Saturday, April 27, 2024
Uncategorized

ପଲ୍ଲୀଗୀତ 36
——————-
ନୀଳ ସୁବୁଦ୍ଧିର ବିଗିଡିଚି ମୁଣ୍ଡ,
ଚିଲ୍ଲଉଚି ରାଗି ଭୀଷଣ ପ୍ରଚଣ୍ଡ ।
ନିଜ ପୁଅକୁ ସେ ଗାଳି ଦଉଥିଲା,
” ଶଶୁର ପୁଅଟା କଅଣ ନକଲା !
ଦଦାପୁଅ ଭାଇ ଭାରିଜାକୁ ରସି,
ପେମ କାଦୁଅରେ ଟୋକା ଗଲା ଫସି।
ଉଡେଇ ନେଇଚି ଭୋବନିଶୋରକୁ,
ଟାଙ୍ଗିଆ ଧରିଚି ଭାଇ ହାଣିବାକୁ।
ନିଶାପ ପାଇଁକି ଡକେଇଚି ଗାଆଁ,
କି ନକଲା ମୋର ପୁଅ ପୋଡାମୁହାଁ !
ନାଗୁଥେଲା ମତେ କେମିତି କେମିତି,
ଉଣ୍ଡୁଥେଲା ଦିନ ରାତି ସେ ଯେମିତି ।
ସେ ପୋଡାମୁହୀଁଟା କ’ଣ କଅମକି?
କିଲି କିଲି ହଉଥେଲା ଆକୁ ଦେଖି।”

ପଚାରିଲି “ଆହେ ନୀଳ ସୁବୁଦ୍ଧିଏ !
ଗେରସ୍ତ ତା’ର କୁଆଡେ ଥିଲା ହେ?
ଗେରସ୍ତ-ଭାରିଜା ପଡୁନଥିଲେ କି?
ଏ ପେମ ବେପାର ଘଟିଲା କାହିଁକି? “

ସୁବୁଦ୍ଧି କହିଲା”ଜାଇଁଲ ଗୋସେଇଁ,
ଗେରସ୍ତ ତା’ର ଦାଦନକୁ ଯାଇ-
ଛଅ ମାସ ଥେଲା କେରଳ ମାଟିରେ,
ଘଟଣା ଘଟିଲା ସେଇ ସମୟରେ ।”

କହିଲି “ସୁବୁଦ୍ଧି କଥାଏ କରିବ,
ପୁଅକୁ ବୁଝେଇ ଘରକୁ ଆଣିବ।
ନୂଆବୋହୂଟାକୁ ତା’ଘରେ ଛାଡ,
ପୁଅ ବା’ଘର କର ହେ ଯୋଗାଡ।”

କାନ୍ଦ କାନ୍ଦ ହେଇ କହିଲା ସୁବୁଦ୍ଧି,
“ଗୋସେଇଁ,ମୋର ତ ହଜିଲାଣି ବୁଦ୍ଧି ।
ଟୋକା ଟୋକୀ କାଲି ଭୋବନିଶୋରରେ,
ବାହା ହେଇଚନ୍ତି କୋଉ ମନ୍ଦିରରେ।
ଗାଁ’ବାଲା ଯାହା କହିବେ କରିବି,
ଜୋରିମାନା ପଛେ କୋଠକୁ ଭରିବି।”
(ସତ୍ୟ ଘଟଣା ଉପରେ ଆଧାରିତ)

Click to rate this post!
[Total: 0 Average: 0]

Leave a Reply