Wednesday, February 28, 2024
Uncategorized

ପଲ୍ଲୀକବିତା 37
kulamanisarangi.blogspot.com
——————
ଅକସ୍ମାତ ଦିନେ ଆଗରେ ଦେଖିଲି
ଜୀବନ୍ତ କଙ୍କାଳଟିଏ,
ମୁଣ୍ଡରେ ଥିଲା ତା ଦୁଃଖର ପାହାଡ,
ଆଖିରେ ଲୁହ ନଈଏ।

ଚମ ଧୁଡୁ ଧୁଡୁ, ଆଖିରେ ନେଂଜେରା
ଚିରା,ଫଟା,ମଳି ବାସ,
ଅଶୀ ବରଷରୁ ଅଧିକ ବୟସ
ଫୁରୁ ଫୁରୁ ଧଳା କେଶ।

ଆଖି ଭିତରେ ତା ସାହାରା ମରୁର
ମହାଶୂନ୍ୟ ଥିଲା ପୂରି,
ହଜାରେ ସପନ କେବେ ନେଇ ଜନ୍ମ
କେବେଠୁଁ ଯିବେଣି ମରି।

ବୟସମାଡରୁ ଅଧିକ ତା ପୁଅ-
ମାଡରେ ଅଣ୍ଟା ନଇଁଛି,
ମମତା ତାହାର ଅସୁରୁଣୀ ସାଜି
ମାଆର ରକ୍ତ ମାଗୁଛି।

ଦୁର୍ବିସହ ତାର ଜୀବନ,ବଞ୍ଚିଛି
ବଂଚିବାକୁ ହୁଏ ବୋଲି,
ଆତ୍ମହତ୍ୟା ହେବ ପାପ ଭାବି ବୁଢୀ
ସଂସାରୁ ଯାଇନି ଚାଲି।

କହିଲା “ପୁଅରେ ! ବଗିଚାରେ ତୋର
କାମ ଦବୁ ଯେବେ ଅଛି,
କିଛି ଖାଇନି ମୁଁ; ପୁଅ,ବୋହୂ ମାଡ
ସକାଳୁ ଯାହା ଖାଇଚି।

ଦି’ପୁଅ ମୋର ନିଜ ପରିବାର ଧରି
ଅଛନ୍ତି ଭଲରେ,
ଗନ୍ଥା,ମାଣ୍ଡି ମୋର ଫିଙ୍ଗିଦେଇଚନ୍ତି
ଶୋଉଚି ଦାଣ୍ଡ ଦୁଆରେ।

ସୁରୁଜ କୀରଣ ପଡେନି ଦେହରେ
ଥିଲାବେଳେ ମୋ ଗେରସ୍ତ,
ବଡ ଅଭିମାନୀ,ତା ତିରିଲା ହୋଇ,
କା ଆଗେ ପାତିବି ହାତ?

ହାତ ଗୋଡ ଚଳୁଥିବାଯାଏ ବାପା
ଚଳିବି ପାଇଟି କରି,
ଅଲୋଡା ଜୀବନ ନଉନି ଦଇବ
କେତେ କଲିଣି ଗୁହାରି ।”

ସର୍ବହରା ଏଇ ମାଆଟି ଆଖିର
ଆତ୍ମସମ୍ମାନ ଝଲକ,
ଭିକ୍ଷା ମାଗିବାରେ ଘୃଣଭାବ ଦେଖି
ହୋଇଗଲି ହତବାକ।

(ଆଗରୁ ଥରେ ଏହି ଛାୟାରେ କବିତାଟିଏ ପରିବେଷଣ କରିଥିଲି।ପଲ୍ଲୀକବିତା ଭାବରେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇ ପୁନଃ ପରିବେଷିତ ହେଲା।ସତ୍ୟ ଘଟଣା ଉପରେ ଆଧାରିତ)

Click to rate this post!
[Total: 0 Average: 0]

Leave a Reply