Sunday, June 23, 2024
Uncategorized

କାଳ ବୈଶାଖୀ

କାଳ ବୈଶାଖୀ
…………………
କେଶବ ଭାଇନା ଚିଲ୍ଲେଇଲେ ” ଏ ନୋଳି(ମୋ ଡାକ ନାଁ)ଛେଳି ଦି’ଟାକୁ ସମ୍ଭାଳୁନ କିଆଁ କିରେ?ଅଗଣାରେ ପଶି ସାଗ କିଆରି ଲଣ୍ଡା କରି ସାରିଲେଣି।”
ଆଗରୁ ଅନେକ ଥର ତଅଁଳା ସାହି ପିଲାମାନେ ବାରିପଟ ଖଜୁରୀ ଗଛକୁ ଟେକାମାରି, କୋଳି ଗୋଟେଇ ସାରିବା ପରେ ପାଟି କରନ୍ତି “ନୋଳିବାବୁ,କୋଳି ଖାଇଲେ ହେ”।ସେମାନଙ୍କର ସେ ଜମକ ପୂର୍ଣ୍ଣ ସମ୍ବୋଧନରେ ଯେତିକି ମଜା,କେଶବ ଭାଇନାଙ୍କର ଜମକ ପୂର୍ଣ୍ଣ ତାଗିଦାରେ ସେତିକି ଡର।କବାଟ ଫାଙ୍କରେ ଟିକିଏ ବାହାରକୁ ଚାହିଁଲି,କେଶବ ଭାଇନା ସେମିତି ଚିଲ୍ଲଉଥାନ୍ତି।ଅଫିସ୍ ରୁ ସଦ୍ୟ ଫେରିଚନ୍ତି,ପେଟରେ କିଛି ପଡିନି।ସେଥିପାଇଁ ରାଗଟା ପଞ୍ଚମକୁ ଚଢିଚି।
ମୋ ନିଜ ଭାଇ ଉପରେ ରାଗ ମାଡିଲା।କାହିଁକି ଛେଳି ଦି’ଟା ଆଣି ରଖିଚି କେଜାଣି?ବୋଉ କହୁଥିଲା ବାହ୍ମୁଣ ଘର ଛେଳି ରଖନ୍ତିନି।ଶୁଣିଲାନି।ଏବେ ସବୁଦିନ ପାଲା।ଛେଳି ବାଡିରେ ପଶିଲେ ମତେ କାହିଁକି ଗାଳି?ମୁଁ ଶସ୍ତା ପଡିଚି ନା କଣ ?

ଛାଟ ଖଣ୍ଡେ ଧରି,ଛେଳି ଦି’ଟାକୁ ଗୁହାଳକୁ ଆଣିବାକୁ କବାଟ ଖୋଲିଲି।ଆଃ,ପବନ ଏତେ ଯୋର୍ ରେ ପିଟିଲା ଯେ କବାଟ ଫାଙ୍କରେ ମୋର ହାତ ଚିପି ହେଇଗଲା।ଟାଙ୍ଗରା ଖପରା ମୁଣ୍ଡିଆ ଉପରୁ  କଳାହାଣ୍ଡିଆ ମେଘ ଖଣ୍ଡେ କୁଆଡେ ଥିଲା,ମାଡି ଆସିଲା।ଖରା ଦିନିଆ ମେଘ।କାଳ ବୈଶାଖୀ।ଘଡଘଡି ଚଡଚଡି ସହିତ କଚାଡି ଦେଲା।ପଡିଶା ଘରୁ ଉଡୁଉଡି ଭାଉଜ(କେଶବ ଭାଇନାଙ୍କ ପତ୍ନୀ) ଙ୍କ ପାଟି ଶୁଭୁଥିଲା “ଆହେ
ଯାଉନ,ତୋଟାରୁ ଫେରିଲେ ଖାଇଲେ ହବନି?ସେଆଡେ ତୋଟାରେ ବହୁତ ଆମ୍ବ ପଡୁଥିବ।ତମେ ହଲି ଦୋହଲି ଗଲାବେଳକୁ ଆଉ ଆମ୍ବ ଥିବନା?”
ଅଫିସ୍ ରୁ ଫେରି ଛେଳିପାଲା।ତାପରେ ଭାଉଜଙ୍କ ଆଦେଶ।ଭାଇନା ଆଉ ଖାଇବେ କଣ?କରିଆଟେ ପିନ୍ଧି,କାନ୍ଧରେ ଆଉ ଖଣ୍ଡେ ପକେଇ ଭାଇନା ତୋଟାକୁ ଧାଇଁଲେ।

କେଶବ ଭାଇନା ଆମ ପଡୋଶୀ।ବୟସରେ ମୋ’ଠୁ ଅନେକ ବଡ।ମୁଁ ମାଟ୍ରିକ୍ ପଢୁଥାଏ,ଭାଇନା ସେତେବେଳେ ଖଣ୍ଡପଡା ତହସିଲ୍ ରେ ପେଶକାର।ସେ ମୋ ନନାଙ୍କୁ(ବାପା) କକେଇ ବୋଲି ଡାକନ୍ତି,ତେଣୁ ମତେ ଭାଇ ହିସାବ କରନ୍ତି।ବହୁତ୍ ଭଲ ପାଆନ୍ତି ଆମକୁ।କିନ୍ତୁ ରାଗିଲେ ଦୁର୍ବାସା।ଭାଇନାଙ୍କ ଅର୍ଦ୍ଧାଙ୍ଗିନୀଙ୍କୁ ଆମେ ଉଡୁଉଡି ଭାଉଜ ବୋଲି ଡାକୁ,କାରଣ କଥା କହିଲା ବେଳେ ସେ ଉଡୁଉଡୁ ହୋଇ ତରତରରେ କଣ କହି ଯାଆନ୍ତି,ସହଜରେ ବୁଝା ପଡେନି।

କଳାହାଣ୍ଡିଆ ମେଘ କୁଟି ଚାଲିଥାଏ।ସାଇଁ ସାଇଁ ପବନ ମାରୁଥାଏ।ମଡମଡ ହୋଇ ଭାଙ୍ଗି ପଡୁଥାଏ ବଡ ବଡ ଗଛ ଡାଳ।ତୁହାକୁ ତୁହା ବିଜୁଳି ସାଙ୍ଗକୁ ଘଡଘଡି ଚଡଚଡି ମାରୁଥାଏ।
ମେଘ ଟିକିଏ ଛାଡି ଆସିଲା।କବାଟ ଖୋଲି ମୁଁ ବାହାରକୁ ଆସିଲି।ନଈ ଉପର ତୋଟାଆଡୁ କିଛି ଲୋକ ହୋ ହଲ୍ଲାକରି କେଶବ ଭାଇନାଙ୍କୁ କାନ୍ଧରେ ପକେଇ ଦଉଡୁ ଥାଆନ୍ତି।ଭାଇନାଙ୍କୁ ଆଣି ତାଙ୍କ ଦୁଆରେ ଶୁଆଇ ଦେଲେ।ଶରୀର ନିଶ୍ଚଳ।ତାଳୁ ମଝିରେ ଚୁଳ ଟିକିଏ ଫୁରୁସି ଯାଇ ରକ୍ତ କେଇ ବୁନ୍ଦା ଲାଗିଚି।କନ୍ଦାକଟାରେ ଘର କମ୍ପି ଉଠିଲା।ଭାଇନା ଆଉ ନାହାନ୍ତି।
ତଅଁଳା ସାଇର ବୁରୁନ୍ଦାକୁ ପଚାରିଲି”ଆରେ ତୁ ପରା ତୋଟାରେ ଥିଲୁ,କଣ ହେଲା କହିଲୁ।”ବୁରୁନ୍ଦା କହିଲା “ଗଛମୂଳେ ୪ ଜଣ ଥେଲେ।କେଶବ ବାବୁ ଗଛକୁ ଆଉଜି ଠିଆ ହେଇଥେଲେ।ଅନ୍ୟ ତିନିଜଣ ହେଲେ ହାଡି ସାହିର ପରିଆ,କୁସୁନି ଆଉ ଧେଡ।ବାବୁ ବାହ୍ମୁଣ ନୋକ ବୋଲି ସେମାନେ ସେଇ ଗଛମୂଳେ ବାବୁଙ୍କଠୁ ଦୁରେଇ ଠିଆ ହେଇଥେଲେ।ଚଡକ ଗଛକୁ ମାରିବାରୁ କେଶବ ବାବୁଙ୍କ ମୁଣ୍ଡବାଟଦେଇ ଭୁଇଁକି ଚାଲିଗଲା।ଚଡକ ଧାସରେ ପରିଆ,କୁସୁନି ଆଉ ଧେଡ ବେହୋସ ହେଇ ଯାଇଥେଲେ।ପାଣି ଛାଟଛୁଟି କଲାପରେ ହୋସ ଆସିଲା।”

ଭାଇନାଙ୍କ ଘର ଆଡକୁ ମୁହାଁଇଲି।ଘୋଡା ହୋଇଥିବା ମୁହଁ ଉପରୁ ଚାଦର ପବନରେ ଉଡିଗଲା।ନିରବ,ଶାନ୍ତ ମୁହଁକୁ ଦେଖି ଆଖିରେ ମୋର ଲୁହ ଆସିଗଲା।ସେପଟ ଘରେ ଭାଇନାଙ୍କପାଇଁ  ଭାତ ସେମିତି ବଢା ହେଇ ଥୁଆ ହେଇଚି। ଭାଇନା ଏମିତି କେମିତି ଏତେ ଶୀଘ୍ର ସମସ୍ତଙ୍କୁ ଠକିଦେଇ ଚାଲିଗଲେ !

ଛୁଆଁ ଛୁତିର ଗୋଟେ ଭିନ୍ନ ରୂପ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି,ଛୁଆଁ ଛୁତି ଯୋଗୁ ତିନୋଟି ଦୀପଶିଖା ଲିଭୁ ଲିଭୁ ରହିଗଲା।ପରିଆ,କୁସୁନି ଆଉ ଧେଡ ବଞ୍ଚିଗଲେ।

Click to rate this post!
[Total: 0 Average: 0]

Leave a Reply