Monday, May 20, 2024
Uncategorized

ଗୀତରେ ଗୀତରେ କଥା
(ପଲ୍ଲୀ କବିତା)
—————————————————-
ଗୁମାନ ଦଦା ମୋ ପୁଆଁଏ  ନିଆଁ ଖଳାବାଡିରେ,
ଧେଡୀ କୁତୀ  ଛୁଆ ଶୋଇଚି  ଦଦା କୋଳ ଭିତରେ।
ମିଉଁ ମିଉଁ ଶଙ୍ଖୀ ବିଲେଇ ଦେହେ  ହଉଚି  ଘସି,
ପିକାଟିଏ ଧରି ଗୁମାନ ଦଦା ଟାଣୁଚି ବସି।

ଏ ସମୟେ ଦୂରଦର୍ଶନ ବାଲା ହେଲେ ହାଜର,
ଗୁମାନ ଦଦାକୁ କହିଲେ “ନେବୁ ସାକ୍ଷାତକାର ।”
‘ପଚାରୁଚ କିସ ପଚାର’କହେ ଗୁମାନ ଦଦା ,
ତଳେ ଘଷି କାନେ ଖୋସିଲା ଟଣା ବିଡିରୁ ଅଧା।

ପଚାରିଲେ ବାବୁଜଣକ ମୁହେଁ ମାଇକି ଦେଇ,
କହ “ନାଗରିକ ଆଇନି”କିସ ବୁଝିଚ ଭାଇ?
ବଲବଲ କରି ଗୁମାନ ଦଦା ମୁହଁକୁ ଚାହେଁ,
“କୋଉ ନାଗରୀ ମୁଁ  ଜାଣିନି” ବୋଲି ଉତ୍ତର ଦିଏ।

ମୋ ଭାରିଜା ମୋର ନାଗରୀ,କେହି ନାହିଁ ତା ବିନେ,
ଅନ୍ୟ ନାଗରୀର ଛାଇ ବି ପଡିନି ମୋ ଜୀବନେ ।
ଶୁଣି ଟିଭିବାବୁ ହସିଲେ,କହିଲେ ଶୁଣ ବାବା,
ଦେଶରେ ଆଇନି ହେଇଚି ତମେ ଜାଣନା କିବା !!
କେତେ ମାରପିଟି ହେଲେଣି, ଦଙ୍ଗା ହେଲାଣି କେତେ,
ଦେଶର ଖବର ରଖିନ ତମେ ଦଦା କେମନ୍ତେ !

କହିଲା ଗୁମାନ “ସେ ସବୁ ବଡ ଲୋକଙ୍କ ଚାଷ,
ପିଚାରେ ଲାଗିଲେ ଡେଇଁବା ସେମାନଙ୍କ ଅଭ୍ୟାସ।
କି ମିଳିବ ମତେ ସେଥିରୁ ,ମୁଁ ତ ମଳିମୁଣ୍ଡିଆ,
ଦି’ଏକର ଚାଷ ତେବେ ବି ପେଟେ ଜଳୁଚି ନିଆଁ।
ଧୋଇ ମରୁଡିରେ ଫସଲ ଗଲେ ହତାଶ ହୁଏ,
ଫସଲ ବଂଚିଲେ ଉଚିତ ମୂଲ କିଏବା ଦିଏ ?

ସହାୟକ ମୂଲ୍ୟ ଦେଖାଣ ନାମ ମାତ୍ରକୁ ସିନା,
ଧାନ କୁଇଣ୍ଟାଲ ବାରଶ ଉପରକୁ ଡିଏଁନା।
ଖତ ସାର ରୋଗ ପୋକକୁ ଖର୍ଚ୍ଚ ଆକାଶ ଛୁଆଁ,
ମୂଲିଆ ମୂଲକୁ କରଜ କରି ହେଲି ହାଲିଆ।
ଦାଦନ ଖଟନ୍ତି ପୁଅ ମୋ ଦୁଇ,ଯାଇ ବିଦେଶ,
ନିଜକୁ ନିଅଣ୍ଟ  ମତେ ବା କାହୁଁ ଦେବେ ସେ କିସ?

ଝୁଅକୁ ମୋ ନୂଆଗାଁ’ର, ଟୋକା ନେଲା ଉଡେଇ,
ମହୁ ଖାଇ ସିଠା ଫିଙ୍ଗିଲା, ଝୁଅ କାନ୍ଦେ ନୁଚେଇ।
ଚୋର ମାଆ କାନ୍ଦେ ସକେଇ,କଥା ଅଛି ସଂସାରେ,
ମୁହଁ ମୁଁ ପାରୁନି ଦେଖେଇ, ଗାଁ ସାଇ ଭାଇରେ ।
ମକଦ୍ଦମା କରି ଟୋକାକୁ, ପୂରେଇଲି ଜିହଲ,
ଜୋକ ପରି ରକ୍ତ ଟାଣିଲେ ଥାନାବାବୁ ଓକିଲ।

କୋଉ ‘ନାଗରିକ ଆଇନି’ କଥା ଭାବିବା ପେଇଁ,
ତର ନାହିଁ ମୋର ବାବୁ ହେ,ମୋର ମନ ବି ନାହିଁ ।
ମରିଗଲେ ତରିଯାଆନ୍ତି ପିଇଦେଇ ଏଣ୍ଡ୍ରିନି,
କେମିତି ମୋ ପିଲେ ଚଳିବେ ବୋଲି ମରିପାରୁନି।
ଜଣାଇବ ବାବୁ ଗୁହାରି ତମ ସରକାରକୁ,
ଧିଆନ ଟିକିଏ ଦିଅନ୍ତୁ ଆମ ଚାଷୀ କୁଳକୁ।
ଦୁଆରୁ ନିଅନ୍ତୁ ଫସଲ  ସହାୟକ ମୂଲ୍ୟରେ,
ରୋଗ ପୋକ ସାର ଖରଚ ଦେଇ ଚାଷୀ ହାତରେ।
ଫସଲ ହୋଇଲେ ଉଜୁଡା ବିମା ହିସାବ କରି,
ସରକାରୀ ବାବୁ ଦିଅନ୍ତୁ ଚଞ୍ଚକତା ନକରି।

ଚାଷୀକୁ ସହଜେ ବାଧୁଚି ଚାଷ ଖରଚ ବାଧା,
ତା’ଉପରେ ଗ୍ରୁପ୍-ଲୋଅନ-ସୁଧ ଟାଣୁଆ ବିଧା ।
ଜାତି ଧର୍ମ ବର୍ଣ୍ଣ ଲଢେଇ ଯିଏ କରୁଚ କର,
ଗରିବ ଚଷାଟି ବଂଚିବା କଥା ବିଚାର କର।

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply