Friday, February 23, 2024
Uncategorized

ଅଭିମନ୍ୟୁ
……..୧୩……
ଶେଷ ଅଙ୍କ
……………..
ଭୀମ ନପାରନ୍ତି ଚଳି,ଜୟଦ୍ରଥ ଓଗାଳିଛି ବ୍ୟୁହ ଦ୍ବାର,
ସଂଶପ୍ତକ ରଣେ ପାର୍ଥ ମଗ୍ନ ତେଣେ ,ତିଳେ ନାହିଁ ଅବସର।
ବିଛିନ୍ନ ପାଣ୍ଡବ ବାହିନୀ, ଏକାକି ଚକ୍ରବ୍ୟୁହେ ଅଭିମନ୍ୟୁ,
ଗର୍ଜେ ସିଂହଶିଶୁ ସପ୍ତରଥୀ ବାଣେ ରକ୍ତ ଜର୍ଜରିତ ତନୁ।
ଲଜ୍ଜାହୀନ ହୋଇ,ଶୂନ୍ୟେ ଫିଙ୍ଗିଦେଇ,ଯୁଦ୍ଧର ନିୟମ,ନୀତି,
ପ୍ରହାର କରନ୍ତି ଅଭିମନ୍ୟୁପରେ ବାଣ, ମିଳି ସପ୍ତ ରଥୀ।

ଅସ୍ତ୍ରହୀନ ମତ୍ତହସ୍ତୀ ପରେ ସପ୍ତରଥୀ ପ୍ରହାରନ୍ତେ ବାଣ,
ବେନି ହାତେ ରଥ ଚକ ତୋଳି ଉଭାହେଲା ସୁଭଦ୍ରା ନନ୍ଦନ।
ଲାଗିଲା ସତେ କି ଧ୍ବଂସମୂର୍ତ୍ତିଧରି ଉଭା ଦ୍ବାରକା କେଶରୀ,
ବିଜୁଳି ସମାନ ଘୂରେ ରଥ ଚକ ସୁଦର୍ଶନ ଚକ୍ର ପରି।
ଘୂର୍ଣ୍ଣାୟମାନ ସେ ରଥଚକେ କରେ ପ୍ରତିହତ ଶତ୍ରୁ ଶସ୍ତ୍ର,
ସପ୍ତ ରଥୀଙ୍କର ତୀବ୍ର ଆକ୍ରମଣେ ହୋଇଲା ଶେଷେ ନିରସ୍ତ।
ଦୁଃଶାସନ ସୁତ ଦୁର୍ମାଶନ ଆସି କରନ୍ତେ ଗଦା ପ୍ରହାର,
ଧରାଧରି ହୋଇ ଦୁଇ ବୀର ତହିଁ ଲଢିଲେ ଧରଣୀପର।
ଅସ୍ତ୍ରହୀନ ଅଭିମନ୍ୟୁ ଉଠିବାକୁ ଉଦ୍ୟତ ହୁଅନ୍ତେ ଖରେ,
ଦୁଃଶାସନ ସୁତ କଲା ଗଦାଘାତ ବୀର ଅଭିମନ୍ୟୁ ଶିରେ।
ପ୍ରାଣବାୟୁ ପରମାତ୍ମାଙ୍କ ସ୍ଥିତିରେ କ୍ଷଣେ ମିଳିଗଲା ଯାଇ,
ପଡିଅଛି ବୀର,ନିଶ୍ଚଳ ଶରୀର ଧୂଳି ଧୂସରିତ ହୋଇ।

ତାଣ୍ଡବ ନର୍ତ୍ତନ କରନ୍ତି କୌରବେ ଶବ ଚାରିପାଶେ ଘୂରି,
ଯେମନ୍ତେ ଶିକାର ଚତୁର୍ପାଶ୍ବେ ବ୍ୟାଧେ ଆନନ୍ଦେ କରନ୍ତି ହୁରି।
“ଅନ୍ୟାୟ,ଅନ୍ୟାୟ”ବୋଲି ଗୃଧ୍ରପକ୍ଷୀ ଆକାଶେ ରାବିଲେ ଉଡି,
ନିର୍ଲଜ କୌରବେ,ବିଜୟ ଗରବେ କଲେ ଶଙ୍ଖନାଦ ରଡି।
କିଛିକ୍ଷଣ ପାଇଁ,ସ୍ତବ୍ଧ ଗଲା ହୋଇ କୁରୁକ୍ଷେତ୍ର ରଣାଙ୍ଗନ,
“ଏ ଘୋର ଅନ୍ୟାୟ”ବୋଲି ସ୍ବର୍ଗଲୋକୁ ହୁରି କଲେ ଦେବଗଣ।

ଚନ୍ଦ୍ରଲୋକୁ ଆସି ସଜ୍ଜିତ ସ୍ୟନ୍ଦନ ରହିଥିଲା ଆକାଶରେ,
‘ସୋମପୁତ୍ର’ ତହୁଁ,ଅଭିମନ୍ୟୁ ଦେହୁ ବିଜେକଲେ ତହିଁପରେ।
ଚନ୍ଦ୍ରପୁତ୍ର ଗଲେ ଚନ୍ଦ୍ରଲୋକେ,କୁରୁ ବଂଶେ କଳଙ୍କ ଲାଗିଲା,
ଗୁରୁଙ୍କ ନିର୍ମଳ ଚରିତ୍ର ଚନ୍ଦ୍ରମା ରାହୁଗ୍ରସ୍ଥ ହୋଇଗଲା।
*************************************

Click to rate this post!
[Total: 0 Average: 0]

Leave a Reply