Wednesday, February 21, 2024
Uncategorized

ସ୍ବୟମ୍ବର
…….୨୩…..
କୁନ୍ତୀଙ୍କର ସ୍ମୃତି ଚାରଣ
****************
ଦୁଇ ପଣ୍ଡୁ ରାଣୀ ସନ୍ତାନ ଅଭାବେ ପାଉଥିଲେ ଘୋର ବ୍ୟଥା,
କର୍ତ୍ତବ୍ୟ ବିମୂଢ ଥିଲେ ନରବର ବୁଝିଲେ ବି ମନ କଥା।
ପତ୍ନୀ ସହ ହେବ ସଂଗମ ରାଜାଙ୍କ ଶେଷଦିନ ଧରାତଳେ,
ରୃଷି ଶାପ କଥା ଭାଳି ରାଜାଙ୍କର ହୃଦ ନିରନ୍ତର ଜଳେ।
ବିଷର୍ଣ୍ଣ ମନରେ ବସିଥିଲେ ଦିନେ କୁନ୍ତୀ,ମାଦ୍ରୀ ଆଶ୍ରମରେ,
ମୁନିଶ୍ରେଷ୍ଠ ବ୍ୟାସ ପହଞ୍ଚିଲେ ପୁତ୍ର ପଣ୍ଡୁ ଦର୍ଶନ ଆଶାରେ।
ସାଦରେ ପୂଜିଲେ ମୁନିଙ୍କ ପୟର ପଣ୍ଡୁ ସଙ୍ଗେ ଦୁଇ ରାଣୀ,
ଆଶୀର୍ବାଦ ଦେଇ କୃତ୍ୟ କୃତ୍ୟ କଲେ ତାଙ୍କୁ ବ୍ୟାସ ଧୀରମଣି।

ବୋଇଲେ କୁନ୍ତୀଙ୍କୁ “ତୋ ମନ ବେଦନା ଅଜ୍ଞାତନାହିଁ ମୋହର,
ଜୀବନେ ତୋର ମା ରୃଷି ଅଭିଶାପ ଆଣିଛି ତିମିର ଘୋର।
ଯା’ବିଧି ବିଧାନ ତାକୁ କେବା ଆନ କରିପାରିବ ଗୋ ପୃଥା?
ନାହିଁ ଉପଶମ ନାରୀ ଜୀବନରେ ଆସିଲେ ବାତ୍ସଲ୍ୟ ବ୍ୟଥା।
ବୋଇଲେ ରାଜନ “ହୋଇ ପୁତ୍ରହୀନ କେମନ୍ତେ ଜିଇଁବି ପ୍ରାଣ?
ମୃତ୍ୟୁଠାରୁ ବଳି ହୋଇବ ଜୀବନ କର ତାର ଉପଶମ।
ପୁତ୍ ନର୍କରୁ କେ ଉଦ୍ଧାର କରିବ, କିଏ ଦେବ ପିଣ୍ଡପାଣି?
କୁରୁବଂଶ ରକ୍ଷା କରିବ କିଏସେ ,କୁହ ମୁନି ଧୀରମଣି।”

କୃଷ୍ଣଦ୍ବାପ୍ୟାୟନ*ହୋଇଲେ ମଉନ କିଛିକ୍ଷଣ ଗାମ୍ଭୀର୍ଯ୍ୟରେ,
କହିଲେ ତତ୍ପରେ “ଶୁଣ ପୁତ୍ର ଥରେ ଯା’ଲେଖା ଅଛି ଶାସ୍ତ୍ରରେ।
ବଂଶ ରକ୍ଷା ପାଇଁ ସ୍ବାମୀ ଆଜ୍ଞାନେଇ ପତ୍ନୀ ନିଯୋଗ ବିଧିରେ,
ପୁତ୍ରଲାଭ ପାଇଁ ଇପ୍ସିତ ପୁରୁଷେ ସହବାସ କରିପାରେ।
ସେପରି ବିଧାନ ନୁହେ ଅନୈତିକ ଥିଲେ ସ୍ବାମୀର ସମ୍ମତି,
ଏପରି ଦୃଷ୍ଟାନ୍ତ ରହିଛି ଅନେକ ଶୁଣ ପଣ୍ଡୁ ମହାମତି।
ମୁନିଶ୍ରେଷ୍ଠ ବ୍ୟାସ ପ୍ରସ୍ଥାନ କରନ୍ତେ କୁନ୍ତୀଙ୍କୁ ପାଶେ ବସାଇ,
ବୁଝାଇ ନରେଶ କହିଲେ ନିଯୋଗ ବିଧି ଆଚରିବା ପାଇଁ।
କାନେ ହାତଦେଇ ପୃଥା ଥିଲେ କହି “ଏ କି କଥା ଦେଲ କହି,
ସ୍ବାମୀ ଛଡା ଅନ୍ୟ ପୁରୁଷ ଭାବନା ମହାପାପ ନାରୀ ପାଇଁ।
ଯେଉଁ ଦିନଠାରୁ ତୁମ୍ଭ ରାଣୀ ହୋଇ ଆସିଲି ହସ୍ତିନା ପୁରେ,
ତୁମ୍ଭଛଡା ଅନ୍ୟ ପୁରୁଷ ଭାବନା ଆସିନାହିଁ ବି ସ୍ବପ୍ନରେ।
ନପାରିବି ତୁମ୍ଭ କଥା ରଖି ପଛେ ବନ୍ଧ୍ୟାହେବି ଜୀବନରେ,
ବ୍ୟଭିଚାରୀହୋଇ ଲୋକଲଜ୍ୟାନେଇ ବଞ୍ଚିବି କି ଏ ସଂସାରେ?

ପୃଥାଙ୍କ ମଥାରେ ହାତରଖି ପଣ୍ଡୁ ବୋଇଲେ ସସ୍ନେହ ବାଣୀ,
“ତୁମ୍ଭ ପାତିବ୍ରତ୍ୟ କେବେ କଳଙ୍କିତ ନହେବ ହସ୍ତିନା ରାଣୀ।
ଶୁଣିଲତ ତାହା କହିଗଲେ ଯାହା ଦ୍ବାପ୍ୟାୟନ ମହାମତି,
ଅବିଧାନ ନୁହେ ନିଯୋଗ କରଣ ଥିଲେ ସ୍ବାମୀ ଅନୁମତି।
ଜାଣିଛତ ପୃଥା କୁରୁବଂଶ କଥା ବିଚିତ୍ରବିର୍ଯ୍ୟଙ୍କ ପରେ,
ପୁତ୍ରହୀନ ହେଲା କୁରୁବଂଶ କେହି ନଥିଲେ ସିଂହାସନରେ।
ଭୀଷ୍ମ କରିଥିଲେ ପଣ ସିଂହାସନ ନକରିବେ ଆରୋହଣ,
ପଣ ରକ୍ଷା ପାଇଁ ବିବାହ ପାଇଁକି କରିଦେଲେ ପ୍ରତ୍ୟାଖ୍ୟାନ।
ଅମ୍ବିକା ଓ ଅମ୍ବାଳିକାଙ୍କର ପାଣି ଗ୍ରହଣ କରିବା ପାଇଁ,
ଅନୁରୋଧ କଲେ ସତ୍ୟବତୀ କିନ୍ତୁ ଗାଙ୍ଗେୟ ମାନିଲେ ନାହିଁ।
କୁରୁବଂଶ ରକ୍ଷାପାଇଁ ରାଜମାତା ଡକାଇ ପୁତ୍ର ବ୍ୟାସଙ୍କୁ,
କଲେ ଅନୁରୋଧ ଅମ୍ବା,ଅମ୍ବାଳିକେ ପୁତ୍ରଦାନ କରିବାକୁ।
ଦୁଇ ରାଜବଧୂ ସଙ୍ଗେ ମହାମୁନି ବ୍ୟାସ ନିଯୋଗ ବିଧିରେ,
ଦାନ କରିଥିଲେ ଦୁଇ ରାଜପୁତ୍ର ବଂଶରକ୍ଷା ଉଦ୍ଦେଶ୍ୟରେ।
ସେ ମହାମୁନିଙ୍କଏକ ପୁତ୍ର ମୁହିଁ ଆରେକ ଯେ ଧୃତରାଷ୍ଟ୍ର,
ଭାଗ୍ୟଦୋଷେ ଆଜି ମୁହିଁ ବନଚାରୀ,ଭ୍ରାତା ପାଳୁଛନ୍ତି ରାଷ୍ଟ୍ର।
ତେଣୁ ତୁମ୍ଭେ ପୃଥା,ନଭାଳ ଅନ୍ୟଥା ଦେଲି ଅନୁମତି ମୁହିଁ,
ନିଯୋଗ ବିଧାନ କଥା ଚିନ୍ତାକର ମୋର ବଂଶ ରକ୍ଷାପାଇଁ।”

ସ୍ବାମୀଙ୍କରବାଣୀ ଶୁଣିପଣ୍ଡୁରାଣୀ ବୋଇଲେ”ମୋ ବାଲ୍ୟକାଳେ,
ଥିଲି ପିତ୍ରାଳୟେ ଏକଦା ଦୁର୍ବାସା ରାଜପୁରେ ପହଞ୍ଚିଲେ।
କ୍ଷଣକୋପୀ ମୁନିଙ୍କର ସେବାପାଇଁ ପିତାଥିଲେ ମୋତେ କହି,
ମନପ୍ରାଣ ଦେଇ ମୁନିଙ୍କ ସେବାରେ ଲାଗି ପଡିଥିଲି ମୁହିଁ।
ଅତ୍ୟନ୍ତ ପ୍ରସନ୍ନ ହୋଇ ମୋ ଉପରେ ମୁନି ଦେଲେ ଏକ ମାଳା,
ବୋଇଲେ ଯାହାକୁ ଇଚ୍ଛା ତୁ କରିବୁ ନିମନ୍ତ୍ରି ପାରିବୁ ବାଳା।
ମାଳାଧରି ମନ୍ତ୍ରପଢି ନିମନ୍ତ୍ରିଲେ ସ୍ବର୍ଗୁ ବି ଦେବତା ଗଣ,
ଆସି ବିଳସିବେ ତୋ ସଙ୍ଗେ ସୁଶୀଳେ,ଏମନ୍ତ ଏ ମାଳା ଗୁଣ।”
ଶୁଣି ରାଣୀବାଣୀ ପଣ୍ଡୁ ନରମଣି ବୋଇଲେ ଆନନ୍ଦ ହୋଇ,
ଅନୁମତି ଦେଲି ରାଣୀ ମୁଁ ତୁମ୍ଭଙ୍କୁ ଦେବତା ବରଣ ପାଇଁ।”

ସ୍ବାମୀ ସମ୍ମତିରେ ନିଯୋଗ ବିଧିରେ,କୁନ୍ତୀ ପାଣ୍ଡୁ ପାଟ୍ଟରାଣୀ,
ଏକ ପରେ ଏକ କରି ଆମନ୍ତ୍ରିଲେ ଧର୍ମ,ବାତ,ଇନ୍ଦ୍ର ପୁଣି।
ସେହି ଦେବତାଙ୍କ ଆଶୀର୍ବାଦ ନେଇ ଜନମିଲେ ତିନି ବୀର,
ଧର୍ମ ଯୁଧିଷ୍ଠିର,ଭୀମ ମହାବୀର,ଧନଞ୍ଜୟ ଧନୁର୍ଦ୍ଧର।
ଧର୍ମରାଜଙ୍କର ସୁତ ଯୁଧିଷ୍ଠିର,ଭୀମସେନ ବାତ ସୁତ,
ଇନ୍ଦ୍ରଙ୍କ ନନ୍ଦନ ବୀର ଧନଞ୍ଜୟ ସୂର୍ଯ୍ୟସମ ତେଜୋବନ୍ତ।
ଦୁର୍ବାସାଙ୍କ ମାଳା ପ୍ରୟୋଗ କରିଲେ ମାଦ୍ରୀ ନେଇ ଅନୁମତି,
ଅଶ୍ବିନୀ କୁମାର ଆଶୀର୍ବାଦେ ଜନ୍ମ ଦୁଇପୁତ୍ର ଦିବ୍ୟକାନ୍ତି।
ଯମଜ ସନ୍ତାନ ସେଦୁହେଁ ନକୁଳ ,ସହଦେବ ନାମେ ଖ୍ୟାତ,
ଗହନ କାନନେ ପାଞ୍ଚ ରାଜପୁତ୍ର ବଢନ୍ତି ଚନ୍ଦ୍ର ଯେମନ୍ତ।

ଗଡି ଯାଉଥିଲା ସମୟ ଆନନ୍ଦେ ବନପ୍ରାନ୍ତେ ସଭିଙ୍କର,
ଅଦୃଷ୍ଟ ନିର୍ଦ୍ଦେଶେ ପଣ୍ଡୁ ହୃଦେ ଦିନେ ଜାଗିଲା ପ୍ରୀତି ଅପାର।
ସହଜେ ସେଦିନ ବାସନ୍ତୀ ମଳୟ ବହୁଥିଲା ମନ୍ଦ ମନ୍ଦ,
ହୃଦୟେ ପୁଲକ ଜାଗିଲା ,ନରେଶ କାମଭୋଳେ ହେଲେ ଅନ୍ଧ।
ନପାରିଲେ ରୋକି ପ୍ରେମର ପ୍ଲାବନ ଧର୍ଯ୍ୟହୀନ ହେଲେ ନୃପ,
ମାଦ୍ରୀସଙ୍ଗେ ପ୍ରେମରଙ୍ଗେ ମାତିଗଲେ ଭୁଲିଯାଇ ମୁନି ଶାପ।
ତତକ୍ଷଣେ ପ୍ରାଣବାୟୁ ଉଡିଗଲା,ପଣ୍ଡୁ ହେଲେ ସ୍ବର୍ଗଗାମୀ,
ଦୁଃଖର ଅଥଳ ସାଗରେ ଭାସିଲେ ବନେ ଦୁଇ ରାଜରାଣୀ।
ରାଜାଙ୍କନିଧନ ପାଇଁ ନିଜେ ଦାୟୀ ମଦ୍ରନନ୍ଦିନୀ ବିଚାରି,
ସ୍ବାମୀଙ୍କ ଚିତାରେ ମାଦ୍ରୀ ଦେଲେ ନିଜ ପ୍ରାଣ ବିସର୍ଜନ କରି।
ଗଲାବେଳେ କୁନ୍ତୀହସ୍ତେ ସମର୍ପିଲେ ନକୁଳ ,ସହଦେବଙ୍କୁ,
ନିଜପୁତ୍ରଠାରୁ ଅଧିକ ଯତନେ ପାଳିଲେ କୁନ୍ତୀ ଦୁହିଙ୍କୁ।
ପଣ୍ଡୁ ମୃତ୍ୟୁବାର୍ତ୍ତା ବନଅଗ୍ନିପରି ବ୍ୟାପିଗଲା ହସ୍ତିନାରେ,
ରାଜା ଗୁଣ ଗୁଣି ପ୍ରଜାଏ ଭାସିଲେ ଅଥଳ ଦୁଃଖ ସାଗରେ।
ଶୋକମଗ୍ନ ହେଲେ ରାଜ ଅବରୋଧେ ଧୃତରାଷ୍ଟ୍ର ନରମଣି,
କାନ୍ଦନ୍ତି ବିଦୂର ପୁଣି ସତ୍ୟବତୀ ସଙ୍ଗେ ପ୍ରାସାଦ ରମଣୀ।
କୋହ ସମ୍ବରଣକରି ଉତ୍ତରୀୟେ ପୋଛି ନେତ୍ରୁ ଅଶ୍ରୁଧାର,
ସଭିଙ୍କୁ ସାନ୍ତ୍ବନା ଦେଉଥିଲେ ଭୀଷ୍ମ,କୁଳବୃଦ୍ଧ ହସ୍ତିନାର।
ପାଞ୍ଚପୁତ୍ରଧରି କୁନ୍ତୀ ଯେବେ ଫେରି ଆସିଲେ ରାଜନବରେ,
ସବୁ ନୂଆ ନୂଆ ଲାଗୁଥିଲା ତାଙ୍କୁ,ଅନେକ ବର୍ଷ ଉତ୍ତାରେ।
କ୍ରମଶଃ…………

(ବିଶେଷ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଏହି କାବ୍ୟାଂଶଟି ଦୀର୍ଘ ସମୟ ପରେ ପରିବେଷିତ ହୋଇଥିବାରୁ ଦୁଃଖିତ।)

Click to rate this post!
[Total: 0 Average: 0]

Leave a Reply