Thursday, July 25, 2024
Uncategorized

ସ୍ବୟମ୍ବର
……୨୨….
କୁନ୍ତୀଙ୍କ ସ୍ମୃତି ରୋମନ୍ଥନ
*****************
ଏକଚକ୍ର ପୁରେ ବ୍ରାହ୍ମଣ କୁଟିରେ କୁନ୍ତୀ ବସିଥିଲେ ଏକା,
ଭୀମସେନଙ୍କର ପ୍ରତ୍ୟାବର୍ତ୍ତନକୁ କରୁଥିଲେ ସେ ପ୍ରତୀକ୍ଷା।
ଭାସି ଯାଉଥିଲା ହୃଦ ଫଳକରେ କେତେ ଅତୀତର ସ୍ମୃତି,
ବିଶାଳ ହସ୍ତିନା ରାଜ୍ୟେ ଦିନେ ପଣ୍ଡୁ କରୁ ଯେ ଥିଲେ ରାଜୁତି।
ଦିଗ ବିଦିଗରେ ବ୍ୟାପି ଯାଇଥିଲା ଯଶ,ଖ୍ୟାତି ରାଜାଙ୍କର,
ପରଜା ରଂଜନେ କୁରୁବଂଶୀ ସଙ୍ଗେ ନଥିଲା କା ପଟାନ୍ତର।
ଶତ ହସ୍ତି ବଳ ବାହୁରେ ତାଙ୍କର, ମୁଖେ ସହସ୍ରାଂଶୁ ଦୀପ୍ତି,
ସ୍ବର୍ଗେ ଇନ୍ଦ୍ରସମ ଶାସନ କରନ୍ତି ରାଜ୍ୟ କୁରୁକୁଳ ଜ୍ୟୋତି।
ଅମରାବତୀରୁ ବଳି ଶୋଭୁଥିଲା ଗଙ୍ଗାକୁଳେ ତାଙ୍କ ରାଜ୍ୟ,
ଧନ ଧାନ୍ୟ ମଣି ମାଣିକ୍ୟରେ ପୂର୍ଣ୍ଣ ଅକଳନୀୟ ପ୍ରାଚୁର୍ଯ୍ୟ।
ଭିକାରି ଶବ୍ଦର ଅର୍ଥ ସେ ରାଜ୍ୟରେ ବୁଝି ନପାରନ୍ତି କେହି,
କୁଟିର କହିଲେ ଯାହାକୁ ବୁଝାଏ ଦ୍ବିତଳ ପ୍ରାସାଦ ସେହି।
ପ୍ରାସାଦ ଉପରେ ସୁବର୍ଣ୍ଣ କଳସ ଯେତେ ଅଧିକ ଯାହାର,
ସେହି ହିସାବରେ ଧନିକଗଣରେ ଗଣତି ହୁଏ ତାହାର।
ଗଙ୍ଗା ନଦୀ ଧାରେ ଦେଶ ଦେଶାନ୍ତରେ ବାଣିଜ୍ୟ କରି ସାଧବେ,
ବୋହି ଆଣୁଥିଲେ ବିପୁଳ ସମ୍ପଦ ସୁଖରେ ଥିଲେ ସରବେ।
ପଣ୍ଡୁ ରାଜୁତିରେ ରାଜ ଦରବାରେ ଅନ୍ୟାୟ ନଥିଲା ତିଳେ,
ଧର୍ମଦଣ୍ଡ ଧରି ନ୍ୟାୟ ପରାୟଣ ପଣ୍ଡୁ ରାଜ୍ୟ ପାଳୁଥିଲେ।
ବିଶାଳ ସଇନ ବାହିନୀ ତାଙ୍କର ଦୁର୍ଦ୍ଧର୍ଷ ସେନା ନାୟକ,
କମ୍ପି ଉଠୁଥିଲେ ଶତ୍ରୁ ଦୂରାନ୍ତରେ ଭୀଷ୍ମ ଭିଡିଲେ କାର୍ମୁକ।
ସମସ୍ତଙ୍କ ଘରେ ମହା ଆନନ୍ଦରେ ଥିଲେ ଲକ୍ଷ୍ମୀ,ସରସ୍ବତୀ,
ଶ୍ୟାମଳା ହସ୍ତିନା ଇନ୍ଦ୍ରଙ୍କ ଆଦେଶେ ସଦା ମେଘ ବରଷନ୍ତି।
ଦେବତା ମାନଙ୍କ ଆଶୀର୍ବାଦ ଘେନି ପଣ୍ଡୁ ପାଳୁଥିଲେ ରାଜ୍ୟ,
ସ୍ବର୍ଗୁ ଆଶୀର୍ବାଦ ଛଳେ ପୁଷ୍ପବୃଷ୍ଟି କରୁଥିଲେ ଦେବରାଜ।
ସନ୍ଥଜନ କେବେ ହସ୍ତିନା ରାଜ୍ୟରେ ପାଉ ନଥିଲେ କଷଣ,
ନିର୍ଭୟରେ ଶସ୍ୟ ଭୋଗ କରୁଥିଲେ କୃଷକେ କରି କର୍ଷଣ।
ବେଦଜ୍ଞ ବ୍ରାହ୍ମଣ,ଦୁଗ୍ଧବତୀ ଧେନୁ,ସାଧ୍ବୀ ପୁରନାରୀ ଯେତେ,
ଧର୍ମଦଣ୍ଡଧାରୀ ରାଜାଙ୍କ ସମ୍ମାନ ପାଉଥିଲେ ସେ ସମସ୍ତେ।
ରାଜ୍ୟରକ୍ଷା ସଙ୍ଗେ ଶାନ୍ତିରକ୍ଷା କାମ କରନ୍ତି ସୈନ୍ୟ,ସାମନ୍ତ,
ଚୋର,ଖଣ୍ଟ ଅବା ତସ୍କର ଭୟରୁ ରାଜ୍ୟବାସୀ ଥିଲେ ମୁକ୍ତ।
ଗଢି ଉଠିଥିଲା ଗୁରୁକୁଳ,ଶସ୍ତ୍ର,ଶାସ୍ତ୍ର ଶିକ୍ଷା ଦେବାପାଇଁ,
ବେଦଜ୍ଞ ବ୍ରାହ୍ମଣ,ଶସ୍ତ୍ର ବିଶାରଦ ସେ ଆଶ୍ରମେ ଥିଲେ ରହି।
ସନ୍ଥ ସୁପାଳନ,ଦୁଷ୍ଟ ନିବାରଣ ,ପରଜା ରଞ୍ଜନ ମନ୍ତ୍ରେ,
ହୋଇଣ ଉଦ୍ବୁଦ୍ଧ ଭରତ ବଂଶଜ ରାଜ୍ୟ ପାଳନ୍ତି ସତତେ।
ରାଜ୍ୟ ପରେ ରାଜ୍ୟ କରି ପଦାନତ, ନୃପ ନିଜ ବାହୁବଳେ,
ସାର୍ବଭୌମ ଚକ୍ରବର୍ତ୍ତୀ ନାମ ପଣ୍ଡୁ ଅର୍ଜିଥିଲେ ମହିତଳେ।
ଲକ୍ଷ୍ମୀ,ସରସ୍ବତୀ ସମ ରାଜାଙ୍କର ଥିଲେ ଦୁଇ ପ୍ରିୟ ରାଣୀ,
ପୃଥା,କୁନ୍ତଭୋଜ ଦୁହିତା ଯେ ମାଦ୍ରୀ,ମଦ୍ରରାଜାଙ୍କ ନନ୍ଦିନୀ।
ଦୁଇଟି ଭଗିନୀ ପରି ଦୁଇରାଣୀ ସେବୁଥିଲେ ପଣ୍ଡୁ ପାଦ,
ସମ ଭାବେ ରାଜା ବାଣ୍ଟି ଦେଇଥିଲେ ରାଣୀଙ୍କୁ ନିଜର ହୃଦ।
ଦୁଇଦେହ ଏକ ଆତ୍ମା ପରି କୁନ୍ତୀ,ମାଦ୍ରୀ କାଟୁଥିଲେ ଦିନ,
ପ୍ରଶସ୍ତ ହୃଦୟେ ରହିଥାଏ ସିନା ସମସ୍ତଙ୍କ ପାଇଁ ସ୍ଥାନ।
ମହା ପ୍ରାଚୁର୍ଯ୍ୟର ଅଥଳ ସାଗରେ ଭାସୁଥିଲେ ନରସାଇଁ,
ବିଧିର ନିର୍ଦ୍ଦେଶେ ଦିନେ କାଳଚକ୍ର ଗତି ଦେଲା ବଦଳାଇ।

ଦିନେ ପ୍ରଭାତରେ ପଣ୍ଡୁ ନରବର ବାହାରିଲେ ଧନୁଧରି,
ମୃଗୟା ବିନୋଦେ ଏକାକୀ ନରେଶ ବନପଥ ଅନୁସରି।
ନିବିଡୁ ନିବିଡ କାନନେ ରାଜାଙ୍କ ସ୍ୟନ୍ଦନ*ଯାଉଛି ଚଳି,
କଳାମେଘକୋଳେ ଶଶୀ ଯେହ୍ନେଖେଳେ ବାରମ୍ବାର ଲୁଚକାଳି।
ନିଘଞ୍ଚ ବନାନୀ ମଧ୍ୟେ ଏକ ସ୍ଥାନେ ନୃପ ହୋଇଲେ ଚକିତ,
ବହୁଥିଲା ମନ୍ଦ ମଳୟ ମରୁତ,ବୃକ୍ଷ,ଲତା ପୁଲକିତ।
ଡାଳୁ ଡାଳେ ଡେଇଁ ଶୁକ ସାରୀ ତହିଁ କରୁଥିଲେ ମୃଦୁ ରୋଳ,
ନାନାଜାତି ଫୁଲ ସୁଗନ୍ଧରେ ପୁରି ଉଠୁଥିଲା ବନ ସ୍ଥଳ।
ରଙ୍ଗ ବିରଂଗର ପ୍ରଜାପତିଗଣ ଉଡୁଥିଲେ ଫୁଲୁ ଫୁଲେ,
କାନନ ହ୍ରଦରେ ରବିଙ୍କ କୀରଣ ପ୍ରତିଫଳେ ଲତା ଡାଳେ।
ଛୋଟ ବଡ କେତେ କଳା ଭଅଁର ଯେ ଫୁଲରେଣୁ ଚୋରିକରି,
ଲତାରୁ ଲତାକୁ ଲୁଚି ବୁଲୁଥିଲେ ଦଣ୍ଡ ପାଇବାକୁ ଡରି।
ସ୍ବଚ୍ଛ ହ୍ରଦ ଜଳେ ଖେଳନ୍ତି କମଳେ ମୃଦୁ ମନ୍ଦ ସମୀରଣେ,
ଆକାଶୁ ସୁରୁଜ କର ସ୍ପର୍ଶ ପାଇ,ପ୍ରେମେ ପୁଲକିତ ମନେ।
ସମୟେ ସମୟେ ବାଦଲ ସୂର୍ଯ୍ୟଙ୍କୁ ଢାଙ୍କିଦିଏ ଯେତେବେଳେ,
ସେ ସୁଯୋଗ ପାଇ,ଭ୍ରମର ଚୁମ୍ବଇ ପଦ୍ମରାଗ ପ୍ରେମ ଭୋଳେ।
ସମୀରଣେ ଢଳି,ହଲେ ପଦ୍ମକଳୀ,ଏମନ୍ତ ପ୍ରତୀତ ହୁଏ,
ଭ୍ରମର ଚୁମ୍ବନେ ବିରକ୍ତେ ମୁଖକି ପଙ୍କଜିନୀ ଟାଣିନିଏ !
କ୍ଲାନ୍ତ କଳେବର ପଣ୍ଡୁ ନରବର ବିମୁଗ୍ଧ ଏ ଦୃଶ୍ୟ ଚାହିଁ,
ମନ୍ଦ ସମୀରଣେ ଶ୍ରମଶ୍ରାନ୍ତ ପାଇଁ ବସିଗଲେ ନରସାଇଁ।

ଏ ସମୟେ ଲତା ଗହଳେ ଦେଖିଲେ ମୃଗ,ମୃଗୀ ପ୍ରେମଭୋଳେ,
ପୀରତି କରନ୍ତି ଗ୍ରୀବାରଖି ଏକ ଆରେକରେ କୁତୁହଳେ।
କାହିଁକି କେଜାଣି ସଦା ସ୍ଥିରଚିତ୍ତ ପଣ୍ଡୁ ହେଲେ ଭ୍ରମମତି,
ରତିରସ ମଗ୍ନ କୁରଙ୍ଗ ଯୁଗଳେ ବଧିବାକୁ କଲେ ମତି।
ହେଳେ ଧନୁତୋଳି ଶାୟକ ତେଜିଲେ ଲକ୍ଷକରି ନରବର,
ରତିମଗ୍ନ ମୃଗ-ମୃଗୀ ଦେହେ ବିଦ୍ଧ ହେଲା ସେହି ତୀକ୍ଷଣ ତୀର।
ଆଶ୍ଚର୍ଯ୍ୟ ହୋଇଲେ ନରପତି ଶୁଣି,ମନୁଷ୍ୟ କରୁଣ ବାଣୀ,
ପହଞ୍ଚି ସମୀପେ ଦେଖିଲେ ତୀରରେ ବିଦ୍ଧ ହୋଇଛନ୍ତି ମୁନି।
ମୃତ୍ୟୁ ଯନ୍ତ୍ରଣାରେ ଦଗ୍ଧ ମୁନି,କୋପେ ଅନାଇ ରାଜାଙ୍କମୁଖ,
ବୋଇଲେ “ପାଷାଣ୍ଡ ରତିମଗ୍ନ ଦୁଇ ପ୍ରାଣୀଙ୍କୁ ଦେଲୁ ଏ ଦୁଃଖ।
କାନନରେ ପୁଲକିତ ପରିବେଶ ଦେଖି ହୋଇ କାମମତ୍ତ,
ପତି-ପତ୍ନୀ ଆମ୍ଭେ ମୃଗ,ମୃଗୀ ହୋଇ ଥିଲୁ କାମରସେ ରତ।
ତୋର ବାଣେ ଆମ୍ଭ ପ୍ରାଣ କଣ୍ଠାଗ୍ରତ,ଯିବୁ ଆମ୍ଭେ ଯମପୁରେ,
ପ୍ରେମୀଯୁଗଳେ ତୁ ମୃତ୍ୟୁଦଣ୍ଡ ଦେଇ କି ଯଶ ନେଲୁ ମହିରେ?
କିପରି ତୋ ହାତଗଲା ରତିମଗ୍ନ ପ୍ରାଣୀଙ୍କୁ ମାରିବାପାଇଁ,
ସର୍ପ ହେଲେ ମଧ୍ୟ ରତି ସମୟରେ ବଧିବା ଯୋଗ୍ୟ ନୁହଇ।
କହିଛି ଯା ଶାସ୍ତ୍ର ,ଯେ ଶରଣାଗତ ଆବର ଯେହୁ ନିରସ୍ତ୍ର,
ଅଥବା କାମେ ଯେ ରତ ସେ ପ୍ରାଣୀଙ୍କୁ ବଧିବା ନୁହେ ଉଚିତ।
ଦେଉଛି ମୁଁ ଶାପ,ହେ ହସ୍ତିନା ନୃପ କରିବୁ ଯେବେ ତୁ ରତି,
ତତକ୍ଷଣେ ତୋର ପ୍ରାଣ ଚାଲିଯିବ ମନେରଖ ମୂଢମତି।”
କହୁ କହୁ ମୁନିଙ୍କର ପ୍ରାଣବାୟୁ ଉଡିଗଲା ନୃପ ଆଗେ,
ଗଭୀର ଦୁଃଖରେ ଦଗ୍ଧ କୁରୁବଂଶୀ ଫେରିଲେ ହସ୍ତିନା ଦିଗେ।
ସଂସାରେ ବିରକ୍ତି, ସନ୍ୟାସରେ ମତି ଆସିଗଲା ରାଜାଙ୍କର,
ରାଜ୍ୟ,ରାଜସୁଖ ଅଳିକ ଲାଗିଲା ଭାଳିହେଲେ ନିରନ୍ତର।
ଆଖିଆଗେ ସଦା ଭାସିଯାଉଥିଲା ମୁନିଙ୍କ କରୁଣ ମୁଖ,
ଘୋର ଅନୁତପ୍ତ ,ନରେଶ ଭୋଗିଲେ ଅନ୍ତରେ ଗଭୀର ଦୁଃଖ।
ଦିନେ ରାଜଦଣ୍ଡ ଧୃତରାଷ୍ଟ୍ରଙ୍କର ହାତରେ ସମର୍ପିଦେଇ,
କୁନ୍ତୀ,ମାଦ୍ରୀ ସହ ପଣ୍ଡୁ ନରବର ଗଲେ ବନବାସୀ ହୋଇ।
ବଞ୍ଚିଲେ ସନ୍ୟାସୀ ସମ ଘୋରବନେ ନିର୍ମାଣକରି ଆଶ୍ରମ,
ନିରନ୍ତର କୁନ୍ତି,ମାଦ୍ରୀ ରହିଥିଲେ ନୃପ ସଙ୍ଗେ ଛାୟା ସମ।
କ୍ରମଶଃ…………..
*ସ୍ୟନ୍ଦନ—-ରଥ

Click to rate this post!
[Total: 0 Average: 0]

Leave a Reply