱଚକ୍ଷୁରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଗତି ଓ ସ୍ଥିତି ଦେଖି ଯେଉଁ ସିଦ୍ଧାନ୍ତ ମିଳୁଛି ତାହା ପୂର୍ବରୁ ଜ୍ୟୋତିର୍ବିଦ ମାନଙ୍କଦ୍ୱାରା ହୋଇଥିବା ଗଣନାଠାରୁ ପୃଥକ।ଫଳରେ ପୁରାତନ ପଞ୍ଜୀକାରେ ଥିବା ଦିନ, ଦଣ୍ଡ, ଲିତା ଆଦିରେ ପ୍ରଭେଦ ତଥା ଭୁଲ୍ ଦେଖାଯାଉଛି।ଫଳତଃ ପାଞ୍ଜି ଉପରେ ନିର୍ଭର କରୁଥିବା ହିନ୍ଦୁ ସମାଜ ପର୍ବପର୍ବାଣୀ ଏବଂ ବିବାହ ବ୍ରତ ଇତ୍ୟାଦି ସଠିକ ତିଥିରେ କରିପାରୁନାହାଁନ୍ତି ଏବଂ ଘୋର ବିଭ୍ରାଟର ସମ୍ମୁଖୀନ ହେଉଛନ୍ତି।

ଦୀର୍ଘ କୋଡିଏ ବର୍ଷର ଅଧ୍ୟବସାୟକରି ସାମନ୍ତ ଯେଉଁ ନିର୍ଭୁଲ ଗଣନା କରିଗଲେ ତାର ଫଳସ୍ୱରୂପ ଆଗାମୀ ଦଶହଜାର ବର୍ଷପାଇଁ ବିଶୁଦ୍ଧ ପଞ୍ଜିକା ପ୍ରସ୍ତୁତ କରାଯାଇପାରିବ।ପ୍ରତି ଓଡିଆର ପ୍ରାଣକେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କର ସମସ୍ତ ନୀତିନିୟମ ସାମନ୍ତଙ୍କ ଗଣନାପ୍ରସୂତ ପଞ୍ଜୀକା ଅନୁଯାୟୀ କରାଯାଉଛି।ଏହା ମୁକ୍ତିମଣ୍ଡପଦ୍ୱାରା ସ୍ୱୀକୃତ।ଜଗତ୍ପତି ଜଗନ୍ନାଥଙ୍କର ପରମଭକ୍ତ ପଠାଣି ସାମନ୍ତଙ୍କପାଇଁ ଏହା ସର୍ବୋଚ୍ଚ ସମ୍ମାନ କୁହାଯାଇପାରେ।ଏହି ମହାନ ପ୍ରତିଭା ଯେବେ ମଞ୍ଜୁଷା ଗଡର ରାଜାସାହେବ ରାଜମଣିଦେବଙ୍କ ଦୃଷ୍ଟିକୁ ଆସିନଥାନ୍ତେ,ତାହେଲେ ହୁଏତ ବଣମଲ୍ଲୀସଦୃଶ ବଣରେ ଝଡିଯାଇଥାଆନ୍ତେ।
ଖଣ୍ଡପଡାର ତତ୍କାଳୀନ ରାଜା ନଟବର ସିଂହଙ୍କ ବିବାହ ଉତ୍ସବରେ ଯୋଗ ଦେବାପାଇଁ ,ବରଯାତ୍ରୀଙ୍କମେଳରେ ପାରିକୁଦ ଯାଇଥାନ୍ତି।ସେତେବେଳକୁ ସାମନ୍ତଙ୍କର ଗଣିତଜ୍ୟୋତିଷ ଜ୍ଞାନ ଉପରେ ଅଳ୍ପେବହୁତେ ଓଡିଶାର ଗଣ୍ୟମାନ୍ୟ ବ୍ୟକ୍ତିମାନେ ଜାଣି ସାରିଲେଣି।ସିଦ୍ଧାନ୍ତ ଦର୍ପଣର ପ୍ରଣୟନ ହୋଇ ସାରିଲାଣି।ସାମନ୍ତଙ୍କର ସୂକ୍ଷ୍ମସିଦ୍ଧାନ୍ତ  ସମ୍ବନ୍ଧରେ ମଧ୍ୟ ଆଲୋଚନା ଆରମ୍ଭ ହେଲାଣି।ମାନଦଣ୍ଡ ସାହାଯ୍ୟରେ ସାମନ୍ତ କିପରି ପାହାଡ ପର୍ବତ ଓ ବୃକ୍ଷ ଇତ୍ୟାଦି ଦୂରରୁ ମାପି ପାରୁଥିଲେ, ସେକଥା ମଧ୍ୟ ଅଜଣା ନଥିଲା।ସାମନ୍ତଙ୍କ ପାଣ୍ଡିତ୍ଯର ପରିଚୟ ପାଇ ଜଗନ୍ନାଥ ରାଜମଣିଦେବ, ସାମନ୍ତଙ୍କୁ ମଞ୍ଜୁଷାକୁ ପାଛୋଟିନେଲେ।ସେଠାରେ ମହେନ୍ଦ୍ର ପର୍ବତର ଉଚ୍ଚତା ସାମନ୍ତ ନିର୍ଭୁଲ ଭାବରେ ନିର୍ଣ୍ଣୟ କରିବାପରେ ଗୁଣମୁଗ୍ଧ ରାଜମଣିଦେବ ସାମନ୍ତଙ୍କ ପାଣ୍ଡିତ୍ଯ ମାଡ୍ରାସ୍ ପ୍ରେସିଡେନ୍ସିକୁ ଜଣାଇଦେଲେ।ସାରା ଦକ୍ଷିଣଭାରତରେ ସାମନ୍ତ ପ୍ରଖ୍ଯାତ ହୋଇଗଲେ।ସେହିବର୍ଷ ସୂର୍ଯ୍ୟପରାଗ ବିଲାତରେ ଏକ ନିର୍ଦ୍ଦିଷ୍ଟ ସମୟରେ ଦୃଷ୍ଟିଗୋଚର ହେବବୋଲି ସାମନ୍ତ ଗଣନାକରି ରାଜମଣିଦେବଙ୍କୁ ଜଣାଇବାରୁ ସେ ମାଡ୍ରାସ ପ୍ରେସିଡେନ୍ସିକୁ ଜଣାଇଦେଲେ।କିନ୍ତୁ ଦକ୍ଷିଣ ଭାରତର ଜଣେ ବିଖ୍ୟାତ ପଣ୍ଡିତ ରଘୁନାଥ ଆଚାର୍ଯ୍ୟ କହିଲେ ଯେ ତାହା ବିଲାତରେ ଦୃଶ୍ୟମାନ ହେବନାହିଁ।ସାମନ୍ତଙ୍କ ଗଣନା ଠିକ୍ ହେଲେ ଏବଂ ସାମନ୍ତଙ୍କଦ୍ୱାରା ନିର୍ଦ୍ଧାରିତ ସମୟରେ ବିଲାତରେ ସୂର୍ଯ୍ୟପରାଗ ସଂଘଟିତ ହେଲା।ଏହି ଘଟଣା ସାମନ୍ତଙ୍କୁ ବିଶ୍ୱ ପ୍ରସିଦ୍ଧ କରିଦେଲା

ଆଉଥରେ ସାମନ୍ତ ଗଣନାକରି ରଘୁନାଥ ଆଚାର୍ଯ୍ୟଙ୍କୁ ଜଣାଇଥିଲେ ଯେ ଅପରାହ୍ନରେ ଶୁକ୍ରଗ୍ରସ୍ଥ ସୂର୍ଯ୍ୟପରାଗ ଘଟିବ ଏବଂ ତାହା ନିର୍ଦ୍ଦିଷ୍ଟ ସମୟରେ ଘଟିଲା।ଆମେରିକାରେ ଘଟିବାକୁଥିବା ଚନ୍ଦ୍ରଗ୍ରହଣ ବିଷୟରେ ମଧ୍ୟ ସାମନ୍ତ ଆଗୁଆ ସୂଚନା ଦେଇଥିଲେ ଏବଂ ତାହା ନିର୍ଦିଷ୍ଟ ସମୟରେ ଘଟିଲା।ଏ ସମସ୍ତ ଘଟଣା ସାମନ୍ତଙ୍କୁ ବିଶ୍ୱବିଖ୍ୟାତ କରିଦେଲା।

ମଞ୍ଜୁଷା ରାଜାଙ୍କ ବ୍ୟତୀତ ଅନ୍ୟକେହି ଯେବେ ସାମନ୍ତଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିଥାଏ ତାହେଲେ ସେ ହେଉଛନ୍ତି କବିବର ରାଧାନାଥ ରାୟ।ସାମନ୍ତଙ୍କ ପ୍ରତିଭାପ୍ରତି ସେ ପ୍ରଥମେ ରେଭେନ୍ସା ମହାବିଦ୍ଯାଳୟର ବିଜ୍ଞାନ ପ୍ରଫେସର ଯୋଗେଶଚନ୍ଦ୍ର ରାୟ  ଏବଂ କଲିକତା ସଂସ୍କୃତମହାବିଦ୍ଯାଳୟର    ଅଧ୍ୟକ୍ଷ ମହେଶଚନ୍ଦ୍ର ନ୍ୟାୟରତ୍ନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ତତ୍ପରେ ମଧୁବାବୁ,ଗୌରିଶଙ୍କର ରାୟ,ଏବଂ ମାର୍କଣ୍ଡେୟ ତର୍କ ପଞ୍ଚାନନ ଇତ୍ୟାଦି ଗଣ୍ୟମାନ୍ୟ ବ୍ୟକ୍ତିମାନେ ସାମନ୍ତଙ୍କ ପ୍ରତିଭା ଦେଖି ବିସ୍ମିତ ହୋଇଥିଲେ।

ଯୋଗେଶଚନ୍ଦ୍ର ରାୟ ଏବଂ ମହେଶଚନ୍ଦ୍ର ନ୍ୟାୟରତ୍ନଙ୍କ ଯୋଗୁଁ ସାମନ୍ତଙ୍କ  ପ୍ରତିଭା ସରକାରଙ୍କ ଦୃଷ୍ଟିକୁ ଆସିଲା ଏବଂ ଗୋରା ସରକାର 1893 ମସିହାରେ ସାମନ୍ତଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କଲେ।
ସାମନ୍ତଙ୍କ ଅଲୌକିକ ପ୍ରତିଭା ଯୋଗୁଁ ତାଙ୍କୁ ଭାସ୍କରାଚାର୍ଯ୍ୟଙ୍କ ସହିତ ତୁଳନା କରାଯାଏ ଏବଂ ‘ଉତ୍କଳ ଭାସ୍କର’ ନାମରେ ସେ ସର୍ବତ୍ର ପରିଚିତ।ଗବେଷଣାରେ ସିଦ୍ଧାନ୍ତଗତ ସାମଞ୍ଜସ୍ୟ ଯୋଗୁଁ ସାମନ୍ତଙ୍କୁ ଷୋଡଶ ଶତାବ୍ଦୀର ପ୍ରସିଦ୍ଧ ୟୁରୋପୀୟ ଜ୍ୟୋତିବିଜ୍ଞାନୀ ‘ଟିକୋ ବ୍ରାହେ’ଙ୍କ ସହିତ ମଧ୍ୟ ତୁଳନାକରାଯାଏ।
କିନ୍ତୁ ବ୍ରାହେଙ୍କଭଳି ସାମନ୍ତଙ୍କ ପାଖରେ ଗବେଷଣାଗାର ବା ଆଧୁନିକ ଯନ୍ତ୍ରପାତି ନଥିଲା।ବ୍ରାହେ ଡେନମାର୍କର ସମ୍ରାଟ ଦ୍ୱିତୀୟ ଫ୍ରେଡେରିକଙ୍କର ପୃଷ୍ଟପୋଷକତା ପାଇଥିଲେ।ଗବେଷଣାଗାର ଏବଂ ଆଧୁନିକ ଯନ୍ତ୍ରପାତି ପାଇଥିଲେ।ମାସିକ ଚାରିଶହ ପାଉଣ୍ଡ ଅର୍ଥ ମଧ୍ୟ ପାଉଥିଲେ।କିନ୍ତୁ ଚନ୍ଦ୍ରଶେଖର ନିସ୍ୱ ଥିଲେ।ପୃଷ୍ଟପୋଷକତା ତ ଦୂରର କଥା,ରାଜାଙ୍କଠାରୁ ବିଦ୍ରୁପ ହିଁ ମିଳୁଥିଲା।ବାଉଁଶ କାଠି ଦି’ଖଣ୍ଡ ଥିଲା ଗବେଷଣାପାଇଁ ଭରସା।
ଜୀବନର ଶେଷ ବେଳକୁ ଥରେ ଯୋଗେଶଚନ୍ଦ୍ର ରାୟଙ୍କ ପାଖରେ ଦୂରବୀକ୍ଷଣ ଯନ୍ତ୍ରଟିଏ ଦେଖି ଚନ୍ଦ୍ରଶେଖର କହିଥିଲେ “ଆହା ! ଆଗରୁ ହେଲେ ଏମିତି ଯନ୍ତ୍ରଟିଏ ପାଇଥାଆନ୍ତି!”

ବିଲକ୍ଷଣ ପ୍ରତିଭାର ଅଧିକାରୀ ଏହି ମହାମାନବ 1904 ମସିହା ଜୁନ୍ ମାସ ଏଗାର ତାରିଖରେ ଇହଧାମ ତ୍ୟାଗ କରିଥିଲେ।ଗଣନାକରି ନିଜର ମୃତ୍ୟୁଦିନ ସେ ଜାଣିପାରିଥିଲେ।ଶ୍ରୀଜଗନ୍ନାଥଙ୍କର ପରମଭକ୍ତ ଚନ୍ଦ୍ରଶେଖର ନୀଳାଚଳ ଧାମକୁ ଯାଇ ଜଗନ୍ନାଥଙ୍କର ନୀଳଚକ୍ରକୁ ଚାହିଁ ଚାହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁବେଳକୁ ତାଙ୍କୁ ମାତ୍ର 69 ବର୍ଷ ହୋଇଥିଲା।ଜୀବନ ବଡ ହେବା ଆବଶ୍ୟକ,ଲମ୍ବା ନୁହେଁ।ମର ଶରୀର ତ୍ୟାଗ କରି ସେ ଆଜି ସିନା ଚାଲିଯାଇଛନ୍ତି,କିନ୍ତୁ ପ୍ରତି ଉତ୍କଳୀୟର ହୃଦରେ ସେ ଘରକରି ରହିଛନ୍ତି।ସେଥିପାଇଁ ଶ୍ରଦ୍ଧାସୁମନ ଅର୍ପଣକରି ପଣ୍ଡିତ ଗୋଦାବରୀଶ ମିଶ୍ର କହିଥିଲେ–
” ଉତ୍କଳ ଗୌରବ ରବି ହେ ଚନ୍ଦ୍ରଶେଖର !
ନଗଣ୍ୟ ମୁଁ ବନ୍ଦୁଛି ପୟରେ,
ଏ ଭବ ମୃର୍ତ୍ତିକା ଘଟୁ ଅପସରି ଆଜି,
ରାଜ କୋଟି ଜନଙ୍କ ଅନ୍ତରେ।”

କୁଳମଣି ଷଡଙ୍ଗୀ

Click to rate this post!
[Total: 0 Average: 0]

2 thoughts on “ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମ ବୃତ୍ତାନ୍ତ

  • Once again thanks Sir… And what a mind blowing unknown resource about the great #Samant Chandrasekhar

    • Kulamani

      Thanks a lot for going through the story and appreciating the same.Good evening.

Leave a Reply