Sunday, June 23, 2024
Uncategorized

ଦେବଯାନୀ
(ଚତୁର୍ଦ୍ଦଶ କଳିକା)
ରାଗ:-କଳହଂସ କେଦାର
———————-
ବିକଳେ ଦେବଯାନୀ କରେ ରୋଦନ,
ହୋଇଲେ ଶୁକ୍ରାଚାର୍ଯ୍ୟ ଧ୍ୟାନେ ମଗନ।।

ତପୋବଳେ ଜାଣିଲେ ସକଳ କଥା,
ବୋଇଲେ ” ପୁତ୍ରୀ ମନେ ନ’ଲଭ ବ୍ୟଥା ।।

ଦାନବ ମାନଙ୍କର ଅଟେ ଏ କାର୍ଯ୍ୟ,
କଚକୁ ବଧ କରିଅଛନ୍ତି ଆଜ।।

ଖଣ୍ଡ ଖଣ୍ଡ କରି ତା ମାଂସ ହାଡକୁ,
ଭକ୍ଷଣେ ଦେଇଛନ୍ତି ବନେ ବ୍ୟାଘ୍ରକୁ।।

ଜାଣି ତାହାଙ୍କୁ ବୃହଷ୍ପତି ନନ୍ଦନ,
ରାକ୍ଷସେ କରିଛନ୍ତି ଏ ହୀନ କର୍ମ।।

ବୃଷପର୍ବାଙ୍କ ଏହା ନୋହେ ଉଚିତ,
ଅକାରଣେ ସେ ହୋଇ ଅଛନ୍ତି ଭୀତ।

ଭାବନ୍ତି କଚ ସଞ୍ଜୀବନୀ ଚୋରାଇ,
ଦେବଙ୍କ ଶକ୍ତି ବୃଦ୍ଧି କରିବ ଯାଇ।।

ମୃତ୍ୟୁ ସଞ୍ଜିବନୀ କି ଭିକ୍ଷାରେ ଦେୟ ?
ମୋଠାରେ ଅବିଶ୍ବାସ କରିଲେ ରାୟ।।

ମୋ’ସଙ୍ଗେ ପରାମର୍ଶ ନକରି ଥରେ,
କଚକୁ ପଠାଇଲେ ଶମନ ପୁରେ ।।”

ଶୁଣି ରୋଦନ କଲେ  ଉଚ୍ଚେ ନନ୍ଦିନୀ
ଅଶ୍ରୁ ମୁଂଚିଲେ ଅନ୍ତେବାସୀଏ ଶୁଣି।।

ଦେବଯାନୀ ବୋଲନ୍ତି କରି ରୋଦନ,
“ହାରିଲେ ସିନା ମୋର ଯୋଗୁଁ ଜୀବନ।।

କି କୁଲଗ୍ନେ ଆସିଲେ ଗୁରୁକୁଳରେ,
ଜୀବନ ଦେଲେ ଦାନବଙ୍କ ଖେଳରେ ।।

ଭୋ ପିତା ! କଚ ଆଶ୍ରମର ଜୀବନ,
ତାଙ୍କ ବିନା ଲାଗିବ ଜୀବନ ଶୂନ୍ୟ।।

ହେ ପିତା ! ପ୍ରାଣଦାନ ଦିଅ କଚଙ୍କୁ
ନହେଲେ ହରାଇବି ତୁଚ୍ଛ ପ୍ରାଣକୁ।।

ସହଜେ ତୁମ୍ଭର ସେ ଯଥା ନନ୍ଦନ,
ଆଶ୍ରମବାସୀଙ୍କର ହୃଦ ଚନ୍ଦନ।।”

ଆଶ୍ରମ ଅନ୍ତେବାସୀ ହେଲେ ଏକତ୍ର,
ଅଶ୍ରୁରେ ପୂର୍ଣ୍ଣ ହେଲା ସଭିଙ୍କ ନେତ୍ର।।

ହା କଚ ! ବୋଲି ସର୍ବେ କଲେ ରୋଦନ,
କମ୍ପିତ ହେଲା ଉପବନ କାନନ।।

ଶିଷ୍ୟଙ୍କ ଅନୁରୋଧ,କନ୍ୟାର ଅଳି,
କେମନ୍ତେ ଶୁକ୍ରାଚାର୍ଯ୍ୟ ପାରନ୍ତେ ଟାଳି ?

ବସିଲେ ଧ୍ୟାନେ ମୁନି ମନ୍ତ୍ରୋଚ୍ଚାରଣେ,
ଉଚ୍ଚାରି ସଞ୍ଜୀବନୀ ମନ୍ତ୍ର ସ୍ମରଣେ।।

କଚ’କୁ ଜୀବନ୍ୟାସ ଦେଇ ମୁନିଶ,
ଡାକନ୍ତି କାହିଁ ଅଛ କଚ ହେ ଆସ।।

ବ୍ୟାଘ୍ର ଏକ ଅରଣ୍ୟୁ ଆସଇ ଧାଇଁ,
ଆଶ୍ଚର୍ଯ୍ଯ ହେଲେ ସର୍ବେ ତାକୁ ଅନାଇଁ।।

ଭାସିଆସଇ ଶବ୍ଦ ବ୍ୟାଘ୍ର ଉଦରୁ,
“ଏହା ଉଦରେ ମୁହିଁ ଅଛି ହେ ଗୁରୁ।”

ଚିରିଲେ ମହାବଳ ଉଦର ଯହୁଁ,
ସ୍ୱଦେହେ କଚ ଉଭା ହୋଇଲା ତହୁଁ ।।

ସହର୍ଷ ଦେବଯାନୀ,ଆବର ସର୍ବେ,
ପୂର୍ଣ୍ଣ ହେଲା ଆଶ୍ରମ ଆନନ୍ଦ ରବେ।।

କ୍ରମଶଃ:——

Click to rate this post!
[Total: 0 Average: 0]

Leave a Reply