Wednesday, February 21, 2024
Satire

ନାଁ ରେ କଣ ଅଛି କହିଲ

ନାଁ’ରେ କଣ ଅଛି କହିଲ
(ରମ୍ୟ ରଚନା)
———————–
ଗତ ଗୁରୁବାର ଦିନ ମୋ ଲଙ୍ଗୁଟିଆ ସାଙ୍ଗ ଦୁଃଶାସନ ସ୍ୱାଇଁକୁ କୋର୍ଟ ପ୍ରାଙ୍ଗଣରେ ଦେଖି ଅତି ଖୁସିରେ ‘ଦୁଃଶାସନ ଦୁଃଶାସନ’ ଡାକି ଚିଲ୍ଲେଇଲି।ବହୁଦିନ ପରେ ଦେଖା।ଖୁସିରେ କୁଣ୍ଢେଇ ପକେଇ ପଚାରିଲି କୋର୍ଟକୁ କୁଆଡେ ଆଇଚୁକିରେ ଦୁଶା ?

ଦୁଃଶା ମତେ ଚୁମୁଟିଦେଇ କହିଲା–ଏଡେ ପାଟିରେ ଏମିତି ଦୁଶା ଦୁଶା ବୋଲି କଣ ଚିଲ୍ଲଉଚୁ ଯେ;ଦେଖୁନୁ ମୋ ଆଡେ କିମିତି ସମସ୍ତେ ଅନେଇଚନ୍ତି ,ଯେମିତି ମୁଁ ଗୋଟେ ଚିଡିଆଖାନାର ଯନ୍ତୁ।

ଦୁଃଶାସନର ନିଜ ନାଁ’କୁ ନେଇ ବଡ ଚିନ୍ତା।ତା କହିବା କଥା –ଦୁର୍ଯ୍ୟୋଧନ ନାଁ’ଟା ଚଳିବ କାରଣ ଖଳ ଚରିତ୍ର ହେଲେ ମଧ୍ୟ ଅତି ମାତ୍ରାରେ ମାନୀ ଥିଲା ବୋଲି ତାର ଗୋଟେ ସମ୍ମାନ ଅଛି,କିନ୍ତୁ ଏ ଦୁଃଶାସନ ? –ନାରୀ ନିର୍ଯାତକ;ରଜସ୍ୱାଳା ହୋଇ ଏକବସ୍ତ୍ରରେ ଥିବା ନାରୀକୁ ରାଜରାସ୍ତାରେ ଘୋଷାରିଆଣି ରାଜସଭାରେ ବିବସନ କରିବାକୁ ଚେଷ୍ଟାକରୁଥିଲା ବୋଲି ତାର ବଦନାମ୍ ଅଛି।ଏମିତି ନାଁ କିଏ କାହା ପିଲାକୁ ଦେଲାଣି?ବାପା ଏ ନାଁଟା କେମିତି ଦେଲେ କେଜାଣି ?—-କହୁ କହୁ କାନ୍ଦିପକେଇଲା ଦୁଃଶାସନ।

ଦୁଃଶାସନର ଏ ଦୁଃଖ ବହୁତ୍ ପୁରୁଣା।ସ୍କୁଲରେ ପଢିବା ସମୟରେ କେତେ ଥଟ୍ଟା ତାମସାର ଶିକାର ନହେଇଚି ସେ !କ୍ଳାସରେ ଦ୍ରୌପଦୀ ନାମ୍ନୀ ଗୋଟିଏ ସହପାଠିନୀକୁ ଯୋଡି ସାଙ୍ଗମାନେ ସବୁବେଳେ ଚିଡାନ୍ତି —ତାକୁ କାହିଁକି ନଙ୍ଗା କରିବାକୁ ଚେଷ୍ଟା କରୁଥିଲୁକିରେ ଧୁଶା ?

ପାଠପଢା ପରେ ଚାକିରିପାଇଁ ଯେତେ ଯାଗାରେ ସାକ୍ଷାତକାର ଦେଲା ସବୁଠି ଜଜ୍ ମାନଙ୍କର ସେଇ ଗୋଟିଏ ପ୍ରଶ୍ନ—ଆପଣଙ୍କ ବାପା ମାଆ ଆପଣଙ୍କ ନାମ ଦୁଃଶାସନ କାହିଁକି ରଖିଲେ;ଏପରିକି ଗୋଟିଏ ସାକ୍ଷାତକାରରେ ଜଣେ ଜଜ୍ ପଚାରିଲି —ଆମ ଅଫିସ୍ ରେ ତ ନାରୀ କର୍ମଚାରୀ ନାହାନ୍ତି, ଆପଣଙ୍କ ନାମକୁ ଆପଣ କର୍ମକ୍ଷେତ୍ରରେ କିପରି ସାର୍ଥକ କରିପାରିବେ ?” ବିଚରା ଦୁଃଶା ।

ଚାକିରି ପରେ ବାହା ହେବା ପାଇଁ ଝିଅ ଖୋଜା ଚାଲିଲା।ଝିଅ-ମାର୍କେଟ୍ ସେ ସମୟରେ ସହଜେ ମାନ୍ଦା।ଦୁଃଶାସନ ନାଁ ଶୁଣି ସବୁ ଝିଅ ନାକ ଟେକିଲେ।ଶେଷରେ ସୂର୍ପଣଖା ନାମଧାରୀ ଝିଅଟିଏ ବାହା ହେବାପାଇଁ ରାଜି ହେଲା।

ଆଜି ଦଶବର୍ଷ ପରେ ଦୁଃଶାସନ ସହିତ ଦେଖା।ପ୍ରାରମ୍ଭିକ ଆଲିଙ୍ଗନ ଆଉ ସମ୍ଭାଷଣ ପରେ ପଚାରିଲି —ତୁ ଏକା ନା ଭାଉଜ ଆସିଚନ୍ତି ?

ଅଳ୍ପ ଦୂରରେ ଠିଆ ହୋଇଥିବା ଜଣେ ନାତିସୁଦୃଶ୍ୟା(ନ ଅତି ସୁଦୃଶ୍ୟା)ମହିଳାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦୁଃଶା କହିଲା—ହେଇ ପରା ତୋ ସ୍ୱରୂପା ଭାଉଜ ସେଠାରେ ଠିଆ ହୋଇଛନ୍ତି।ଆହେ ଶୁଣୁଚ,ଇଏ ମୋର ବାଲ୍ୟକାଳର ଲଙ୍ଗୁଟିଆ ବଂଧୁ ଅବିନାଶ।

ଦୂରରୁ ମହିଳା ଜଣକ ସନମ୍ର ଓ ସଲ୍ଲଜ ନମସ୍କାରଟିଏ କ୍ଷେପଣ କଲେ।

ଦୁଃଶା କାନରେ ଧୀରେ ପଚାରିଲି —-କିରେ ତୁ ଆଉଥରେ କେବେ ବାହା ହେଲୁ?ସୂର୍ପଣଖା ଭାଉଜଙ୍କୁ ଛାଡପତ୍ର ଦେଇ ଦେଲୁ କିରେ ?

ମୋ ପିଠିରେ ଏକ ନାତି-କଷ୍ଟଦାୟକ ବିଧାମାରି ଦୁଶା କହିଲା—ଧେତ୍, ନାଇଁମ ,ଇଏ ପରା ସେଇ,ଖାଲି ଆଫିଡେଭିଟ୍ କରି ଯାହା ନାଁଟା ବଦଳେଇ ଦେଇଚନ୍ତି।ସୂର୍ପଣଖାରୁ ସ୍ୱରୂପା ହୋଇଯାଇଚନ୍ତି।ତୁ ମୋ ବାହାଘର ପରେ ଭାଉଜର ମୁହଁଦେଖା କରିବାକୁ ଆସିନଥିଲୁ ତ,ସେଥିପାଇଁ ଚିହ୍ନିପାରୁନୁ।

ଟିକିଏ ରହି କହିଲା—- ମୋ ପଛରେ ଲାଗି ଲାଗି ଆଜି ପରା ମତେ କୋର୍ଟକୁ ଆଣିଚନ୍ତି ଆଫିଡେଭିଟ୍ କରି ମୋ ନାଁଟା ବଦଳେଇବାପାଇଁ।

କହିଲି—ଆରେ ବାଃ,ବଡ ଖୁସିର କଥା,ଯେ ନୂଆ ନାଆଁଟା କଣ ବାଛିଲୁ?
ହସି ହସି ଦୁଶା କହିଲା—ସ୍ୱରୂପ୍ କୁମାର;କେମିତି ଲାଗୁଚି ନାଁଟା?

କହିଲି—ଲାଗୁଚି ମାନେ?–ଝକ୍କାସ୍।ସ୍ୱରୂପାଦେବୀଙ୍କ ପତି ସ୍ୱରୂପ କୁମାର।ବଢିଆ,ହେଲେ ଭାଇ ନାଁଟା ସିନା ଆଫିଡେଭିଟ୍ କରି ବଦଳେଇ ହବ,ସାଙ୍ଗିଆଟା ଅବାଗିଆ ଥିଲେ?
ଦୁଃଶା ପଚାରିଲା—କାହାର ସେମିତି ଅଛି କି ?
ମୁଁ ମହାରାଷ୍ଟ୍ରରେ ଥିବା ସମୟର ମୋର ଅନୁଭବ କଥା କହିଲି:—-

“ପ୍ରଥମ ଦିନ କାର୍ଯ୍ଯାଳୟରେ ଯୋଗ ଦେଉ ଦେଉ ମୋ ଚ୍ୟାମ୍ବର୍ ଭିତରକୁ ଜଣେ କର୍ମଚାରୀ ପଶିଆସି ମୋ ସହିତ କରମର୍ଦ୍ଦନ କରି କହିଲେ—“ସାର୍ ମି ଘୋଡିଚୋରେ”।
ମୋର ମରାଠୀ ଭାଷାରେ ଜ୍ଞାନ ନଥିଲା।ସେ ମତେ ଘୋଡାଚୋର କହିଲେ କି କଣ ସନ୍ଦେହରେ ପଡିଲି।କହିଲି ଭାଇ ମୁଁ ମରାଠୀ ବୁଝି ପାରେନାହିଁ।

ଏହା ଶୁଣି ସେ ମହାଶୟ ଇଁରାଜୀରେ କହିଲେ—ସାର୍ ମାଇଁ ନେମ୍ ଇଜ୍ ହରିଶ୍ ଘୋଡିଚୋରେ।

ଘଟଣାର ଚେରକୁ ଯାଇ ବୁଝିଲାବେଳକୁ ଜଣାପଡିଲା ଯେ ମହାରାଷ୍ଟ୍ରରେ ସାଙ୍ଗିଆ ବୃତ୍ତି ଅନୁଯାୟୀ ଦିଆ ଯାଇଥାଏ।
ଏହି ଭଦ୍ରବ୍ୟକ୍ତିଙ୍କ ପୂର୍ବପୁରୁଷରେ କେହି ଘୋଡା କିମ୍ବା ଘୋଡୀ ଚୋରାଇ ଥିବାରୁ ତାଙ୍କୁ ଏପରି ସାଙ୍ଗିଆ ପ୍ରଦାନ କରାଯାଇଛି।
ସେହିପରି ଅନ୍ୟ ଜଣେ ଭଦ୍ରବ୍ୟକ୍ତିଙ୍କ ସାଙ୍ଗିଆ ‘କୋତମିରେ’।ମରାଠୀରେ କୋତମିର୍ ଅର୍ଥ ଧନିଆଁପତ୍ର।ତାଙ୍କର ପୂର୍ବ ପୁରୁଷ ଧନିଆଁପତ୍ର ବିକ୍ରି କରୁଥିବାରୁ ସେମାନେ ଏହି ନାମଟି ପାଇଛନ୍ତି।ସେହିପରି ଯାହାର ପୂର୍ବପୁରୁଷ ବାଘ ମାରିଥିଲେ ସେ ବାଘମାରେ,ଯେଉଁମାନେ ପାଣିଟାଙ୍କି ତିଆରି କରୁଥିଲେ ସେମାନେ ଟାଙ୍କିୱାଲେ,ବୋତଲ ବ୍ୟବସାୟୀ ବାଟ୍’ଲି ବାଲା ଇତ୍ୟାଦି ନାମରେ ପୁରୁଷାନୁକ୍ରମରେ ନାମିତ ହେଉଥିଲେ।

ଏକଦା ଧୂଳିଆ(ଇଁରାଜୀରେ ଧୂଳେ) ବୋଲି ଗୋଟିଏ ସ୍ଥାନରୁ ମୁଁ ସରକାରୀ ଗସ୍ତ ଶେଷ କରି ବସରେ ଫେରୁଥାଏ।ବସ୍’ରେ ମୋ ପାଖ ସିଟ୍’ରେ ଜଣେ ମରାଠୀ ଭଦ୍ରଲୋକ ବସିଥାନ୍ତି।ପରିଚୟ ଆଦାନ ପ୍ରଦାନ ସମୟରେ ମୁଁ ମୋର ନାମ ଏବଂ ଠିକଣା କହିଲି।ସେ ତାଙ୍କ ନାମ କହିବାକୁ ଯାଇ କହିଲେ—ମି ଦୁର୍ଗେଶ୍ ବଡକୁତ୍ତେ।ଆଇ ଆମ୍ ଫ୍ରମ୍ ପୁଣେ।

ଏହା ଶୁଣି ବହୁ କଷ୍ଟରେ ମୁଁ ହସ ରୋକିଲି;ହସିଦେଲେ ଭଦ୍ରଲୋକ କଣ ଭାବିବେ ? ନାଁ’ଟି କେତେ ସୁନ୍ଦର ! –ଦୁର୍ଗେଶ୍ ; କିନ୍ତୁ ଉପ-ନାମଟି –ବଡକୁତ୍ତେ !

  • ଏହା କୌଣସି ଅଂଚଳର ନାମକରଣ ପ୍ରତି ଆକ୍ଷେପ ନୁହେଁ,ବିଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ପରଂପରା ରହିଆସିଛି।ତାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ।ଭାରତର ସଂସ୍କୃତିର ବିବିଧତାରେ ତାର ସୌନ୍ଦର୍ଯ୍ୟ ନିଃସନ୍ଦେହ ପୂରିରହିଛି।”

ମୋର ଅନୁଭବ ବର୍ଣ୍ଣନା କରି ଦୁଃଶାସନ ଉର୍ଫ ସ୍ୱରୂପ କୁମାର କୁ କହିଲି :–ଭାଇ ଏ ନାମ ବା ଉପ ନାମରେ କଣ ଅଛି ?ପଦ୍ମଲୋଚନ ନାମଧାରୀ ବି ଅନ୍ଧ ହୋଇପାରେ ଏବଂ କୁବେର ନାମଧାରୀ ମଧ୍ୟ ଭିଖାରୀ ହୋଇପାରେ।ଭଲ ନାଁ’ଟି କେବଳ ଶ୍ରୁତିମଧୁରତା ପାଇଁ;କର୍ମ ସହିତ ନାମର ସମ୍ପର୍କ କିଛି ନଥାଏ।

ଦୁଃଶାସନ ହସିଦେଇ “ଠିକ୍ ଠିକ୍”କହିବା ପରେ ମୁଁ ପଚାରିଲି —ଏବେ ଆମ ସାଙ୍ଗ ଦୌପଦୀ କୋଉଠି ଅଛିକିରେ ?

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply