Monday, April 29, 2024
Uncategorized

ସ୍ବୟମ୍ବର
….୧୨….
ଦ୍ରୌପଦୀଙ୍କ ବିବାହ ନେଇ ଆଲୋଚନା
*****************************************
ଗୁରୁ ସନ୍ଦିପନୀ ପାଶେ ବାର୍ତ୍ତା ପଠିଆଇ,
ଡକାଇଲେ ଯାଜ୍ଞସେନ ଆଲୋଚନା ପାଇଁ।
ଯୋଗକୁ ସେହି ସମୟେ ପାଞ୍ଚାଳ ଦେଶରେ,
ଆସିଥିଲେ ସନ୍ଦିପନୀ ଶିଷ୍ୟ ଗହଣରେ।
ଅବନ୍ତିରେ ଅଛି ତାଙ୍କ ଦିବ୍ୟ ଗୁରୁକୁଳ,
ଶାସ୍ତ୍ର,ଶସ୍ତ୍ର ଶିକ୍ଷାର ସେ ଅଟେ କେନ୍ଦ୍ରସ୍ଥଳ।
ନାନା ଦେଶୁ ରାଜପୁତ୍ର ଆବର ବ୍ରାହ୍ମଣ,
ଆସିଥାନ୍ତି କରିବାକୁ ଜ୍ଞାନ ଆହରଣ।
କୃଷ୍ଣ,ବଳରାମ ସେହି ଆଶ୍ରମରେ ରହି,
ବିଦ୍ୟା ଶିକ୍ଷା କରିଥିଲେ ମଥୁରାରୁ ଯାଇ।
କୃଷ୍ଣଙ୍କର ଅଲୌକିକ ପ୍ରତିଭାକୁ ଘେନି,
ଶତମୁଖ ହେଉଥିଲେ ଗୁରୁ ସନ୍ଦିପନୀ।
ଦ୍ରୁପଦଙ୍କ ଆମନ୍ତ୍ରଣ ପାଇ ମୁନିଶ୍ରେଷ୍ଠ,
ପାଞ୍ଚାଳ ରାଜ ପ୍ରାସାଦେ ହୋଇଲେ ପ୍ରବିଷ୍ଟ।

ଗୁରୁଙ୍କ ଦର୍ଶନ ପାଇ ପାଞ୍ଚାଳ ରାଜନ,
କୃତ୍ୟ କୃତ୍ୟ ହେଲେ ରାଜା ଦେଇ ଦିବ୍ୟାସନ।
ରତ୍ନ ଝରିରେ ଆଣିଣ ସୁବାସିତ ନୀର,
କୃଷ୍ଣା ଧୋଇଦେଲେ ପାଦ ସନ୍ଦିପନୀଙ୍କର।
ପଚାରିଲେ ଗୁରୁକୁଳ ସକଳ କୁଶଳ,
ଅବନ୍ତିର ଅନାମେୟ ପୁଚ୍ଛିଲେ ପାଞ୍ଚାଳ।
ଶେଷ ହୁଅନ୍ତେ ପ୍ରାରମ୍ଭ କଥୋପକଥନ,
ସନ୍ଦର୍ଭ ସ୍ଥାପନା କଲେ ଦ୍ରୁପଦ ରାଜନ।

ବୋଇଲେ “ହେ ଗୁରୁ ତୁମ୍ଭେ ଅଛ ଅବଗତ,
କୃଷ୍ଣା ଆଜି ବିଂଶ ବର୍ଷେ ଦେଇ ଅଛି ପାଦ।
ବିବାହ ଯୋଗ୍ୟା କନ୍ୟାକୁ ଦେଇ ଯୋଗ୍ୟ ବର,
କର୍ତ୍ତବ୍ୟ ସମ୍ପାଦନ ମୁଁ କରିବି ପିତାର।
ସଦା ଧର୍ମ ପଥ ଗାମୀ ମୋ ପାଞ୍ଚାଳ ରାଜ୍ୟ,
ବାହୁଲ୍ୟ, ତା ତୁଲ୍ୟ ବନ୍ଧୁ ଚାହୁଁଛି ମୁଁ ଆଜ।
ପ୍ରସ୍ଥାବ ପଠାଇ ଅଛି ମଗଧ ଇଶ୍ବର,
ପୌତ୍ର ମେଘସନ୍ଧି ପାଇଁ କୃଷ୍ଣା ବିବାହର।
ସଦା ଅଧର୍ମ ପଥରେ ଯାଏ ଜରାସନ୍ଧ,
ସେଥିପାଇଁ ଗ୍ରହଣୀୟ ନୁହେ ସେ ସମ୍ବନ୍ଧ।
ଆପଣଙ୍କ ବହୁ ଶିଷ୍ୟ ଛନ୍ତି ଭାରତରେ,
କେଉଁ ରାଜପୁତ୍ର କୃଷ୍ଣା ଯୋଗ୍ୟ ହୋଇପାରେ?
ଦ୍ରୋଣ ନାଶ ପ୍ରତିଜ୍ଞା ମୁଁ ପୋଶିଛି ମନରେ,
ସମ୍ଭୂତା କୃଷ୍ଣା ଯଜ୍ଞରୁ ସେହି ଉଦ୍ଦେଶ୍ୟରେ।
ସେଥିପାଇଁ ଆହେ ଗୁରୁ ,ଜାମାତା ମୋହର,
ଦ୍ରୋଣଠାରୁ ବଳୀୟାନ ଉଚିତ ହେବାର।
ଧନୁ୍ର୍ବିଦ୍ୟାରେ ଯେ ଥିବ ଦ୍ରୋଣଠାରୁ ବଳି,
ତାକୁ ବିବାହ କରିବ ଯାଜ୍ଞସେନୀ ବାଳୀ।

ସ୍ମିତହସି ସନ୍ଦିପନୀ ବୋଇଲେ ରାଜନ,
ସେପରି ଥିଲା କେବଳ ପାଣ୍ଡବ ଅର୍ଜୁନ।
ଜତୁଗୃହରେ ଅର୍ଜୁନ ହୋଇଅଛି ମୃତ,
ଦ୍ରୋଣ ସମ ଧନୁର୍ଦ୍ଧର ଆଉ ନାହିଁ କେ ତ।
ବିନ୍ଦ,ଅନୁବିନ୍ଦ ରାଜପୁତ୍ର ଅବନ୍ତିର,
ଧନୁର୍ବିଦ୍ୟାରେ ସେ ଦୁହେଁ ଅତି ଧୁରନ୍ଧର।”
ଏହାଶୁଣି ବୋଇଲେ ଦ୍ରୁପଦ ନରସାଇଁ,
ଦ୍ରୋଣ ସମକକ୍ଷ ସେ କି ହେବେ ହେ ଗୋସାଇଁ?
ପୁଣି ବୋଇଲେ ଦ୍ରୁପଦ ଶୁଣିଛି ହେ ଗୁରୁ,
କେହି ଧନୁର୍ଦ୍ଧର ନାହିଁ ବାସୁଦେବ ଠାରୁ।
ସେହି ବାସୁଦେବ କୃଷ୍ଣା ପାଇଁ ଯୋଗ୍ୟ ବର।
ତୁମ୍ଭର ବିଚାର କିସ କୁହ ମୁନିବର।”

ସନ୍ଦିପନୀ ବୋଇଲେ ହେ “ସତ୍ୟ ନରସାଇଁ,
କୃଷ୍ଣ ସମ ଯୋଦ୍ଧା କେହି ତିନିପୁରେ ନାହିଁ।
ନାରାୟଣ ଅଂଶୁ ଜନ୍ମ ଦେବକୀ ନନ୍ଦନ,
ଧର୍ମ ସଂସ୍ଥାପନା ଅର୍ଥେ ତାଙ୍କ ଆଗମନ।
ସୌନ୍ଦର୍ଯ୍ୟ ଡୋରିରେ ତାଙ୍କୁ କେ ବାନ୍ଧି ନପାରେ।
ଐଶ୍ବର୍ଯ୍ୟ,କ୍ଷମତା ଠାରୁ ରହନ୍ତି ସେ ଦୂରେ।
ନିଜପାଇଁ ପ୍ରହେଳିକା ନିଜେ ଯଦୁମଣି,
ତାଙ୍କ ଚିନ୍ତାଧାରା ଭିନ୍ନ ଅନ୍ୟଠାରୁ ପୁଣି।
କେତେବେଳେ କରନ୍ତି ସେ କେଉଁପରି କାମ,
ନିଜେ ଜାଣି ନପାରନ୍ତି ଭାଇ ବଳରାମ।
ଯେଉଁଠି ଭାବନ୍ତି ସର୍ବେ କୃଷ୍ଣ ଯିବେ ହାରି,
ସେ ସବୁ କ୍ଷେତ୍ରେ ବିଜୟୀ ହୁଅନ୍ତି ଶ୍ରୀହରି।
କେ ବା ଜାଣିଥିଲା କଂସ ସମ ମହାବଳୀ,
ବାଳୁତ କୃଷ୍ଣ ଆଘାତେ ଯିବ ବୋଲି ଟଳି?
ବାରମ୍ବାର ଜରାସନ୍ଧ କଲା ଆକ୍ରମଣ,
ପ୍ରତିଥର ମଥୁରାକୁ ରଖେ ନାରାୟଣ।
ସମୁଦ୍ରମଧ୍ୟେ ଦ୍ବାରକା ପୁର ବସାଇଲେ,
ଯାଦବଙ୍କୁ ନିର୍ଭୟେ ତା ମଧ୍ୟେ ବିସ୍ଥାପିଲେ।
ଅଧର୍ମୀ ମାନଙ୍କୁ କଳେ ବଳେ କରି ଧ୍ବଂସ,
ଧର୍ମ ସ୍ଥାପନା ମାର୍ଗରେ ଛନ୍ତି ଯାଦବେଶ।
ତୁମ୍ଭ ପ୍ରତିଜ୍ଞା ପାଳନ ପଶାପାଲି ଘରେ,
ବସିବେ ନା ନାହିଁ କୃଷ୍ଣ ମୁଁ ଜାଣି ନପାରେ।
କାହାଦ୍ବାରା ନିୟଂତ୍ରିତ ନୁହନ୍ତି ମାଧବ,
ବିବାହ ସର୍ତ୍ତ କାହିଁକି ମାନିବେ ଯାଦବ?

ଜାଣେ ମୁଁ ଅବଶ୍ୟ ଆପଣଙ୍କୁ ପିତା ପରି,
ଅତି ସମ୍ମାନ ଦିଅନ୍ତି ଦ୍ବାରକା କେଶରୀ।
ଧର୍ମ ମାର୍ଗେ ଅଛ ଯେଣୁ ପାଞ୍ଚାଳ ନରେଶ,
ମିତ୍ର ଭାବ ପୋଷିଥାନ୍ତି ସଦା ଯାଦବେଶ।
ବାସୁଦେବଙ୍କର କୂଟ ନୀତି ନିୟମରେ,
ଜାଣେନା କୃଷ୍ଣା ବିବାହ ଅଛି କେଉଁଠାରେ।
ଯଦି ବିଚାରିବେ କୃଷ୍ଣ ଏ ବିବାହ କରି,
ଅର୍ଯ୍ୟାବର୍ତ୍ତେ ଭାରସାମ୍ୟ ହେବ ରକ୍ଷାକରି।
ତାହେଲେ ଅବଶ୍ୟ ଦ୍ରୌପଦୀଙ୍କୁ ବିଭାହେବେ,
କେହି ତାଙ୍କ ପଥେ ବିଘ୍ନ ରଚି ନପାରିବେ।
ଅନ୍ୟଥା ଚକ୍ରୀଙ୍କୁ ପାଇବା ତ ଅସମ୍ଭବ,
ଯାହା ଚିନ୍ତିବେ ନିଶ୍ଚୟ କରିବେ ମାଧବ।”

ସନ୍ଦିପନୀ ମୁଖୁ ଶୁଣି ଏମନ୍ତ ବିଚାର,
ହସ୍ତ ଯୋଡି କହିଲେ ପାଞ୍ଚାଳ ନରବର,
“ଗୁରୁହେ,ମୋ ମନକଥା ଜଣାଅ କୃଷ୍ଣଙ୍କୁ,
ନିମନ୍ତ୍ରଣ ଦିଅ ତାଙ୍କୁ ମୋର ପାଞ୍ଚାଳକୁ।
ଜରାସନ୍ଧ ମଥୁରାକୁ କରି ଆକ୍ରମଣ,
କରିଛି ଧ୍ବସ୍ତ ବିଧ୍ବସ୍ତ ଭଲେ ତୁମ୍ଭେ ଜାଣ।
କୃଷ୍ଣ ଯେବେ ପାଞ୍ଚାଳର ହୋଇବେ ଜାମାତା,
ମଥୁରା ପୁନର୍ଗଠନ ହେବ ଆମ୍ଭ ଚିନ୍ତା।
ପାଞ୍ଚାଳ,ଯାଦବ ମିଶି ଆର୍ଯ୍ୟଭୂମି ପରେ,
ଅଧର୍ମ କରିବେ ଦୂର ଅତି ସହଜରେ।
କୃଷ୍ଣା ବିବାହ ବ୍ୟତିତ ଅନ୍ୟ କୂଟନୀତି,
ବାସୁଦେବ ସଙ୍ଗେ ଆଲୋଚନାରେ ମୋ ମତି।
ନିମନ୍ତ୍ରଣ ଦେବ ଗୁରୁ ଶ୍ରୀବାସୁଦେବଙ୍କୁ,
ଅତିଶୀଘ୍ର ଦ୍ରୁପଦର ଆତିଥ୍ୟ ନେବାକୁ।”

ଚାହିଁ ଦ୍ରୁପଦଙ୍କ ମୁଖ ଗଭୀର ଦୃଷ୍ଟିରେ,
ସନ୍ଦିପନୀ ବୋଇଲେ “ହେ ନୃପ ଶୁଣ ବାରେ,।
ପ୍ରତିଶୋଧ ରଂଜିତ ଏ ମନସ୍ତତ୍ତ୍ବ ଦେଇ,
କୃଷ୍ଣାକୁ ପାଳୁଛ କିପାଁ କୁହ ନରସାଇଁ?
ରାଜବାଳୀ ସଂସାର ତା କରୁ ଆନନ୍ଦରେ,
କାହିଁକି ଛନ୍ଦୁଛ ତାକୁ ଏ ରାଜନୀତିରେ?
ଯେତିକି ମୁଁ ଜାଣେ ବାସୁଦେବ ମନସ୍ତତ୍ବ,
ପସନ୍ଦ ନୁହେଁ ତାଙ୍କର ପ୍ରତିଶୋଧ ତତ୍ତ୍ବ।”

ଦ୍ରୁପଦ ଠାରୁ ବିଦାୟ ନେଇ ସନ୍ଦିପନୀ,
ଦ୍ବାରକା ମୁଖେ ପ୍ରସ୍ଥାନ କଲେ ମହାମୁନି।
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply