Wednesday, February 21, 2024
Palli Kabita

ପଲ୍ଲୀ କବିତା (ସଇଥିଲିଆ ତୁ ହଅନି…)

  1. ପଲ୍ଲୀ କବିତା

ସଇଥିଲିଆ ତୁ ହ଼‌ଅନି ଆଲୋ ଗୁମାନ ବୋଉ
ମେଘ ଘୋଟେଇଚି ଆକାଶ ସାରା ଲୋ
ଟୁପୁ ଟୁପୁ ମେଘ କଲାଣି,ଆଲୋ ଗୁମାନ ବୋଉ।

ଅଦିନିଆ ମେଘ ଆଇଚି, ବିଲେ ପାଚିଲା ଧାନ,
ଗଦା ନମାରିଲେ ଗଜା ମାରି ଦବ
ବରଷା କରେ ଉଛନ ଲୋ ମୋର ଗୁମାନ ବୋଉ ।।

କଳେଇ ବିଡା ତୁ ବାଆନ୍ଧେ ଆରେ ଗୁମାନ ବାଆ,
ଝଅଟ ଝଅଟ ଖଳାକୁ ବୋହିଲେ
ଧାନ ଗଦା ହବ ଠିଆ ରେ ମୋର ଗୁମାନ ବାଆ।।

ଇନ୍ଦିର ରଜାର ଅହନ୍ତା କିଏ ଜାଣି ପାରିବ,
ଗରିବ ମାଇପ ସବୁରି ଶାଳୀ ଲୋ,
ଆମକୁ କିଆଁ ସେ ଛାଡ଼ିବ ଆରେ ଗୁମାନ ଵାଆ ‌‍‍‌‌?

ସିରି ସିରି ବହେ ବତାସି ମେଘ ଉଠେ ଗରଜି,
ବୋହୂ ବୋପାଘର ଯାଇଚି କେବେଠୁ଼
ନାତିଟୋକା ମନେ ପଡ଼ୁଚି ଆଲୋ ଗୁମାନ ବୋଉ।।

ପିତାଶଖିଆର ଝୁଅର ମନେ ପଡୁନି ଘର,
ପାଇଟି ପଡ଼ିଲେ ବୋହୂକୁ ମୋର ଲୋ
ମାଡି ବସେ ଠେଙ୍ଗାଜର ହେ ମୋର ଗୁମାନ ବାପା।।

କାଳିଆ କରୁଛି ଭେଳିକି ଆଲୋ ଗୁମାନ ବୋଉ,
ଗୋରା ରଜାଙ୍କର ବାଇଦା ଆମକୁ
କଲା କେତେ ହାଇ ପାଇଁକି, ମୋର ଗୁମାନ ବୋଉ।

ଘୋଡାକୁ ବଳିଲା ଦାନା ହେ ମୋର ଗୁମାନ ବାପା,
ସରକାରୀ ଦର କୁଆଡ଼କୁ ପାଏ ପିଚାକୁ ନିଅଣ୍ଟ କନା ହେ,
ମୋର ଗୁମାନ ବାପା।

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply