Sunday, June 23, 2024
Uncategorized

ସ୍ବୟମ୍ବର
…..୫……
ଦରବାରରେ ଗୁରୁ ଦ୍ରୋଣ
……………………………..
ଅଥଳ ସାଗରେ ପଡି ଯେ ପାଉ ନଥାଏ ରାହା,
ଜୀବନ ତରି ସେ ପାଇଲେ, ମିଳେ ଯେସନେ ସାହା।
ସେହିପରି ଦ୍ରୋଣ ଆନନ୍ଦ,ପାଇ କୁରୁ ଆଶ୍ରୟ,
ତୃଷାର୍ତ୍ତକୁ ସତେ ଦେଲା କେ ନିର୍ମଳ ଜଳାଶୟ !
ଅଗାଧ ପାଣ୍ଡିତ୍ୟ,ଦକ୍ଷତା,ଜ୍ଞାନ ଗରିମା ବଳେ,
ହସ୍ତିନା ଦରବାରେ ଗୁରୁ, ସନମାନ ଲଭିଲେ।
କୌରବ ସେନାଙ୍କୁ କରିଲେ ଦ୍ରୋଣ ରଣେ ଅଜେୟ,
ଜାଗିଲା ପଡୋଶୀ ରାଜାଙ୍କ ମନେ ହସ୍ତିନା ଭୟ।

ତୂଣୀରୁ ନିର୍ଗତ ବାଣ କି କେବେ ଆସଇ ଫେରି?
ବ୍ରାହ୍ମଣ ଦ୍ରୋଣଙ୍କ ପ୍ରତିଜ୍ଞା ରହିଥିଲା ସେପରି।
ଦ୍ରୁପଦର ଗର୍ବ ଗଞ୍ଜନ ଥିଲା ଜୀବନ ଲକ୍ଷ,
ପାଞ୍ଚାଳ ରାଜ୍ୟରୁ ଅର୍ଦ୍ଧେକ ,ଥିଲା ଲକ୍ଷ ଆରେକ।
ହସ୍ତିନା,ପାଞ୍ଚାଳ ରାଇଜ ଥିଲେ ପଡୋଶୀ ହୋଇ,
ପୁରାତନ ଥିଲା ଶତ୍ରୁତା ସୀମା ବିବାଦ ନେଇ।
ନେଇ ଏ ବିବାଦ ସୁଯୋଗ,ହସ୍ତିନା ସାହାଯ୍ୟରେ,
ଲକ୍ଷ ରଖିଥିଲେ ବ୍ରାହ୍ମଣ,ଦ୍ରୁପଦ ଦମନରେ।

ଗୁରୁଙ୍କ ଶିକ୍ଷାରେ ବିଶ୍ବରେ,ଅଜେୟ ଧନୁର୍ଦ୍ଧର,
ହୋଇ ବାହାରିଲେ ଅର୍ଜୁନ,ପଣ୍ଡୁ ରାଜ କୁମାର।
ଧନଞ୍ଜୟର ସମକକ୍ଷ ଥିଲେ ଦୁଇଟି ବୀର,
ଏକ କର୍ଣ୍ଣ ସୂତ ନନ୍ଦନ,ଦୁଜେ ଜାରା ଶବର।
ଗଦାଯୁଦ୍ଧରେ ଦୁନିର୍ବିାର,ହୋଇଲେ ଭୀମସେନ,
ତହିଁରେ ସମକକ୍ଷ ଥିଲେ,କୁମାର ଦୁର୍ଯ୍ୟୋଧନ।
ଭାଲ ଯୁଦ୍ଧେ ଯୁଧିଷ୍ଠି ସମ ବୀର ଧରାରେ ନାହିଁ,
କୁନ୍ତ,ଖଡ୍ଗ ଯୁଦ୍ଧେ ବରିଷ୍ଠ,ମାଦ୍ରୀସୁତ ଦି ଭାଇ।
ଦ୍ରୋଣ ନନ୍ଦନ ଅଶ୍ବତ୍ଥାମା,ରାଜପୁତ୍ର ସଙ୍ଗରେ,
ଅସ୍ତ୍ର,ଶାସ୍ତ୍ର ବିଦ୍ୟା ପାଇଲେ ରହି ରାଜ ନବରେ।

ଏପରି ଗୁରୁଦ୍ରୋଣ,ନିଜ ବିଦ୍ୟା,ବୁଦ୍ଧି ବଳରେ,
ଦାରିଦ୍ର୍ୟକୁ ଦେଲେ ଉଡାଇ ତୁଳାସମ ଶୂନ୍ୟରେ
ଶିକ୍ଷା ଅନ୍ତେ ଆସିଲା ଗୁରୁ ଦକ୍ଷିଣାର ସମୟ ,
ଭରଦ୍ବାଜ ପୁତ୍ର ବୋଇଲେ,”ଶୁଣ ବୀରେ ଅଜେୟ।
ଉପଯୁକ୍ତ ଗୁରୁ ଦକ୍ଷିଣା ଯେବେ ଦେବାକୁ ଚାହଁ,
ଆକ୍ରମଣ କରି ପାଞ୍ଚାଳ ଦ୍ରୁପଦକୁ ହରାଅ।
ବନ୍ଦୀକରି ଆଣ ଉଦ୍ଧତ ସେହି ନରପତିକୁ,
କ୍ରୋଧ ଅଗ୍ନି ଜଳେ ମୋ ମନେ ଶାନ୍ତ କର ତାହାକୁ।”

ବୋଲେ ଦୁର୍ଯ୍ୟୋଧନ ଆଣିବି କାଟି ମୁଁ ତାର ଶୀର,
“ସେପରି ଧୃଷ୍ଟତା ନକର”,ଦ୍ରୋଣ ଦେଲେ ଉତ୍ତର।
ଚାହେଁ ମୁଁ ,ଦ୍ରୁପଦ ମସ୍ତକ ନୁଆଁଇବ ମୋ ପାଦେ,
କ୍ଷମା ଭିକ୍ଷାକରି ଦେବ ସେ ନିଜ ରାଜ୍ୟରୁ ଅଧେ।
ଏହି କାର୍ଯ୍ୟ କରିପାରିବ ଏକା ବୀର ଅର୍ଜୁନ,
ଉପଯୁକ୍ତ ଗୁରୁ ଦକ୍ଷିଣା, ଦେବ କୁନ୍ତୀ ନନ୍ଦନ।”
ଶୁଣି ଅର୍ଜୁନର ପ୍ରଶଂସା ଧୃତରାଷ୍ଟ୍ର ନନ୍ଦନ,
ଈର୍ଷାନଳେ ହେଲା ଆରକ୍ତ ତାର ବେନି ନୟନ।
ତଥାପି ଗୁରୁଙ୍କ ନିର୍ଦ୍ଦେଶେ,ଗୁରୁ ଦକ୍ଷିଣା ଅର୍ଥେ,
କୁରୁ ରାଜପୁତ୍ରେ ଚଳିଲେ ପାଣ୍ଡବଙ୍କ ସହିତେ।

କ୍ରମଶଃ………..

Click to rate this post!
[Total: 0 Average: 0]

Leave a Reply