Thursday, June 13, 2024
Uncategorized

ଅଭିମନ୍ୟୁ
……..୮……
ସଂଶପ୍ତକ ରଣ
………………….
ଦ୍ରୋଣ ଦୁର୍ଯ୍ୟୋଧନ ହେଉଁ କଥୋପ କଥନ,
ପାଞ୍ଚଜନ୍ୟ ନାଦେ କମ୍ପେ କୁରୁ ରଣାଙ୍ଗନ।
ଦୁନ୍ଦୁଭି ନାଦରେ ଦମକିଲା ମେଘମାଳା,
ତା ସଙ୍ଗେ ବୀର ବାଇଦ ଅନେକ ବାଜିଲା।
ଭୀମସେନ ବଜାଇଲେ ପୌଣ୍ଡ୍ର* ଉଚ୍ଚ ନାଦେ,
ଥରଥର କୁରୁକ୍ଷେତ୍ର ସେ ଘୋର ଶବଦେ।
ହସ୍ତୀ ପିଙ୍କାରିଲେ,ଅଶ୍ବେ କଲେ ହ୍ରେସାରବ,
ଘୋର ରଣେ ମାତିଗଲେ କୌରବ ପାଣ୍ଡବ।
ତ୍ରୟୋଦଶ ଦିନ ରଣ ବିଲୋକିବାପାଇଁ #,
ଇନ୍ଦ୍ର ସହ ଦେବତାଏ ସ୍ବର୍ଗୁ ଛନ୍ତି ଚାହିଁ।
ଏ ସମୟେ ସଂଶପ୍ତକେ କଲେ ଉଚ୍ଚେ ରବ,
“ଯୁଦ୍ଧଂ ଦେହି,ଯୁଦ୍ଧଂ ଦେହି ମଧ୍ୟମ ପାଣ୍ଡବ।”

ଚାହୁଁ ଚାହୁଁ ସଂଶପ୍ତକ ବାହିନୀକୁ ଚିରି,
ପଶିଗଲା ନନ୍ଦିଘୋଷ ମେଘେ ଚନ୍ଦ୍ରପରି।
ସଂଶପ୍ତକ ଗଣ ପେଶି ମହାମେଘ ବାଣ,
ଆକାଶରେ ସୃଷ୍ଟିକଲେ କଳାମେଘମାନ।
ଦୁର୍ଭେଦ୍ୟ ମେଘମାଳାରୁ ବରଷଇ ଶର,
ସେ ବାଣେ ରକ୍ତାକ୍ତ ତନୁ ଧନଞ୍ଜୟ ବୀର।
ହଟ କରି ନଟବର ପଚାରନ୍ତି ଧୀରେ,
“ଅଛ ନା ନାହିଁ ହେ ପାର୍ଥ ନନ୍ଦିଘୋଷ ପରେ?”
ଶ୍ରୀକୃଷ୍ଣଙ୍କୁ ଚାହିଁ ହସି କହେ ଧନଞ୍ଜୟ ,
“ତୁମ୍ଭେ ଯହିଁ ମୁହିଁ ତହିଁ ଯଶୋଦା ତନୟ।”

ବାୟବ୍ୟ ଶର ଖଞ୍ଜିଲେ କୋଦଣ୍ଡେ ଅର୍ଜୁନ,
ପ୍ରଳୟ ବେଗେ ଆକାଶେ କରେ ସେ ଗମନ।
କ୍ଷଣକରେ ଉଡିଗଲେ ତୀର ମେଘମାଳା,
ସୈନ୍ୟ ସହ ସୁଶର୍ମା ସମ୍ମୁଖେ ଦେଖାଗଲା।
ବଛା ବଛା ତୀକ୍ଷଣ ବାଣ ତୁଣୀରୁ ଉତ୍ତାରି,
ପେଶନ୍ତେ ପାର୍ଥ ସଇନେ ଗଲେ ଯମପୁରୀ।

ଦଳ ଦଳ ହୋଇ ଆତ୍ମଘାତି ସଂଶପ୍ତକେ,
ବଳି ପଶୁ ସମ ମୃତ ଅର୍ଜୁନ ଶାୟକେ।
କୁଢ କୁଢ ମୃତ ଦେହ ପଡିଛି ଧରାରେ,
ଖଣ୍ଡ ବିଖଣ୍ଡିତ ହସ୍ତ ପଦ ସହିତରେ।
ସଂଶପ୍ତକଙ୍କର ରକ୍ତ,ମେଦ,ମାଂସ ପରେ,
ଗଡିଚାଲେ ନନ୍ଦିଘୋଷ ବିଜୟ ଗର୍ବରେ।
ଲେଉଟିବା ପାଇଁ ପାର୍ଥ ହୁଅନ୍ତେ ଉଦ୍ୟତ,
ଓଗାଳିଲେ ପଥ ଶଂସପ୍ତକ ଶତ ଶତ।

*ପୌଣ୍ଡ୍ର—ଭୀମଙ୍କ ଶଙ୍ଖର ନାମ
#ବିଲୋକିବା–ଦେଖିବା

କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply