Saturday, April 27, 2024
Uncategorized

ଅଭିମନ୍ୟୁ
…….୯……
ଗୁରୁଙ୍କ ଚକ୍ରବ୍ୟୁହ
……………………..
ଏଣେ ଧନଞ୍ଜୟ ଅନୁପସ୍ଥିତିରେ
ମହାଦର୍ପେ କୁରୁ ବଳ,
ଗୁରୁଙ୍କର ଚକ୍ରବ୍ୟୁହ ମଧ୍ୟେ ରହି
କରନ୍ତି ରଣ କରାଳ।
ପଦ୍ମବନ ହସ୍ତୀ ଦିଏ ଯଥା ଦଳି,
ଦ୍ରୋଣାଚାର୍ଯ୍ୟ ସେହିପରି,
ଧ୍ବଂସ କରୁଛନ୍ତି ପାଣ୍ଡବ ବାହିନୀ,
ଅପ୍ରମିତ ଶକ୍ତିଧାରୀ।
ଯୁଧିଷ୍ଠିର,ଭୀମ,ସାତ୍ୟକି,ଦ୍ରୁପଦ,
ଘଟୋତ୍କଚ ଯେ କେକୟ,
ଯୁଧାମନ୍ୟୁ,ମତ୍ସ୍ୟରାଜ,ଉତ୍ତମୌଜା
ସର୍ବେ ହେଲେ ପରାଜୟ।

ହୋଇ ଭୟଭୀତ ଦେଖିଲେ ଯୁଧିଷ୍ଠି
ପାର୍ଥ ଅଛି ବହୁଦୂରେ,
ସଂଶପ୍ତକ ରଣ ଏଡାଇ ଆସିବା
ସମ୍ଭବ ନୁହେଁ ତାଠାରେ।
ମାଡି ଆସୁଛନ୍ତି ମହାଦର୍ପେ ଗୁରୁ,
ନେବେ ଯେବେ ତାଙ୍କୁ ଧରି,
ତ୍ରୟୋଦଶ ଦିନେ ଯୁଦ୍ଧ ଶେଷହେବ,
ସବୁ ଆଶା ଯିବ ସରି।
କର୍ତ୍ତବ୍ୟ ବିମୂଢ ହୋଇ ଧର୍ମପୁତ୍ର,
ଭାବିଲେ କରିବେ କିସ,
ଦ୍ରୋଣଙ୍କର ଚକ୍ରବ୍ୟୁହ ଭେଦିବାକୁ
 ଉପାୟ ଅଛି କା ପାଶ?
ଏ ସମୟେ ଅଭିମନ୍ୟୁ ବୋଲେ
“ତାତ ଜାଣିଛି ମୁଁ ଭେଦ ତାର”
ପଚାରିଲେ ଧର୍ମପୁତ୍ର,”କେମନ୍ତେ ତୁ
ଜାଣିଲୁ କହ କୁମାର।”
ବୋଲେ ପାର୍ଥସୁତ ଶୁଣ ଜ୍ୟେଷ୍ଠତାତ,
ମାତାଗର୍ଭେ ଥିଲି ଯେବେ,
ପିତା କହୁଥିଲେ ମାତାଙ୍କୁ ସେ ଭେଦ
 ଶୁଣିଛିମୁଁ କର୍ଣ୍ଣେ ତେବେ।
ବ୍ୟୁହରୁ ଫେରିବା ରହସ୍ୟ କହିବା
ପୂର୍ବୁ ମାତା ଗଲେ ଶୋଇ,
ତେଣୁ ବ୍ୟୁହଭେଦି ଫେରିବା କୌଶଳ
ପିତାମୁଖୁ ଶୁଣିନାହିଁ।

ଆନନ୍ଦେ ବିଭୋର ହୋଇ ଯୁଧିଷ୍ଠିର
“ବୋଇଲେ ଧନ୍ୟ ତୁ ବୀର,
ପାରିବୁ ଯେବେ ତୁ ଏ ଘୋର ଶଙ୍କଟୁ
ପାଣ୍ଡବଙ୍କୁ ରକ୍ଷାକର।
ଚକ୍ରବ୍ୟୁହ ସିନା ଭେଦି ପାରିବୁ ତୁ
ଫେରିବୁ ବାବୁ କିପରି?”
ଶୁଣି ଭୀମସେନ ବୋଇଲେ
“ପଛକୁ ଥିବୁ ଆମ୍ଭେ ଛାଇପରି।
ମୋ ସଙ୍ଗେ ସାତ୍ୟକି,ଧୃଷ୍ଟଦ୍ୟୁମ୍ନ ସଙ୍ଗେ
ରହିବେ ରାଜା ବିରାଟ,
ବ୍ୟୁହ ଧ୍ବଂସକରି କରିବୁ ପୁତ୍ରକୁ
ଫେରାଇ ଆଣିବା ବାଟ।
ଫେରନ୍ତା ବାଟରେ ଗଦାଘାତେ ଧୂଳି
 କରିବି କୌରବ ସେନା,
ଚକ୍ରବ୍ୟୁହ ଭେଦକର ବୀରପୁତ୍ର
ଉଡୁ ଆମ୍ଭ ଜୟବାନା।”

କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply