Saturday, April 27, 2024
Uncategorized

ସ୍ବୟମ୍ବର
…….୮……
ମଗଧରୁ ବିବାହ ପ୍ରସ୍ତାବ
……………………………
ରାଜ ପ୍ରାସାଦରେ ଚିନ୍ତିତ ମନରେ କୃଷ୍ଣା ଦିନେ ବସିଥିଲେ,
ସେ ସମୟେ ଆସି ସଖୀଏ ବୋଇଲା”ଶୁଭ ସଂଧ୍ୟା ଗୋ ସୁଶୀଳେ
ଘରଚିନ୍ତା ଛାଡି ବର ଚିନ୍ତା ଏବେ କର ରାଜୀବ ନୟନୀ,
ମଗଧରୁ ଦୂତ ଆସିଅଛି ତୁମ୍ଭ ବିବାହ ପ୍ରସ୍ତାବ ଘେନି।
ଚକ୍ରବର୍ତ୍ତି ଜରାସନ୍ଧ ପେଶିଛନ୍ତି ବହୁତ ଉପଢୌକନ,
ପୌତ୍ର ମେଘସନ୍ଧି ସଙ୍ଗେ ପରିଣୟ କରାଇବା ପାଇଁ ମନ।
ତୋ ଶୋଭା ସଜନୀ,ସାରା ଆର୍ଯ୍ୟାବର୍ତ୍ତେ ପକାଇଲାଣି ଚହଳ,
କେତେ ରାଜପୁତ୍ର ଦେଖି ତୁମ୍ଭ ଚିତ୍ର ହେଲେଣି ସଖୀ ପାଗଳ।
ତୁ ତ ପଦ୍ମକଳି,ତୋ ସୁବାସେ ଭଳି,ଅଳି ଚୁମ୍ବନ୍ତି ମୁଖକୁ,
କେଉଁ ରାଜପୁର ମଣ୍ଡନ କରିବୁ ସତେ ତୁ ଛାଡି ଆମ୍ଭକୁ?
କେଉଁ ରାଜପୁତ୍ର ଅମର ହୋଇବ ତୋ ଓଷ୍ଠ ଅମୃତ ପିଇ,?
କେହି ଯେବେ ତୋର ଅଛି ମନଚୋର ଆଗହୁଁ ଦିଅ ବତାଇ।”

କୃତ୍ରିମ କ୍ରୋଧରେ “ଯାଉଛୁ ନା”ବୋଲି ସଖୀକି କହନ୍ତେ ଛଳି,
ସଖୀ ଚାଲିଗଲା, ବିଷମ ଚିନ୍ତାରେ ପଡିଲେ ରାଜ ଦୁଲ୍ଲାଳୀ।
ସଖୀମୁଖୁ ବାଣୀ ଶୁଣି ଯାଜ୍ଞସେନୀ ବିଚାର କଲେ ମନରେ,
“ରାଜକନ୍ୟା ଭାଗ୍ୟ ପଶାଗୋଟି ଛଡା ଆଉକିବା ହୋଇପାରେ!
ନିଜ ଇଚ୍ଛା ବଳି ଦିଏ ରାଜବାଳୀ ରାଜ୍ୟର ସୁରକ୍ଷା ପାଇଁ,
ମର୍କଟ ଗଳେ ବି ଦିଏ ଫୁଲ ହାର ରାଜନୀତି ଦ୍ବାହି ଦେଇ।

ମଗଧ ସମ୍ରାଟ ଜରାସନ୍ଧ ଚାହେଁ ପାଞ୍ଚାଳ କରିବ ହାତ,
ବାସୁଦେବ ଠାରୁ ହୋଇଅଛି ଯେଣୁ ବାରମ୍ବାର ପରାହତ।
ନହେଲେ ରାକ୍ଷସ ପ୍ରକୃତିର ରାଜା ଜରାସନ୍ଧ କାହିଁପାଇଁ,
ଧର୍ମଧ୍ବଜାଧାରୀ ପାଞ୍ଚାଳ ସହିତ ବନ୍ଧୁଭାବ ଆଚରଇ?
ପାଞ୍ଚାଳ,ବିଦର୍ଭ,ଚେଦି ସଙ୍ଗେ କରି ବନ୍ଧୁତାର ସଂଗଠନ,
ଧର୍ମପଥ ଗାମୀ ଯାଦବ କୁଳକୁ କରିବ ସେହି ନିଶ୍ଚିହ୍ନ।
ଆର୍ଯ୍ୟାବର୍ତ୍ତେ ଧର୍ମ କ୍ଷୟହେବ ଯେବେ ସଫଳ ହୋଇବ ଜରା,
ଧର୍ମପଥଗାମୀ ଦ୍ରୁପଦ ଜୀବନେ ଅପଯଶ ହେବ ଭରା।

ଗୁରୁକୁଳ ନଷ୍ଟ କରି ଜରାସନ୍ଧ ସାଧୁଙ୍କୁ ଦିଏ କଷଣ,
ନାରୀ ନିର୍ଯାତନା,ପରଜା ତାଡନା ତା ରାଜ୍ୟରେ ସାଧାରଣ।
କୁଳଧର୍ମ,କୁଳଗତ ପରମ୍ପରା ,ପ୍ରଜାଶାନ୍ତି ହେବ ଦୂର,
ସବୁ ଜାଣିଶୁଣି କେହ୍ନେ ଯାଜ୍ଞସେନୀ ହେବେ ତାର ଭାଗିଦାର?
ପୁଣି ବିଚାରନ୍ତି ଜରାସନ୍ଧ ଶକ୍ତି ଆର୍ଯ୍ୟାବର୍ତ୍ତରେ ପ୍ରବଳ,
ଶହେ ରାଜା ବନ୍ଦୀ କରିଛି ତାଙ୍କର ରାଜ୍ୟକୁ କରି କବଳ।
ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ହେବକି ସତେ ସମ୍ଭାଳି?
ଦୁଷ୍ଟଶକ୍ତି ହୋଇ ମେଳି ପାଞ୍ଚାଳକୁ ନିମିଷକେ ଦେବେ ଜାଳି।
ସହଜେ ପାଞ୍ଚାଳ ସହିତରେ ହସ୍ତିନାର ଲାଗିଛି କଳହ,
ଜରାସନ୍ଧ ହେଲେ ରୁଷ୍ଟ,ହୋଇବ ସେ ପରିସ୍ଥିତି ବିଷମୟ।
ଏପଟେ କୁମ୍ଭୀର ସେପଟେ ସାଗର ମଝିରେ ଅନ୍ଧାର ଖାଇ,
କେଉଁ ପଥ ବାଛି କାହାକୁ ଛାଡିବେ ନପାରନ୍ତି ଜାଣି ସେହି।

କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply