Wednesday, February 28, 2024
Uncategorized

ସ୍ବୟମ୍ବର.
….୩୨….
(ଆୟୋଜନ)
***********
ପ୍ରଭାତ ପୂର୍ବରୁ କୃଷ୍ଣା ଘେନି ସଖୀଶ୍ରେଣୀ,
ଗଙ୍ଗା ସ୍ନାନେ ପହଞ୍ଚିଲେ ଦ୍ରୁପଦ ନନ୍ଦିନୀ।
ଶୀତଳ ଗଙ୍ଗାଜଳରେ ସ୍ନାନ କରି ଜେମା,
ସଦ୍ୟ ପୁଷ୍ପ ପରି ଦେଖାଗଲେ ମନୋରମା।
ବିନ୍ଦୁ ବିନ୍ଦୁ ଜଳ ଯାଏ କୁନ୍ତଳରୁ ଝରି,
ଝିନ୍ନ ବସ୍ତ୍ର ରହିଛି ବକ୍ଷରେ ଜଡି କରି।
ସୀଲହଟ୍ ପରଦାରେ ଛାୟାମୂର୍ତ୍ତି ପରି,
ଅନୁପମ ଦେଖାଗଲେ ପାଞ୍ଚାଳୀ ସୁନ୍ଦରୀ।
ସଖୀଗଣ ସଙ୍ଗେ ଗଙ୍ଗାତଟ ଛାଡି ଜେମା,
ପୁରେ ପହଞ୍ଚିଲେ ଶୃଙ୍ଗାର ପାଇଁକି ବାମା।
ହରିଦ୍ରା,ଚନ୍ଦନ,ପୁଷ୍ପ ମିଶ୍ରିତ ଜଳରେ,
ସ୍ନାନକଲେ ଯାଜ୍ଞସେନୀ ପୁଣି ଆଉଥରେ।
ହଳଦି ସଙ୍ଗେ କସ୍ତୁରୀ,କୁଙ୍କୁମକୁ ଗୋଳି,
ସଖୀଗଣ ରାଜଜେମା ଦେହେ ଦେଇ ବୋଳି।
ଚନ୍ଦନ ପରିପାଟୀରେ ଲଲାଟ ସଜାଇ,
ନାନାବିଧ ଅଳଙ୍କାର ଦିଅନ୍ତି ପିନ୍ଧାଇ।
କଟିରେ ସୁନାମେଖଳା ପାଉଁଜି ପାଦରେ,
କାନେ ସୁନାଫୁଲ,ସ୍ବର୍ଣ୍ଣହାର ଯେ ଗଳାରେ।
ମଥାରେ ସୁନାର ମଥାମଣି ଝଲକଇ,
ଦୁଇ ହାତେ ବାଜୁବନ୍ଧ କି ଶୋଭା ଦିଶଇ!
ଆନିତମ୍ବ କୃଷ୍ଣବେଣୀ ସଜ୍ଜା ମୋତି ମାଳେ,
ମଲ୍ଲୀମାଳ ଖଞ୍ଜିଦେଲେ ଜେମାଙ୍କ କୁନ୍ତଳେ।

ମଙ୍ଖଳ ସଂଗୀତ ଗାଉଥିଲେ ସଖୀଗଣ,
ଅପୂର୍ବ ଆନନ୍ଦେ ଉଲ୍ଲସିତ ଜେମାମନ।
ପୁଲକିତ ହୋଇ ସଖୀ ଚାଟୁ ବଚନରେ,
ଆନତ ବଦନେ ହସୁଥିଲେ ଧୀରେ ଧୀରେ।
ସୁବର୍ଣ୍ଣଜରି ଖଚିତ ରଙ୍ଗ ପାଟ୍ଟଶାଢୀ,
ପିନ୍ଧାଇଲେ ସଖୀଗଣ ଜେମାଙ୍କୁ ସଜାଡି।
ସୁନlର କ୍ଷୁଦ୍ର ମୁକୁଟ ମଥାରେ ଥlପିଲେ,
ଖଞ୍ଜାଥିଲା କେତେ ମଣି,ମାଣିକ୍ୟ ତହିଁରେ।
ଅପୂର୍ବ ଲାବଣ୍ୟଭରା ଦିଶେ ତନୁ ଶୋଭା,
ସଦ୍ୟ ସ୍ବର୍ଗୁ ଅପସରା ଓହ୍ଲାଇଛି ଅବା!

ରାଜପୁରୋହିତ ସଙ୍ଗେ ସଖୀ ଗହଣରେ,
ଯଜ୍ଞଶାଳାକୁ କୁମାରୀ ଚଳିଲେ ସଧୀରେ।
ଯଜ୍ଞଶାଳା ମଧ୍ୟସ୍ଥଳେ ଅଗ୍ନିକୁଣ୍ଡ ଜଳେ,
ବ୍ରାହ୍ମଣେକ ବସି ତହିଁ କୁଣ୍ଡେ ଘୃତ ଢାଳେ।
ଯେଉଁ ଦିନ ଠାରୁ କୃଷ୍ଣା ଯଜ୍ଞରୁ ଜନ୍ମିଲେ,
ସେହି ଦିବସୁଁ ସତତ କୁଣ୍ଡେ ଅଗ୍ନି ଜଳେ।
ପାଞ୍ଚାଳ କୁଳଦେବତା ଏହି ହୁତାସନ,
ତେଣୁ ସଦା ପୂଜୁଥାନ୍ତି ତାଙ୍କୁ ଯାଜ୍ଞସେନ।
ଯଜ୍ଞକୁଣ୍ଡରୁ ଉତ୍ପନ୍ନ ହୁଏ ଯେଉଁ ବାୟୁ,
ବୃଦ୍ଧିକରେ ପ୍ରଜାଙ୍କର ଧନ,ଯଶ,ଆୟୁ।
ସେ କୁଣ୍ଡକୁ ପରିକ୍ରମା କରି ଯାଜ୍ଞସେନୀ,
ଅଗ୍ନିଙ୍କୁ ପ୍ରଣାମ କଲେ ଦ୍ରୁପଦ ନନ୍ଦିନୀ।

ପୁର ନାରୀ ଗାଉଥିଲେ ମଙ୍ଗଳ ସଂଗୀତ,
ଉଚ୍ଚେ ବେଦପାଠ କରୁଥିଲେ ପୁରୋହିତ।
ସଖୀଶ୍ରେଣୀ ଗହଣରେ କୃଷ୍ଣାଯାଜ୍ଞସେନୀ,
ସ୍ବୟମ୍ବର ମଣ୍ଡପକୁ ଉଠିଲେ ମାନିନୀ।
ବାଜିଉଠେ ଘଣ୍ଟ,ଭେରୀ,ଶଙ୍ଖ,ଶିଙ୍ଗାମାନ,
କୃଷ୍ଣାଙ୍କ ନିକଟେ ପହଞ୍ଚିଲେ ଧୃଷ୍ଟଦ୍ୟୁମ୍ନ।
ଗୁରୁ ସନ୍ଦିପନୀ,ଶ୍ବେତକେତୁ ପହଞ୍ଚିଲେ,
ସହଜେ ତ ଗର୍ଗାଚାର୍ଯ୍ୟ ଆଗୁଁ ଆସିଥିଲେ।
ସର୍ବେ ମିଳି ପହଞ୍ଚିଲେ ମଙ୍ଗଳ ବେଦୀରେ,
ଅଗ୍ନିକୁଣ୍ଡ ଜଳୁଥିଲା ବେଦୀକା ମଧ୍ୟରେ।
ଚତୁର୍ପାର୍ଶ୍ବେ ବେଦପାଠ କରନ୍ତି ବ୍ରାହ୍ମଣ,
ଚକ୍ରାକାରେ ପଡିଅଛି ସିଂହାସନ ମାନ।
ମଧ୍ୟଭାଗେ ବସିଛନ୍ତି ଦ୍ରୁପଦ ନରେନ୍ଦ୍ର,
ଦକ୍ଷିଣ ପାର୍ଶ୍ବରେ ବସିଛନ୍ତି ରୃଷିବୃନ୍ଦ।
ବାମ ପାର୍ଶ୍ବେ ରାଜ ନବରର ଅନ୍ତେବାସୀ,
ବିପରିତ ଭାଗେ ସବୁ ରାଜା ଛନ୍ତି ବସି।

ବେଦୀକାର ପୂର୍ବଦିଗ ଆହା କେଡେ ଶୋଭା,
ଥୁଆ ହୋଇଛି ଅପୂର୍ବ ଧନୁ ମନଲୋଭା।
ଧନୁ ପାଶେ ରହିଅଛି ପାଞ୍ଚଗୋଟି ଶର,
ସୂର୍ଯ୍ୟକର ସ୍ପର୍ଶେ ଝଲକଇ କାନ୍ତି ତାର।
କୁଶଶଜ୍ୟା ପରେ ଧନୁ ଦିଶେ ଶୋଭାବନ୍ତ,
ସତେକି ଶୟନ କରି ଅଛନ୍ତି ଅନନ୍ତ !
ପୁଷ୍ପ,ଚନ୍ଦନ,ସିନ୍ଦୁର ଦେଇ ଧନୁପରେ,
ପୂଜାକଲେ ଗର୍ଗାଚାର୍ଯ୍ୟ ମହା ଭକ୍ତିଭରେ।
ଧନୁ ଅଳ୍ପଦୂରେ ସ୍ଥିତ ଏକ ଜଳକୁଣ୍ଡ,
ତା’ନିକଟେ ପୋତା ହୋଇଅଛି ଦୀର୍ଘ ଦଣ୍ଡ।
ସେ ଦଣ୍ଡର ଶୀର୍ଷଦେଶେ ଘୂରେ ରାଧାଚକ୍ର,
ତା ଉପରେ ବନ୍ଧା ହୋଇଅଛି ମୀନ ଏକ।
ସେ ମୀନର ପ୍ରତିବିମ୍ବ ପଡିଛି କୁଣ୍ଡରେ,
ତଳେ ଘୂରେ ରାଧାଚକ୍ର ପ୍ରତି ମୁହୁର୍ତ୍ତରେ।
ସେ ଚକ୍ରରେ ଅଛି ରନ୍ଧ୍ର ଗୋଟିଏ ମାତର,
କୁଣ୍ଡଜଳେ ପ୍ରତିବିମ୍ବ ପଡିଅଛି ତାର।
ଦେଖି କୁଣ୍ଡଜଳେ ସ୍ବର୍ଣ୍ଣ ମତ୍ସ୍ୟ ପ୍ରତିବିମ୍ବ,
ଯେଉଁ ବୀର ତୀରେ ଚକ୍ଷୁ ବିଦ୍ଧ ତା କରିବ,।
ତାକୁ ବରମାଲ୍ୟ ଦେବେ ଦ୍ରୌପଦୀ ସୁନ୍ଦରୀ,
ସ୍ପର୍ଦ୍ଧାର ନିୟମ ରହିଥିଲା ଏହିପରି।

ଧନୁ ପାଶେ ମଥା ନୋଇଁ ପାଞ୍ଚାଳ ଦୁଲ୍ଲଣୀ
ଗୁରୁଙ୍କର ପାଦପୂଜା କଲେ ଯାଜ୍ଞସେନୀ।
ପିତାଙ୍କର ଆଶୀର୍ବାଦ ନେଲେ ପାଦଛୁଇଁ,
ନମିଲେ ଯଜ ରୃଷିଙ୍କୁ ପାଦେ ମଥା ଥୋଇ।
ଧୃଷ୍ଟଦ୍ୟୁମ୍ନ ସଙ୍ଗେ ଆସି ବେଦୀକା ପାଶକୁ,
ଲଜ୍ୟାବନତ ବଦନେ ଚାହିଁଲେ ସଭାକୁ।
ଏ ସମୟେ ଯଜ ଆସି ପହଞ୍ଚି ବେଦୀରେ,
କୁଙ୍କୁମ ଲଗାଇଦେଲେ ପାଞ୍ଚାଳୀ ମଥାରେ।
ଲମ୍ବାଇଲେ ଫୁଲମାଳା ରାଜଜେମା ଗଳେ,
ପରିଣୟ ଯୋଗ୍ୟା ହୋଇ କୃଷ୍ଣା ଉଭାହେଲେ।
କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply