Saturday, July 27, 2024
Other Poems

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ(୧୭)

  • HiAn article by kulamani sarangi on Gadadhara Singsamanta,illustrious son of an illustrious father Samanta Chandrasekhar
    Email:—kulamanisarangi@gmail.com

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ (17)
———————————————
ସମସ୍ତ କଳାପ୍ରେମୀ ବଂଧୁମାନଙ୍କୁ ମୋର ସାରସ୍ୱତ ପ୍ରଣାମ।ସବୁଦିନ ତ ଅସଂଖ୍ୟ ସାରସ୍ୱତ ସୃଷ୍ଟି ମୁଖପୁସ୍ତକରେ ଆପଣମାନେ ପଢୁଛନ୍ତି ।ଆଜି ଆସନ୍ତୁ ଜଣେ ମହାନ୍ ସାରସ୍ୱତ ସାଧକ ‘ବାଣୀପୁତ୍ର’ ଗଦାଧର ସିଂହ ସାମନ୍ତଙ୍କୁ ମନେ ପକାଇବା।ସେ ମହାଶୟ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖରଙ୍କର ମଧ୍ୟମ ପୁତ୍ର ଥିଲେ।1877 ମସିହାରେ ତାଙ୍କର ଜନ୍ମ ଏବଂ 1964 ମସିହାରେ ସେ ପରଲୋକ ପ୍ରାପ୍ତ ହୋଇଥିଲେ। ଏହି ମହାନ କବି ଓଡିଆ ସାହିତ୍ୟର ଆଧୁନିକ ଯୁଗ,ସତ୍ୟବାଦୀ ଯୁଗ ଏବଂ ସବୁଜ ଯୁଗ ଦେଇ ଗତି କରିଥିଲେ ମଧ୍ୟ ରୀତି ଯୁଗୀୟ ଏବଂ ଭଂଜ ଯୁଗୀୟ ସାହିତ୍ୟ ସୃଷ୍ଟିରେ ପାରଙ୍ଗମ ଥିଲେ।ଓଡିଶାର ପ୍ରସିଦ୍ଧ ଲୋକକଳା ‘ଢୁମ୍ପା’ ସଂଗୀତର ପୃଷ୍ଠପୋଷକ ଏବଂ ଲେଖକ ହୋଇଥିବାରୁ ବୋଧହୁଏ ତାଙ୍କର ଏହି ଗୁଣଟି ବିକଶିତ ହୋଇଥିଲା।ତାଙ୍କର ଅଧିକାଂଶ ରଚନା ରାଧା-କୃଷ୍ଣ ପ୍ରେମ ରସାମୃତରେ ସିକ୍ତ।ବିରହବିଧୂର କୃଷ୍ଣଙ୍କର ପ୍ରିୟତମା ରାଧାଙ୍କ ପାଖରେ ଏହି ପ୍ରେମ ନିବେଦନଟି ଆଃ କି ଅନନ୍ୟ !!

କୃଷ୍ଣ ପ୍ରାଣସମା ପ୍ରିୟତମା ରାଧାଙ୍କୁ କହୁଛନ୍ତି: –

“ସରି ହେବିକିରେ ତୋତେ ଜୀବଧନ !
ଭୂପାଳ ଜେମା ତୁ ମୁହିଁ ଗୋପାଳ ନନ୍ଦନ।ପଦ।

ତୋ ତନୁ ହେମ ମଞ୍ଜୁଳା, ମୋ ଅଙ୍ଗ ଅଙ୍ଗାର କଳା,
ତୁ ରତ୍ନ ଲଲାମା ମୁହିଁ ଶିଖଣ୍ଡ ମଣ୍ଡନ।1।

ତୋ କଣ୍ଠରେ ମୋତିହାର, ଗୁଞ୍ଜାମାଳି ମୋର ସାର,
ତୁ ସଉଧରେ ବିଳସୁ ମୁଁ  ବୁଲଇ ବନ।2।

ତୋ ହୃଦୟେ ସୁମନସ, ମଣ୍ଡିତ ହରଙ୍କ ବାସ
ମୋ ହୃଦେ କରେ ସଦନ ଚଣ୍ଡାଳ ମଦନ।3।

ତୁ ଚନ୍ଦ୍ର ଚନ୍ଦନ ଗୋଳି, ଶ୍ରୀଅଙ୍ଗେ ହେଉଛୁ ବୋଳି
ମୁହିଁ ଗେରୁ ଚିତ୍ରେ ସାଜିଅଛି ଅପଘନ।4।

ତୁ ବାଣୀ ପରିବାଦିନୀ, ବାଦନରେ ବିନୋଦିନୀ
ମୁହିଁ ଖଣ୍ଡେ ବେଣୁ ଫୁଙ୍କି କରାଉଛି ସ୍ୱନ।5।

ସ୍ତନ,ନିତମ୍ବ କବରୀ ଭୂଷାଭାର ଅଛୁ ଧରି
ଛାର ମାର ଭାର ଧାରଣରେ ମୁଁ  ଉଚ୍ଛନ୍ନ।6।

ଧୀରା ବିଭୂଷଣବତୀ, ସଖୀ ତୋତେ ଖଟିଛନ୍ତି
ମୋତେ ଭଜେ ଗଦାଧର ମୂଢ ଅକିଂଚନ।7।
——————————————————————–
ଟୀକା:-
ସରି–ସମାନ,ଭୂପାଳ ଜେମା–ବୃଷଭାନୁ ଜେମା,ହେମ ମଞ୍ଜୁଳା–ସୁନାପରି ମନୋହର,ରତ୍ନଲଲାମା–ରତ୍ନାଳଙ୍କାର ବିଭୂଷିତା,ଶିଖଣ୍ଡ ମଣ୍ଡନ—ମୟୂରପୁଚ୍ଛରେ ମଣ୍ଡିତ,ତୋହୃଦୟେ ସୁମନସ—ତୋ ହୃଦୟ ଶମ୍ଭୂ(କୁଚ ଯୁଗଳ) ଫୁଲରେ ମଣ୍ଡିତ,
ବାଣୀ ପରିବାଦିନୀ–ସପ୍ତ ତନ୍ତ୍ରୀଯୁକ୍ତ ବୀଣା,ବିଭୂଷଣବତୀ–ଅଳଙ୍କାରରେ ବିମଣ୍ଡିତା।
——————————————————————–
ରସ ମଞ୍ଜୁଳା ପ୍ରିୟତମା ଶ୍ରୀରାଧାଙ୍କ ଆଗରେ ବିରହ ବିଧୂର କାହ୍ନାଙ୍କର ଏଭଳି ସମର୍ପଣାତ୍ମକ ପ୍ରୀତିନିବେଦନ, ସ୍ୱର୍ଗୀୟ ପ୍ରେମର ନିଦର୍ଶନ ।
__________________________________________

Click to rate this post!
[Total: 0 Average: 0]

Leave a Reply