Thursday, June 13, 2024
Uncategorized

ସ୍ବୟମ୍ବର
……୪….
ମହେନ୍ଦ୍ର ଗିରିରୁ ହସ୍ତିନା
…………………………..
ମହେନ୍ଦ୍ର ଗିରିରେ ପରଶୁରାମ ଭୃଗୁ ନନ୍ଦନ,
ଯେ ଯାହା ମାଗିଲା କରନ୍ତି ମୁକ୍ତ ହସ୍ତରେ ଦାନ।
ଦରିଦ୍ର ବ୍ରାହ୍ମଣ ଦ୍ରୋଣଙ୍କୁ ଦେଖି ନିଜ ଅଗ୍ରତେ,
ବୋଇଲେ”ଦେବାପାଇଁ ଆଉ କିଛି ନାହିଁ ମୋ ହାତେ।
ଅସ୍ତ୍ର ଯାହା କିଛି ମୋପାଶେ ଅଛି ପାରିବି ଦେଇ,
ତୁମ୍ଭେ ତ ବ୍ରାହ୍ମଣ ,କରିବ କିସ ତାହାକୁ ନେଇ?”

ବିଚାରିଲେ ଦ୍ରୋଣ ଏହା କି ବିଧାତାର ନିର୍ଦ୍ଦେଶ?
ପର୍ଶୁରାମଙ୍କର ଅସ୍ତ୍ରରେ ଠୁଳ ଶକ୍ତି ଅଶେଷ,
ଅସ୍ତ୍ର ସଙ୍ଗେ ସଙ୍ଗେ ପାଇଲେ ଶିକ୍ଷା ଏହାଙ୍କଠାରୁ,
ନିଶ୍ଚିହ୍ନ କରିବି ଦ୍ରୁପଦ ନାମ ଏ ସଂସାରରୁ।
ଏହାଭାଳି ପର୍ଶୁରାମଙ୍କ ଠାରୁ ବିପୁଳ ଅସ୍ତ୍ର,
ଘେନି,ନିଷ୍ଠାବଳେ ପାଇଲେ ଶସ୍ତ୍ର ଶିକ୍ଷା ସମସ୍ତ।

ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହୋଇ ଫେରିଲେ ଦ୍ରୋଣ,
ତା ପରେ ଆସିଲା ଜୀବନ ସଂଗ୍ରାମର ଦୁର୍ଦ୍ଦିନ।
ମୁଣ୍ଡ ଉପରେ ଆଶ୍ରାପାଇଁ, ନାହିଁ ଖଣ୍ଡିଏ ଚାଳ,
ପେଟରେ ଓଦାକନା,ଘରେ ନାହିଁ ମୁଠେ ତଣ୍ଡୁଳ।
ହୃଦରେ ଶେଳବିଦ୍ଧ ସମ ଦ୍ରୁପଦ ଅପମାନ,
ସଙ୍ଗେ କୃପୀ ସହଧର୍ମିଣୀ,ଅଶ୍ୱତ୍ଥାମା ନନ୍ଦନ।
ଆକାଶେ ଛିନ୍ନ ମେଘ ପରି ବୁଲନ୍ତି ଏଣେ ତେଣେ,
ହସ୍ତିନା ପ୍ରାସାଦ ନିକଟେ ପହଞ୍ଚିଗଲେ ଦିନେ।
ଯୋଗକୁ ହସ୍ତିନା ପ୍ରାସାଦେ,କୃପ ,ଦ୍ରୋଣ ଶାଳକ,
ରହିଥିଲେ ରାଜକୁମାରଙ୍କର ହୋଇ ଶିକ୍ଷକ।
ଆଶ୍ରାନେଲେ ତାଙ୍କ ପାଖରେ ଭରଦ୍ବାଜ ନନ୍ଦନ,
ଦିଗହୀନ ପୋତ ସଦୃଶ ଥିଲା ତାଙ୍କର ମନ।

ବୁଲୁ ବୁଲୁ ଦିନେ ଦେଖିଲେ,କୁରୁ ରାଜ କୁମାରେ,
ଉଦ୍ୟାନେ କନ୍ଦୁକ ଖେଳନ୍ତି ମନ ଆନନ୍ଦଭରେ।
ଯୁଧିଷ୍ଠିର,ଭୀମ,ଅର୍ଜୁନ,ନକୁଳ,ସହଦେବ,
ସଙ୍ଗେ ଦୁର୍ଯ୍ୟୋଧନ ଆବର ଅନେଶ୍ବତ କୌରବ।
ଖେଳୁ ଖେଳୁ କନ୍ଦୁକଗୋଟି ଗଲା କୂପରେ ପଡି,
ଚିନ୍ତାରେ ପଡିଲେ କୁମାରେ,କେହ୍ନେ ପାରିବେ କାଢି।
ସ୍ମିତ ହସି ଦ୍ରୋଣ କହିଲେ,”ଏହି ସାମାନ୍ୟ କାର୍ଯ୍ୟ,
ନପାର କରି ରାଜପୁତ୍ରେ,କେହ୍ନେ ପାଳିବ ରାଜ୍ୟ?”
ଶୁଣିଣ ଯୁଧିଷ୍ଠି ବୋଇଲେ “ଅନାହୂତ ବ୍ରାହ୍ମଣ,
କିଏ ତୁମ୍ଭେ ଆସି ଅଯଥା,ଏଠି ଦେଖାଅ ଟାଣ?
ପାରିବ କୂପମଧ୍ୟୁ ଆଣି,ଆମ୍ଭ କନ୍ଦୁକ ଯେବେ,
ଆକଣ୍ଠ ଭୋଜନ ପାଇବ,ରାଜ ପ୍ରାସାଦେ ତେବେ।”

“ଦେଖ ମୁଁ କିପରି ଉଦ୍ଧାର କରୁଛି ଏ କନ୍ଦୁକ,”
କହି ଦ୍ରୋଣ ଖଞ୍ଜିଲେ କୁଶ ପରେ କୁଶ ଆରେକ।
ମନ୍ତ୍ରିତ କୁଶକୁ ଏକ ସହିତ ଆରେକ ଯୋଡି,
ଧୀରେ ଟାଣି କନ୍ଦୁକ ଗୋଟି ଦ୍ରୋଣ ଆଣିଲେ କାଢି।
ନିଜ ଆଙ୍ଗୁଠିର ମୁଦ୍ରିକା କୂପ ମଧ୍ୟେ ପକାଇ,
ଯୋଡି ତୀର ପରେ ତୀରେକ ତାକୁ ନେଲେ ଉଠାଇ।
ଆଶ୍ଚର୍ଯ୍ୟ ହୋଇଲେ କୁମାରେ ଦେଖି ଏ ଚମତ୍କାର,
“କିଏ ତୁମ୍ଭେ ଆର୍ଯ୍ୟ?”ପୁଚ୍ଛନ୍ତି ଧର୍ମ ରାଜ କୁମର।
“ପଚାର ଭୀଷ୍ମଙ୍କୁ ମୁଁ କିଏ”ବୋଲି କହନ୍ତେ ଦ୍ରୋଣ,
ପିତାମହଙ୍କୁ ଜଣାଇଲେ ରାଜକୁମାର ଗଣ।

ଡାକି ଭରଦ୍ବାଜ ପୁତ୍ରଙ୍କୁ ସମୀପେ ଗଙ୍ଗାସୁତ,
ବସାଇଲେ ଦିବ୍ୟ ଆସନେ କରିଣ କୋଳାଗ୍ରତ।
“ଏ ଆମ୍ଭର ଯୋଗ୍ୟ ଆଚାର୍ଯ୍ୟ” ବୋଲି ରାଜକୁମାରେ,
ଗୁରୁଙ୍କ ପ୍ରଶଂସା କରିଲେ ପିତାମହ ଛାମୁରେ।
ସେ ସମୟେ ଗଙ୍ଗାନନ୍ଦନ କୁରୁକୁଳ ଚନ୍ଦନ,
ଖୋଜୁଥିଲେ ଯୋଗ୍ୟ ଶିକ୍ଷକ ,ଶସ୍ତ୍ର,ଶାସ୍ତ୍ର ନିପୁଣ।
ଶୁଣି ଆଚାର୍ଯ୍ୟଙ୍କ ପ୍ରଶଂସା,ପିତାମହ ଆନନ୍ଦେ,
ଶିକ୍ଷାଭାର ରାଜପୁତ୍ରଙ୍କ ଦେଲେ ଗୁରୁଙ୍କ କନ୍ଧେ।

କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply