Wednesday, February 21, 2024
Uncategorized

ସ୍ବୟମ୍ବର
…..୧୦….
ଦ୍ରୁପଦଙ୍କ ଚିନ୍ତା
………………………..
ମନ୍ଦିରରୁ ସଂଧ୍ୟା ସାରି ଦ୍ରୁପଦ ନରେଶ,
ଫେରୁଥିଲେ,ପଥେ ଦେଖି କୃଷ୍ଣାଙ୍କୁ ବିରସ,
ପଚାରିଲେ “କାହିଁକି ମା ମୁଖଚନ୍ଦ୍ର ତୋର,
ମଳିନ ପଡିଯାଇଛି ରାଜଜେମା ମୋର?
କେଉଁ ଚିନ୍ତା ହୃଦୟେ ମା କରିଛି ତୋ ବାସ,
କିଏ ଚୋରି କରି ନେଲା ତୋ ଅମୂଲ୍ୟ ହସ?
ମନରୁ ହଜି ଯାଇଛି ସରସ କିପାଇଁ,
ହଜି ଯାଇଥିଲେ କିଛି ଦେବି ମୁଁ ଖୋଜାଇ।
ଭାଙ୍ଗି ଯାଇଥିଲେ କିଛି ଗଢିଦେବି ତ୍ବରା,
ମନୁ ଦୁଃଖ ଦୂରକର ମୋ ଦୁଃଖ ପାଶୋରା।
ଜାଣୁ ,ତୋ ଶୁଖିଲା ମୁହଁ ଦେଖି ପାରେ ନାହିଁ,
ଅତି ଅଲିଅଳ କନ୍ୟା କୃଷ୍ଣା ମୋର ତୁହି।
ତୋ ହୃଦୟ ବ୍ୟଥା ସଦା ହୃଦୟକୁ ମୋର,
କରଇ ବ୍ୟଥିତ,ମାଆ ଅଜଣା କି ତୋର?”

ପିତାଙ୍କ ଚରଣ ଧୂଳି ମଥାରେ ଲଗାଇ,
ମନ୍ଦିର ପୂଜା ପ୍ରସାଦ କିଛି ମୁଖେ ଦେଇ,।
ପିତା ହସ୍ତ ଧରି ,ନେଇ ନିଜ ପ୍ରକୋଷ୍ଠରେ,
ବସାଇ ଆସନେ କୃଷ୍ଣା ବୋଇଲେ ସଧୀରେ।
“ନଜାଣ କି ତାତ ମୋର ଦୁଃଖର କାରଣ?
ମୋ ଅନ୍ତର କଥା ତୁମ୍ଭେ ବାଲ୍ୟକାଳୁ ଜାଣ।
ଜନ୍ମରୁ ମୁଁ ପାଇନାହିଁ ମମତା ମାତାର,
ମାତା,ପିତା,ଦେବତା ସବୁ ତ ତୁମେ ମୋର।
ମାଆ ସ୍ନେହର ଅଭାବ ନାହିଁ ମୋ ଜୀବନେ,
ବାତ୍ସଲ୍ୟ ଭରି ଦେଇଛ ତୁମ୍ଭେ ତନୂ ମନେ।
ଆମ୍ଭେ ଭାଇ,ଭଉଣୀ ସେ ମମତାର ରୃଣୀ,
କେମନ୍ତେ ଶୁଝିପାରିବୁ,ହେଉ ସଦା ଗୁଣି।

ଦ୍ରୋଣଙ୍କର ତୁମ୍ଭପ୍ରତି ଅପମାନ କଥା,
ଚିନ୍ତାକରି ମନେ ଜାଗେ ଅକଳନ ବ୍ୟଥା।
ଯେଉଁ ଅପମାନ ଦେଲା ପାଣ୍ଡବ ଅର୍ଜୁନ,
ଯେଉଁ ବ୍ୟବହାର କଲେ ଭୀମ,ଦୁର୍ଯ୍ୟୋଧନ।
ଯେପରି ଘୋଷାରି ତୁମ୍ଭକୁ ସେ ଘେନିଗଲେ,
ଅପରାଧୀ ସମ ଦ୍ରୋଣ ପାଦେ ନିକ୍ଷେପିଲେ,।
କିପରି ଭୁଲି ପାରିବ ଏ କନ୍ୟା ତୁମ୍ଭର,
ଦ୍ରୋଣ ଦର୍ପ ଚୂର୍ଣ୍ଣ ପାଇଁ ଜନମ ଯେ ମୋର।
ଯଜ୍ଞରୁ ସମ୍ଭୂତା ମୁହିଁ ସେଥିପାଇଁ ତାତ,
ମୋ ସଙ୍ଗେ ଯଜ୍ଞରୁ ଜାତ ଧ୍ରୁଷ୍ଟଦ୍ୟୁମ୍ନ ଭ୍ରାତ।
ପଣ ଆମ୍ଭର ଦ୍ରୋଣର ଦର୍ପ ଚୂର୍ଣ୍ଣ କରି,
ଶୀତଳ କରିବୁ ତାତ ପ୍ରାଣକୁ ତୁମ୍ଭରି।”

ଧନଞ୍ଜୟ ନିନ୍ଦା ଶୁଣି ବୋଇଲେ ଦ୍ରୁପଦ,
ଅର୍ଜୁନ ପାଇଁ ମୋ ହୃଦେ ତିଳେ ନାହିଁ କ୍ଷେଦ।
ଅତି ଭଦ୍ର,ସଂସ୍କାରୀ ସେ ପାଣ୍ଡୁ ପାଞ୍ଚଭାଇ,
ବନ୍ଦୀ ସିନା କଲେ ମୋତେ ଗୁରୁ ଆଜ୍ଞାପାଇ।
ଯେ ସମୟେ ଘୋଷାରିଲା ଦୁଷ୍ଟ ଦୁର୍ଯ୍ୟୋଧନ,
ନକର ଏମନ୍ତ ବୋଲି ବୋଇଲା ଅର୍ଜୁନ।
କରିଲା ବାରଣ ସେ ସମୟେ ଯୁଧିଷ୍ଠିର,
ବୋଇଲା ରାଜାକୁ ଦିଅ ସମ୍ମାନ ତାହାର।
ଦୁଷ୍ଟ କଉରବ ଶତଭାଇ ଦେଲେ ଗାଳି,
ଦୁର୍ଯ୍ୟୋଧନ ମାରେ ଧକ୍କା,ଦୁଃଶା ମାରେ ତାଳି।
ସଦା ଅଧର୍ମ ପଥରେ ଯାଆନ୍ତି କୌରବେ,
ଧର୍ମପଥେ ରହିଥାନ୍ତି ପ୍ରଚଣ୍ଡ ପାଣ୍ଡବେ।
ତେଣୁ ଦିନେ ଭାବିଥିଲି ପାଣ୍ଡବ ଅର୍ଜୁନେ,
ବିଭାଦେବି ତୋତେ ପଣ ପୂର୍ଣ୍ଣ ଅଭିଯାନେ।
କିନ୍ତୁ ଜେମା ତୋ ପିତାର ସ୍ବପ୍ନ ମଉଳିଲା,
ଦ୍ରୋଣର ଅହଂକାରଟି ଅଧିକେ ବଢିଲା।
ପାଣ୍ଡବଙ୍କୁ ଶତ୍ରୁରୂପେ ସଦା ଦେଖେ ଦ୍ରୋଣ,
କୌରବଙ୍କ ଆଶ୍ରାପାଇ ଉଦ୍ଧତ ବ୍ରାହ୍ମଣ।
ଦୁର୍ଯ୍ୟୋଧନ ସଖା ଯେଣୁ ପୁତ୍ର ଅଶ୍ବତ୍ଥାମା,
ପୁତ୍ର ମୋହେ ଅନ୍ଧ ହୋଇ ଦ୍ରୋଣ ଦୁରାତମା।
ବାରୁଣାବନ୍ତର ଷଡଯନ୍ତ୍ରେ ଭାଗି ହେଲା,
ପାଣ୍ଡବଙ୍କୁ ବାରୁଣାବତକୁ ପଠାଇଲା।
ଯେ ପର୍ଯ୍ୟନ୍ତ କୁରୁ ବଂଶ ନ ହୋଇଛି ଧ୍ବଂସ,
ଦ୍ରୋଣ ନାଶ ଆଶା ପୂର୍ଣ୍ଣ ନୋହିବ ଅବଶ୍ୟ।
ଅର୍ଦ୍ଧେକ ପାଞ୍ଚାଳ ଅଛି ଦ୍ରୋଣର ଅଧୀନ,
ଏକ ଭୁଜ ସତେ କାଟି ନେଇଛି ବ୍ରାହ୍ମଣ !
ଅହିଛତ୍ରେ ଅଶ୍ବତ୍ଥାମା କରୁଛି ରାଜୁତି,
ହସ୍ତିନା ସଭାରେ ଦ୍ରୋଣ କରେ ରାଜନୀତି।
ଅଧର୍ମର ଅବତାର ଅଟେ ଅନ୍ଧ ସୁତ,
ସହଜେ ତ ସିଂହାସନେ ବନ୍ଧା ଗଙ୍ଗାସୁତ।
ତାତ୍ସଲ୍ୟ କରିବାକୁ ସେ ପ୍ରଭୁ ନାରାୟଣ,
ନିଜ ନାମ ରଖିଛି ପନ୍ନଗ ନାରାୟଣ।
କୃଷ୍ଣଙ୍କର ନାମ ଯେଣୁ ରହିଛି ଗୋବିନ୍ଦ,
ନିଜକୁ ବୋଲାଏ ସେହୁ ଶ୍ରୀମାନଗୋବିନ୍ଦ।
କିନ୍ତୁ ଗଦାଯୁଦ୍ଧେ ଦୁଷ୍ଟ ଅଟେ ବଳୀୟାନ,
ତା ସଙ୍ଗେ ତାଳ ଦେବାକୁ ଥିଲା ଭୀମସେନ।
ଭାବିଥିଲି ଜାମାତା ମୁଁ କରି ଅର୍ଜୁନକୁ,
ହରାଇବି ଗୁରୁ ଦ୍ରୋଣ ସଙ୍ଗେ କୌରବଙ୍କୁ।
ଦ୍ରୋଣ ସମକକ୍ଷ ଏକା ଥିଲା ଧନଞ୍ଜୟ ,
ସେ ତ ଗଲା ଏବେ କିସ କରିବା ଉପାୟ?
ଏବେ ମଗଧ ନରେଶ ଦେଇଛି ପ୍ରସ୍ତାବ,
ମେଘସନ୍ଧି ସଂଗେ ବିବାହ ତୋ କରାଇବ।
ମଗଧ ସହିତେ ହେଲେ ଆମ୍ଭର ସମ୍ବନ୍ଧ,
କୃଷ୍ଣ,ବଳରାମ ସଙ୍ଗେ ହୋଇବ ବିବାଦ।
ଯାଦବ ଗଣ କୌରବ ସଙ୍ଗେ ମେଳହୋଇ,
ପାଞ୍ଚାଳକୁ କ୍ଷଣେ ଦେବେ ଶୂନ୍ୟରେ ଉଡାଇ।
ଯଦୁ ସେନା ବଳେ ଦ୍ରୋଣ ହେବ ଦୃଢହସ୍ତ,
ପ୍ରତିଜ୍ଞା ପୂରଣେ ଆମ୍ଭେ ନୋହିବା ସମର୍ଥ।
ସହଜେ ତ ଅଧର୍ମୀ ଅଟଇ ଜରାସନ୍ଧ,
କିପରି ସମ୍ଭବ ଆମ୍ଭ- ତାହାର ସମ୍ବନ୍ଧ?
ମଗଧ ଚକ୍ରବର୍ତ୍ତିର ହାତରେ ଖେଳନା,
ହୋଇ ଅଧର୍ମ ମାର୍ଗରେ ଯିବା ଆମ୍ଭେ ସିନା”
ଏତେ ଭାଳି ଯାଜ୍ଞସେନ ମନେ ହେଲେ ଦୁଃଖୀ,
ଘୋର ଅନ୍ଧକାର ମୟ ଭବିତବ୍ୟ ଦେଖି।

କ୍ରମଶଃ—-‘

Click to rate this post!
[Total: 0 Average: 0]

Leave a Reply