Wednesday, February 28, 2024
Uncategorized

ସ୍ବୟମ୍ବର
…..୧୯…
କୃଷ୍ଣ-କୃଷ୍ଣା କଥୋପକଥନ
******************
ମନେହେଲା କୃଷ୍ଣଙ୍କର ଗବାକ୍ଷ ସେପାରେ,
ଶୁଣୁଛି କେ ତାଙ୍କ କଥା ରହି ଗୋପନରେ।
ଜାଣି କୃଷ୍ଣ ମନୋଭାବ ବୋଇଲେ ରାଜନ,
“କୃଷ୍ଣା ଶୁଣୁଛି ଆମ୍ଭର କଥୋପକଥନ।
ମୋର ଅନୁମତି ନେଇ, ଆମ୍ଭ ଆଲୋଚନା,
ଶୁଣୁଛି କଲ୍ୟାଣୀ,କୃଷ୍ଣ ଅନ୍ୟଥା ଭାବନା।
ନଜଣାଇ ତୁମ୍ଭଙ୍କୁ ମୁଁ ଦେଲି ଅନୁମତି,
କ୍ଷମା ଆଚରଇ ତୁମ୍ଭଠାରେ ମହାମତି।
ଯେଣୁ ଏହା କଲ୍ୟାଣୀର ଭବିଷ୍ୟତ ପ୍ରଶ୍ନ,
ଏଡାଇ ନପାରିଲି ତା ଅନୁରୋଧ କୃଷ୍ଣ।
ତୁମ୍ଭ ସଙ୍ଗେ ସାକ୍ଷାତର ମନୋବାଞ୍ଛା ଧରି,
ରହିଛି ମୋ କନ୍ୟା ବାଞ୍ଛା ପୂର୍ଣ୍ଣ କର ହରି।”

ଏ ଅନ୍ତେ ପ୍ରକୋଷ୍ଠ ତେଜି ଦ୍ରୁପଦ ରାଜନ,
ଯାଆନ୍ତେ ଯାଜ୍ଞସେନୀଙ୍କ ହେଲା ଆଗମନ।
ବିମୁଗ୍ଧ ହେଲେ କେଶବ ଦେଖି ଜେମା ରୂପ,
ଲାବଣ୍ୟର ଗନ୍ତାଘର ଆହା ଅପରୂପ!
ଚକ୍ଷୁ କର୍ଣ୍ଣର ବିବାଦ କ୍ଷଣେ ମେଣ୍ଟିଗଲା,
କର୍ଣ୍ଣ ଶୁଣିଥିଲା,ଚକ୍ଷୁ ଦେଖି ମୁଗ୍ଧ ହେଲା।
ସ୍ମୀତ ହସି ରାଜକନ୍ୟା କଲେ ନମସ୍କାର,
ସହାସ୍ୟେ ତାହା ଗ୍ରହଣ କଲେ ନଟବର।
ବୋଇଲେ କୃଷ୍ଣା,”ହେ କୃଷ୍ଣ! ମୋହନ ମୁରଲୀ,
କଥା ଶୁଣିଛି ମୁଁ ଯାହା ପାରେନା ତା ଭୁଲି।
କାହିଁକି ଶ୍ରୀରାଧା ପାଶେ ଛାଡି ତା ଆସିଲ?
ବଂଶୀ ଶୁଣିବା ସୌଭାଗ୍ୟ ଆମ୍ଭକୁ ନଦେଲ।”
ରାଜକନ୍ୟାଙ୍କ ସଲ୍ଲଜ ହସ, ଖୋଲା ମନ,
ଦେଖି ବିମୁଗ୍ଧ ହୋଇଲେ ଦେବକୀ ନନ୍ଦନ।
ବୋଇଲେ “ଯାହାର ବଂଶୀ,ରହିଲା ତା ପାଶ,
ତୁମ୍ଭପାଇଁ ମନେ ଅଛି ସ୍ନେହ ମୋ ଅଶେଷ।”
ସଲ୍ଲଜରେ ହସି ରାଜ କୁମାରୀ କହନ୍ତି,
“ରାଧା ତାଙ୍କ ପ୍ରୀତି ସ୍ମୃତି ପାଶେ ରଖିଛନ୍ତି।
ତୁମ୍ଭ ଦର୍ଶନରେ ପ୍ରଭୁ ହେଲି ମୁଁ ଆଲ୍ଲାଦ,
ବହୁକାଳୁ ଅଭିଳାଷା ଥିଲା ପଦ୍ମପାଦ।”

ଅପରୂପ ସୌନ୍ଦର୍ଯ୍ୟରେ ଭକ୍ତିଭାବ ମିଳି,
ଚନ୍ଦନ ସହ କର୍ପୂର ହେଲା ଅବା ଗୋଳି।
ବୋଳି ହୋଇଗଲା ତାହା ମନ,ଚୈତନ୍ୟରେ,
ଅପୂର୍ବ ଅନ୍ତରଙ୍ଗତା ଶ୍ରୀକୃଷ୍ଣଙ୍କୁ ଘାରେ।
ବୋଇଲେ କୃଷ୍ଣ “ମୁଁ ପ୍ରୀତ ଶୁଣି ସୁଧା ବାଣୀ,
ଆଜଠାରୁ ପ୍ରୀୟ ସଖୀ ତୁମ୍ଭେ ସୁକଲ୍ୟାଣୀ।
ମୋର ଧର୍ମ ସଂସ୍ଥାପନା ଯାତ୍ରାପଥେ ଜେମା,
ସହାୟ ମୋ ହେବ ଏହି ଅନୁରୋଧ ବାମା।”

ବୋଇଲେ ଦ୍ରୌପଦୀ”ତାହା ସୌଭାଗ୍ୟ ମୋହର,
ପାରିବି ମୁଁ ଯେବେ କିଛି କରି ଚକ୍ରଧର।
ଏ ମୋର ପୂର୍ବ ସୁକୃତ ପ୍ରଭୁକାର୍ଯ୍ୟ ପାଇଁ,
ସମର୍ପିତ ହେବ ଯେବେ ପ୍ରାଣ ଯଦୁସାଇଁ।
ତୁମ୍ଭେ ମୋର ସଖା,ବନ୍ଧୁ,ତୁମ୍ଭେ ମୋ ସୋଦର
ସମ୍ପଦେ,ବିପଦେ ଡାକୁଥିବି ଚକ୍ରଧର।
ପିତାଙ୍କ ସଙ୍ଗେ ତୁମ୍ଭର କଥୋପକଥନ,
ଶୁଣିଛି ମୁଁ ,ତିଳେମାତ୍ର ଦୁଃଖ ନାହିଁ ମନ,
ଜୀବନ ସାଥୀ ନହୋଇ ସଖା ହେଲ ମୋର,
ସମର୍ପିତ ପ୍ରାଣ ତୁମ୍ଭ ପାଦେ ଚକ୍ରଧର।
ମୋ ଭଳି ସୌଭାଗ୍ୟବତୀ ଜୀବନେ କେ ଅଛି,
ସଖାରୂପେ ସ୍ବୟଂ ନାରାୟଣଙ୍କୁ ପାଇଛି?
ସ୍ବୟମ୍ବର ପାଇଁ ମନେ ନାହିଁ ଆନଭାବ,
ଆପଦେ ବିପଦେ ପ୍ରଭୁ ସାହା ଯେବେ ହେବ।
ଚାହେଁନାହିଁ ଯିବାପାଇଁ ଜରାସନ୍ଧ ଗୃହେ,
ଦୁର୍ଯ୍ୟୋଧନ ରାଣୀ ମଧ୍ୟ ହେବାକୁ ନଚାହେଁ।”

ବୋଇଲେ କେଶବ “ପ୍ରାଣ ଥିବାଯାଏ ମୋର,
ଜରାସନ୍ଧ ନପାରିବ କରି ବଳାତ୍କାର।
କୁରୁ ରାଜ ପ୍ରାସାଦରେ ରହିଛି କଲ୍ୟାଣୀ,
ତୁମ୍ଭପରି ମୋର ଏକ ସ୍ନେହର ଭଗିନୀ।
ଦୁର୍ଯ୍ୟୋଧନ ରାଣୀ,ନାମ ତାର ଭାନୂମତୀ,
ଅଶ୍ରୁଳ ଆଖିରେ ମୋତେ କରିଛି ମୀନତି।
କଥା ମୁଁ ଦେଇଛି ତାଙ୍କୁ ଥିବାଯାଏ ଜୀବ,
ଦୁର୍ଯ୍ୟୋଧନ ସଙ୍ଗେ ତୁମ୍ଭ ବିବାହ ନୋହିବ।
ନିଶ୍ଚିନ୍ତ ରୁହ କଲ୍ୟାଣୀ ମନୁ ତେଜି ଶଙ୍କା,
ସ୍ବୟମ୍ବର ପାଇଁ ମନେ ନରଖ ଆଶଂକା।
କଠିନ ଲକ୍ଷ ପରୀକ୍ଷା ହେବ ତହିଁ ଧାର୍ଯ୍ୟ,
ଯେ ଜିଣିବ,ତୁମ୍ଭ ହସ୍ତ ଧରିବ ସେ ଆର୍ଯ୍ୟ।
ସେ କଠିନ ପରୀକ୍ଷାର ଆୟୋଜନ ପାଇଁ,
ଗୁରୁ ସନ୍ଦିପନୀଙ୍କୁ ମୁଁ କହିବି ବୁଝାଇ।
ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ନପାରିବେ ହୋଇ,
କୁରୁ ଯୁବରାଜ ଅବା ମଗଧ ଗୋସାଇଁ।
ହେଲେ ହୋଇପାରେ ଅବା ମହାରଥୀ କର୍ଣ୍ଣ,
ସୂତପୁତ୍ର ବୋଲି କରିପାର ପ୍ରତ୍ୟାଖ୍ୟାନ।
ତୁମ୍ଭ ବୁଦ୍ଧି,ବିବେକର ପ୍ରୟୋଗ କରିବ,
ଉପଯୁକ୍ତ ପତି ତୁମ୍ଭେ ନିଶ୍ଚୟ ବରିବ।
ମୋ ଦୃଢ ବିଶ୍ବାସ ସେହି ହେବ ଶ୍ରେଷ୍ଠ ବୀର,
ଶ୍ରେଷ୍ଠ ଧର୍ମ ରକ୍ଷାକାରୀ ଏ ଆର୍ଯ୍ୟାବର୍ତ୍ତର।
ମୋ ବିଚାରେ ପାଞ୍ଚାଳର ଯଶ ବୈଜୟନ୍ତି,
ଉଡିବ ଭାରତେ ବୃଦ୍ଧି ହେବ ତୁମ୍ଭ ଶକ୍ତି।
ଦ୍ରୋଣ ହେବେ ଭୟଭୀତ ତାହାର ପ୍ରଭାବେ,
ପାଞ୍ଚାଳର ଯଶବାନା ଉଡିବଟି ନଭେ।”

କୃଷ୍ଣଙ୍କୁ ଚାହିଁ ଦ୍ରୌପଦୀ ମନ୍ତ୍ରମୁଗ୍ଧ ହୋଇ,
ବୋଇଲେ “ମୁଁ ଅସମ୍ମତ ନୁହେଁ ଯଦୁସାଇଁ।
ମୋ ଦୃଢ ବିଶ୍ବାସ ତୁମ୍ଭେ ଯାହା ବା କରିବ,
ତୁମ୍ଭ ସଖୀ ଦ୍ରୌପଦୀର ମାନ ବୃଦ୍ଧି ହେବ।
ଜନ୍ମଭୁମି ପାଞ୍ଚାଳର ହେବ ଯଶ ବୃଦ୍ଧି,
ତୁମ୍ଭ ବିଚାରେ ସମ୍ମତ ମୁଁ କୃପା ବାରିଧି।”

ସ୍ବୟମ୍ବର ପାଇଁ ପିତା ପୁତ୍ରୀଙ୍କ ସମ୍ମତି,
ନେଇ ପାଞ୍ଚାଳ ଛାଡିଲେ ପ୍ରାତେଃ ଯଦୁପତି।

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply