Saturday, April 27, 2024
Uncategorized

ଏ କାନଭାସର ସେ ପାରିରେ ଅଛି
ଯେଉଁ ଅଜଣା ଇଲାକା,
ସମୟ ଆସିଛି ଯିବାପାଇଁ ହେବ
ସାଥୀ ମତେ ଏକା ଏକା,
ଏ ତ ଦୁନିଆଁ ର ଖେଳ,
ଭୁଲିଯିବନାହିଁ ଦୁନିଆଁ ଦାଣ୍ଡରେ ହୋଇଥିଲା ଦିନେ ମେଳ।।

ଭୁଲିଯିବ ସବୁ ଭାବ ପ୍ରବଣତା
ଭୁଲିଯିବ ସ୍ବପ୍ନ ଦିନ,
ଭୁଲିଯିବ ସାଥୀ ଚାନ୍ଦିନୀ ରାତିର
ରୂପା ଜହ୍ନର ସେ ସ୍ନାନ
ଏତ ଦୁନିଆର ରୀତି,
ଜୋଛନା ଭିଜା ଏ ବନାନିରେ ଦିନେ ଆସିଥାଏ କାଳରାତ୍ରି।।

ସମସ୍ତେ ଗଢନ୍ତି ସାଗର ବେଳାରେ
ସପନର ବାଲିଘର,
କିଏବା ନଜାଣେ ଧୋଇଦେବ ଦିନେ
ତାକୁ ସମୟ ସାଗର,
ଏତ ଜୀବନର ନାମ,
ଗୁଡ଼କଙ୍କ ପଛେ ଧାଇଁ ଧାଇଁ ପୂର୍ଣ୍ଣ ହେଲାଣି କି ମନସ୍କାମ ?

ଯାହା ବା ଉପଳ ଧରିଛ କାନିରେ
ଫିଙ୍ଗିଦେବ ସାଗରକୁ,
ନେଇନାହିଁ କେହି ଜୀବନେ ସଂଗ୍ରହ
ଯାହାବା କରିଛି ତାକୁ,
କି ଲାଭ ସାଉଁଟି ଧରି !
ସବୁ ଲୋଭ ମୋହ ଆପେ ଚାଲିଯିବ ହୋଇଲେ ଶୂନ୍ୟ ପଞ୍ଜୁରୀ।

ସ୍ନେହ ପ୍ରେମ ଶ୍ରଦ୍ଧା ଅରଜିଛ ତାହା
ଉପଲଭ୍ଧି ଏ ସଂସାରେ,
କାମ କରିଥିଲେ ନାମ ରହିଥିବ,
ଜନମରୁ ଜନ୍ମାନ୍ତରେ
ସାଥୀ ରଖିଥିବ ମନେ,
କେହି କାହା କର୍ମୁ ଭାଗ ନିଏନାହିଁ ଗଲାବେଳେ ଏ ଜୀବନେ।।

ସେ ଶୂନ୍ୟ ଇଲକା କୋଳାହଳ ଠାରୁ
ରହିଛି ଅନେକ ଦୂର,
ନାହିଁ ସେଠି କିଛି ସଂସାର ଜଞ୍ଜାଳ
ତେଲ ଲୁଣର ସଂସାର,
ଓଁକାର ସେଠାରେ ମନ୍ତ୍ର,
ସେହି ମନ୍ତ୍ର ଗାଇ ଅପେକ୍ଷାରେ ଥିବି ତୁମେ ଫେରିବା ପର୍ଯ୍ୟନ୍ତ।।

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply