Thursday, June 13, 2024
Uncategorized

ସ୍ବୟମ୍ବର
(୩୫)
ଲକ୍ଷଭେଦ
…………..
ଶଲ୍ୟ,ଜୟଦ୍ରଥ ଆଦି ଅନ୍ୟ ଯେତେ ରାଜା,
ନପାରିଲେ ତୋଳି ଧନୁ,ଗଲେ ପାଇ ଲଜ୍ଜା।
ଶେଷରେ ଉଠିଲା କର୍ଣ୍ଣ, ଅଙ୍ଗ ନରବର,
ଦୀପ୍ତ ସିଂହ ଠାଣିରେ ଚାଲଇ ଧନୁର୍ଦ୍ଧର।
ଧନୁପାଶେ ପହଞ୍ଚି ସେ ଅତି ସହଜରେ,
ଗୁଣ ଚଢାଇ ଶାୟକ ଖଞ୍ଜିଲା ତହିଁରେ।
ସାଧୁ,ସାଧୁ ଶବ୍ଦେ କମ୍ପିଉଠେ ସଭାସ୍ଥଳ,
ଯାଜ୍ଞସେନୀଙ୍କର ମତି ହୋଇଲା ଚଞ୍ଚଳ।
ଭ୍ରାତା ଧୃଷ୍ଟଦ୍ୟୁମ୍ନ କର୍ଣ୍ଣେ କହିଲେ କି ବାଣୀ,
ଧୃଷ୍ଟଦ୍ୟୁମ୍ନ ବୋଲେ “ଶୁଣ ଅଙ୍ଗ ନରମଣି।
ସମ୍ବରଣ କର ତୀର ଆହେ ଧନୁର୍ଦ୍ଧର,
ଉଚ୍ଚ କୁଳରେ ସମ୍ଭୂତ ନୁହ ତୁମ୍ଭେ ବୀର।
ସାରଥି ଅଧିରଥର ଅଟ ତୁମ୍ଭେ ପୁତ୍ର,
କ୍ଷତ୍ରିୟ କିବା ବ୍ରାହ୍ମଣ ନୁହେଁ ତୁମ୍ଭ ଗୋତ୍ର।
ପ୍ରତିଲୋମ ବିବାହ ନ କରିବେ ପାଞ୍ଚାଳୀ,”
ଶୁଣି କର୍ଣ୍ଣ ଗଲା କ୍ରୋଧ,ଲଜ୍ଜାରେ ଯେ ଜଳି।
ମୁଣ୍ଡ ନୁଆଁଇ ଫେରିଲା ଆପଣା ସ୍ଥାନରେ,
ଦୁର୍ଯ୍ୟୋଧନ ହୃଦ ଜଳେ ପ୍ରଚଣ୍ଡ କ୍ରୋଧରେ।

ଶକୁନି କାନରେ କହେ ଧୀରେ ଦୁର୍ଯ୍ୟୋଧନ,
“ପ୍ରିୟ ଭଣଜାଙ୍କୁ ମାମୁଁ କରହେ ଦର୍ଶନ।
ବ୍ରାହ୍ମଣ ମେଳରେ ବସିଛନ୍ତି ପାଞ୍ଚ ଭାଇ,
ଆମ୍ଭର ସବୁ ଚକ୍ରାନ୍ତ ଗଲା ବ୍ୟର୍ଥ ହୋଇ।”
ଚକିତେ ଚାହିଁ ଶକୁନୀ ବୋଲେ “ସତକଥା,
ଏ ଅଦ୍ଭୁତ ଦେଖି ମୋର ଘୂରିଯାଏ ମଥା।
ନିଶ୍ଚୟ ଚକ୍ରାନ୍ତ କିଛି କରିଛି କେଶବ,
ତା ନହେଲେ କେଉଁପରି ବଞ୍ଚିଲେ ପାଣ୍ଡବ?
ଜତୁଗୃହରୁ ଏମାନେ ବଞ୍ଚିଲେ କିପରି?
ଲାଗୁଛି ଭଣଜା ସବୁ ପ୍ରହେଳିକା ପରି।”
କଣେଇ ଚାହେଁ କୃଷ୍ଣଙ୍କୁ ଗାନ୍ଧାର ନରେଶ,
ଲାଗିରହିଛି ସେ ମୁଖେ ମଧୁମୟ ହସ।

ଏ ସମୟେ ସିଂହାସନୁ ଉଠି ଯାଜ୍ଞସେନ,
ବୋଇଲେ “ଧରା କି ହୋଇଗଲା ବୀରଶୂନ୍ୟ?
ଅର୍ଜୁନ ପରେ ଧରାରେ କେହି ଧନୁର୍ଦ୍ଧର,
ନାହାନ୍ତି ବୋଲି ପ୍ରତ୍ୟୟ ହେଉଛି ଆମ୍ଭର।
ଲକ୍ଷଭେଦ ଦୂରକଥା,ଧନୁ ଟେକିବାର,
ଶକତି ବୀରଙ୍କ ମଧ୍ୟେ ନାହିଁ ତ କାହାର।

ବ୍ରାହ୍ମଣ ମେଳରୁ ଉଠି ସୁଦୃଶ୍ୟ ଯୁବକ,
ବୋଲେ “ଆଜ୍ଞା ହେବ ଯେବେ ପାଞ୍ଚାଳ ନାୟକ।
ପ୍ରୟାସ କରିବି ମୁଁହି ଲକ୍ଷଭେଦ ପାଇଁ,”
ଦ୍ରୁପଦ ବୋଇଲେ “ତାହା ଅବିଧି ନୁହଁଇ।
ଉଚ୍ଚବଂଶ ସମ୍ଭୂତ ହେ ଆର୍ଯ୍ୟଙ୍କ ନନ୍ଦନ,
ଲକ୍ଷଭେଦ ତୁମ୍ଭପାଇଁ ଉନ୍ମୁକ୍ତ ବ୍ରାହ୍ମଣ।
ତୁମ୍ଭେ ଯେବେ ଏ ସ୍ପର୍ଦ୍ଧାରେ ଉତ୍ତୀର୍ଣ୍ଣ ହୋଇବ,
ଶାସ୍ତ୍ରମତେ ଅନୁଲୋମ ବିବାହ କରିବ।”

ଦ୍ବିଜରୂପୀ ଅର୍ଜୁନଙ୍କ ସୁନ୍ଦର ମୂରତି,
ଦେଖି ଦ୍ରୌପଦୀ ହୃଦୟେ ଜାଗିଲା ପୀରତି।
ବିଚାରିଲେ କନ୍ଦର୍ପ କି ହୋଇ ଦ୍ବିଜ ବେଶ,
ଆସିଛନ୍ତି ତାଙ୍କପାଇଁ ଏ ପାଞ୍ଚାଳ ଦେଶ!
ମନେ ମନେ ଲକ୍ଷେ ଚମ୍ପା ସମର୍ପି ଶିବଙ୍କୁ,
ବୋଇଲେ ପ୍ରଭୁ ସଫଳ କରହେ ଏହାଙ୍କୁ।
ହୋଇଲେ ଏ ସ୍ବାମୀ ମୋର କିଛି ଲୋଡାନାହିଁ,
ଧନ,ଧାନ୍ୟ,ରାଜସୁଖ କିଛି ମାଗୁନାହିଁ।
ଦ୍ବିଜ ସହଧର୍ମୀ ହୋଇ ଯାପିବି ଜୀବନ,
ହେଉପଛେ ସେ ଜୀବନ ଦରିଦ୍ରତା ପୂର୍ଣ୍ଣ।”

ଉଭାହେଲେ ଧନଞ୍ଜୟ ଧରି ସିଂହଠାଣି,
ପ୍ରଣମିଲେ ଯୁଧିଷ୍ଠିଙ୍କ ପାଦେ ବୀରମଣି।
ପୂଜାକଲେ ଧନୁ ଦେଇ ଫୁଲ ଓ ଚନ୍ଦନ,
ଫୁଲପରି ତୋଳେ ଧନୁ ପୃଥାଙ୍କ ନନ୍ଦନ।
ପ୍ରତ୍ୟଞ୍ଚା ଚଢାଇ ଧନୁ କରନ୍ତେ ଟଙ୍କାର,
ଶବଦରେ କମ୍ପିଗଲା ବିଶ୍ବ ଚରାଚର।
ବାସୁକି ମସ୍ତକୁ ପୃଥ୍ବୀ ଗଲା ଅବା ଘୁଞ୍ଚି,
ପଦ୍ମ ଆସନେ ଚମକି ପଡିଲେ ବିରଞ୍ଚି।
ଜଳକୁଣ୍ଡେ ମୀନ ପ୍ରତିବିମ୍ବେ ଲୟ ଢାଳି,
ଧନୁ ଟାଣନ୍ତେ ଅର୍ଜୁନ ସ୍ତବ୍ଧ ସଭାସ୍ଥଳି।
ବିଚାରିଲେ ସର୍ବେ,କେବେ ନୁହେ ଏ ବ୍ରାହ୍ମଣ,
ଦେଖା ଯାଉଅଛି ସବୁ କ୍ଷତ୍ରିୟ ଲକ୍ଷଣ।
ସନ୍ଦେହ ଦୂର ହୋଇଲା କଉରବଙ୍କର,
‘ଅନ୍ୟ କେହି ନୁହେଁ ଏତ ପାର୍ଥ ଧନୁର୍ଦ୍ଧର।’
ମସ୍ତିଷ୍କରେ ହେଲା ତାଙ୍କ ଘୋର ବିଷ୍ଫୋରଣ,
ବଞ୍ଚିଛନ୍ତି ଜାଣି ଚୀରଶତ୍ରୁ ପାଣ୍ଡୁଗଣ।

ମୃଦୁ ହସି ଆଖି ଠାରିଦେଲେ ନନ୍ଦବାଳ,
ସେ ନିର୍ଦ୍ଦେଶେ ପାର୍ଥ ଦେହେ ଆସେ ସିଂହବଳ।
ଧନୁକୁ ନମିବା ଛଳେ ପ୍ରଣମି ମାଧବ,
ଲକ୍ଷସ୍ଥଳେ ତୀର ସାଧେ ମଧ୍ୟମ ପାଣ୍ଡବ।
ଏକ ପରେ ଏକ ପାଞ୍ଚଗୋଟି ତୀର ନେଇ,
ଜଳକୁଣ୍ଡେ ମୀନ ପ୍ରତିବିମ୍ବକୁ ଅନାଇଁ,
ବିନ୍ଧନ୍ତେ ସେ ବାଣ,ଲକ୍ଷ ସ୍ଥଳରେ ଭେଦିଲା,
ସୁବର୍ଣ୍ଣ ମୀନର ଚକ୍ଷୁ ବିଦ୍ଧ ହୋଇଗଲା।
ଦ୍ରୌପଦୀଙ୍କ ହୃଦସିନ୍ଧୁ ପଡିଲା ଉଛୁଳି,
ଆନନ୍ଦେ ପୁରନାରୀଏ ଦେଲେ ହୁଳହୁଳି।
ବ୍ରାହ୍ମଣ ଗଣ ଆନନ୍ଦେ ହେଲେ କୋଳାକୋଳି,
“ସାଧୁ,ସାଧୁ” ଶବ୍ଦେ କମ୍ପିଉଠେ ସଭାସ୍ଥଳି।
ସ୍ବର୍ଗୁ ପୁଷ୍ପବୃଷ୍ଟି କଲେ ଇନ୍ଦ୍ର ହୋଇ ତୋଷ,
ସ୍ମିତ ହସି କୃଷ୍ଣାଙ୍କୁ ଚାହିଁଲେ ହୃଷିକେଶ।
ସେ ଛଳେ ଯେଉଁ ନିର୍ଦ୍ଦେଶ ଦେଲେ ଗିରିଧାରୀ,
ଏକା ଜାଣିଥିଲେ ତାହା ଦ୍ରୁପଦ କୁମାରୀ।
ଲଜ୍ଜାବନତ ବଦନେ ପାଞ୍ଚାଳ ନନ୍ଦିନୀ,
ବରମାଲ୍ୟ ଘେନି ପହଞ୍ଚିଲେ ସୁହାସିନୀ।
ଅର୍ଜୁନ ଗଳାରେ ଲମ୍ବାଇଲେ ବରମାଳା,
ଆନନ୍ଦ ଲହରୀ ରାଜପୁରେ ଖେଳିଗଲା।
କ୍ରମଶଃ

Click to rate this post!
[Total: 0 Average: 0]

Leave a Reply