Sunday, June 23, 2024
Uncategorized

ଅଭିମନ୍ୟୁ
……୨……
ବିବାହ ପ୍ରସ୍ତାବ
…………………
ଏକାଳେ ଦକ୍ଷିଣେ ସଂସପ୍ତକ ରଣେ ରତ ବିରାଟ ରାଜନ,
ସଙ୍ଗେ ଧରି ଛଦ୍ମବେଶୀ ଧର୍ମ,ଭୀମ,ମାଦ୍ରୀଙ୍କବେନି ନନ୍ଦନ।
ସଂସପ୍ତକ ରାଣ,ତ୍ରିଗର୍ତ୍ତ ରାଜନ ଠାରୁ ପାଇ ନିମନ୍ତ୍ରଣ,
ଉତ୍ତର ଦିଗରୁ ଦୁର୍ଯ୍ୟୋଧନ କରେ ଶଣ୍ଡୁଆସି  ଆକ୍ରମଣ।
ଭାବିଅଛି ଦୁର୍ଯ୍ୟୋଧନ ବିରାଟର ଗୋରୁପଲ ଚୋରିକରି,
ଅଜ୍ଞାତବାସରେ ଥିବା ପାଣ୍ଡବଙ୍କୁ ଝିଙ୍କିବ ସେ ଚୁଟିଧରି।
ବିଚାରଇ ଦୁଷ୍ଟ,’ହେବେ ଯେବେ ଦୃଷ୍ଟ ପାଣ୍ଡବେ ନିସ୍ତାର ନାହିଁ,
ଆଉ ବାରବର୍ଷ,ଯିବେ ବନବାସ ନିଷ୍କଣ୍ଟକ ହେବି ମୁହିଁ।’

ଗଣନାରେ ତାର,ଅଜ୍ଞାତବାସର ବାକି ଅଛି କିଛିଦିନ,
“ହୋଇଛି ତା ଶେଷ,ଦେଖ ଚାନ୍ଦ୍ରବର୍ଷ,”ବୋଇଲେ ଗଙ୍ଗାନନ୍ଦନ।
ପ୍ରକାଶେ ବିରକ୍ତି,ପିତାମହ ଯୁକ୍ତି ଶୁଣି ଗାନ୍ଧାରୀ କୁମର,”
ତୁମ୍ଭେ ଅନୁରକ୍ତ,ପାଣ୍ଡବେ ବହୁତ” ବୋଲି କରେ ତିରଷ୍କାର।

ମତ୍ତ ଦନ୍ତାହସ୍ତୀ, କଦଳି ବନକୁ କରେ ଯଥା ଛାରଖାର,
ଅର୍ଜୁନ ହସ୍ତରେ କୁରୁ ରମ୍ଭାବନ ଦଶା ହେଲା ସେ ପ୍ରକାର।
ଗୋ ହରଣ ସାଜି ଗ୍ରହଣ ସତେକି ଆସିଛି କୌରବ ପାଇଁ, ବୃହନ୍ନଳାରୂପୀ ଅର୍ଜୁନ ଶାୟକେ ରକ୍ତାପ୍ଲୁତ ଯୁଦ୍ଧ ଭୂଇଁ।
ମାଡିଆସେ ଘୋର ଅନ୍ଧକାର, ପ୍ରତୀଚୀରେ ରବି ବୁଡିଲେଣି,
କୌରବ ଗୌରବ ରବି ବୁଡେ ଭାବି ଦୁର୍ଯ୍ୟୋଧନ ହୁଏ ଝୁଣି।

କିଛିକ୍ଷଣ ପୂର୍ବେ,ବୃହନ୍ନଳା ନାମେ କିନ୍ନରର ଦେଖି ବେଣୀ,
ଅଟ୍ଟହାସ କରି ଉତ୍ତରକୁ କହୁଥିଲେ କୌରବ ବାହିନୀ,
“ରେ ମୂଢ ବାଳକ,ତୋ ରଥ ଚାଳକ ନାରୀଏ ଆଣିଛୁ କାହିଁ?
ଶୀଘ୍ର ପଳା ପଳା,ରେ ବିରାଟ ବଳା ପୈତୃକ ପ୍ରାଣକୁ ନେଇ।
ରଣକ୍ଷେତ୍ର ଛାଡି,ଧାଇଁଲା ବାହୁଡି ଭୟେ ଉତ୍ତର କୁମାର,
ପଛରେ ତାହାର ଧାଇଁଥିଲା ବୃହନ୍ନଳା ହୋଇ ତର ତର।
ତହୁଁ ଫେରିଆସି,କି ଘୋର ଆହବ ଲଗାଇଛି ସେହି ନାରୀ !
ଅଗ୍ନିଗୋଳା ପଡେ ଆକାଶୁ ଯେସନେ ଇନ୍ଦ୍ର ବଜ୍ରପାତ ପରି।
ମରଣ ଯନ୍ତାକୁ, ଶରଣ ମାଗିଣ କେ ବା ରକ୍ଷା ପାଇପାରେ?
କାଳରୂପୀ ଧନଞ୍ଜୟ ବାଣେ ତୁଳାପରି ଉଡିଗଲେ ବୀରେ।

“ଅର୍ଜୁନ ତ ଇଏ,ଅନ୍ୟକେହି ନୁହେ “ବୋଲି ଗର୍ଜେ ଦୁର୍ଯ୍ୟୋଧନ
“ଯିବେ ବନବାସ,ଆଉ ବାରବର୍ଷ ହୋଇନି ଅଜ୍ଞାତ ପୂର୍ଣ୍ଣ।”
ଛତ୍ରଭଙ୍ଗ ଦେଲେ କୌରବ ସଇନ କାଳାନ୍ତକ ଆସେ ମାଡି,
ଚେତାଶୂନ୍ୟହୋଇ ପଡିଲେ ଭୁଇଁରେ ସମ୍ମୋହନ ବାଣେ ପଡି।
ଗାଙ୍ଗେୟଙ୍କୁ ଛାଡି ସମସ୍ତେ ଘୁଙ୍ଗୁଡି ମାରୁଥିଲେ ରଣକ୍ଷେତ୍ରେ,
ବୋଇଲେ ଗାଙ୍ଗେୟ,”ପାର୍ଥ ଫେରିଯାଅ ମାରନାହିଁ କୁରୁ ସୁତୋ
ପ୍ରୟାସ କରିବି ଫେରାଇବାପାଇଁ ଧର୍ମପୁତ୍ରେ ହୃତ ରାଜ୍ୟ,
ହେଲା ଦୁଃଖ ଅନ୍ତ,ଫେରିଆସ ପୁତ୍ର ଭୋଗ ଅଖଣ୍ଡ ସାମ୍ରାଜ୍ୟ।”

କୁରୁଙ୍କୁ ହରାଇ,ଗୋରୁଙ୍କୁ ଅଡାଇ ଫେରିଲେ ବୀର ଅର୍ଜୁନ,
ତେଣେ ପଣ୍ଡୁ ଚାରିଭାଇ ଫେରୁଥିଲେ ଜିଣି ସଂସପ୍ତକ ରଣ।
ଜାଣିଲେ ତକ୍ଷଣ,ବିରାଟ ରାଜନ ପାଣ୍ଡବଙ୍କ ପରିଚୟ,
ମହା ମନସ୍ତାପେ ମତ୍ସ୍ୟ ନରପତି ହେଲେ ବଡ ଅନୁନୟ।
“ଅପରାଧ ମୋର ହୋଇଥିବ ଘୋର ଆଚାର ବ୍ୟବହାରରେ,
ବିଶାଳ ହୃଦୟ,ଧର୍ମ ମହାଶୟ କ୍ଷମ ଉଦାର ହୃଦରେ।
ଉତ୍ତରାକୁ ମୋର କରିବେ ଗ୍ରହଣ ଯେବେ ବୀର ଧନଞ୍ଜୟ,
ବନ୍ଧୁତ୍ବ ଡୋରରେ ବାନ୍ଧି ହୋଇଯିବ ତୁମ୍ଭ ଆମ୍ଭର ହୃଦୟ।”
ତା ଶୁଣି ଅର୍ଜୁନ,ବୋଇଲେ ତକ୍ଷଣ,ମୁଁ ଯେ ଗୁରୁ ଉତ୍ତରାର,
ପୁତ୍ରୀ ତାକୁ ମଣେ,କିପରି ଗ୍ରହଣେ ସମ୍ମତି ଦେବି ମୋହର?
ଦେଖିନାହିଁ କେବେ କନ୍ୟା ବ୍ୟତିରକେ ତାହାକୁ ଅନ୍ୟ ଦୃଷ୍ଟିରେ
ସେହି ସ୍ନେହଭାବ,ସର୍ବଦା ରହିବ ବଧୂହେଲେ ସେ ମୋ ଘରେ।
ଅଭିମନ୍ୟୁ ମୋର ସୁଯୋଗ୍ୟ କୁମର ହେବ ସୁଯୋଗ୍ୟ ଜାମାତା,
ସ୍ବର୍ଣ୍ଣାକ୍ଷରେ ଲେଖାହେବ ବନ୍ଧୁତ୍ବର ପାଣ୍ଡବ-ବିରାଟ ଗାଥା।”
ଅର୍ଜୁନଙ୍କ ଦୃଷ୍ଟି, ପଢି ସୁଧାବୃଷ୍ଟି ହେଲା ବିରାଟ ମନରେ,
ବୋଇଲେ”ମୋକନ୍ୟା,ହେବସିନାଧନ୍ୟା ବଧୂସାଜି ତୁମ୍ଭଘରେ।

ବଖାଣିଲେ ପାର୍ଥ,କିପରି ଅନର୍ଥ କରିପାରେ କୁରୁରାଣ,
ପୂର୍ଣ୍ଣ ହୋଇନାହିଁ ଅଜ୍ଞାତ ବାସ ସେ ବୋଲି କରୁଛି ଗଣନ।
ବାଉନ ଭାରର ଗଦା ଉଚ୍ଚେ ତୋଳି ଗର୍ଜେ ଭୀମ ମହାବଳୀ,
“ବନବାସ ପ୍ରଶ୍ନ ଉଠାଇବେ ଯେବେ କୁରୁରାଜ୍ୟ ଦେବି ଜାଳି”।
ଯାଜ୍ଞସେନୀ ମନ,ହୋଇଲା ପ୍ରସନ୍ନ ଯୁଦ୍ଧ ସମ୍ଭାବନା ଜାଣି,
ନହୋଇଲେ ରଣ,ହେବକି ବନ୍ଧନ ଦୁଃଶା ରକ୍ତେ ମୁକ୍ତ ବେଣୀ?

କ୍ରମଶଃ………..

Click to rate this post!
[Total: 0 Average: 0]

Leave a Reply