Wednesday, February 21, 2024
Uncategorized

ଅଭିମନ୍ୟୁ
…….୭……
ଦ୍ରୋଣଙ୍କୁ ଦୋଷାରୋପ
…………………………
ଦ୍ବାଦଶ ଦିବସ ରଣେ ଭଗଦତ୍ତ ବୀର,
ଧନଞ୍ଜୟ ହସ୍ତେ ଗଲେ ଶମନ ମନ୍ଦିର।
ଶୁଷ୍କ ବାଲୁକାରେ ମୀନ ଯେହ୍ନେ ଛଟପଟ,
ସେହିପରି ସନ୍ତାପିତ ଧୃତରାଷ୍ଟ୍ର ଚାଟ।
ବିନିଦ୍ର ରଜନୀ ଅନ୍ତେ କୁରୁ ଯୁବରାଜ,
ଗୁରୁଙ୍କ ସମୀପେ ଯାଇ କହିଲା  “ହେ ଆର୍ଯ୍ୟ !
ସବୁ ପ୍ରୟାସ ତୁମ୍ଭର ବିଫଳ ହୋଇଲା,
ଧର୍ମପୁତ୍ର ବନ୍ଦୀହେବା ସ୍ବପ୍ନରେ ରହିଲା।
ବୀର ଦର୍ପେ କୁରୁସୈନ୍ୟ ହତ କରେ ପାର୍ଥ,
ତୁମ୍ଭ ସେନାପତିତ୍ବର କି ରହିଲା ଅର୍ଥ?
ସିଂହ ସଙ୍ଗେ ସିଂହ ଶିଶୁ ମିଶି ଯେଉଁପରି,
ଅରଣ୍ୟ କରନ୍ତି ପଦା, ଅର୍ଜୁନ ସେପରି,
ଅଭିମନ୍ୟୁ ସଙ୍ଗେ ମିଶି ନାଶଇ କୌରବେ,
ଭୀମ ଭୀମ ଗଦାତଳେ ନିର୍ଭୟ ପାଣ୍ଡବେ।

ସିଂହ ଗୁମ୍ଫାଆଗେ କଲେ ଶୃଗାଳ ନର୍ତ୍ତନ,
ଶୁପ୍ତ ସିଂହର କି କେବେ ବଢେ କୀର୍ତ୍ତିମାନ?
ତୁମ୍ଭ କାର୍ମୁକ ଟଙ୍କାରେ ବିଶ୍ବ ଯାଏ ଥରି,
ତୁମ୍ଭଆଗେ ପାଣ୍ଡବ ବାହିନୀ ତୃଣପରି।
ତଥାପି ଯୁଧିଷ୍ଠିରଙ୍କୁ ନପାରିଲ ବାନ୍ଧି,
ଗୁରୁ-ଶିଷ୍ୟ ମାୟାରେ କି ହେଲ ଅବା ଛନ୍ଦି?
ଅଥବା ଯୁଧିଷ୍ଠି ପ୍ରିୟ ହେଲା ମୋହଠାରୁ,
କିପାଁ ଏ ପାଣ୍ଡବ ପ୍ରୀତି,ସତ୍ୟ କୁହ ଗୁରୁ?
ଧନଞ୍ଜୟ ପ୍ରିୟଶିଷ୍ୟ ବୋଲି କି ତୁମ୍ଭର,
ପକ୍ଷପାତ ନୀତି ଧର ଆଚାର୍ଯ୍ୟ ପ୍ରବର।
ବାସୁଦେବ ଆଶୀର୍ବାଦେ ପାଣ୍ଡବେ ନିଶ୍ଚିନ୍ତ,
ଏତେ ରଥୀ ଥାଉଁ ମୋର ଭାଗ୍ୟ ବିପରୀତ।
ଦ୍ରୋଣ,କୃପ,କର୍ଣ୍ଣ,ଶଲ୍ୟ ପରି ବୀରେ ଥାଉଁ,
ଅନିଶ୍ଚିତ ଭାଗ୍ୟ ମୋର କିପାଁ ମହାବାହୁ?”

ବିମର୍ଷ ମାନଗୋବିନ୍ଦ ମୁଖକୁ ଅନାଇଁ,
ଦ୍ରୋଣ ବୋଇଲେ “ଲାଞ୍ଛନା ଦିଅ କାହିଁପାଇଁ?
ଯେତେ ମୋ ପ୍ରିୟ ହୁଅନ୍ତୁ ପାଣ୍ଡୁ ପାଞ୍ଚଭାଇ,
ରଣକ୍ଷେତ୍ରେ ପରମ ଶତ୍ରୁ ସେ ମୋହପାଇଁ।
କୁରୁବଂଶ ଅନ୍ନ ଖାଇ ବନ୍ଧା ତୁମ୍ଭ ରୃଣେ,
ତା ନହେଲେ କାହିଁକି ମୁଁ ଯୁଝୁଥାନ୍ତି ରଣେ?
ହସ୍ତିନାର ଆଶ୍ରୟରେ ଯେବେ ମୁଁ ନଥାନ୍ତି,
କାହିଁକି ମୁଁ ହୋଇଥାନ୍ତି ତୁମ୍ଭ ସେନାପତି?
ତୁମ୍ଭ ଅନ୍ନ ଖାଇ ତୁମ୍ଭ ପାପଭାରେ ଭାଗୀ,
ଯେତେ ଅନୀତି କର ମୁଁ ତାର ସହଯୋଗୀ।
କୁରୁ ସିଂହାସନେ ବନ୍ଧା ଏ ଜୀବନ ମୋର,
ତଥାପି ହେ ଯୁବରାଜ ତିରଷ୍କାର କର !
ସେନାପତିଠାରେ ରାଜା କଲେ ଅବିଶ୍ବାସ,
ରଣକ୍ଷେତ୍ରେ ମନୋବଳ ନିଶ୍ଚେ ହେବ ହ୍ରାସ।
ରାଜା ମନ ଦୁର୍ବଳତା ସୈନ୍ୟେ ଜାଣିପାରି,
ହତୋତ୍ସାହ ହୋଇ ଜିତା ବାଜି ଯିବେ ହାରି।
ଲଢିବା ପୂର୍ବରୁ ଯେବେ ହାରିବାକୁ ଚାହଁ,
ସେନାପତି ଶାଢି ମୋତେ କିପାଁ ଦେଲ କୁହ?
ପାଣ୍ଡବ ସହିତେ ତୁମ୍ଭ ଏତିକି ପ୍ରଭେଦ,
ସେମାନେ ମାନନ୍ତି ଯାହା ବୋଲନ୍ତି ଗୋବିନ୍ଦ।
ତୁମ୍ଭର ତ କାହାପରେ ବିଶ୍ବାସ ବି ନାହିଁ,
କିପରି ଜିଣିବ ଯୁଦ୍ଧ ତୁମ୍ଭେ ଶତ ଭାଇ?
ଧର୍ମଙ୍କୁ ବାନ୍ଧିବା ନୁହେ ସହଜ ବ୍ୟାପାର,
ଯେ ପର୍ଯ୍ୟନ୍ତ ପାଶେ ଅଛି ପାର୍ଥ ଧନୁର୍ଦ୍ଧର।
ଆଜି ରଣେ ଅର୍ଜୁନକୁ ନେବ ଯେବେ ଦୂରେ,
ତା ହେଲେ ମୁଁ ଯୁଧିଷ୍ଠିଙ୍କୁ ବନ୍ଦୀ କରିପାରେ।
ଶୁଣୁଥିଲା ଏହିକଥା ତ୍ରିଗର୍ତ୍ତ ଈଶ୍ବର,
ବୋଇଲା “ସେ ଦାୟୀତ୍ବ ମୁଁ ନେଲି ଗୁରୁବର।
ଆତ୍ମଘାତୀ,ଦୁର୍ଦ୍ଧର୍ଷ ମୋ ସଂଶପ୍ତକ ସେନା,
ନ ଜାଣନ୍ତି ଆନ,ଯୁଦ୍ଧେ ପ୍ରାଣ ଦେବା ବିନା,
ଅଗ୍ନିରେ ଝାସ ଦିଅନ୍ତି କୀଟେ ଯେଉଁପରି,
ରଣାଗ୍ନିରେ ଝାସ ଦେବେ ସଇନେ ମୋହରି।
ଯୁଦ୍ଧ ଆରମ୍ଭ ପୂର୍ବରୁ ମୃତ୍ୟୁ କ୍ରିୟାକର୍ମ,
ନିଜର କରାଇ ନେଇଥାନ୍ତି ମୋ ସଇନ।
ତେଣୁ ପ୍ରାଣପାଇଁ ତାଙ୍କ ନଥାଏ ଖାତର,
ବଡ ଦୁର୍ଦ୍ଦାନ୍ତ ହେ ଆର୍ଯ୍ୟ ସଂଶପ୍ତକେ ମୋର।
ବାଣ ପେଶି ମେଘ ସୃଷ୍ଟି କରି ସେ ପାରନ୍ତି।
ସେ ଅନ୍ଧକାର ମଧ୍ୟରୁ ଶତ୍ରୁ ସଂହାରନ୍ତି
ଆଜି ଯୁଦ୍ଧେ ଅର୍ଜୁନଙ୍କୁ ଦୂରେ ନେବିଟାଣି,
ବନ୍ଦୀ କର ଯୁଧିଷ୍ଠିର ସେ ସମୟ ଜାଣି।”
ବୋଇଲେ ଆଚାର୍ଯ୍ୟ “ଆର୍ଯ୍ୟ ହେଉ ତାହା ଧାର୍ଯ୍ୟ,
ଚକ୍ରବ୍ୟୁହ ରଚି ବାନ୍ଧିବି ମୁଁ ଧର୍ମରାଜ।
ସେ ବ୍ୟୁହ ଭେଦିବା କାର୍ଯ୍ୟ ଜାଣେ ଏକା ପାର୍ଥ,
ଅନ୍ୟ କୌଣସି ପାଣ୍ଡବ ନୋହିବେ ସମର୍ଥ।”
କ୍ରମଶଃ……….

Click to rate this post!
[Total: 0 Average: 0]

Leave a Reply