Wednesday, February 21, 2024
Stories

ପରିବର୍ତ୍ତନ (କ୍ଷୁଦ୍ରଗଳ୍ପ)

ପରିବର୍ତ୍ତନ
——-
ନବେ ବର୍ଷ ବୟସରେ ତମ୍ବା ଛଡ ପରି ଦାଉ ଦାଉ ଜଳୁଥିବା ପତଳା  ଚେହେରା ସହିତ ଏତେ ଟାଣୁଆ ମଣିଷ ମୁଁ କ୍ୱଚିତ୍ ଦେଖିଚି।ତାଙ୍କ ସଂସ୍କାରର ଧୃତି ବୋଧହୁଏ ସୁନୀତି ଦେବୀଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଏତେ ଦୃଢ ଏକ ନିଆରା ମଣିଷ ଭାବେ ସମାଜରେ ପରିଚିତି ଦେଇଥିଲା।ତାଙ୍କ ବ୍ୟକ୍ତିତ୍ୱର ସଂଯୋଗ ବିଂଶ ଶତାବ୍ଦୀର ମଧ୍ୟଭାଗର ଓଡିଆ ସାମାଜିକ ଚଳଣି ସହିତ  ଜଡିତ ଥିଲା।

ଉଣେଇଶ ପଞ୍ଚାବନ ମସିହାରେ ସେ ଯେତେବେଳେ ମୁଣ୍ଡରେ ହାତେ ଓଢଣା ଦେଇ ସାବିଦେଈପୁର ଗାଁକୁ ବୋହୂ ହୋଇ ଆସିଥିଲେ,ଘରେ ନପଶୁଣୁ ଚାଳ ବାଜିଲାପରି,ତାଙ୍କ ପିଇସୀ ଶାଶୁ ବେକଟାକୁ ତଳକୁ ମାଡିଦେଇ କହିଥିଲେ “ଅଘରୀ ଘର ଝିଅ,ଘୋଡା ଭଳି କଣ ଚାଲୁଚୁ?ମା ତତେ ସଣ୍ଠଣା ଶିଖେଇନି କି’ଲୋ?”ଚକୁଳି କଲାବେଳେ ଗୋଲ୍ ଗୋଲ୍ ପିଠା ନହେବାରୁ ସେଇ ପିଇସୀ ଶାଶୁ ତାଙ୍କ ହାତକୁ ତତଲା କଡେଇରେ ମାଡିଦେଇ କହିଥିଲେ “ଚେଙ୍କ ନପାଇଲେ ଶିଖିବୁ କେମିତି ଲୋ ଆଲୁରି ବାଲୁରୀ?”ତା ସତ୍ତ୍ବେ ମଧ୍ୟ ଶାଶୁ ଓ ପିଇସୀ ଶାଶୁଙ୍କର ତାଙ୍କପ୍ରତି ମାତୃବତ୍ ସ୍ନେହ ଅତୁଟ ଥିଲା।

ସୁନୀତି ଦେବୀ ଶାଶୁଘରେ ପାଦ ରଖିବାର ମାତ୍ର ଦୁଇ ବର୍ଷ ପରେ ,ଶଶୁର ହଇଜାରେ,ମାତ୍ର ପଞ୍ଚଚାଳିଶ ବର୍ଷ ବୟସରେ ସେପାରିକି ଚାଲିଗଲେ।ଶାଶୁ ପିଲା କନିଆଁ ହୋଇ ଆସିଥିଲେ ତ ଅଠର ବର୍ଷ ବୟସରେ ପୁତ୍ର ସନ୍ତାନର ଜନନୀ ହୋଇଥିଲେ ;ତେଣୁ ଶଶୁରଙ୍କ ମୃତ୍ୟୁ ବେଳକୁ ସୁନୀତିଙ୍କ ଗେରସ୍ତଙ୍କୁ ବାଇଶି ବର୍ଷ ଏବଂ ଶାଶୁଙ୍କୁ ଚାଳିଶି।

ଏତେ ଅଳ୍ପ ବୟସରେ ସ୍ୱାମୀଙ୍କୁ ହରାଇ,ସୁନୀତିଙ୍କ ଶାଶୁ ଅକଥନୀୟ ସାମାଜିକ କଟକଣାର ଶିକାର ହୋଇଥିଲେ।
ଦେହରେ ଧଡି ନଥିବା ଧଳାଲୁଗା।ମାଛ,ମାଂସ,ଛତୁ,ସଜନା ସାଗ,ସଜନା ଛୁଇଁ,ପିଆଜ,ରସୁଣ ଇତ୍ୟାଦି ତାଙ୍କପାଇଁ ବର୍ଜିତ ଥିଲା।ବାରମାସରେ ତେର ଓଷା ଉପାସ ଛଡା ସବୁ ଏକାଦଶୀ ସେ ନିର୍ଜଳା ପାଳନ କରୁଥିଲେ।ଖାଇ ବସିବା ସମୟରେ ଶୂଦ୍ର ଲୋକର ଛାଇ ପଡିଲେ,ସେଦିନ ଆଉ ସେ ଖାଦ୍ୟ ଗ୍ରହଣ କରୁନଥିଲେ।ତାଙ୍କ ଗଣତିରେ ବ୍ରାହ୍ମଣ ବ୍ୟତିତ ଅନ୍ୟ ସମସ୍ତେ ଏହି ବର୍ଗରେ ଆସୁଥିଲେ। ଏହି ବୈଧବ୍ୟ ଧର୍ମ ପାଳନରେ ସୁନୀତି ଦେବୀ ଶାଶୁଙ୍କୁ ମନ ପ୍ରାଣ ଦେଇ ସାହାଯ୍ୟ କରୁଥିଲେ।

ଉପର ବରଡା ଖସିଲେ ତଳ ବରଡାର ପାଳି ଆସେ,ଏହାତ ସଂସାରର ନିୟମ।ଉଣେଇଶ ପଞ୍ଚାଅଶୀ ମସିହାରେ ସୁନୀତି ଦେବୀ ନିଜେ ଯେତେବେଳେ ବିଧବା ହେଲେ,ଶାଶୁଙ୍କର ମାନସିକତା ଶତପ୍ରତିଶତ ତାଙ୍କଠାରେ ପ୍ରତିଫଳିତ ହେଲା।ଶାଶୁ ସେତେବେଳକୁ କହିବାକୁ ନଥିଲେ ମଧ୍ୟ,ସଂସ୍କାରବାଦୀ ସୁନୀତି ଦେବୀ ବୈଧବ୍ୟ ଧର୍ମ ଅତି ନିଷ୍ଠାର ସହିତ ପାଳନ କରୁଥିଲେ।ଏଥିରେ ତାଙ୍କୁ ସାହାଯ୍ୟ କରିବାକୁ ବୋହୂ ପାଖରେ ନଥାଏ।ବାହାଘର ପରଠାରୁ ପୁଅ ବୋହୂ ଭୁବନେଶ୍ବରରେ।ନିଷ୍ଠାପୂର୍ଣ୍ଣ ଚଳଣିରେ ବାଧା ଆସିବ ବୋଲି ବୁଢୀ ପୁଅ ପାଖକୁ ଯାଇ ନାହାଁନ୍ତି।ଏତେ ବୟସରେ ମଧ୍ୟ ନିଜେ କାଠଚୁଲିରେ ଦିମୁଠା ଫୁଟେଇ ଚଳେଇ ଦିଅନ୍ତି।ଘରେ ଗୁଡିଆଘର ଭଡାରେ ଥିଲେ ମଧ୍ୟ କେବେ ବି ତାଙ୍କ ସାହାଯ୍ୟ ନିଅନ୍ତି ନାହିଁ।ସେମାନେ ମଧ୍ୟ ଅତି ସନ୍ତର୍ପଣରେ ଚଳନ୍ତି କାରଣ ଛାଇ ପଡିଲେ ବୁଢୀ ଅଧାଖିଆରୁ ଉଠିଯିବେ।

ବୟସାଧିକ୍ୟ ଏଣିକି ସୁନୀତି ଦେବୀଙ୍କୁ ପୁଅ ବୋହୂଙ୍କ ପାଖକୁ ଯିବାପାଇଁ ଇସାରା ଦେଲା।ଶେଷରେ ସେ ଯିବାପାଇଁ ରାଜି ହେଲେ।ଯିବାଦିନ ସକାଳୁ ବୁଢୀ ଯେତେବେଳେ ଆମ ପାଖରୁ(ପଡୋଶୀ)ବିଦାୟ ନେବାକୁ ଆସିଲେ,ଲୁହ ଡବ ଡବ ଆଖି ଛଳ ଛଳ କରି କହିଲେ “ବଞ୍ଚିଥିଲେ ଦେଖା ହବରେ ବାପା।ଯାଉଚି ଯେତେବେଳେ ,ସହଜେ କଣ ପୁଅ ମତେ ଏଇନେ ଛାଡିବ?”ମୁଁ କହିଲି ବୋହୂ ରାନ୍ଧଣା ଖାଇ ମୋଟା ସୋଟା ହୋଇ ଶୀଘ୍ର ଫେରିଆସ।ଆମେ ଅନେଇ ରହିଲୁ।”
×××××          ××××××××                 ××××××
ଚାରିମାସ ପରେ ସୁନୀତି ଦେବୀ ଏବେ ଫେରିଛନ୍ତି।ଯେମିତି କି ସେମିତି ଆଖି ଛଳ ଛଳ।ବୋହୂ ନାଁ’ରେ ଫର୍ଦ ଫର୍ଦ ଅଭିଯୋଗ।
——ଜାତି ଧର୍ମ ନେଲା,କନ୍ଧୁଣୀ ହାତରେ ରାନ୍ଧି ଖୁଆଇଲା,ଛତୁ ଖୁଆଇଲା,ସଜନା ସାଗ ଓ ସଜନା ଛୁଇଁ ଖୁଆଇଲା।ପିଆଜ ରସୁଣ ମାନିଲାନି।ଅଭିଯୋଗ କଲେ କହିଲା”ତମ ପାଇଁ କଣ ଅଲଗା ରୋଷେଇ ହବ?ସେଇଥିରୁ ଖାଇଲେ ଖାଅ ନହେଲେ ନାହିଁ।”

ବୁଢୀ ଏବେ ମନସ୍ଥ କରିଛନ୍ତି,ପୁଅ ପାଖକୁ ଆଉ ଯିବେନାହିଁ।
ଏଣିକି ଗୁଡିଆ ଘରର ବୋହୂ ପାଣି ଦେଲେ ପିଉଛନ୍ତି।ଯୁକ୍ତି ହେଲା “ସେଠିତ କନ୍ଧୁଣୀ ହାତରୁ ଖାଦ୍ୟ ଖାଉଥିଲି,ଏଠି ଗୁଡିଆ ହାତରୁ ପାଣି ପିଇଲେ କ୍ଷତି କଣ?”
ଖାଇବା ବେଳେ  ଶୂଦ୍ର ଲୋକଙ୍କ ଛାଇ ପଡିଲେ ଆଜିକାଲି କିଛି ଫରକ ପଡୁନି ବୁଢୀଙ୍କର।

Click to rate this post!
[Total: 0 Average: 0]

Leave a Reply