Sunday, June 23, 2024
Uncategorized

ଅଭିଶପ୍ତା
(ପଲ୍ଲୀ କବିତା)
————-
ବଇଶାଖ ମାସ ପାହାନ୍ତା ପହର,
ଧରଣୀ ଯାଇଛି ଶୋଇ,
ଦଶମୀ ଜହ୍ନର ରୂପେଲୀ କିରଣ,
ଯାଇଥିଲା ବୁଣିହୋଇ।
ଅଗଣା କୋଣରେ ପିଜୁଳି ମୂଳରେ
ଛାଇ ଆଲୁଅର ତଳେ,
କିଏ ସେ କାନ୍ଦୁଛି କଇଁ କଇଁ ହୋଇ,
ବିଜନେ ଏତେ ବିକଳେ !
ଖେଳିଗଲା ‘ସ୍ୱାତୀ’ ଦେହେ ଶିହରଣ,
ଦେଖିଲା ନିକଟେ ଯାଇ,
ତାର ପ୍ରିୟ ସହୀ ‘ବିଳାସିନୀ’ ତହିଁ,
ଥିଲା ସ୍ଥାଣୁପ୍ରାୟ ରହି।

ଧାର ଧାର ହୋଇ ବହିଯାଉଥିଲା
ନୟନରୁ ଅଶ୍ରୁଧାର,
ଦେହେ ଶୁଭ୍ର ଶାଢି ମୁକ୍ତକେଶ ଉଡି,
ପଡୁଥିଲା ମୁଖେ ତାର।
ହୃଦୟ ଆବେଗେ ସ୍ୱାତୀ ଯାଉଁ ବେଗେ
‘ଆହା ମୋ ସଙ୍ଗାତ’ କହି,
ପଛକୁ ଦି’ପାଦ ଘୁଞ୍ଚି ବିଳାସିନୀ,
କହେ”ଦୂରେ ରହ ସହୀ।
ନାରୀ-ଦେହ ମୋର ନାହିଁ ଲୋ ସଙ୍ଗାତ,
ମରି ହୋଇଲିଣି ପ୍ରେତ,
ଏ ‘ପ୍ରେତଶରୀର’ ଛୁଇଁଲେ ତୁ ମୋର
ହେବି  ମୁହିଁ ଅନ୍ତର୍ହିତ ।
ପ୍ରେତଯୋନୀ ହୋଇ ଦିନରେ ଲୋ ସହୀ,
ମନା ମୋତେ ଆସିବାକୁ,
ଆସିଛି ତୋଆଗେ ମନକଥା କହି,
ରାତି ଥାଉଁ  ଫେରିବାକୁ ।

ସ୍ୱାତୀ ପଚାରଇ ଆଲୋ ପ୍ରିୟସହୀ,
ଦୁନିଆଁ ପଡିଚି ହୁରି,
ମନ୍ଦ କାମ କରି ଯାଇଛୁ ପଳାଇ
ତୁହି ମୁହଁ କଳା କରି।
କେଉଁଆଡେ ଗଲୁ ଏଦଶା ଭୋଗିଲୁ,
କହ ମୋତେ ସତକଥା,
ଅପକର୍ମ ତୋର ବାପାମାଆଙ୍କର
ନୁଆଁଇଁ ଦେଲାଣି ମଥା।

କହେ ବିଳାସିନୀ “ତୋତେ ଲୋ ସଜନୀ
ଅଜ୍ଞାତ କେଉଁ  ଖବର,
ଛଅମାସ ତଳେ ବାହା ଦେଇଥିଲେ
ବାପା ବାଛି ଭଲ ବର।
ଧରାଇଲେ ହାତ ଯାହାର ସଙ୍ଗାତ
ଡାକତର ବୋଲି ଜାଣି,
ଅସଲରେ ସିଏ ଡାକ୍ତରଖାନାରେ,
‘ବେହେରା’ଟିଏ ମିତଣୀ ।
ରୋଗୀ ମଳମୂତ୍ର ସଫା କରି ଶେଜ
ସଜାଇବା କାମ ତାର,
ମାସକୁ ଦରମା ଦଶହଜାର ଲୋ
ଫୁଟାଣି ଚନ୍ଦ୍ରଶେଖର।
ବାହା ବେଦୀରେ ମୋ ଭିକାରି ଶଶୁର
ମାଗିଥିଲେ ଲକ୍ଷେ ଟଙ୍କା,
ଡେରି ହେବା ଦେଖି ବଉଁଶଯାକର
ମୁହଁ ହୋଇଗଲା ବଙ୍କା।

ଅଭିଶପ୍ତ ମୋର ଝିଅ ଜନମ ଲୋ
ବାପାଙ୍କୁ ଦେଲି କଷଣ,
ବାହାଘରବେଳେ ହେଲେ ସର୍ବସ୍ୱାନ୍ତ
କରି ଏଣୁତେଣୁ ଋଣ।
ମୋ ପୁଆଣୀ ଭାର ସହିତେ ପୀଅର
ଦେଇ ନପାରିଲେ ଅର୍ଥ,
ସେହିଦିନୁ ମୋର ଭାଗ୍ୟରେ ସଙ୍ଗାତ
ମାଡି ଆସିଲା ଅନର୍ଥ।
ମୋ ଶାଶୂ ଶଶୁର ଗେରସ୍ତ ଦିଅର
ଦେଲେ ମତେ ମାଡଗାଳି,
ଉପାସ ଭୋଖରେ ପଡିରହିଲି ଲୋ
ନିଜ କର୍ମକୁ ଆଦରି।
ପୋଡା କପାଳକୁ ମୋ ଗର୍ଭାଶୟରେ
ହୋଇଲା ଭୃଣ ସଂଚାର,
ମୁଁ ସିନା ଭୋଖିଲା ରହିବି କି ଦୋଷ
କହ ନିଷ୍ପାପ ଭୃଣର ?

ମାଡ ଗାଳି ଦେଇ ଦେହ ମନ ସହୀ,
ରକ୍ତାକ୍ତ କଲେ ପାଷଣ୍ଡ,
କହିଲେ”ତୋ’ବାପ ଯୌତୁକ ନଦେଲେ
ଦି’ଫାଳହେବ ତୋ ମୁଣ୍ଡ।”
ମୁଁ  ଭୋଖ ବିକଳେ ଦିନେ ହାଣ୍ଡିଶାଳେ
ସିଝାଇ କଳମ ଶାଗ,
ଖାଇବାର ଦେଖି ଶାଶୂମାଆଙ୍କର
ମୁଣ୍ଡକୁ ଚଢ଼ିଲା ରାଗ।
“ରାଣ୍ଡ ଆଣ୍ଠୁକୁଡୀ ଝୁଅ ମୋ ପୋଖରୀ
ଶାଗ ତୁ ଖାଉଚୁ କିଆଁ”,
କହି ପୋଡଖୁଣ୍ଟା ଧରି ମୋ ପିଠିରେ
ଦେଲେ ଦଶ ବାର ଚିଆଁ ।
“ମରିଗଲି ମାଆ,ମରିଗଲି ବାପା”
ଚିତ୍କାର କଲି ଉଚ୍ଚରେ,
ପାଟିରେ ବିଣ୍ଡାଏ କନା ମାଡି ସ୍ୱାମୀ
ଚଢିଲେ ବେକ ଉପରେ।
ଧାଇଁ ଆସି ମୋର ଶଶୁର ଦିଅର
ବାନ୍ଧିଲେ ମୋ ଗୋଡ ହାତ,
ଶଶୁର ପେଟରେ ମାରିଦେଇଗଲେ
ଦଶ ରୁ ପନ୍ଦର ଲାତ।
ଦେହ ଗଲା ରହି ମୋ ନିଶ୍ଚଳ ହୋଇ
ଜୀବନ ହେଲା ସମାପ୍ତ,
ଶରୀର ଯାତନା ହେଲା ସିନା ଉଣା,
ଆତ୍ମା ରହିଲା ଅତୃପ୍ତ ।

ଅନ୍ତଃସତ୍ୱା ଥିଲି ତେଣୁ ମୁଁ  ଧରିଲି
ଜୀବାନ୍ତେ ପ୍ରେତାତ୍ମା କାୟା,
ସଂସ୍କାର ନହୋଇ ବୁଲୁଛି ଲୋ ମୁହିଁ
ନଛାଡି ସଂସାର ମାୟା।
ଦେଖି ମୋତେ ମୃତ ହେଲେ ସର୍ବେ ଭୀତ
ମୋ ପ୍ରିୟ ଶଶୁର ଘରେ,
ଲୁଚାଇ ରଖିଲେ ନିଶାର୍ଦ୍ଧ ପର୍ଯ୍ଯନ୍ତ
ଫିଙ୍ଗିବାପାଇଁ ନଦୀରେ।

ଧାରା ଶିରାବଣ ଝରିପଡୁଥିଲା
ଆକାଶରୁ ବାରିଧାର,
ଝିଙ୍କାରୀ ଶବଦେ ଧରଣୀ କାନ୍ଦିଲା
ଦେଖି ଏ ମରଣ ମୋର।
ଦୁଇ କୂଳ ଖେଦି ବହେ ମହାନଦୀ
ନିଶି ନିର୍ଜନ ପ୍ରହରେ,
ପଥର ବାନ୍ଧି ମୋ ଶବରେ ସଙ୍ଗାତ
ଫିଙ୍ଗିଦେଲେ ନଦୀ ନୀରେ ।

ଦୁଇଦିନ ଗଲା ବାର୍ତ୍ତା ଘେନି ଗଲା,
ଦିଅର ମୋ ବାପଘରେ,
“ଘର ଛାଡି କାହିଁ ଯାଇଅଛି ଚାଲି
ବୋହୂ ତା ମନଇଚ୍ଛାରେ।”
ପିତା ମୋର ପୁଣି ଦୁଃଖିନୀ ଜନନୀ
କଲେ କରୁଣ କ୍ରନ୍ଦନ,
ପୋଲିସି ନାଲିସି ଯାହା କଲେ, ହେଲେ
ନ ପାଇଲେ ଚିହ୍ନ ବର୍ଣ୍ଣ ।
ମହାନଦୀ ମହା ଗର୍ଭଭିତରେ ମୋ
ହାଡ ମାଂସ ଗଲା ବହି,
ମୋ’ଗରଭେ ଥିଲା ଯେଉଁ ଭୃଣ
ସେ’ତ ଆଲୋକ ଦେଖିଲାନାହିଁ।

ବ୍ୟଭିଚାରିଣୀ ମୁଁ ବୋଲି ଲୋ ସଙ୍ଗାତ
ବାଜୁଛି ବାଜା ସଂସାରେ,
ମୋ ଦୁଃଖିନୀ ମାତା ମୋ ସରଳ ପିତା
କାନ୍ଦନ୍ତି ଘରକୋଣରେ।
ଅତୃପ୍ତ ଆତ୍ମା ମୋ ଘୂରି ବୁଲୁଥିଲା
ସତ୍ୟ ଉନ୍ମୋଚନ ପାଇଁ,
ତୋ ଆଗେ କରୁଛି ମାଗୁଣୀ ଲୋ ମିତ
ବୋଉକୁ କହିବୁ ଯାଇ।
କହିବୁ ବୁଝାଇ ସଙ୍ଗାତ ଲୋ ତୁହି
ନୁହେଁ ମୁଁ ଚରିତ୍ରହୀନା,
ବାପା ବୋଉଙ୍କର ସଂସ୍କାରର କେବେ
କରିନି ଅବମାନନା।
ଥାଆ ଲୋ ସଙ୍ଗାତ ପାହି ଆସେ ରାତ୍ର
ଯିବାପାଇଁ ହେବ ମୋତେ,
ଦିବସ କାଳରେ ଏ ପ୍ରେତ ଯୋନୀରେ
ମନା ରହିବାକୁ ମର୍ତ୍ତ୍ୟେ।

(କଲମର ନାମ  ଅବିନାଶ )

Click to rate this post!
[Total: 0 Average: 0]

Leave a Reply