Wednesday, February 28, 2024
Uncategorized

ହତାଶା
(କ୍ଷୁଦ୍ରଗଳ୍ପ)
………..
“ରାମ ନାମ ସତ୍ୟ ହୈ,
ଓୌର ସବ୍ ବାତ୍ ଝୁଟ୍ ହୈ।”
ଶବ ବାହକମାନେ ପାରୁବୋଉର ପାର୍ଥିବ ଶରୀରକୁ ମଶାଣିକି ନେଇ ଯାଉଥିଲେ।ଆଉ କିଛି ସମୟ ଭିତରେ ପଞ୍ଚତତ୍ତ୍ବରେ ମିଶିବ ତାର ମାଟିର ଶରୀର।ସକାଳେ ସେ ବର୍ତ୍ତମାନ ଥିଲା, ଏବେ ଅବର୍ତ୍ତମାନ;କିଛି ଦିନ ପରେ ଈତିହାସ ପାଲଟି ଯିବ।
ଶୂନ୍ୟ ଆଖିରେ ଝରକା ବାଟେ ବାହାରକୁ ଅନାଇ ଦୀର୍ଘ ନିଶ୍ବାସ ଛାଡିଲେ ସାବିତ୍ରୀ ବୋଉ।
ଭଲ ହେଲା ପାରୁବୋଉ ମରିଗଲା।ପଞ୍ଚସ୍ତରୀ ବର୍ଷର ବୁଢୀଟା
କର୍କଟ ରୋଗରେ କେତେ ଯନ୍ତ୍ରଣା ପାଉଥିଲା ! ହାଡ ହୋଇ ଶେଜରେ ଲାଗି ଯାଇଥିଲା।ବୁଢାଟାତ କେବେଠୁ ଯାଇଥିଲା;ଥିଲେ ଅବା କଣ କରିଥାନ୍ତା ଖଣ୍ଡିଗଣିଆ?କୋଉ ସେବା କରିଥାନ୍ତା?ଓଲଟି ଛିଗୁଲି,ମିଗୁଲି କରି, ବୁଢୀର ଯନ୍ତ୍ରଣାକୁ ଆହୁରି ବଢେଇ ଦେଇଥାନ୍ତା।
କାଲି ବୁଢୀକି ଦେଖିବାକୁ ଯାଇଥିଲେ ସାବିତ୍ରୀ ବୋଉ।ଯନ୍ତ୍ରଣାରେ ଛଟପଟ ହେଇ କହୁଥିଲା “ଆଉ ସହି ପାରିବିନି।ମତେ ଟିକେ ବିଷ ଦେଇଦିଅ ଲୋ।”
ଆଜି ସବୁ ଯନ୍ତ୍ରଣାରୁ ମୁକ୍ତି ପାଇଗଲା ପାରୁ ବୋଉ।କେତେ ଅନ୍ତରଙ୍ଗ ସାଙ୍ଗ ଥିଲା ସେ ସାବିତ୍ରୀ ବୋଉଙ୍କର! ତାର ଅବର୍ତ୍ତମାନରେ ଆଜି ସବୁ ଖାଲି ଖାଲି ଲାଗୁଛି ତାଙ୍କୁ।
” ମତେ କାହିଁକି ଯମ ନଉନି;କଣ ମୋ ଘରର ବାଟ ଭୁଲିଗଲା ?”….ଦୀର୍ଘ ନିଶ୍ବାସ ପକାଇଲେ ସାବିତ୍ରୀ ବୋଉ।
ଲାଗପାଟ ଅଶୀ ବର୍ଷ ହେଲାଣି ତାଙ୍କୁ।ତିନି ତିନିଟା ପୁଅ ଜନ୍ମକରି ଜଣେ ବି ପାଖରେ ନାହାନ୍ତି।ସେମାନଙ୍କ ଘର ସଂସାର ଜଞ୍ଜାଳରେ ବ୍ୟସ୍ତ ସେମାନେ।ଫୁରୁସତ କାହିଁ,ମା କଥା ମନେ ପକେଇବାକୁ?ବଡ ପୁଅ ରୋଗ ଶେଜରେ,ମଝିଆଁର ସ୍ତ୍ରୀର ପକ୍ଷାଘାତ ଆଉ ସାନର ବିଚିତ୍ର ସମସ୍ୟା;ପୁଅ ମା’କୁ ନବାକୁ ଚାହିଁଲେ,ବୋହୂ ଚାହୁଁନି ଶାଶୁକୁ ପାଖରେ ରଖିବାକୁ।
ବାର୍ଦ୍ଧକ୍ୟର ଏକାନ୍ତବୋଧ ଯାବୁଡି ଧରିଲା ସାବିତ୍ରୀ ବୋଉଙ୍କ ମନକୁ।ମନେ ପଡିଲେ,ଖୁବ୍ ମନେ ପଡିଲେ ସାବି ବାପା।ଦୀର୍ଘ କୋଡିଏ ବର୍ଷତଳେ ତାଙ୍କୁ ଏକା କରି ଚାଲିଗଲେ।ଆଜି କୋଉଠି ହେଲେ ଥାଇ ସେ କଣ ଦେଖୁ ନଥିବେ ତାଙ୍କ ଅବସ୍ଥା?
ଅସହାୟ ଦୀର୍ଘଶ୍ବାସ ବାହାରି ଆସିଲା ସାବିତ୍ରୀ ବୋଉଙ୍କର।
ସାବି ପାଇଁ ସେ ଆଜି ବଞ୍ଚିଛନ୍ତି ସିନା!ଗାଁ ଭିତରେ ଶାଶୁଘର ବୋଲି ସାବିତ୍ରୀ ସମୟ ଅସମୟରେ ଦଉଡି ଆସେ ବୋଉ ପାଖକୁ।ଜୋଇଁ ତ ଦେବୋପମ ଲୋକ।ସବୁବେଳେ ଭଲମନ୍ଦ ବୁଝନ୍ତି।

କିଛି ଦିନ ତଳ କଥା ମନେପକେଇ ଆଖିରେ ଲୁହ ଆସିଗଲା ସାବି ବୋଉଙ୍କର।ସାନ ପୁଅ ପାଖକୁ ଯାଇଥିଲେ,ଛ’ମାସ ରହି ଫେରିଲେ।ଆସିବା ପରେ ପେନସନ ଓ ବକେୟା ପେନସନ୍ ଟଙ୍କା ଯେତେବେଳେ ସେ ବ୍ୟାଙ୍କରୁ ଆଣିଲେ,ସାନବୋହୂ ଛଞ୍ଚାଣପରି ଝାମ୍ପିନେଲା।କହିଲା “ଛ’ମାସ ରହିଥିଲ,କେତେ ଖର୍ଚ୍ଚ ହେଇଚି ଜାଣିନ କି?”
ସେହି ଦିନଠାରୁ ସାବିତ୍ରୀ ବୋଉ ନିଷ୍ପତ୍ତି  ନେଲେ ‘ଆଉ ନୁହେଁ,କେଉଁ ପୁଅ ପାଖକୁ ଯିବେନି କି ହୋଟେଲ୍ ପାଉଣା ଦେବେନି,ଆହୁତ ହେଉ ବା ଅନାହୁତ।’
ଶବ ବାହକ ମାନଙ୍କର “ରାମନାମ ସତ୍ୟ”ବାଣୀ ଆଉ ଶୁଣା ଯାଉନଥିଲା।କିନ୍ତୁ ସାବିତ୍ରୀ ବୋଉଙ୍କର ଅନ୍ତର କହୁଥିଲା “ଆଉ ସବୁ ମିଛ,ମାୟା।କେବଳ ରାମନାମ ହିଁ ସତ୍ୟ।”
ଶରୀର ଭଡାଘର ଛାଡି ଚାଲିଯିବାପାଇଁ ମନ ଛଟପଟ ହେଉଥିଲା ତା ଙ୍କର।

Click to rate this post!
[Total: 0 Average: 0]

Leave a Reply