Wednesday, February 28, 2024
Uncategorized

ଦେବଯାନୀ
(ପଞ୍ଚଦଶ କଳିକା)
ରାଗ:–କଳହଂସ କେଦାର
———————-
“ବ୍ୟାଘ୍ର ଉଦରୁ ତୁମ୍ଭେ ବଞ୍ଚିଲ ଯେଣୁ,
‘ବ୍ୟାଘ୍ରନନ୍ଦନ’ନାମ ବହିବ ତେଣୁ।😃😂”
ଦେବଯାନୀ କରନ୍ତେ ଏ ବକ୍ର-ଉକ୍ତି,
‘ସତ୍ୟ ବଚନ’ ବୋଲି କଚ ହସନ୍ତି ।।

କଚ ବୋଲନ୍ତି “ହୋଇପାରେ ଏମନ୍ତ,
ରାକ୍ଷସେ ଭସ୍ମକରି ମୋତେ ଜୀବନ୍ତ,
ଦୁଗ୍ଧରେ ଗୋଳି ଦେବେ ତୁମ୍ଭ ହସ୍ତରେ,
ଅଜ୍ଞାତେ ପାନ ତୁମ୍ଭେ କରିବ ତାରେ।
ସଞ୍ଜୀବନୀ ମନ୍ତ୍ରରେ ହେବି ଜୀବିତ,
ସେତେବେଳେ ମୁଁ ହେବି ତୁମ୍ଭର ପୁତ୍ର।।😃😂

ଋଷିଲେ ଦେବଯାନୀ ଶୁଣି ଏ ବାଣୀ,
ବୋଇଲେ ”କାହିଁ ଗଲେ ଦେଖିବ ପୁଣି।
ସର୍ବଦା ରହିଥିବି ତୁମ୍ଭରି ସଙ୍ଗେ,
ବଡ ମାୟାବୀ ଏହି ରାକ୍ଷସ ପୁଙ୍ଗେ।
ନଯିବ ପୁଷ୍ପବନେ ବିନା ଆଦେଶେ,
ନଦୀକୁ ଯିବାବେଳେ  ଥିବି ମୁଁ ପାଶେ।

ଶୁଷ୍କ କାଷ୍ଠ ସଂଗ୍ରହ ପାଇଁ ବନକୁ,
ଲୋଡାନାହିଁ ତୁମ୍ଭକୁ ଆଉ ଯିବାକୁ।
ପିତାଙ୍କ ପାଶେ ରହିବ ନିଶିଦିନ,”
ବୋଲନ୍ତେ ହସିଦେଲେ କଚ ତକ୍ଷଣ ।
ବୋଇଲେ “କାନିରେ କି ରଖିବ ବାନ୍ଧି ?
ଶୃଙ୍ଖଳା ଶିକୁଳିରେ ମୋ ପାଦ ଛନ୍ଦି।।
ବିଦ୍ୟାର୍ଥୀ,କାର୍ଯ୍ୟ ମୋର ପୁଷ୍ଷ ଚୟନ,
ଉଦ୍ୟାନ ସଂରକ୍ଷଣ,ଗାଭୀ ଦୋହନ।
ଗୁରୁ-ସେବା ଆବର କାଷ୍ଠ ସଂଗ୍ରହ,
ସ୍ୱାଧୀନତା ନଥିଲେ ହେବ କି କୁହ।

ଚାହିଁଲେ ଦେବଯାନୀ ହସି କଣେଇ,
କହିଲେ “ତୁମ୍ଭ କଥା ଶୁଣିବି ନାହିଁ ।
ତୁମ୍ଭେ ଶରୀର ହେଲେ ମୁଁ ଅଟେ ମନ,
ତୁମ୍ଭେ ଲତା ହୋଇଲେ ମୁହିଁ ସୁମନ।
ତୁମ୍ଭେ ବସନ୍ତ ମୁହିଁ ମନ୍ଦ-ମଳୟ,
ମୁଁ ପରଭୃତ ତୁମ୍ଭେ ମୋ କିଶଳୟ।

ତୁମ୍ଭେ ମୋ ସ୍ନାୟୁ-ସହର  ରୂପାଜହ୍ନ ,
ତୁମେ ମୋ ଦୂରବନ ବଂଶୀର  ସ୍ୱନ।
ତୁମେ ନିବିଡ-ସ୍ୱପ୍ନ ବିଳାସ ମୋର,
ଖିଆଲ ତୁମ୍ଭେ ତନ୍ଦ୍ରାଚ୍ଛନ୍ନ ମନର।

ତୁମ୍ଭେ ଶ୍ରୁବ ହେଲେ ମୁଁ ହବନ ଘୃତ,
ଅଗ୍ନି ଧାସରେ ଓତପ୍ରୋତ ଜଡିତ।
ହୋମାଗ୍ନି ହେଲେ ତୁମ୍ଭେ ଶାକଲ୍ୟ ମୁହିଁ,
ମୋବିନା ତୃପ୍ତି ତୁମ୍ଭ ମନରେ କାହିଁ ?”
ଶୁଣି ହସିଲେ କଚ ନକହି କିଛି,
କେ ଜାଣେ କିବା ତାଙ୍କ ମନରେ ଅଛି !

ଏଣେ ଦାନବ ନଗ୍ରେ ପଡେ ଭାଳେଣି,
କଚ’କୁ ମୃତ୍ୟୁପୁରୁ ଫେରିବା ଜାଣି।
ସେନାପତିଙ୍କୁ ଡାକି ଦାନବାଧୀଶ,
ବୋଇଲେ “ପୁନର୍ବାର କର ହେ ନାଶ।
ଅଗ୍ନିରେ ଶରୀର ତା ଭସ୍ମ କରିବ,
ଗଙ୍ଗାନଦୀର ଧାରେ ଭସାଇଦେବ।
ଶରୀର ଭସ୍ମ ହେଲେ ହୋଇବ ଖାର,
କାହାକୁ ବଞ୍ଚାଇବେ ଋଷିପ୍ରବର ?
ଜଳରେ ସେହି ଖାର ଦେବ ଭସାଇ,
କୁମ୍ଭୀର, ଜଳଯନ୍ତୁ ଯାଆନ୍ତୁ  ଖାଇ।

କ୍ରମଶଃ:——

Click to rate this post!
[Total: 0 Average: 0]

Leave a Reply