Saturday, April 27, 2024
Uncategorized

ସ୍ବୟମ୍ବର
…..୩୪…..
(ବହୁ ପ୍ରତୀକ୍ଷିତ ମୁହୁର୍ତ୍ତ)
*****************
ସ୍ବୟମ୍ବର ସଭାମଧ୍ୟେ ଦେଖି ଦୁର୍ଯ୍ୟୋଧନ,
କୃଷ୍ଣାଙ୍କ ମୁଖ ଚନ୍ଦ୍ରମା ପଡିଲା ମଳିନ।
ଜରାସନ୍ଧ,ଶିଶୁପାଳ,ବିନ୍ଦ,ଅନୁବିନ୍ଦ,
କେହି ନପାରିଲେ ଆଣି ମନରେ ଆନନ୍ଦ।
କୃଷ୍ଣଙ୍କ ସଙ୍ଗେ ତୁଳନା କରି ସମସ୍ତଙ୍କୁ,
ମନସ୍ତାପେ ଯାଜ୍ଞସେନୀ ଚାହିଁଲେ ଉର୍ଦ୍ଧ୍ବକୁ।
କର୍ଣ୍ଣଙ୍କ ସୁଠାମରୂପ,ସୁନ୍ଦର ବ୍ୟକ୍ତିତ୍ବ,
ପ୍ରଭାବିତ କଲା, କିନ୍ତୁ ସେ ତ ସୂତପୁତ୍ର।
ତାଙ୍କସଙ୍ଗେ ପରିଣୟ କିପରି ହୋଇବ,
ପ୍ରତିଲୋମ ବିବାହ ଯେ ନୁହଇ ସମ୍ଭବ।

ଅବ୍ୟକ୍ତ ଅସହାୟତା ଘାରିଲା ମନକୁ,
କି କରିବେ ଭାଳି ଅନାଇଲେ ଶ୍ରୀକୃଷ୍ଣଙ୍କୁ।
ଆଖିରେ ଆଖି ମିଳନ୍ତେ, ସାଙ୍କେତିକ ଭାଷା-
ଆଣିଦେଲା ଯାଜ୍ଞସେନୀ ମନେ ନବ ଆଶା।
କହୁଥିଲା ସେ ସଂକେତ”ସବୁ ଚିନ୍ତା ତୋର
ଛାଡି ମୋ ଉପରେ, କର କର୍ତ୍ତବ୍ୟ ନିଜର।
ମନେ ମନେ ଶ୍ରୀକୃଷ୍ଣଙ୍କୁ କରିଲେ ସ୍ମରଣ,
ବୋଇଲେ “ହେ ପ୍ରଭୁ! ଦାସୀ ଯାଉଛି ଶରଣ।
ସ୍ବୟଂମ୍ବର ନୁହେ,ଏ ତ ବିଶାଳ ସାଗର,
ତିମି,ତିମିଙ୍ଗିଳ ଏଥି ଛନ୍ତି ହେ ଶ୍ରୀଧର।
ଦୁର୍ଯ୍ୟୋଧନ ତିମି,ଜରାସନ୍ଧ ତିମିଙ୍ଗିଳ,
ଜଳହସ୍ତିଠାରୁ ନ୍ୟୁନ ନୁହେ ଶିଶୁପାଳ।
ତୁମ୍ଭେ ମୋ ବିପଦ ବନ୍ଧୁ,ଜାଣିଛି ମୁଁ ହରି,
ମୁଁ ନାବ,ତୁମ୍ଭେ ନାଉରୀ,ହେ ବିଶ୍ବବିହାରୀ।
ସ୍ବୟମ୍ବର ନ ପାଲଟୁ ଯୁଦ୍ଧର ପ୍ରାଙ୍ଗଣ,
ତୁମ୍ଭ ସମ ପତି ପାଏ ମୁହିଁ ନାରାୟଣ।”

ସ୍ପର୍ଦ୍ଧା ପାଇଁ ଆହ୍ବାନ ଶୁଣନ୍ତେ ରାଜାଗଣ,
ନିଶ ମୋଡି ଶିଶୁପାଳ ଉଠେ କରି ଟାଣ।
କୃଷ୍ଣଙ୍କୁ ଅନାଇ ତାର ଘୂରିଗଲା ମଥା,
ମନେ ପଡିଲା ରୃକ୍ମିଣୀ ସ୍ବୟମ୍ବର କଥା।
କ୍ରୋଧ ସମ୍ବରଣ କରି ଚେଦି ଯୁବରାଜ,
ବାହାରିଲା ଦେଖାଇବା ପାଇଁ ବଳବିର୍ଯ୍ୟ।
ପହଞ୍ଚି ଧନୁ ପାଖରେ,କଲା ନମସ୍କାର,
ପରଖେ ଧନୁ ଓଜନ ପର୍ବତ ପ୍ରକାର।
ମହାକଷ୍ଟେ ଉଠାଇଲା ଧନୁ ସିନା ସେହି,
ଗୁଣ ଚଢାଇବା ପାଇଁ ବଳ ପାଉନାହିଁ।
ଧନୁ ରଖି ଫେରିଗଲା ନିଜ ଆସନରେ,
ସ୍ମିତ ହସୁଥିଲେ ବାସୁଦେବ ଧୀରେ ଧୀରେ।

ପହଞ୍ଚନ୍ତେ ଜରାସନ୍ଧ ଧନୁର ସମୀପ,
କୃଷ୍ଣାଙ୍କ ହୃଦ ସ୍ପନ୍ଦନ ବଢିଲା ଅମାପ।
ସ୍ପର୍ଦ୍ଧାସ୍ଥଳେ ଯାଇ କଲା ଧନୁକୁ ପ୍ରଣାମ,
ପ୍ରଶଂସା କରିଲା ସ୍ବୟମ୍ବର ଆୟୋଜନ।
ଯାଜ୍ଞସେନୀଙ୍କ ମସ୍ତକେ ରଖି ନିଜ କର,
ଆଶୀର୍ବାଦ ଦେଇ କହେ ଜରାସନ୍ଧ ବୀର।
“ଏ ବୟସେ ବିବାହ ମୋ ନୋହେ ଯୋଗ୍ୟ କାର୍ଯ୍ୟ,
ଆସିଥିଲି ଆଶୀର୍ବାଦ ଦେବାକୁ ହେ ଆର୍ଯ୍ୟ।
ବୟସରେ ସହଦେବ* ପ୍ରୌଢ କୃଷ୍ଣା ପାଇଁ,
ମେଘସନ୍ଧି@ ପ୍ରସ୍ତାବ ତ ଗ୍ରାହ୍ୟ ହେଲାନାହିଁ,
ତେଣୁ ମୁଁ ଯାଉଛି ଫେରି ଆଜି ନିଜ ରାଜ୍ୟ,
ସକୁଶଳେ ପୂର୍ଣ୍ଣହେଉ ସ୍ବୟମ୍ବର କାର୍ଯ୍ୟ।”
ହସୁଥିଲେ କୃଷ୍ଣା ଶୁଣି ଜରାସନ୍ଧ ବାଣୀ,
କୃଷ୍ଣଙ୍କ କର୍ତ୍ତୁତ୍ବ ପ୍ରଭାତରୁ ଥିଲେ ଶୁଣି।
ଉଦ୍ଧବଙ୍କଠାରୁ ଶୁଣିଥିଲେ ସମାଚାର,
ଭକ୍ତିଭରେ ନଇଁଗଲା ମଥା ପାଞ୍ଚାଳୀର।
କି ସହଜେ କୃଷ୍ଣ ଦେଲେ ମତ୍ତ ହସ୍ତି ଦଳି,
ବିବଶରେ ନାଗ ଦେଲା ଚୁଚୁନ୍ଦ୍ରାକୁ ଗିଳି।

ଜରାସନ୍ଧ ଯିବାପରେ ପାଞ୍ଚାଳ ନରେଶ,
ଆଶ୍ବସ୍ତ ହୋଇ ଛାଡିଲେ ସୁଦୀର୍ଘ ନିଶ୍ବାସ।
ବିଚାରିଲେ “ଟଳିଗଲା ଭୀଷଣ ବିତ୍ପାତ,
“ଜୟ କୃଷ୍ଣ”କହି ଉର୍ଦ୍ଧ୍ବେ କଲେ ପ୍ରଣିପାତ।

ତତ୍ପରେ ଆସନ ତେଜି କୁରୁ ଯୁବରାଜ,
ଚାଲେ ସଭାସ୍ଥଳେ,ଯେହ୍ନେ ବନେ ମତ୍ତଗଜ।
ଦ୍ରୌପଦୀ ମୁଖ ଚନ୍ଦ୍ରମା ପରେ ଦୃଷ୍ଟି ଦେଇ,
ପହଞ୍ଚିଲା ଦୁର୍ଯ୍ୟୋଧନ ସ୍ପର୍ଦ୍ଧାସ୍ଥଳେ ଯାଇ।
ଏ ସମୟେ ବ୍ରାହ୍ମଣଙ୍କ ମେଳେ ହାସ୍ୟରୋଳ,
ଶୁଣି ଚମକି ପଡିଲା ଧୃତରାଷ୍ଟ୍ର ବାଳ।
ଅତି ପରିଚିତ ଭୀମସେନ କଣ୍ଠ ଶୁଣି,
ଶିଥିଳ ହୋଇଲା ଦୁର୍ଯ୍ୟୋଧନ ପାଦ,ପାଣି।
ଯା ଦେଖିଲା ଚକ୍ଷୁ ତାର ହୋଇଗଲା ଖୋସି,
ବ୍ରାହ୍ମଣ ବେଶେ ପାବନୀ # ଭାଇ ସଙ୍ଗେ ବସି।
“ନପାରିବ ଅନ୍ଧପୁତ୍ର” ବୋଲି କରେ ରୋଳ,
ଶୁଣି ଦୁର୍ଯ୍ୟୋଧନ ହସ୍ତ ହୋଇଲା ଶିଥିଳ।
ବ୍ରାହ୍ମଣ ବେଶେ ପାଣ୍ଡବେ ବସିଥିବା ଦେଖି,
ଦୁର୍ବଳ ହେଲା ଶରୀର ପାଟି ଗଲା ଶୁଖି।
ସତେ ପାଦତଳୁ ଭୂମି ଯାଉଅଛି ଫାଟି!
ଶିରେ ହିମାଦ୍ରି ସତେକି ପଡୁଅଛି ତୁଟି!
ମହା କଷ୍ଟେ ଧନୁ ସିନା ଉଠାଇଲା ବୀର,
ଗୁଣ ନପାରେ ଚଢାଇ ଦୁର୍ବଳ ଶରୀର।
ଫେରିଆସି ବସିଗଲା ନିଜ ଆସନରେ,
ହାସ୍ୟରୋଳ ଶୁଭୁଥିଲା ବ୍ରାହ୍ମଣ ମେଳରେ।
କ୍ରମଶଃ…………
*ସହଦେବ—ଜରାସନ୍ଧ ପୁତ୍ର
@ମେଘସନ୍ଧ—ଜରାସନ୍ଧ ପୌତ୍ର
#ପାବନୀ–ଭୀମଙ୍କ ଅନ୍ୟ ନାମ

Click to rate this post!
[Total: 0 Average: 0]

Leave a Reply