Thursday, July 25, 2024
Uncategorized

ସ୍ବୟମ୍ବର
…………
ପ୍ରଥମ ସର୍ଗ
……..୨…..
ଦ୍ରୋଣ-ଦ୍ରୁପଦ ଉପାଖ୍ଯାନ
……………………….
ଚିନ୍ତା କରନ୍ତି ଯାଜ୍ଞସେନୀ ଅହର୍ନିଶି ନିରତେ,
ପିତାଙ୍କ ପ୍ରତିଜ୍ଞା ପୂରଣ କରାଇବେ କେମନ୍ତେ।
ଦ୍ରୋଣଙ୍କ ଠାରୁ ପିତା ପାଇ ଭୀଷଣ ଅପମାନ,
ପ୍ରତିଶୋଧ ଅଗ୍ନିରେ ସଦା ଜଳେ ତାଙ୍କରି ମନ।
ଯେଉଁ କାରଣରୁ ଯଜ୍ଞରୁ ହୋଇଲେ ସେ ସମ୍ଭୁତା,
ଶୁଣିଥିଲେ ପିତାଙ୍କଠାରୁ ସେହି ପୂରୁବ କଥା।

ବାଲ୍ୟକାଳେ ଭରଦ୍ବାଜଙ୍କ ଗୁରୁକୁଳରେ ରହି,
ଶିକ୍ଷା ନେଉଥିଲେ ଦ୍ରୁପଦ ଘୋର ଅରଣ୍ୟେ ଯାଇ।
ଗୁରୁପୁତ୍ର ଦ୍ରୋଣ ସହିତ ପ୍ରିୟ ବନ୍ଧୁ ଭାବରେ,
ଛନ୍ଦି ହୋଇଗଲେ ଦ୍ରୁପଦ ଅତି ଅଳ୍ପ ଦିନରେ।

ଧନ ଆହରଣେ ନିଷ୍ପୃହ ଭରଦ୍ବାଜ ଗୋସାଇଁ,
ସରସ୍ବତୀଙ୍କର ସେବାରେ ସଦା ଥାଆନ୍ତି ରହି।
ବିଦ୍ବାନ ଭରଦ୍ବାଜଙ୍କର ସାଂସାରିକ ବିରକ୍ତି,
ଦେଖି ଦ୍ରୋଣ ତାହା ମନରେ ଦୁଃଖ କରନ୍ତି ଅତି।
ଦାରିଦ୍ର୍ୟ କଷାଘାତେ ଜର୍ଜରିତ ବ୍ରାହ୍ମଣ ପୁତ୍ର,
ଭିକ୍ଷାକରି ପେଟ ପୋଷନ୍ତି ମନେ ଦୁଃଖ ସତତ।
ଦାରିଦ୍ର୍ୟ କେହ୍ନେ ଦୂରହେବ ଦ୍ରୋଣ ହୁଅନ୍ତି ଭାବି,
ଆଖିଆଗେ ଥିଲା ଭବିଷ୍ୟ ପାଇଁ ଉଜ୍ବଳ ଛବି।
ଭାବୁଥିଲେ ଶସ୍ତ୍ରବିଦ୍ୟାରେ ଦିନେ ଶୀର୍ଷକୁ ଯାଇ,
ରାଜ ଆଧିପତ୍ୟ,ଏୈଶ୍ବର୍ଯ୍ୟ ଲାଭ କରିବା ପାଇଁ।
ସେହି ଉଦ୍ଦେଶ୍ୟରେ ପାଞ୍ଚାଳ ରାଜପୁତ୍ର ସଙ୍ଗରେ,
ନିବିଡ ବନ୍ଧୁତା ବାନ୍ଧିଲେ ଦ୍ରୋଣ ଗୁରୁକୁଳରେ।
ଚିରଦିନ ବନ୍ଧୁ ଭାବରେ ଦୁହେଁ ରହିବା ପାଇଁ,
ଦ୍ରୁପଦଙ୍କଠାରୁ ବ୍ରାହ୍ମଣ ନେଲେ ପଣ କରାଇ।
ବାଲ୍ୟସୁଲଭ ଉଦାରତା ପ୍ରଣୋଦିତ କୁମାର,
ଚିରଦିନ ବନ୍ଧୁତ୍ବ ପାଇଁ କଲେ ସତ୍ୟ ତ୍ରିବାର।
“ଆରୋହିବେ ଯେବେ କୁମାର ପାଞ୍ଚାଳ ସିଂହାସନ,
ରାଜ୍ୟରୁ ଅର୍ଦ୍ଧେକ କରିବେ ମିତ୍ର ଦ୍ରୋଣଙ୍କୁ ଦାନ।”

କାଳକ୍ରମ ହେଲେ ଦ୍ରୁପଦ ରାଜ ପଦେ ଭୂଷିତ,
ବିସ୍ତାର ହେଲା ଆର୍ଯ୍ୟବର୍ତ୍ତେ ପାଞ୍ଚାଳ ଆଧିପତ୍ୟ।
ରାଜ୍ୟସୀମା ହେଲା ବର୍ଦ୍ଧିତ ସୁଖେ ପାଳିଲେ ପ୍ରଜା,
ଦାନ,ଧର୍ମ,ପୂଣ୍ୟକର୍ମରେ ଲିପ୍ତ ରହିଲେ ରାଜା।
ଜ୍ଞାନର ପ୍ରସାର ପାଇଁ ସେ ଗଢିଲେ ଗୁରୁକୁଳ,
ଗଙ୍ଗାକୁଳେ ଗଢିଉଠିଲା ସ୍ବର୍ଣ୍ଣପ୍ରସୂ ପାଞ୍ଚାଳ।

ଏଣେ ଦ୍ରୋଣ ସଂସାର ବନ୍ଧନରେ ହୋଇଲେ ବାନ୍ଧି,
ନିଜ ଭାଗ୍ୟଡୋରୀ କୃପୀଙ୍କ ସଙ୍ଗେ ହୋଇଲା ଛନ୍ଦି।
କୃପଙ୍କ ଯମଜ ଭଗିନୀ ସେ କୃପୀ ମହିୟସୀ,
କୁସୁମିତ କଲେ ଦ୍ରୋଣଙ୍କୁ ତାଙ୍କ ଜୀବନେ ଆସି।
ଜନମିଲା ଏକ ସନ୍ତାନ ଅଶ୍ବତ୍ଥାମା ତା ନାମ,
କିନ୍ତୁ ଦରିଦ୍ରତା ଜୀବନ କଲା ମହା ବିଷମ।
ବାଳୁତ ପୁତ୍ରପାଇଁ ଦୁଗ୍ଧ ଟିକେ ଆଣିବାପାଇଁ,
କଉଡି ନଥାଏ ପାଖରେ ଦୁଃଖେ ଥାଆନ୍ତି ରହି।
ଦିନେ ଏକ ଦୃଶ୍ୟ ଦ୍ରୋଣଙ୍କୁ କରିଲା ବିଚଳିତ,
ଆଶ୍ରମ ଆଗରେ ଘଟିଲା ଘଟଣାଏ ବିଚିତ୍ର।
ଦୁଗ୍ଧ ବୋଲି ଚୁନା ପାଣିକୁ ପିଇ ପୁତ୍ର ତାଙ୍କର,
ଆନନ୍ଦରେ ଡେଇଁ କହୁଛି”ଆଜି ପିଇଛି ଖିର।”
କ୍ରୀଡାରତ ଅନ୍ୟ ଶିଶୁଏ କରୁଥାନ୍ତି ବିଦ୍ରୁପ,
ଦ୍ରୋଣଙ୍କ ଆଖିରୁ ବହିଲା ଅଶ୍ରୁଧାର ଅମାପ।

ଅକସ୍ମାତ ମନେପଡିଲା ରାଜା ଦ୍ରୁପଦ କଥା,
ବିଚାରିଲେ ଏତେ ଦୁଃଖ ମୁଁ ପାଉଅଛି ଅଯଥା।
ଅନ୍ଧ ତୃଷାର୍ତ୍ତ ନଜାଣଇ ବସି ସରସୀ ତୀରେ,
ଜଳର ଅଥଳ ଭଣ୍ଡାର ଅଛି ହାତ ପାଖରେ।
ତହୁଁ ଦ୍ରୋଣାଚାର୍ଯ୍ୟ ମନରେ ନେଇ ବିପୁଳ ଆଶା,
ପାଞ୍ଚାଳ ରାଜ ଦରବାରେ ପହଞ୍ଚିଲେ ସହସା।

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply