Wednesday, February 28, 2024
Uncategorized

ସ୍ବୟମ୍ବର
……୯……
କୃଷ୍ଣ–ଜରାସନ୍ଧ ଉପାଖ୍ୟାନ
……………………………….
ଜରାସନ୍ଧ ଘରେ ବଧୂ ହେବେ ଭାଳି ପାଞ୍ଚାଳୀ ଗଲେ ଶିହରି,
ଶତ ବୃଶ୍ଚିକର ଦଂଶନ ଯନ୍ତ୍ରଣା ହୃଦ,ମନ ଦେଲା ଘାରି।
ପିତାଙ୍କ ମୁଖରୁ ଶୁଣିଥିଲେ କୃଷ୍ଣ–ଜରାସନ୍ଧ ଉପାଖ୍ୟାନ,
ଗୋଟି ଗୋଟି ହୋଇ ମନେପଡିଲା ଯା କହିଥିଲେ ଯାଜ୍ଞସେନ।

କୃଷ୍ଣବାସୁଦେବଙ୍କର ଆବିର୍ଭାବ ଧର୍ମ ସଂସ୍ଥାପନା ପାଇଁ,
ମଥୁରାରେ କଂସ ନାଶକଲେ;ଥିଲା ଜରାର ଜାମାତା ସେହି।
ଦୁଷ୍ଟ ଜରାସନ୍ଧ ଦୁଷ୍କର୍ମକୁ କଂସ ପାଳୁଥିଲା ମଥୁରାରେ,
କଂସର ମୃତ୍ୟୁରେ ଅଧର୍ମର ମୃତ୍ୟୁ ହେଲା ମଥୁରା ରାଜ୍ୟରେ
ଅସ୍ତି,ପ୍ରାପ୍ତି ବେନି କନ୍ୟାଙ୍କ ବୈଧବ୍ୟଯନ୍ତ୍ରଣାରେ ହୋଇ ଅନ୍ଧ,
କୃଷ୍ଣ,ବଳରାମ ନାଶ କରିବାକୁ ପଣ କଲା ଜରାସନ୍ଧ।
ମଗଧ ବାହିନୀ ଘେନି ଚକ୍ରବର୍ତ୍ତି ଚଢାଉ କଲା ମଥୁରା,
ସଙ୍ଗେ କାଶୀ,ଚେଦି,ବିଦର୍ଭ ନରେଶ ଆସିଯୋଗଦେଲେ ତ୍ବରା।
ତିନି ବାହିନୀର ଯୁଗ୍ମ ଆକ୍ରମଣେ ଧରା ହେଲା ଥର ଥର,
ଧ୍ବଂସର ତାଣ୍ଡବ ସୃଷ୍ଟି କରି ଧ୍ବସ୍ତ କଲା ମଥୁରା ନଗର।
ବୋଲେ ଜରାସନ୍ଧ “ଗୋଟିଏ ସର୍ତ୍ତରେ ତ୍ରାହି ଦେବି ମଥୁରାକୁ,
ସମର୍ପଣ ଯେବେ କରିବ ମୋହସ୍ତେ,ପାଷାଣ୍ଡ ରାମକୃଷ୍ଣଙ୍କୁ”।
ଜରାସନ୍ଧ କୋପାନଳୁ ମଥୁରାକୁ ରକ୍ଷା କରିବାକୁ ହରି,
ବିଭ୍ରାନ୍ତ କରିଲେ ଜରାସନ୍ଧେ ପ୍ରଭୁ ମଥୁରାକୁ ତ୍ୟାଗ କରି।
ନପାଇ ସେଠାରେ କୃଷ୍ଣ,ବଳରାମ ଖୋଜି ବୁଲେ ଜରାସନ୍ଧ,
ପାହାଡ,ପର୍ବତ,ବଣ,ନଦୀ,ଗିରି ମହାକ୍ରୋଧେ ହୋଇ ଅନ୍ଧ।
କ୍ଷଣେ ଦେଖାଦେଇ,ପୁଣି ଲୁଚିଯାଇ ରାମକୃଷ୍ଣ ଦୁଇଭାଇ,
ଶତ୍ରୁ ସଇନଙ୍କୁ ନାଶ କରୁଥିଲେ ଅରଣ୍ୟ ଭିତରେ ରହି।
ମହେନ୍ଦ୍ର ପର୍ବତ ଛାଡି ଗୋମନ୍ତକ ପର୍ବତେ ଯାଇ ଲୁଚିଲେ ,
ଘୋର ଅରଣ୍ୟରେ ଶତ୍ରୁ ସଇନଙ୍କୁ ପଥଭ୍ରାନ୍ତ କରିଦେଲେ।
ଅକସ୍ମାତ ଗୋମନ୍ତକ ପାଦଦେଶେ କୃଷ୍ଣ ସଙ୍ଗେ ବଳରାମ,
କରି ଆକ୍ରମଣ ପରାସ୍ତ କରିଲେ ଜରାସନ୍ଧ ନରାଧମ।
ଯାଉଥିଲେ ରାମ ପରାସ୍ତ ଜରାର ଶିର କରିବାକୁ ଚୂର୍ଣ୍ଣ,
ଦୟାକରି ତାକୁ ଜୀବଦାନ ଦେଇଥିଲେ ଦେବକୀ ନନ୍ଦନ।
କହିଥିଲେ”ତାଉ,ଛାଡିଦିଅ ତାର ଶେଷକାଳ ଆସିନାହିଁ,
ଘଟିବାକୁ ଅଛି ଅନେକ ନାଟକ ଯବନିକା ଟାଣ ନାହିଁ”।

ପାଇ ଅପମାନ ମଗଧ ରାଜନ ପଳାୟନ କଲା ଖରେ,
ସେହି ଦିନଠାରୁ ପ୍ରତିଶୋଧ ଦାବାନଳ ଜଳେ ତା ଅନ୍ତରେ।
ତା’ପରେ ସତରବାର ଆକ୍ରମଣ କରିଛି ମଥୁରାଖଣ୍ଡ,
ଜୀବନରେ ତାର ଏକମାତ୍ର ଲକ୍ଷ ରାମକୃଷ୍ଣଙ୍କର ମୁଣ୍ଡ।
ଥରେ ମଗଧେଶ ସିନ୍ଧୁନଦୀ ସେପାରିରୁ କାଳଯବନକୁ,
ନିମନ୍ତ୍ରି ଆଣିଲା ପଶ୍ଚିମ ଦିଗରୁ ମଥୁରା ଆକ୍ରମିବାକୁ।
ନିଜେ ପୂର୍ବଦିଗୁ ମଗଧ ନରେଶ ଚଢାଉ କଲା ମଥୁରା,
ଦୁଇ ରାକ୍ଷସଙ୍କ ଯୁଗ୍ମ ଆକ୍ରମଣେ ଥର ଥର ହେଲା ଧରା।
ସେ ସମୟେ କୃଷ୍ଣବାସୁଦେବ ଗଢି ଦ୍ବାରକା ସିନ୍ଧୁ ମଧ୍ୟରେ,
ମଥୁରା ବାସୀଙ୍କୁ ବିସ୍ଥାପିଲେ ଶତ୍ରୁ ଆକ୍ରମଣ ଠାରୁ ଦୂରେ।

ରଣକ୍ଷେତ୍ର ଛାଡି କାଳ ଯବନକୁ ପଛେ ପଛେ ଦଉଡାଇ,
ମୁଚୁକୁନ୍ଦ ଚକ୍ଷୁ ଅଗ୍ନିରେ ଦହିଲେ ଦୈତ୍ୟକୁ ଦ୍ବାରକା ସାଇଁ।
ତ୍ରେତୟା ଯୁଗରେ ଇକ୍ଷାକୁ ବଂଶରେ ରାଜା ଥିଲେ ମୁଚୁକୁନ୍ଦ,
ଦେବ-ଦାନବଙ୍କ ସମରେ ତାହାଙ୍କୁ ସେନାପତି କଲେ ଇନ୍ଦ୍ର।
କାଳ କାଳ ଧରି ଲାଗିଲା ସମର, ଅନ୍ତେ ଦେବେ ହେଲେ ଜୟୀ,
ମହାଶ୍ରାନ୍ତ ମୁଚୁକୁନ୍ଦ ଇଚ୍ଛାକଲେ କିଛି ଦୀର୍ଘ ନିଦ୍ରା ପାଇଁ।
ଇନ୍ଦ୍ରଙ୍କ ବରରେ ଗୁମ୍ଫାର ଭିତରେ ଶୋଇଗଲେ ନର ସାଇଁ,
ପାଇଥିଲେ ବର,ନିଦ୍ରା ଭଙ୍ଗକାରୀ କ୍ଷଣେ ଯିବ ଭସ୍ମହୋଇ।

ଗୁମ୍ଫା ଭିତରକୁ ଶ୍ରୀବାସୁଦେବଙ୍କୁ ପ୍ରବେଶ କରିବା ଜାଣି,
କାଳଯବନର କ୍ରୋଧ ବଢିଗଲା,ରାଗେ ହେଲା ଶୀର ଝୁଣି।
ଗୁମ୍ଫାରେ ଅଣ୍ଡାଳି,କୃଷ୍ଣ ବୋଲି ଭାଳି,ଗୋଇଠାମାରେ ରାଗରେ,
ମୁଚୁକୁନ୍ଦ ଦେହେ ଲାଗନ୍ତେଗୋଇଠା ଚାହିଁଦେଲେସେ କ୍ରୋଧରେ
ତତକ୍ଷଣେ ଜଳି ଧ୍ବଂସ ପାଇଗଲା କାଳଯବନ ସେ ସ୍ଥାନେ,
ମୁଚୁକୁନ୍ଦ ଦେଖି କୃଷ୍ଣଙ୍କୁ ସେଠାରେ ପୂଜାକଲେ ଭକ୍ତିମନେ।

ରାଜା ନିଧନରେ ପଥଭ୍ରଷ୍ଟ ହୋଇ କାଳଯବନର ସୈନ୍ୟ,
ମରୁଭୂମି ମଧ୍ୟେ ମରି ହଜି ଗଲେ,ନରହିଲା ଚିହ୍ନବର୍ଣ୍ଣ।
ଏଣେ ମଥୁରାକୁ ଦେଖି ଜନଶୂନ୍ୟ,ନିରାଶାରେ ଜରାସନ୍ଧ,
ଶୂନ୍ୟ ମଥୁରାକୁ ଜାଳିପୋଡି ଭସ୍ମ କଲା ରାଗେ ହୋଇ ଅନ୍ଧ।
ଦ୍ବାରକା କେଶରୀ ହସୁଥିଲେ ଦେଖି ଜରାସନ୍ଧର ନର୍ତ୍ତନ,
କ୍ଷୁଧାଜ୍ବାଳା ଘେନି ଶୂନ୍ୟପାତ୍ର କାମୁଡଇ ମଗଧ ରାଜନ।

କୃଷ୍ଣବାସୁଦେବ ବହିଥାନ୍ତି ସିନା “ରଣଛଡା”ବୋଲି ନାମ,
ଶକ୍ତିରେ ଯେଉଁଠି କାର୍ଯ୍ୟ ଅସମ୍ଭବ,ବୁଦ୍ଧିରେ କରନ୍ତି କାମ।
ସଦା ଚକ୍ରହସ୍ତ,ମସ୍ତକେ ଚକ୍ରାନ୍ତ ଚାଲିଥାଏ ଧର୍ମ ଅର୍ଥେ,
ସେଥିପାଇଁ ଚକ୍ରୀ ନାମେ ତ୍ରିଭୁବନେ ଡାକନ୍ତି ତାଙ୍କୁ ସମସ୍ତେ।
ସବୁ ରଣ ଜିଣି ରଣଛଡା ନାମ ବହିଛନ୍ତି ନଟବର,
କୃଷ୍ଣଠାରୁ ସବୁ ରଣ ହାରି ଜରା ବୋଲାଉଛି ମହାବୀର।
ଯାହାର ଦୟାରୁ ବଞ୍ଚିଛି ପାଷାଣ୍ଡ ଡେଉଁଛି ଦେଖି ତା ଛାଇ,
ଗଉଡ,ଭାଉଡ,ଚୋର,ପଳାତକ ଡାକେ କେତେ ନାମ କହି।
“ଏପରି ପାମର ଘରେ ମୋର ବର ବାଛିବେ ଯେବେ ଜନକ,
ଯେଉଁ ଅଗ୍ନିରୁ ମୁଁ ଆସିଛି ତହିଁରେ ଝାସ ଦେଲେ ନାହିଁ ଦୁଃଖ”।
ଏମନ୍ତ ବିଚାରି,ଦ୍ରୌପଦୀ ସୁନ୍ଦରୀ ପିତା ସମୀପେ ଚଳିଲେ,
ସେ ସମୟେ ଯାଜ୍ଞସେନ ମନ୍ଦିରରୁ ପୂଜା ସାରି ଫେରୁଥିଲେ।
କ୍ରମଶଃ——–

Click to rate this post!
[Total: 0 Average: 0]

Leave a Reply