Wednesday, February 28, 2024
Uncategorized

ସ୍ବୟମ୍ବର
…….୨୪….
କୁନ୍ତୀଙ୍କର ସ୍ମୃତି ଚାରଣ
(ରାଜପୁରରେ ଷଡଯନ୍ତ୍ର)
ପାଞ୍ଚ ପୁତ୍ର ଧରି କୁନ୍ତୀ ଯେବେ ଫେରି ଆସିଲେ ରାଜନବରେ,
ସବୁ ନୂଆ ନୂଆ ଲାଗୁଥିଲା ତାଙ୍କୁ ଅନେକ ବର୍ଷ ଉତ୍ତାରେ।
ସମୟ ସୁଅରେ ଭାସି,ଭାସି କେତେଦୂର ଯାଇଥିଲେ ଚାଲି,
ରାଜପ୍ରାସାଦରେ ଲାଗିଲା ଜୀବନ ସବୁ ନିସ୍ୱ ସବୁ ଖାଲି।
ଦିନେ ଏହି ପୁରେ ଦେଉଥିଲେ ଶତ ଦାସ ଦାସୀଙ୍କୁ ନିର୍ଦ୍ଦେଶ,
ଆଜି ତାଙ୍କପାଶେ କ୍ଷଣେ ବସିବାକୁ ନାହିଁ କାର ଅବକାଶ।
ଏହି ରାଜପୁରେ ରାଣୀ ହୋଇ ଦିନେ ଉଜ୍ବଳ ହୀରା ସମାନ,
ଜଳି ଉଠୁଥିଲା ତାଙ୍କ ଭାଗ୍ୟ,କିନ୍ତୁ ଆଜି କପର୍ଦ୍ଦକ ଶୂନ୍ୟ।
ଭଣ୍ଡାର ଘରୁ ସେ ଦାନ ଦେଉଥିଲେ ଦିନେ ଲକ୍ଷ ହୀରା,ମୋତି,
ଆଜି କିନ୍ତୁ ନିଜ ପୋଷଣ ପାଇଁ ସେ ହାତ ପାତି ବସିଛନ୍ତି।
ଦେହେ ଶୂଭ୍ରବାସ,ଅଳଙ୍କାର ନ୍ୟାସ ନାହିଁ ତ ଅବୟବରେ,
ତପସ୍ବୀ ସନ୍ତାନ ସମ ପୁତ୍ରଗଣ ଅଛନ୍ତି ରାଜନବରେ।

ଧୃତରାଷ୍ଟ୍ରଙ୍କର ଶତପୁତ୍ର ପଣ୍ଡୁପୁତ୍ରେ କରନ୍ତି ତାତ୍ସଲ୍ୟ,
କହନ୍ତି”ଆସିଛ ବନପ୍ରାନ୍ତୁ ,ଦେଖାଯାଉଛ ବାନର ତୁଲ୍ୟ।”
ବଡ ହେଲେ ମଧ୍ୟ, ଯୁଧିଷ୍ଠିର ପାଏନାହିଁ ଜ୍ୟେଷ୍ଠର ସମ୍ମାନ,
ଭୀମକୁ ସର୍ବଦା ଦୁର୍ଯ୍ୟୋଧନ ଦିଏ ଜାଣିଶୁଣି ଅପମାନ।
“ଧର୍ମଙ୍କ ନନ୍ଦନ ଆସ” ବୋଲି ସମ୍ବୋଧନ କରେ ଯୁଧିଷ୍ଠିରେ,
“କାହିଁ ଗଲ ଆହେ ପବନ ନନ୍ଦନ”ବୋଲି ଭୀମଙ୍କୁ ହକାରେ।
“ଇନ୍ଦ୍ରଙ୍କ କୁମର ବଡ ଧନୁର୍ଦ୍ଧର” ବୋଲି କହେ ଅର୍ଜୁନଙ୍କୁ,
“ସ୍ବର୍ଗ ବୈଦ୍ୟସୁତ,ଆସହେ ତୁରନ୍ତ “ଡାକେ ମାଦ୍ରୀ ତନୟଙ୍କୁ।
ସମସ୍ତ ତାଚ୍ଛଲ୍ୟ ସହ୍ୟ କରୁଥିଲେ ଯୁଦ୍ଧିଷ୍ଠିର ଧୀରମଣି,
ପ୍ରବଳ ଆକ୍ରୋଶେ ଭୀମ ମହାବଳୀ ହେଉଥିଲେ ଶୀର ଝୁଣି।
ସୁଯୋଗ ପାଇଲେ କୌରବ ଭାଇଙ୍କୁ କରୁଥିଲେ ହନ୍ତସନ୍ତ,
ମାଙ୍କଡ ପରି କା ଗୋଡକୁ ଟେକନ୍ତି,ତଳେ ଝୁଲୁଥାଏ ହାତ।
କାହାକୁ ଉଠାଇ,ବୃକ୍ଷପରେ ନେଇ ବସାଇ ଯାଆନ୍ତି ଚାଲି,
ବାଲ୍ୟକ୍ରୀଡା ଛଳେ କାହା ବସ୍ତ୍ରଖୋଲି ପୁରାଇ ଦିଅନ୍ତି ବାଲି।
ସନ୍ତରଣପଟୁ ଥିଲେ ଭୀମସେନ,ସ୍ନାନବେଳେ ଗଙ୍ଗାଜଳେ,
ଜାଣିଶୁଣି କୁରୁ ଭାଇ ମାନଙ୍କୁ ସେ ପାଣିରେ ବୁଡାଉଥିଲେ।
ଜଳମଧ୍ୟେ ଅଣନିଶ୍ବାସୀ କରାଇ ତାପରେ ଦିଅନ୍ତି ଛାଡି,
ପ୍ରାଣ ବିକଳରେ କୌରବ କୁମାରେ ଯାଆନ୍ତି ଦୂରେ ଦଉଡି।
ବୃକ୍ଷରେ ଚଢାଇ,ନିଜେ ତଳେରହି,ବୃକ୍ଷକୁ ମାରନ୍ତି ଲାତ,
ସେ ଲାତ ପ୍ରଭାବେ ପକ୍ବଫଳପରି ଝଡୁଥାନ୍ତି କୁରୁପୁତ୍ର।
“ପବନ ନନ୍ଦନ”ବୋଲି କେ ଡାକିଲେ ଭୀମ ବୋଲୁଥାନ୍ତି ଧୀରେ,
“ଗୋଲକ ନନ୍ଦନ ଅର୍ଥ କିସ ଯାଇ ପଚାର ମାତାଙ୍କୁ ଥରେ।”
ମାଂସ ଗୋଲକରୁ ଶତଭ୍ରାତ ଜାତ ଜାଣିଥିଲେ ଭୀମସେନ,
“ଗୋଲକ ନନ୍ଦନ” ବୋଲି କୌରବଙ୍କୁ କରୁଥିଲେ ସମ୍ବୋଧନ।
ଦୁର୍ଯ୍ୟୋଧନକୁ ସେ ଦେଖିଲେ ବୋଲନ୍ତି”ଅହୋ ଅନ୍ଧର କୁମରେ,
ଭାବିଛ କି ମନେ ନିର୍ଦ୍ବନ୍ଦେ ବସିବ ହସ୍ତିନା ସିଂହାସନରେ?
ଆମ୍ଭେ ପଣ୍ଡୁଙ୍କର ପୁତ୍ର, ବିଧିମତେ ଅଟଇ ରାଜ୍ୟ ଆମ୍ଭର,
ଦୟା ପରବଶେ ପଣ୍ଡୁ ଦେଇଥିଲେ ଧୃତରାଷ୍ଟ୍ରେ ରାଜ୍ୟଭାର।”

ରାଜପୁତ୍ର ମଧ୍ୟେ ଦେଖି ଶତ୍ରୁଭାବ ଚିନ୍ତିତ ଗଙ୍ଗାନନ୍ଦନ,
ପ୍ରତି ମୁହୁର୍ତ୍ତରେ ପ୍ରଳୟ ଆଶଂକା ବିଚଳିତ କରେ ମନ।
କରୁଥିଲେ ସଦା ପ୍ରୟାସ ସେ ଦୁର୍ଯ୍ୟୋଧନକୁ ରୋକିବା ପାଇଁ,
ଈର୍ଷାଗୁଣ ଯାର ଜନ୍ମଗତ ତାକୁ ପାରିବ କିଏ ବୁଝାଇ?
କୁରୁ ସଂସ୍କାରର ଚିହ୍ନବର୍ଣ୍ଣ ତିଳେ ନଥିଲା ତା ବ୍ୟବହାରେ,
କୁଟିଳ ଶକୁନି ମାତୁଳ ନିର୍ଦ୍ଦେଶେ ରହୁଥିଲା ନିରନ୍ତରେ।
ଦୁର୍ଯ୍ୟୋଧନ ଭାବୁଥିଲା ‘ଧର୍ମପୁତ୍ର ଜ୍ୟେଷ୍ଠତା ପ୍ରମାଣ କରି,
କୁରୁ ସିଂହାସନ କରି ଆରୋହଣ ହରିନେବ ରାଜଶିରୀ।
ଦାଣ୍ଡର ଭିକାରି ହେବେ କୁରୁପୁତ୍ରେ,ଅବା ସେବିବେ ପାଣ୍ଡବେ,
ଏମନ୍ତ ଅବସ୍ଥା ଭୋଗିବାଠୁଁ ଶ୍ରେୟ ଆତ୍ମହତ୍ୟା ଏହି ଭବେ।’
କୁରୁପୁତ୍ର ସଙ୍ଗେ ଗୁରୁପୁତ୍ର*ମିଶି ଆରମ୍ଭିଲେ ଖଳଚିନ୍ତା,
ଷଡଯନ୍ତ୍ର କରୁଥିଲେ କରିବାକୁ ପଞ୍ଚପାଣ୍ଡବଙ୍କୁ ହତ୍ୟା।
ଅଗ୍ନିସଙ୍ଗେ ଘୃତ ସମ ତାଙ୍କ ସଙ୍ଗେ ଦୁଃଶାସନ ଗଲା ମିଶି,
ପ୍ରଥମେ ଭୀମଙ୍କୁ ହତ୍ୟା କରିବାକୁ ଯୋଜନା ପାଞ୍ଚିଲେ ବସି।

ସହଜେ ତ ଥିଲେ ଦ୍ବିତୀୟ ପାଣ୍ଡବ ସ୍ବାଦିଷ୍ଟ ଭୋଜନ ପ୍ରିୟ,
ବଡ ଆଗ୍ରହରେ ଦିନେ ଦୁର୍ଯ୍ୟୋଧନ ନେଲା ତାଙ୍କୁ ସ୍ବ ଆଳୟ।
ସୁମିଷ୍ଟ ଲଡୁରେ ବିଷ ମିଶାଇଣ ଆକଣ୍ଠ ଦେଲା ଖୁଆଇ,
ବିଷର ପ୍ରଭାବେ ଅଚେତ ହୁଅନ୍ତେ ହସ୍ତ,ପଦ ବାନ୍ଧିଦେଇ-
ଭୀମଦେହେ ବାନ୍ଧି ପଥର ରଜ୍ଜୁରେ ସନ୍ତର୍ପଣେ ତାଙ୍କୁ ନେଲେ,
ଗଙ୍ଗାର ଅଥଳ ଜଳେ,ଜଳଜନ୍ତୁ ଖାଦ୍ୟ ପାଇଁ ଫିଙ୍ଗିଦେଲେ।
ସେ ଗଣ୍ଡରେ ଥିଲେ ବିଷପୂର୍ଣ୍ଣ ସର୍ପ,ଭୀମଙ୍କୁ କଲେ ଦଂଶନ,
ସେ ବିଷ ପ୍ରଭାବେ ଶରୀରର ବିଷ ତକ୍ଷଣେ ହୋଇଲା କ୍ଷୀଣ।
ଚେତନା ଲଭିଲେ ଭୀମ ମହାବଳୀ ଛିଣ୍ଡାଇଲେ ରଜ୍ଜୁ ହେଳେ,
ହସ୍ତି ଜଳମଧ୍ୟୁ ବାହାରିଲା ପରି ଉଠିଲେ ସେ ଗଙ୍ଗାକୂଳେ।
ବିଷର ପ୍ରଭାବେ ଶରୀର ତାଙ୍କର ହେଲା ମହା ବଳଶାଳୀ,
ଶତ ହସ୍ତି ବଳ ଲଭିଲେ ଶରୀରେ, ପ୍ରଳୟର ବାୟୁ ଭଳି।

ସେହି ଷଡଯନ୍ତ୍ର ପରେ କୁନ୍ତୀଙ୍କର ମନେ ହେଲା ମହା ଭୟ,
ବିଚାରିଲେ’ବିଷଧର ସର୍ପ ଗୁହା ସମାନ ରାଜ ନୀଳୟ।
କିପରି ବଞ୍ଚିବେ ସନ୍ତାନେ ତାଙ୍କର ,ଭାଳି କୁନ୍ତୀ ଘାରିହେଲେ,
ସତତ ଏକତ୍ର ରହିବା ପାଇଁକି ପୁତ୍ରଙ୍କୁ ବୁଝାଉଥିଲେ।
ଏକତା ଆଗରେ ସାଗର ଘୁଞ୍ଚିବ ହିମାଳୟ ଯିବ ନଇଁ,
ସମସ୍ତ ବିପଦ ଦୂରହେବ, ଏକ ହେବେ ଯେବେ ପାଞ୍ଚଭାଇ।
ସେହିଦିନଠାରୁ ପାଣ୍ଡବେ କରିଲେ ପଣ ଜୀବନେ ତାଙ୍କର,
ଏକମନ,ଏକ ଆତ୍ମା ହୋଇ, କଥା ମାନୁଥିବେ ମାତାଙ୍କର।
ଭୀଷ୍ମ ସମ ପଣ ନେଲେ ସେହିଦିନ ପାଞ୍ଚଭାଇ ଏକ ହୋଇ,
ମାତାଙ୍କ ମୁଖରୁ ଯାହା ବାହାରିବ ଅନ୍ୟଥା କରିବେ ନାହିଁ।
ମାତାଙ୍କ ମୁଖରୁ ନିଶ୍ରୁତ ବାଣୀକୁ ଅନ୍ୟଥା କରିବ ଯେହୁ,
ମାତା,ଭ୍ରାତା ଠାରୁ ହୋଇ ବହିଷ୍କୃତ ନିର୍ବାସିତ ହେବ ସେହୁ।
ପାଞ୍ଚଟି ଶରୀର ମଧ୍ୟେ ଏକ ଆତ୍ମା ସମ ରହିଲେ ପାଣ୍ଡବେ,
ଈର୍ଷା,ଦ୍ବେଷ ଭାବ ପରସ୍ପରମଧ୍ୟେ ନଥିଲା ତାଙ୍କର ଲବେ।
*ଗୁରୁପୁତ୍ର—-ଅଶ୍ୱତ୍ଥାମା
କ୍ରମଶଃ…………

Click to rate this post!
[Total: 0 Average: 0]

Leave a Reply