Sunday, April 28, 2024
Uncategorized

ପଲ୍ଲୀଗୀତ- 5
  ଯେମିତି ନୁହାକୁ ସେମିତି ପାଣି
***********************

— ଢଅପ ଢିମ୍ପିରି ଆଲୋ ସୁନାଗୋରୀ, ଚାଲୁ ଅଣ୍ଟା ନଚକେଇ,
    ଚେଏନ ଦବ ତୋ ବୋପା କହିଥେଲା, ଆଉ ନାଁ ଧରୁନେଇଁ।

— ଦାରୁଗା ଅଛି ମୋ ଦଦାପୁଅ ଯୋଗୀ,ରଖିଚି ନୁହା ଚେଏନ,
    ଦଉଚି ଖବର ଠୁଙ୍କିଦବ ତେତେ ହାଜତରେ ଦି’ଦିନ।

— ଦାରୁଗାକୁ କିଏ ଡରିଚି ଲୋ ମୁଁ କଂସାରୀ  ଘରର ପାରା।
     କୁଲା ଢାଉଁ ଢାଉଁ  କରୁଚୁ କେତେ,ମୁଁ  ଜିହଲ ଯାଇଚି ପରା।

— ଫଟଫଟିଆ ତୁ ମାଗିଥେଲୁ ପୁଣି ମାଗିଥେଲୁ କାନ୍ଥ ଟିବି,
    ମାଛମାରି ହାତ କେନ୍ଦା ତୋର ,ପୁଣି କିଲିଟରିଆ ସାହେବୀ !

— ମୋ ଜାଲରେ କେତେ ରୋହୀପଡିଥାନ୍ତେ,ପଡିଲୁକଙ୍କଡାତୁହି,
  ରଙ୍ଗଦେଖି ତୋର ଭଳିଗଲି,ଆଲୋ ତେମ୍ପେଡୀ ନେଉଳମୁହୀଁ।

— କାଳିଆଭୂଆ ତୁ ଭୂଷୁଣ୍ଡା କୁଆ ରେ,ଲେଧେକା ଗେଡା ବାନ୍ଦର
  ତୋ ଦିହରେ ନାଗି ଗୋରା ଦିହମୋର ହେଲାଣି ତ ନାରଖାର।

— ବୋପା ପାଖକୁ ତୋ ଖବର ପଠାଲୋ,ଆଣିବ ସୁନା ଚେଏନ
  ନ ଆଣି ପାରିଲେ ଛାଡୁରୀ ହେଇ ତୋ ବାପଘରେ ଯିବ ଦିନ।

— କେତେ ଡରଉଚୁ ବାପ ଗାଁ, ସେଠି ଅଛି ମୋ ଜିତୁନୁ ଭାଇ,
  ଆଇନି ପଢିଚି ଦି’ଦିନରେ ନାଲି କୋଠା ଦବ ସେ ଦେଖେଇ।

Click to rate this post!
[Total: 0 Average: 0]

Leave a Reply