Thursday, July 25, 2024
Uncategorized

ଅଭିମନ୍ୟୁ
………୪…..
ଯାଜ୍ଞସେନୀଙ୍କ କ୍ଲେଶ
………………………
କନ୍ୟାଦାନ କଲେ ବିରାଟ ଦେଇ ବିପୁଳ ଧନ,
ମହୋତ୍ସବ ପରେ ଫେରିଲେ ବର କନ୍ୟା ସଦନ।
ଉପପ୍ଲାବ୍ୟ ନଗ୍ରେ ଡକାଇ ଏକ ଚିନ୍ତନ ସଭା,
ଧର୍ମରାଜ କଲେ ଜିଞ୍ଜାସା “କେଉଁ ମାର୍ଗ ବାଛିବା?”
ଉପସ୍ଥିତ ଥିଲେ ସଭାରେ କାଶୀ,ଶୈବ ରାଜନ,
ବିରାଟ ନରେଶ,ପାଞ୍ଚାଳ ଆବର ଧୃଷ୍ଟଦ୍ୟୁମ୍ନ।
ବଳରାମ ସଙ୍ଗେ ଶ୍ରୀକୃଷ୍ଣ,ଥିଲେ ସାତ୍ୟକି ପୁଣି,
ପଣ୍ଡୁ ପଞ୍ଚପୁତ୍ର ସହିତେ ଥିଲେ ଦ୍ରୌପଦୀ ରାଣୀ।

ସଭାଗୃହ ଏକ କୋଣରେ ବସି କୃଷ୍ଣା ସୁନ୍ଦରୀ,
ଆଖି ଡବ ଡବ ସତେକି ଲୁହ ପଡିବ ଝରି।
କହିଲେ ଶ୍ରୀକୃଷ୍ଣ ପାଖକୁ ଯାଇ”ଅୟୀ କଲ୍ୟାଣୀ”
ଦ୍ରୌପଦୀ ବୋଇଲେ ପ୍ରଭୁହେ! ଦୁଃଖ ବଳିଗଲାଣି।
ନଜାଣ କି ପ୍ରଭୁ ଦୁଃଖିନୀ ବେଦନା ଅନ୍ତରର,
ଆଉ କେତେ ଦିନ ସହିବ ଗ୍ଲାନୀ ସଖୀ ତୁମ୍ଭର?
ରଜସ୍ବାଳା ହୋଇ ଥିଲି ମୁଁ ବସି ଏକ ବସ୍ତ୍ରରେ,
ବଳେ ଦୁଃଶାସନ ଝିଙ୍କିଲା ବାଳ ହିଂସ୍ର କ୍ଷୁଧାରେ।
ଘୋଷାରି ନେଇ ସେ ହସ୍ତିନା ସଭାତଳେ ଫିଙ୍ଗିଲା,
ଗୁରୁ,ଗୁରୁଜନ ସମୀପେ ନଗ୍ନ ପ୍ରୟାସ କଲା ।
ଜାଣିଲି ସେଦିନ ତଥାକଥିତ ମୋ ସ୍ବାମୀଗଣ,
କୁରୁ ସଭାରେ ମୋ ଇଜ୍ଜତ କରିଥିଲେ ନିଲାମ।
ନଂପୁସକ ସମ ମୁଖକୁ ପୋତି ଥିଲେ ସେ ବସି,
ଯେବେ ମୋ ଯୌବନ ଦର୍ଶନେ ଦୁଷ୍ଟେ ହେଲେ ପ୍ରୟାସୀ।
ଭୀଷ୍ମ,ଦ୍ରୋଣ,କୃପ ସହିତେ ଜ୍ଞାନଶ୍ରେଷ୍ଠ ବିଦୂର,
କ୍ଲୀବତ୍ବକୁ ଲଭି ଦେଖିଲେ ଅବଳା ଅତ୍ୟାଚାର।
ବସ୍ତ୍ରଦାନେ ମୋର ସମ୍ମାନ ତୁମ୍ଭେ ରଖିଲ ହରି,
କେତେ ଦିନ ମୁକ୍ତ କେଶ ମୋ ରହିଥିବ ମୁରାରୀ?
କେତେ ଦିନ ଆଉ କାନ୍ଦିବି ମୁହିଁ ରକ୍ତର ଲୁହ?
କେତେଦିନେ ମୋର ମେଣ୍ଟିବ ପ୍ରଭୁ ବୁକୁର କୋହ?
ପନେପଡେ ଯେବେ ପାପିଷ୍ଟ ଦେହ ଛୁଇଁଲା ମୋର
ପୂତିଗନ୍ଧମୟ ଲାଗିଲା ଘୃଣିତ ମୋ ଶରୀର।
ଭୟେ ଲୋମକୂପ ଶିହରୀ ଉଠେ ପଡିଲେ ମନେ,
ଏବେବି ଶୁଭୁଛି ପାପିଷ୍ଟ ଅଟ୍ଟହାସ ମୋ କାନେ।
ଏବେବି ଶୁଭୁଛି ଅନ୍ଧ ପୁତ୍ରର ନିର୍ଲଜ ରୋଳ,
ଜଙ୍ଘ ପିଟି ଯେବେ ଡାକିଲା ବସିବାକୁ ତା କୋଳ।
ରାଜକନ୍ୟା ହୋଇ ବୁଲୁଛି ଆଜି ଅରଣ୍ୟ ପ୍ରାନ୍ତେ,
କି ଲାଭ ଏପରି ପତିଏ ଥାଇ ମୋହରି ସାଥେ?
ଦୁଃଶା ରକ୍ତେ ବେଣୀ ବାନ୍ଧିବି,ପ୍ରଭୁ କର ଉପାୟ,
ତୁମ୍ଭେ ମୋର ଶେଷ ଭରସା ବସୁଦେବ ତନୟ।
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply