Thursday, July 25, 2024
Other Poems

ଦେବଯାନୀ (ଦ୍ଵିତୀୟ କଳିକା)

  • ଦେବଯାନୀ
    (ଦ୍ୱିତୀୟ କଳିକା)
    ———————
    ଶୁକ୍ରାଚାର୍ଯ୍ୟଙ୍କର ଅସୀମ କୃପାରୁ
    ଶୌର୍ଯ୍ୟଶାଳୀ ରକ୍ଷବୀରେ,
    ଦାନବେଶ ବୃଷପର୍ବାଙ୍କ ରାଜ୍ୟରେ
    ନିର୍ଭୟେ ନିବସୁଥିଲେ।

ମୃତ୍ୟୁ ସଂଜୀବନୀ ମନ୍ତ୍ରେ ଥିଲେ ଧନୀ
ଶୁକ୍ରାଚାର୍ଯ୍ୟ ତପୋବନ୍ତ,
ଘୋର ତପସ୍ୟାରେ ତୋଷି ମହେଶ୍ୱରେ
ପାଇଥିଲେ ମହାମନ୍ତ୍ର ।

ଯେତେ ବା ରାକ୍ଷସ ହେଉଥିଲେ ହତ
ସମରେ ଦେବଙ୍କ ତୁଲେ,
ମହାମନ୍ତ୍ର ବଳେ ଶୁକ୍ରାଚାର୍ଯ୍ୟ ହେଳେ
ଜୀବନ୍ୟାସ ଦେଉଥିଲେ।

ସେଥିପାଇଁ ଶ୍ରଦ୍ଧା ସୁମନ ଗୁରୁଙ୍କ
ପାଦେ ଦିଅନ୍ତି ବରଷି,
ବୃଷପର୍ବା ସହ ଦାନବ ରାଜ୍ୟରେ
ଥିଲେ ଯେତେ ଅନ୍ତେବାସୀ।

ମଘବା ନନ୍ଦିନୀ ଜୟନ୍ତୀ ଗର୍ଭରୁ
ଶୁକ୍ରାଚାର୍ଯ୍ୟଙ୍କ ଔରସେ,
ଜନ୍ମିଥିଲା ଦେବକନ୍ୟା ଦେବଯାନୀ
ବୃଷପର୍ବାଙ୍କର ଦେଶେ।

ଆଶ୍ରମ ପବିତ୍ର ବାତାବରଣରେ
ଶୁଦ୍ଧପୂତା ଦେବଯାନୀ,
ପ୍ରକୃତି କୋଳରେ ବିତାଏ  ସମୟ
ପିତା ଆଶୀର୍ବାଦ  ଘେନି।

ପ୍ରାତେ ଝରଣାରେ ସ୍ନାନସାରି ଧୀରେ
ଦେବତା ଅର୍ଚ୍ଚନା ପାଇଁ,
ନାନାଜାତି ଫୁଲ ତୋଳି ଉଦ୍ୟାନରୁ
ମନ୍ଦିରେ ରଖଇ  ନେଇ।

ଚନ୍ଦନ କର୍ପୁର ଅକ୍ଷତ ସୁମନ
ତିଳାଦି କରି ଏକତ୍ର,
ସମୀଧ ଶାକଲ୍ୟ ଘୃତାଦି ସହିତେ
ସାଇତେ  ଯଜ୍ଞ ନିମିତ୍ତ।

ପିତାଙ୍କ ସହିତେ ବେଦ ପାଠ ଅନ୍ତେ
ଗାଭୀଙ୍କୁ କରେ ଦୋହନ,
ଆଶ୍ରମର ପଶୁ, ପକ୍ଷୀ, ଅନ୍ତେବାସୀ
ମୁଖେ ଦିଏ ଘୃତଅନ୍ନ।

ବିଜୁଳି ସମାନ ଆଶ୍ରମେ ଭ୍ରମଇ ,
ବିଦ୍ୟମାନ ସର୍ବ ସ୍ଥଳେ,
ଶ୍ରାବଣୀ ଆକାଶେ ସାରା ବ୍ୟୋମଦେଶେ
ଚପଳା ଯେମନ୍ତେ ଖେଳେ।

ଦେବଯାନୀ ନାମ ଅନ୍ତେବାସୀ ମୁଖେ
ରହିଥାଏ ନିରନ୍ତରେ,
ଆଜ୍ଞା ନ ପାଇଲେ ତାର, ଉପବନେ
ପତ୍ର ନ ହଲେ ସମୀରେ।

ଯହିଁ ଯାଏ ଦେବଯାନୀ,ମୃଗଯୂଥ
ଚାଲୁଥାନ୍ତି ପଛେ ତାର,
କାନ୍ଧରେ କୋଇଲି ବସି,ମଧୁସୁରେ
ଢାଳଇ ସଂଗୀତ ସୁର ।

ବହୁଥାଏ ଯେବେ ମନ୍ଦ ସମୀରଣ
ଉଡିଯାଏ ଯେବେ କାନି,
ଚଞ୍ଚୁରେ ହଳଦୀବସନ୍ତ ସଜାଡେ
ଦେବଯାନୀ ମନ ଜାଣି।

ସୁମନ ଭ୍ରମରେ, ଅଳି ଥରେ ଥରେ
ଚୁମି ବାଳାର ଅଧର,
ପୁଷ୍ପ ନୁହେଁ ଜାଣି, କର୍ଣ୍ଣପାଶେ ବୋଲେ
କ୍ଷମାକର କ୍ଷମାକର।

କ୍ରମଶଃ—–

Click to rate this post!
[Total: 0 Average: 0]

Leave a Reply