Sunday, June 23, 2024
Uncategorized

ଦେବଯାନୀ
(ତ୍ରୟୋଦଶ କଳିକା)
ରାଗ:-କଳହଂସ କେଦାର
– ————————
ଚଳନ୍ତି କଚ,ଦେବଯାନୀ ହରସେ,
ଆଶ୍ରମ  ଲଂଘି ନଗ୍ର ଦର୍ଶନ ଆଶେ।।

କଚଙ୍କୁ ଦେଖାଇବେ ଦାନବ ନଗ୍ର,
ଭାଳି ସୁନ୍ଦରୀ ମନ ଅତ୍ୟନ୍ତ ବ୍ୟଗ୍ର।।

ଶର୍ମିଷ୍ଠାଙ୍କୁ କହିବେ ‘ଦେଖ ସଜନୀ !
ଏହି  ମୋ ହୃଦ-ସର ପ୍ରୀତି ନଳିନୀ’ ।।

ମୋ ଜୀବନ ଆକାଶ ମେଘ-ମଲ୍ଲାର,
ମୋ ହୃଦୟ ବୀଣାର ମଧୁ ଝଙ୍କାର।।

ଏହି ମୋ ମଧୁଝର ମୁଁ ତାଙ୍କ ତୃଷା,
ମୋ ମନ ନିଦାଘର ଶୀତଳ ଉଷା।।

ଦେବପୁତ୍ରଙ୍କ ସୌମ୍ଯ ରୂପକୁ ଦେଖି,
ଶର୍ମିଷ୍ଠାଙ୍କର ଆଖି ରହିବ ଲାଖି ।।

ଦେଖିବାକୁ ସଜନୀ ନୟନେ ଈର୍ଷା,
ଦେବଯାନୀ ମନରେ ବଳିଛି ଆଶା।।

ଆଶ୍ରମୋତ୍ତରେ ଅଛି ନିଘଞ୍ଚ ବନ,
ପଡିଛି ତା ମଧ୍ୟକୁ ପଥ ସଂକୀର୍ଣ୍ଣ ।।

ଅରଣ୍ୟ ଅନ୍ତେ ହେବ ପଥ ସ୍ୱଚ୍ଛଳ,
ପାରି ହେବାକୁ ପାଦ କଲେ ଚଞ୍ଚଳ ।।

ଏକେ ତ ଭୟଙ୍କର ଘଞ୍ଚ ଅରଣ୍ୟ,
ଦିବସେ ପଡେ ନାହିଁ ରବି କିରଣ।।

ପ୍ରତିଯୋଗୀତା ବୃକ୍ଷେ କରନ୍ତି ତହିଁ,
ଆକାଶ ଛୁଇଁ ସୂର୍ଯ୍ୟ କିରଣ ପାଇଁ ।।

ସବୁଜିମାରେ ପୂର୍ଣ୍ଣ ଅରଣ୍ୟଦେଶ,
ଅସଂଖ୍ୟ ପଶୁପକ୍ଷୀ ବୃକ୍ଷ ଅଶେଷ।।

ଅଶନ,ଚୂତ,ବଟ,ତମାଳ,ତାଳ,
ବିଲ୍ୱ ଯେ ଶାଗୁଆନ,କୁରୁମ,ଶାଳ।।

ଭେଣ୍ଡିଆ ମରଦନ,ବକୁଳ, ମଇ,
କୋଚିଲା,ବଟ,ଓସ୍ତ ଅଛନ୍ତି ରହି।।

କଣ୍ଟେଇ,ବେତନଟୀ, ଗିଲ-ବଣରେ,
ପୂର୍ଣ୍ଣ ଅରଣ୍ୟ ସର୍ପ ସରିସୃପରେ ।।

କମ୍ପିଉଠେ କାନନ ବ୍ୟାଘ୍ର ଗର୍ଜନେ,
ପ୍ରତିଧ୍ୱନୀ ଶୁଭଇ ପର୍ବତ କୋଣେ।।

ଭଲ୍ଲୁକ,ଗୃଧ୍ର,ହେଟା,କୋକିଶିଆଳୀ,
ରହିଣ ତଳେ,ଡାଳେ କରନ୍ତି ମେଳି।।

ଦେବଯାନୀ ଦେଖିଣ ଏ ପରିବେଶ,
ଲଭିଲେ ଡର ଅନ୍ତରରେ ଅଶେଷ।।

ଧରିଲେ କଚ କର ନିଜ କରରେ,
ରୋମାଞ୍ଚ ଭରିଗଲା ସ୍ନାୟୁ ସହରେ ।।

ଉଭେଇ ଗଲା କାହିଁ  ମନରୁ ଡର,
ତୃପ୍ତିରେ ଭରିଗଲା ରାମା ଅନ୍ତର।।

ଭାବିଲେ,ପଥ ନହୁଅନ୍ତା କି ଅନ୍ତ ,
ସାରା ଜୀବନ ଚାଲୁଥାନ୍ତେ ଏମନ୍ତ ।।

ଏ ସମୟେ ଶୁଭିଲା ଘୋର ଗର୍ଜନ,
କିଳିକିଳା ରାବରେ ନିସ୍ତବ୍ଧ କର୍ଣ୍ଣ।।

କି ଘଟିଲା ଜାଣିବା ପୂର୍ବରୁ,ଭାବି
ବୃକ୍ଷରୁ ଦୁଇ ହସ୍ତ ଆସିଲା ଲମ୍ବି।।

କଚକୁ ଶୂନ୍ୟେ ଶୂନ୍ୟେ ନେଇ ଉଠାଇ ,
ଅଦ୍ଭୁତ ଜୀବ ଏକ ଗଲା ଉଭାଇ ।।

ପଡିଲା ଧନୁ, ଶରାସନ ଭୂମିରେ,
ମର୍ମଭେଦୀ ଚିତ୍କାରେ ହୃଦୟ ଥରେ।।

ଭୟରେ ହତଜ୍ଞାନ ଋଷି ନନ୍ଦିନୀ,
କି କରିବେ ସହସା ନପାରି ଜାଣି।।

କମ୍ପାଇ ଦେଲେ ବନ ଘୋର ରୋଦନେ,
ଡାକିଣ କଚ ନାମ ଅଥୟ ମନେ।।

ଘୂର୍ଣିବାତ୍ୟା ବଳୟ ବହେ ଯେପରି,
ବିକଳେ ଖୋଜୁଥାନ୍ତି କାନନ ଚିରି ।।

ଦେବଯାନୀ ହରାଇ କଚ କାନନେ,
ହେଲେ ଆଶ୍ରମଗାମୀ ଅଥୟ ମନେ।।

ମୁକ୍ତ କୁନ୍ତଳ ଯାଏ ପବନେ ଉଡି,
ଦେହରେ ଅସ୍ତବ୍ଯସ୍ତ ପିନ୍ଧିବା ଶାଢି।।

କଣ୍ଟା-ଗୁଳ୍ମ କାନନେ ଖୋଜି କଚଙ୍କୁ,
ରକ୍ତାତ କରିଛନ୍ତି ଚାରୁ ପାଦକୁ।।

ନେତ୍ର ଯୁଗଳୁ ଅବାରିତ ବରଷା,
ହୋଇ ବୁଡାଇଦିଏ ହୃଦ ଭରସା।।

ସୁଠାମ କୁଚ ଭିଜି ଅଶ୍ରୁଜଳରେ,
ପର୍ବତେ ଘୋର ବର୍ଷା ବିଭ୍ରମ କରେ।।

ବିକଳେ କରୁଥାନ୍ତି ଉଚ୍ଚେ ରୋଦନ,
କମ୍ପିଲା ଗୁରୁକୁଳ ଆଶ୍ରମ ବନ।।

ଦେଖି ଦେବଯାନୀଙ୍କ ଅଶ୍ରୁଳ ନେତ୍ର,
ଅଶ୍ରୁ ବର୍ଷଣ କଲେ ହରିଣ ଯୂଥ।।

ସଂଗୀତ ତେଜି ବୃକ୍ଷଡାଳେ କୋକିଳ,
ଚାହିଁଲା ବାଳା ମୁଖ ହୋଇ ବିକଳ।।

ବ୍ୟାଧ ହସ୍ତରେ କ୍ରୌଂଚପକ୍ଷୀ ନିଧନେ,
ବିଳାପ କରେ ଅବା କ୍ରୌଂଚୀ କାନନେ !

କ୍ରମଶଃ: —— —-

Click to rate this post!
[Total: 0 Average: 0]

Leave a Reply