Sunday, June 23, 2024
Uncategorized

ସ୍ବୟମ୍ବର
…..୩୮….
କୃଷ୍ଣଙ୍କ ପରାମର୍ଶ
…………………..
ଧାର ଧାର ହୋଇ ଲୁହ ଯାଉଥିଲା ଝରି,
ଅସହାୟେ କାନ୍ଦୁଥିଲେ ଦ୍ରୁପଦ କୁମାରୀ।
ପ୍ରାସାଦ ନିଭୃତ କୋଣେ ବସିଥିଲେ ବାଳା,
ଏ ସମୟେ ପହଞ୍ଚିଲେ ତହିଁ ନନ୍ଦବଳା।
ଅଧରେ ଲାଗିରହିଛି ମଧୁମୟ ହସ,
ଦ୍ରୌପଦୀଙ୍କ ପାଶେ ଉପବିଷ୍ଟ ପୀତବାସ।

ଶ୍ରୀକୃଷ୍ଣଙ୍କ ମନ୍ଦ ହସ ଦେଖି ଯାଜ୍ଞସେନୀ,
କୋହ ସମ୍ଭାଳି ପୁଚ୍ଛନ୍ତି ଦ୍ରୁପଦ ନନ୍ଦିନୀ।
“ଏ କି ପରିହାସ ତୁମ୍ଭେ କର ପୀତବାସ,
କିପରି ପାରୁଛ ହସି ମନ୍ଦ ମନ୍ଦ ହସ?
ମୋ ଆଗତ ଭବିଷ୍ୟତ ତଥା ବର୍ତ୍ତମାନ,
ସମର୍ପିଛି ପରା ତୁମ୍ଭ ହସ୍ତେ ନାରାୟଣ !
ତୁମ୍ଭ କଥା ମାନିଛି ମୁଁ ସବୁ ସମୟରେ,
ବିଡମ୍ବନା ଦେଖ ମୋର ଆସିଲା ଭାଗ୍ୟରେ!
ପରିଣୟ ଯୋଗ୍ୟା ହୋଇ ଅଛି ପିତାଘରେ,
ଗ୍ରହଣ କରିବି ପାଞ୍ଚ ପତି କି ପ୍ରକାରେ?

ପଣ୍ୟଦ୍ରବ୍ୟ ଭାବି ମୋରେ କଲେ ବ୍ୟବହାର,
ଯୁଗପୁରୁଷ ସେମାନେ ପରା ଏ ଯୁଗର?
ଶ୍ରେଷ୍ଠ ବୀର ଭାବେ ପାଇ ତୁମ୍ଭ ସମର୍ଥନ,
ନାରୀର ଅସ୍ମିତାକୁ ଯା କଲେ ହେୟଜ୍ଞାନ!
ନିରବ ଦ୍ରଷ୍ଟା ସାଜିଛ କେହ୍ନେ ନରହରି,
ଏହା ପଛେ ସମର୍ଥନ ଅଛି କି ତୁମ୍ଭରି?
ପାଞ୍ଚ ପତି କେମନ୍ତେ ମୁଁ ବରିବି ମାଧବ?
ତୁମ୍ଭ ସଖୀ ଭାଗ୍ୟ ସିନା ବିଡମ୍ବିତ ହେବ।
ମୋର ଅସହାୟତାରେ ହସୁଛ କିପରି,
ଏହାକି ସଖାର ପରିଚୟ ଗିରିଧାରୀ?
ତୁମ୍ଭେ ପରା ଅନ୍ତର୍ଯ୍ୟାମୀ,ପ୍ରଭୁ ନାରାୟଣ,
ସବୁ ଆପଦ,ବିପଦେ ତୁମ୍ଭରି ଶରଣ।
ଆରତ ଭଞ୍ଜନ ମୋର ଦୁଃଖ କର ଦୂର,
ପ୍ରଭୁପଣ ନିନ୍ଦିତ ନହେଉ ଚକ୍ରଧର।”

ହସି ବୋଲନ୍ତି ମାଧବ”ଶୁଣ ସଖୀ ବାରେ,
ନିଜ ଭାଗ୍ୟ ପ୍ରାଣୀ ଭୋଗ କରେ ଏ ସଂସାରେ।
ସମସ୍ୟାର ସମାଧାନ ନିଜେ କରେ ପ୍ରାଣୀ,
ନପାରିଲେ ପରିଶେଷେ ମୋତେ ଥାଏ ଗୁଣି।
ମୁଁ କରିଲେ ସମାଧାନ ସବୁ ସମସ୍ୟାର,
କର୍ମଯୋଗ ପ୍ରତିହତ ହୋଇବ ପ୍ରାଣୀର।
ଅସହାୟେ କେହି ଯେବେ ସମର୍ପେ ନିଜକୁ,
ସମ୍ଭାବିତ ପଥ କହିଥାଏ ମୁଁ ତାହାକୁ।
ଶୁଣ କଲ୍ୟାଣୀ ସମ୍ଭାବ୍ୟ ମାର୍ଗଟି ତୁମ୍ଭର,
ଶୁଣି ତାହା ନିଜ ଭାଗ୍ୟ ନିଜେ ସ୍ଥିର କର।

ବିଧାତା ଟାଣିଛି ଯେଉଁ ତୁମ୍ଭ ଭାଗ୍ୟ ଗାର,
ତାକୁ ଅନ୍ୟଥା କରିବା ସାଧ୍ୟ ନୁହେ ମୋର।
ବିଧି ନିର୍ଦ୍ଦେଶିତ ତୁମ୍ଭ ଭାଗ୍ୟ ପରିସୀମା,
ଭିତରେ ସମାଧାନ ତୁ ଖୋଜ ରାଜଜେମା।
ଯଜ୍ଞରୁ ସମ୍ଭୂତା ତୁମ୍ଭେ ଧର୍ମ ରକ୍ଷା ଅର୍ଥେ,
ବିଧାତା ଗଢିଛି ତୁମ୍ଭ ଭାଗ୍ୟ ସେହିମତେ।
କଲ୍ୟାଣୀ! ତୁମ୍ଭ କଲ୍ୟାଣ ପାଣ୍ଡବ ସହିତେ-
ହେଲେ ,ହେବ ତାହା ଦୁଇ ରାଜବଂଶ ହିତେ।

ବିବାହ କରିଲେ ଏକା ତୁମ୍ଭକୁ ଅର୍ଜୁନ,
ପାଞ୍ଚ ଭାଇଙ୍କ ଏକତା ନରହିବ ଜାଣ।
ମାତୃସତ୍ୟ ପରିପୂର୍ଣ୍ଣ ହେଲାନାହିଁ ବୋଲି,
ଅର୍ଜୁନଙ୍କୁ ତେଜି ଚାରିଭାଇ ଯିବେ ଚାଲି।
ନପାଇଲେ ତୁମ୍ଭେ ପାଣ୍ଡବଙ୍କ ସମର୍ଥନ,
“ଦ୍ରୋଣ ପ୍ରତିଶୋଧ” ଇଚ୍ଛା ହେବ କାହୁଁ ପୂର୍ଣ୍ଣ?
ସହଜେ ତ ସ୍ବୟମ୍ବର ହେତୁ ବୈରଭାବ,
ମନରେ ପୋଷଣ କରି ଅଛନ୍ତି କୌରବ।
ଜରାସନ୍ଧ ଜଳୁଅଛି ପାଇ ଅପମାନ,
ପାଣ୍ଡବେ ସେ ସର୍ପପାଇଁ ନକୁଳ ଯେସନ।
ପ୍ରତ୍ୟାଖ୍ୟାନ କରିପାର ତୁମ୍ଭେ ଏ ବିବାହ,
ଦୁର୍ଗତି ଆସିବ ତୁମ୍ଭ ପାଇଁ ଅହରହ।
ଗୃଧ୍ର ଯେହ୍ନେ ଶବ ଟାଣୁଥାନ୍ତି ହୋଇ ମେଳ,
ଖଣ୍ଡ,ଖଣ୍ଡ ହେବ ଶତ୍ରୁ ହସ୍ତରେ ପାଞ୍ଚାଳ।

ପୋଷିଥିଲ ଅଭିଳାଷ ମନରେ କଲ୍ୟାଣୀ ,
ହେବାପାଇଁ  ଶ୍ରେଷ୍ଠ ପୁରୁଷର ଅର୍ଦ୍ଧାଙ୍ଗିନୀ।
ଅଖଣ୍ଡ ପୁରୁଷାକାର ରହିଥିବ ତାର,
ଥିବ ତାର ଧର୍ମ,କର୍ମ,ବୀରତ୍ଵ ଅପାର।
ହୋଇଥିବ ରୂପ ତାର କନ୍ଦର୍ପକୁ ଜିଣି,
ଆଗତ ଭବିଷ୍ୟତ ସେ ପାରୁଥିବ ଜାଣି।
ସବୁ ଗୁଣ ମିଳିବକି ଏକ ପୁରୁଷରେ,
ପାଞ୍ଚ ଅଙ୍ଗୁଳି ସମାନ କେବେ ହୋଇପାରେ?

ପାଞ୍ଚ ପାଣ୍ଡବଙ୍କ ପାଶେ ଏହି ପାଞ୍ଚଗୁଣ,
ରହିଛି ରାଜକୁମାରୀ,ଭଲେ ତୁମ୍ଭେ ଜାଣ।
ଯୁଧିଷ୍ଠିର ଅଟନ୍ତି ଯେ ସ୍ୱଂୟ ଧର୍ମରାଜ,
ମହାବଳୀ ଭୀମ ଧରିଛନ୍ତି ଭୀମ ତେଜ।
ଧନୁର୍ଦ୍ଧର,କର୍ମବୀର ଅଟନ୍ତି ଅର୍ଜୁନ,
ସୁନ୍ଦର ପଣେ ନକୁଳ କନ୍ଦର୍ପ ସମାନ।
ସହଦେବ ସହଜେ ତ ଭବିଷ୍ୟତ ଜ୍ଞାତା,
ମମତାର ଗନ୍ତାଘର ସୁରସେନ ସୁତା।
ଏମାନଙ୍କ ସଙ୍ଗେ ଯେବେ ତୁମ୍ଭେ ମିଶିଯିବ,
ସୁବର୍ଣ୍ଣ ମୁକୁଟେ ହୀରାସମ ଝଟକିବ।

ଦେବୋପମ ପୁରୁଷ ଅଟନ୍ତି ପାଞ୍ଚଭାଇ,
ତାଙ୍କ ସମ ବୀର ବିଶ୍ବେ ନାହାନ୍ତି ତ କେହି।
ପାଞ୍ଚାଳର ଜାମାତା ହୋଇଲେ ପଞ୍ଚଭ୍ରାତ,
ତୁଚ୍ଛ କୀଟ ସମ ଶତ୍ରୁ ଗଣ ହେବେ ହତ।
ପାଞ୍ଚ ଯଷ୍ଟିର ସମଷ୍ଟି ପାଣ୍ଡୁ ପାଞ୍ଚ ଭାଇ,
ଏକତା ସମୀପେ ହିମାଳୟ ଯିବ ନଇଁ।
ପଞ୍ଚଭ୍ରାତଙ୍କର ପାଣି କରିଲେ ଗ୍ରହଣ,
କଲ୍ୟାଣୀ ! ତୁମ୍ଭ ଜୀବନ ହେବ ପରିପୂର୍ଣ୍ଣ।
ବୁଦ୍ଧି,ବିବେକ,ବୀରତା,ଏୈଶ୍ବର୍ଯ୍ୟ,ସୁନ୍ଦର-
ସୌଭାଗ୍ୟ ହୋଇ ଆସିବେ ଜୀବନେ ତୁମ୍ଭର।

ଏକ,ଏକ ବର୍ଷ ତୁମ୍ଭେ ପ୍ରତି ବୀର ସଙ୍ଗେ,
ଦାମ୍ପତ୍ୟ ନିର୍ବାହ କରି ପାରିବ ସୁରଙ୍ଗେ।
ପ୍ରଭାବିତ ନହେବ ତୁମ୍ଭର ପାତିବ୍ରତ୍ୟ,
ନିର୍ଣ୍ଣୟ ନିଅ କୁମାରୀ ହୋଇ ସ୍ଥିର ଚିତ୍ତ।
କାଲି ପ୍ରଭାତେ ଆସିବେ ବ୍ୟାସ ମହାମତି,
ଶାସ୍ତ୍ରଗତ ସମାଧାନ ସେହି ଜାଣିଛନ୍ତି।
ତାଙ୍କ ପରାମର୍ଶ ନେଇ ନିର୍ଣ୍ଣୟ କରିବ,
ତୁମ୍ଭ ଭବିତବ୍ୟ ତୁମ୍ଭ ହସ୍ତେ ଜାଣିଥିବ।

ଶେଷ ଅଙ୍କ
————-
କୃଷ୍ଣାଙ୍କ କକ୍ଷରୁ ବାସୁଦେବ ମହାମତି,
କରନ୍ତେ ପ୍ରସ୍ଥାନ ଯାଜ୍ଞସେନୀ ବିଚାରନ୍ତି।
‘ସତ୍ୟ ବଚନ ତ କହୁଛନ୍ତି ନନ୍ଦବାଳ,
ମହା ପରାକ୍ରମୀ ଏହି ପାଣ୍ଡବ ସକଳ।
ଅଖଣ୍ଡ ପୁରୁଷାକାର କରି ଏକତ୍ରିତ,
ଗଢିଛି ବିଧାତା ଏହି ପଣ୍ଡୁ ପଞ୍ଚଭ୍ରାତ।
ଧର୍ମ,କର୍ମ,ଶୌର୍ଯ୍ୟ,ବିର୍ଯ୍ୟ,ରୂପ,ଗୁଣେ ପୂର୍ଣ୍ଣ,
ପାଇ ଏହାଙ୍କୁ ହୋଇବ ଜୀବନ ସମ୍ପୂର୍ଣ୍ଣ ।’
ସ୍ଥିର କଲେ ନିଜ ଚିତ୍ତ ଯହୁଁ ଜେମାଦେଈ,
ଉଦ୍ବେଳିତ ହୃଦସିନ୍ଧୁ ଗଲା ସ୍ଥିରହୋଇ।
ଶାନ୍ତମନେ ନିଦ୍ରାଗଲେ ଦ୍ରୁପଦ ନନ୍ଦିନୀ,
କେବେ ହେଲା ପ୍ରାତଃ ଜେମା ନପାରିଲେ ଜାଣି।

ଏଣେ ରାଜଦରବାର କରି ଆୟୋଜନ,
ଦ୍ରୌପଦୀଙ୍କୁ ଆମନ୍ତ୍ରିଲେ ଦ୍ରୁପଦ ରାଜନ।
ପାଞ୍ଚାଳ ଦରବାରରେ ମୌନ ବିରାଜଇ,
ସମସ୍ତଙ୍କ ମନେ ପ୍ରଶ୍ନବାଚୀ ଥିଲା ରହି।
ବସିଛନ୍ତି ପଣ୍ଡୁପୁତ୍ରେ, ସଙ୍ଗେ ମାତା କୁନ୍ତୀ,
ସିଂହାସନେ ବିରାଜିତ ପାଞ୍ଚାଳ ଭୂପତି।
ଧୃଷ୍ଟଦ୍ୟୁମ୍ନ ସତ୍ୟଜିତ,ଶିଖଣ୍ଡୀ ସହିତ,
ନିଜ ନିଜ ସ୍ଥାନ କରିଥିଲେ ଅଳଂକୃତ।
ପହଞ୍ଚିଲେ ଯାଜ୍ଞସେନୀ ହୋଇ ନତମୁଖ,
ପହଞ୍ଚିଲେ ବାସୁଦେବ ଯାଦବ ପ୍ରମୁଖ ।
ସଙ୍ଗେ ତାହାଙ୍କର ଥିଲେ ଗୁରୁ ସନ୍ଦିପନି,
ଗର୍ଗାଚାର୍ଯ୍ୟ ସହ ପହଞ୍ଚିଲେ ବ୍ୟାସ ମୁନି।
ପୂଜାକଲେ ସର୍ବେ ବ୍ୟାସଦେବଙ୍କର ପାଦ,
ପାଣ୍ଡବଙ୍କୁ ଦେଖି ମୁନି ହୋଇଲେ ପ୍ରମୋଦ।
ଆଶୀର୍ବାଦ କଲେ କୃଷ୍ଣା ଶୀରେ କର ରଖି,
ମୁନିପାଦେ ମଥାନତ କଲେ ଚନ୍ଦ୍ରମୁଖୀ।

ପୂଜ୍ୟପୂଜା ବିଧି ଯହୁଁ ହୋଇଲା ସମ୍ପନ୍ନ,
ସମସ୍ୟା ବର୍ଣ୍ଣନା କରି ଦ୍ରୁପଦ ରାଜନ-
“ବୋଇଲେ ଏହାର ପ୍ରଭୁ ସମାଧାନ କର,
ତୁମ୍ଭ ପାଶେ ଥାଏ ସବୁ ପ୍ରଶ୍ନର ଉତ୍ତର ।
ତୁମ୍ଭ ସମ ବିଶ୍ବେ କେହୁ ନାହିଁ  ପ୍ରଭୁ ଜ୍ଞାନୀ,
ମୁଖୁ ଯା ହୁଏ ନିଶ୍ରୁତ ସର୍ବେ ଥାନ୍ତି ମାନି
ବରିବ କେହ୍ନେ ମୋ କନ୍ୟା ପାଞ୍ଚ ପାଣ୍ଡୁପୁତ୍ରେ?
ଅନୀତି ବୋଲି ଡେଙ୍ଗୁରା ବାଜିବ ଜଗତେ।
ଲକ୍ଷଭେଦ କରିଛନ୍ତି ଯେଉଁ ଧନୁର୍ଦ୍ଧର,
ସେହି ସିନା ଯୋଗ୍ୟ ଧରିବାକୁ  ଜେମା କର।
ମାତୃ-ସତ୍ୟ ଦ୍ୱାହି ଦେଇ ପାଣ୍ଡୁ ପାଞ୍ଚ ଭାଇ,
ବିଚାରନ୍ତି କୃଷ୍ଣା ସଙ୍ଗେ ପରିଣୟ ପାଇଁ ।”

ଶୁଣି ବ୍ୟାସଦେବ କ୍ଷଣେ ହୋଇଲେ ମଉନ,
ଚକ୍ଷୁ ନିମିଳିତେ କିଛି କରିଲେ ସ୍ମରଣ।
ବୋଇଲେ “ଅନୀତି ନୁହେଁ ବହୁପତି ବ୍ରତ,
ଆଦି ସମାଜରେ ଦିନେ ଥିଲା ତା ଗୃହିତ।
କାଳକ୍ରମେ ସମାଜରୁ ହୋଇଛି ତା ଲୁପ୍ତ,
କିନ୍ତୁ ପଣ୍ୟଦ୍ରବ୍ୟ ସମ ନୁହେଁ ନାରୀ ଚିତ୍ତ ।
ଏହିପରି ବିବାହରେ କନ୍ୟାର ସମ୍ମତି,
ଆବଶ୍ୟକ ଅତ୍ୟନ୍ତ ହେ ପାଞ୍ଚାଳ ଭୂପତି।

ହିମାଳୟ ଅରଣ୍ୟରେ’ଖାସା’ ଜନଜାତି,
ବହୁପତିବ୍ରତେ ବ୍ରତି ଏବେ ବି ଅଛନ୍ତି ।
ମର୍ଯ୍ୟାଦା ପଳନ ଯେବେ ପତ୍ନୀ ପାରେ କରି
ବହୁପତି ଘେନି ମଧ୍ୟ  ହେବ ସତୀନାରୀ।
ସମୟର ସୀମା ପ୍ରତି ପତି ପାଇଁ  ଦେଇ,
ପାତିବ୍ରତ୍ୟ ପାଳିବାରେ ବାଧା କିଛି ନାହିଁ ।
ପତିମାନେ ସେ ସମୟ ସୀମାକୁ ମାନିବେ,
ସମୟ ସୀମା ଗାରକୁ କେହି ନଲଙ୍ଘିବେ।
ସେ ସମୟ ସୀମା ହୋଇପାରେ କିଛି ମାସ,
ହୋଇପାରେ ମଧ୍ୟ ତାହା ଗୋଟିଏ ବରଷ।

କନ୍ୟାକୁ ପଚାରି ବୁଝ ଆହେ ନରସାଇଁ
ସମ୍ମତି ନଥିଲେ କିଛି ନପାରିବ ହୋଇ।
ସେ ଚାହିଁଲେ ପାଞ୍ଚ ପତି କରିବ ବରଣ,
ନଚାହିଁଲେ ପଣ୍ଡୁପୁତ୍ରେ ଯିବେ ନିଜ ସ୍ଥାନ ।

ସମସ୍ତଙ୍କ ଦୃଷ୍ଟି ଥିଲା କୃଷ୍ଣା ମୁଖେ ସ୍ଥିର,
ନତମୁଖେ ଧରଣୀରେ କାଟୁଥିଲେ ଗାର।
ଯାଜ୍ଞସେନୀ ମୌନ ଦେଖି କହିଲେ ଶ୍ରୀହରି,
ଏଥିରେ  ଦ୍ୱିରୁକ୍ତି ଆଉ କାହିଁ ଦଣ୍ଡଧାରୀ?
ମୌନେ ସମ୍ମତି ଲକ୍ଷଣ ନପାର କି ଜାଣି?
ପାଣ୍ଡବଙ୍କୁ ପତି ରୂପେ ବରିବ କଲ୍ୟାଣୀ।

ଚାହିଁ କନ୍ୟାମୁଖ ରାଜା ପାଇଲେ ଇଙ୍ଗିତ,
ପାଞ୍ଚ ପତି ବରିବାକୁ କନ୍ୟା ସନମତ।
ବିଚାରିଲେ ରାଜା ଧନ୍ୟ ପାଣ୍ଡୁ ପରିବାର,
ଦେହ ଭିନ୍ନ, ଆତ୍ମା କିନ୍ତୁ ଏକ ସଭିଙ୍କର।
ପରସ୍ପର ସଙ୍ଗେ ବନ୍ଧା ସ୍ନେହ,ପ୍ରେମ ଡୋରେ,
ହିମାଦ୍ରି ସମାନ ଦୃଢ ପଣ ପାଳିବାରେ।
ବାସୁଦେବଙ୍କର ଶୁଭ ଦୃଷ୍ଟି  ସଦା ପାଇ,
ଶୌର୍ଯ୍ୟ, ବିର୍ଯ୍ୟେ ପଟାନ୍ତର ଏହାଙ୍କର ନାହିଁ ।
ହୋଇଲେ ଜାମାତା ମୋର ବଢାଇବେ ଯଶ,
ଦ୍ରୋଣ କିବା ଛାର ଜିଣି ପାରିବି ମୁଁ  ବିଶ୍ୱ।
ଘେନି ଗର୍ଗ,ସନ୍ଦିପନିଙ୍କର ସନମତି,
ସଖୀକୁ ପେଶିଲେ କନ୍ୟା ପାଶେ ନରପତି।

ସଖୀ ଜଣାଇଲା କୃଷ୍ଣା ସନମତି ବାଣୀ
ମହା ସନ୍ତୋଷ ଲଭିଲେ ପାଞ୍ଚାଳ ନୃମଣି।
ପଞ୍ଚପାଣ୍ଡବଙ୍କ ସହ କୃଷ୍ଣା ସ୍ୱୟମ୍ବର-
ନିମନ୍ତେ ଆଦେଶ କଲେ ପାଞ୍ଚାଳ ଈଶ୍ବର ।

(ସମାପ୍ତ)
*******************************************
ପ୍ରିୟ ବନ୍ଧୁଗଣ,
‘ସ୍ୱୟମ୍ବର ‘ କାବ୍ୟର ଶେଷ ଅଙ୍କଟି ଅନେକ ଡେରିରେ,କାର୍ଯ୍ଯ ବ୍ୟସ୍ତତା ହେତୁ ପରବେଷଣ କରିଥିବାରୁ କ୍ଷମା ମାଗି ନେଉଛି।ଆପଣମାନଙ୍କର ପ୍ରେରଣା ଯୋଗୁ କିଛି ସମୟ ଭିତରେ କେତେ ସୁନ୍ଦର କାବ୍ୟଟିଏ ରଚିତ ହୋଇଗଲା,ଜଣାପଡିଲାନାହିଁ।ଏପରି ସ୍ନେହ,ସଦିଚ୍ଛା ଓ ପ୍ରେରଣା  ସଦା ସର୍ବଦା ଆପଣମାନଙ୍କ ଠାରୁ ମିଳୁଥାଉ।
ପୂର୍ବାପର ସଙ୍ଗତି ରଖିବାପାଇଁ ପୂର୍ବରୁ ପରିବେଷିତ ଅଠତ୍ରିଶତମ ଅଧ୍ୟାୟ ସହିତ ଏହି ଶେଷ ଅଙ୍କଟି ଯୋଡି ଦେଇଛି।

  • ********************************************
Click to rate this post!
[Total: 0 Average: 0]

Leave a Reply