Wednesday, February 21, 2024
Other Poems

ଦେବଯାନୀ (ଦ୍ବାଦଶ କଳିକା)

ଦେବଯାନୀ
(ଦ୍ୱାଦଶ କଳିକା)
ରାଗ:-ମଙ୍ଗଳ
—————-
“ବୃଷପର୍ବା ରାଜ୍ୟ ଆଜି ଚାଲ ବୁଲିଯିବା,
ରାଜଧାନୀ ସଙ୍ଗେ ରାଜ ପ୍ରାସାଦ ଦେଖିବା।
ପ୍ରାସାଦରେ ଅଛି ମୋର ପ୍ରିୟ ସହଚରୀ,
ବୃଷପର୍ବାଙ୍କର ଜେମା ଅପୂର୍ବ ସୁନ୍ଦରୀ।
ଶର୍ମିଷ୍ଠା ନାମ ତାହାର,କନକ ପ୍ରତିମା,
ଶୁଶୀଳା,ମଧୁଭାଷିଣୀ ଶାସ୍ତ୍ରେ ଅନୁପମା ।।
ସହଚରୀ ସଙ୍ଗେ ଭେଟ,ନଗର ଭ୍ରମଣ,
ଏକସଙ୍ଗେ ହେବ ଦୁଇ କାର୍ଯ୍ଯ ସମାପନ।”

ଦେବଯାନୀ ଠାରୁ ଶୁଣି କଚ ଏହି ବାଣୀ ,
ବୋଇଲେ କିପାଇଁ ଯିବା ତହିଁ ରାମାମଣି?
ବୃଷପର୍ବା ନଗର କି ସ୍ୱର୍ଗରୁ ସୁନ୍ଦର,
ରମ୍ଭାଠାରୁ ସୁନ୍ଦର କି ଶର୍ମିଷ୍ଠା ତୁମ୍ଭର ?
ସୁରଧୂନୀ ତଟେ ଅନୁପମ ସ୍ୱର୍ଗପୁରୀ,
ତା ସଙ୍ଗେ କି ସମ ହେବ ରାକ୍ଷସ ନଗରୀ ?
ତୁମ୍ଭପରି ଦେଖାଯାଉଥିବେ ରକ୍ଷବାଳା।
ଶୁଣି ଏ ଶ୍ଳେଷ ବଚନ ଋଷିଲେ ଛଇଳା।।
ମୁହଁ ଫୁଲାଇ ବୋଇଲେ “ମୁଁ ତେବେ ରାକ୍ଷସୀ?”
କଚ ବୋଲେ ‘ଶ୍ଳେଷରେ ବୋଇଲି ମଧୁହାସୀ।।

ରୋଷ କରନାହିଁ ଗୁରୁପୁତ୍ରୀ ମୋହଠାରେ,
କେଉଁପରି ଯିବା କୁହ ରାକ୍ଷସ ନଗରେ?
ସଦା ପାଳିଥାଏ ମୁହିଁ ଗୁରୁଙ୍କ ନିର୍ଦ୍ଦେଶ
ଗୁରୁ ଇଚ୍ଛା ବିନା କିଛି ନୋହିବଟି ଲେଶ।।
ପିତାଙ୍କ ସମ୍ମତି ଯେବେ ତୁମ୍ଭେ ଆଣିପାର ,
ନଗର ଭ୍ରମଣେ ଦ୍ୱିଧା ନାହିଁଟି ଆମ୍ଭର।।”

କଚ ବାଣୀ ଶୁଣି ଦେବଯାନୀ ଆଶ୍ରମରେ,
ପିତାଙ୍କୁ କରନ୍ତି ଅଳି ସମ୍ମତି ଆଶାରେ।।
ଆଚାର୍ଯ୍ୟ ବୋଲନ୍ତି ତୁ କି ନଜାଣୁ ନନ୍ଦିନୀ,
ବଡ ଦୁର୍ଦ୍ଧଷ ଅଟନ୍ତି ଦାନବ ସଇନି ।।
ପାଇଲେ ଆଭାସ  କଚ ଦେବସୁତ ବୋଲି,
ନଗ୍ରଚଣ୍ଡୀ ପୀଠେ ନେଇ ପକାଇବେ ବଳି।
ଜ୍ଞାତ ହେବ ଯେବେ କଚ ବୃହଷ୍ପତି ସୁତ,
ବୃଷପର୍ବାଙ୍କ ମୁଣ୍ଡକୁ ଚଢିଯିବ ପିତ୍ତ।।
କଚକୁ କରି ନିହତ ଅରଣ୍ୟେ ଫିଙ୍ଗିବେ,
ଅଥବା ରନ୍ଧନ କରି ଆନନ୍ଦେ ଭକ୍ଷିବେ।।
ସୁରା ସଙ୍ଗେ ଚୋବାଇବେ କଚ ହାଡ ମାଂସ,
ନଜାଣୁ କି ଦାନବଙ୍କ ଦେବତା-ବିଦ୍ୱେଷ !
ନିରାପତ୍ତା ଚାହୁଁ ଯେବେ କଚର ସୁଶୀଳେ,
ଶିକ୍ଷା ଶେଷଯାଏ କଚ ରହୁ ଗୁରୁକୁଳେ।
ନିରାପଦେ ଶିକ୍ଷାଅନ୍ତେ ଫେରିଯାଉ କଚ,
ଗୁରୁକୁଳର ସୁନାମ ରହିଥାଉ ସ୍ୱଚ୍ଛ ।।”

ଦେବଯାନୀ ବୋଲନ୍ତି ପିତାଙ୍କ ଧରି କର,
ସେଥିପାଇଁ ତାତ ତିଳେ ଶୋଚନା ନକର।।
ବୃଷପର୍ବା ଅଟନ୍ତି ମୋ ଜନକ ସମାନ,
ଘେନି ତାଙ୍କର ଅଭୟ ଭ୍ରମିବୁ ଭବନ।।
ସହଜେ ଶର୍ମିଷ୍ଠା ଅଟେ ପ୍ରିୟ ସଖୀ ମୋର,
ରାଜକୀୟ ସୁରକ୍ଷାରେ ଭ୍ରମିବୁ ନଗର।।
ମୁଁ ରକ୍ଷା କବଚ ହେବି,କଚ ଥିବେ ସାଥେ,
ଜାଣନ୍ତି ଦାନବେ ଗୁରୁପୁତ୍ରୀ ବୋଲି ମୋତେ।।”
ଦେବଯାନୀ ଅଳି ଶୁକ୍ର ଟାଳି ନପାରିଲେ ,
ରକ୍ଷପୁରେ ଯିବାପାଇଁ ସନମତି ଦେଲେ ।।

ଏଣେ ଗୁପ୍ତଚର ଠାରୁ ପାଇଣ ସମ୍ବାଦ,
ରାଜପୁରେ ବୃଷପର୍ବା ଗଣିଲେ ପ୍ରମାଦ।।
ବିଚାରିଲେ ଷଡଯନ୍ତ୍ର କରୁଛନ୍ତି ଦେବେ,
ଚୌର୍ଯ୍ୟବୃତ୍ତି କରି ସଞ୍ଜୀବନୀ ହରିନେବେ।।
କଳେ ବଳେ କଉଶଳେ ବୃହଷ୍ପତି ପୁତ୍ର,
ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର  କରିବ ଆୟତ୍ତ।।
ବଡ ସରଳ ଅଟନ୍ତି ଗୁରୁ ଶୁକ୍ରାଚାର୍ଯ୍ୟ,
ପୁତ୍ରୀ-ସ୍ନେହେ ଅଭିଭୂତ ସହଜେ ତ ଆର୍ଯ୍ୟ ।।
ପ୍ରେମ-ଜାଲେ ସୁନାମାଛ ଧରିବ ପାମର,
ସଞ୍ଜୀବନୀ ମନ୍ତ୍ର ନେଇ  ଯିବ ସ୍ୱର୍ଗପୁର।।
ଆସୁଛି ବିପଦ ମାଡି ଦାନବଙ୍କ ଭାଗ୍ୟେ,
ଭାଳି କମ୍ପିଗଲେ ବୃଷପର୍ବା ମହା ରାଗେ ।।
ସେନାପତିଙ୍କୁ ବୋଇଲେ ‘ଆମ୍ଭ ଏ ବିଚାର,
ଅରଣ୍ୟରେ ପାମରକୁ  ଆଜ ହତ୍ୟାକର।”

କ୍ରମଶଃ:———-

Click to rate this post!
[Total: 0 Average: 0]

Leave a Reply