Saturday, July 27, 2024
Uncategorized

ଘୋଷଯାତ୍ରା ୯

ଘୋଷଯାତ୍ରା ୯
………………..
ଚକ୍ଷୁ ହେଲା ପବିତ୍ର,ଆହେ ଜଗତ ନାଥ,
ଫେରି ଆସିଲ କେଡେ ବେଗି,
ମୋ ମାଆ ଠାକୁରାଣୀ ରୋଷ କରିବା ଜାଣି
ମନେ କି ଡର ଗଲା ଲାଗି ହେ?
ମହାବାହୁ,
ଚାରି ଦିନ ତ ବିତିନାହିଁ,କେମନ୍ତେ ଆସିଲ ହେ ଧାଇଁ?
ଯାହାକୁ ଯମ ଡରେ,ପୂଜିତ ଏ ସଂସାରେ,
ସେ ପୁଣି ପତ୍ନୀକୁ ଡରଇ ହେ ମହାବାହୁ।୧।

ଚାହାଁଣି ମଣ୍ଡପରେ ମାତା ଚାହାଁନ୍ତେ ଧୀରେ,
ଛନକା ଗଲାକି ହେ ପଶି?
ଉଆସ ଠାରେ ବସି,ରାଜାଙ୍କୁ ଦେଲ ପେଶି,
ନିଉଛାଳି ହୋଇଲେ ଆସି ହେ
ମହାବାହୁ,
ଅଣ୍ଟାରେ କାନି ଭିଡି ମାୟୀ,ଗଲେତ ତମ ତମ ହୋଇ,
ତୁମ୍ଭ ମଧୁର ହସ ,ଦେଖି ହେ ପୀତବାସ
ତରଳି ଗଲା ରୋଷ କାହିଁ ହେ ମହାବାହୁ।୨।

ତୁମ୍ଭର ଅଛି କିସ,ଏଠାରେ ପୀତବାସ
ପଟ୍ଟା ପାଉତି କିଛି ନାହିଁ,
ତାଙ୍କର ଶ୍ରୀମନ୍ଦିର,ଶିରୀକ୍ଷେତ୍ର ତାଙ୍କର,
ସିନ୍ଧୁଜେମା ସହଜେ ସେହି ହେ
ମହାବାହୁ,
ଯେବେଟି ଅଛି ଭଲ ଦଶା,ଭାରିଜା ହାତ ରନ୍ଧା ଆଶା,
ଶାଢି,ଗହଣା ଦେଇ ,ରସଗୋଲା ଖୁଆଇ,
ପୂରଣ କର ତାଙ୍କ ଆଶା ହେ ମହାବାହୋ।୩।

Click to rate this post!
[Total: 0 Average: 0]

Leave a Reply