Friday, February 23, 2024
Satire

ଖେଚୁଡ଼ି(୧୧)

  1. ଖେଚୁଡି 11

ଓଡିଶା-ଗୌରବ ହଳଧର ନାଗ୍ ପଦ୍ମଶ୍ରୀରେ ବିଭୂଷିତ ହେବାଦେଖି ଆମ ଗାଁ ଜଗୁନି ନାପିତକୁ ମଡେଇଲା।ଆମ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ଗଜାନନ ମିଶ୍ର(ଗଜି ବାବୁ)ଙ୍କ ପାଖରେ ସକାଳୁ ସକାଳୁ ସମ୍ବାଦ କାଗଜଟା ଧରି ହାଜର।କହିଲା ” ଗୋସେଇଁ,ମୁଁ ଟିକେ ଏମିତି ହଁ’ନ୍ତିନି ?”ଗଜି ବାବୁ ହସ ସମ୍ଭାଳି ପାରିଲେନି।କହିଲେ “ଇ’ରେ ଜଗୁନି ,ଏଇଟା କଣ ଖେଳଘର ପଡିଚି ନା କଣ?କାହିଁ ରାଣୀ,କାହିଁ ଚନ୍ଦ୍ରକାଣୀ।ତୋ ଚେହେରାଟା ହଳଧରଙ୍କ ସହିତ ମିଶିଯାଉଚି ବୋଲି ତୁ କଣ ତାଙ୍କପରି ହେଇଯିବୁ ନାଁ କଣ ?”
ଜଗୁନି କହିଲା “କାହିଁକି ଗୋସେଇଁ ।କାଗଜରେ ତ ବାହାରିଚି ସେ ଆମପରି ସାଧାରଣ ମଳିମୁଣ୍ଡିଆ ମଣିଷଟିଏ।ପାଠରେ ଦଉଡ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ।ସେ ଯଦି ଏତେବଡ କବି ହେଇପାରିଲେ ମୁଁ କାହିଁକି ହେବିନି ?”
ଗଜି ମିଶ୍ରେ କହିଲେ ” ଆରେ ବୋକା ପାଠସହିତ କଳାର କଣ ସମ୍ପର୍କ?ଗଙ୍ଗାଧର ମେହେର କଣ ବିଏ ଏମ୍ଏ କରିଥିଲେ।ପଞ୍ଚମଶ୍ରେଣୀ ପର୍ଯ୍ଯନ୍ତ ପାଠ ପଢିଥିଲେ ।ସେମିତି ଭୀମଭୋଇ କଣ ପାଠ ପଢିଥିଲେ ?କିନ୍ତୁ ସେମାନେ ଏତେବଡ କବି ହେବାର କାରଣ ପ୍ରତିଭା ତାଙ୍କର ରକ୍ତରେ ଥିଲା।କବିତ୍ୱ ରସଗୋଲାଭଳି ଦୋକାନରେ ମିଳୁନଥିଲାଯେ ସେ କିଣିଆଣି ଖାଇଦେଇ ଏତେବଡ କବି ହେଇଗଲେ।ସେ ଯାହାହେଉ,ତୋର କବି ହେବାକୁ ଯେତେବେଳେ ମଡେଇଲାଣି,ତୁ ଚେଷ୍ଟା କରିବା ଉଚିତ୍।ତୁ ଆଜି ଗୋଟିଏ କବିତା ଲେଖି ମତେ ଦେଖା।ମନେ ରଖିବୁ ଯେ ଲେଖାଗୁଡିକ ବାସ୍ତବବାଦୀ ହେବା ଦର୍କାର।”
ଜଗୁନି ବୁଝି ପାରିଲାନି।ପଚାରିଲା ” ବାସ୍ତବବାଦୀ କଣ ଗୋସେଇଁ ?ସେଇଟା ପୁଣି କୋଉ ଗଛର ଫଳ ?”ଗଜି ମିଶ୍ରେ କହିଲେ “ଆରେ,ତୋ ଚାରିପଟେ ଘଟୁଥିବା ଘଟଣା ଉପରେ ଲେଖିପାରିଲେ ଲେଖାଟି ଜୀବନ୍ତ ହବ।”
ପରଦିନ ବହୁ ଚେଷ୍ଟାକରି ଜଗୁନି କବିତାଟିଏ ଲେଖି ଗଜିମିଶ୍ରଙ୍କୁ ଦେଖେଇଲା।ଜଗୁନି ଲେଖିଥିଲା —

“ସକାଳେ ପୂର୍ବଦିଗରେ ଯେତେବେଳେ ସୂର୍ଯ୍ୟ ନାଲି କିରଣରେ ବାରିପଟ ପଦା ଧୋଇଦେଇଥିଲେ,
ସେତେବେଳେ ମୋ ବା’ ପଦାରେ ଦୁଇ କରି ବସିଥେଲେ।
ଆ ! କି ଦୃଶ୍ୟ ! ଶୀତ ସକାଳରେ ଧୁଆଁ ଉଠୁଥିଲା
ବର୍ଜିତ ପଦାର୍ଥରୁ,
ଧୁଆଁ ମଧ୍ୟ ଉଠୁଥିଲା ରୋଷେଇଘର ଚାଳରୁ,
କିଛି ଦୂରରେ ଟମି ନାମକ କଳା କୁକୁରଟି ,
ଚାହିଁ ରହିଥିଲା ବା’ଙ୍କ ପଶ୍ଚାତ୍ ଭାଗକୁ —‘”

ଗଜିମିଶ୍ରେ କବିତାଟି ପଢି କହିଲେ “ଧେତ୍ ବାସ୍ତବବାଦୀ ହବୁ ବୋଲି ଏମିତି ଲେଖିବୁ ?”
ଜଗୁନିର ମନ ମରିଗଲା କହିଲା ଗୋସେଇଁ “ତମେ ସିନା ଏମିତି କହୁଚ,ହେଲେ ଫେସ୍ ବୁକ୍ ରେ ଏଇଟା ଛାଡିଥିଲି ଯେ କେତେ ବାହାବା ମିଳିଚି ଜାଣିଚନା?ଶହ ଶହ।”
ଗଜିମିଶ୍ରେ ଆଶ୍ଚର୍ଯ୍ଯ ହେଇଗଲେ।କହିଲେ ” ଛୁପା ରୁସ୍ତମ୍,ତୁ ଏ ଭିତରେ ଫେସ୍ ବୁକିଆ ହେଇଗଲୁଣି?”
ଜଗୁନି କହିଲା “କେବେଠୁଁ ନା।ପ୍ରଥମେ ପ୍ରଥମେ ଝିଅ ମାନଙ୍କର ଫଟ,ସିନିମା ଗୀତ ଛାଡୁଥିଲି।ଏଇ ପ୍ରଥମଥରପାଇଁ ନେଖା ଛାଡିଲି।”
ଗଜି ମିଶ୍ରେ ଫେସ୍ ବୁକ୍ ରେ ଜଗୁନିର ସାଙ୍ଗ ହେଇଗଲେ।ଜଗୁନିର ଲେଖାପଢି ମିଶ୍ରେ ଆଜିକାଲି ହତସ୍ତମ୍ଭ।ଆଧୁନିକ ଅବୁଝା କବିତାରେ ଜଗୁନି ଓସ୍ତାଦ୍ ପାଲଟିଗଲା।ନିମ୍ନ ଲିଖିତ କବିତାଟିରେ ଉଗ୍ର ଆଧୁନିକତା ସମ୍ପୂର୍ଣ୍ଣ ସୁସ୍ପଷ୍ଟ।

” ଜଗଜ୍ଯାର ଯୁଗ୍ମ ସମାକୀର୍ଣ୍ଣ ହେ ପୃଥିବୀ !
ଜ୍ୟାମିତିକ ବୃତ୍ତ ତୁମେ ମହା ମୃତ୍ୟୁଞ୍ଜୟ,
ଜବାକୁସୁମ ସଂକାଶ ହେ ଋଷି ପ୍ରବର !
ତୁମେତ ପୃଥିବୀ ସମ ସର୍ବଂସହା ମହାଦ୍ୟୁତି।”

ବାଃ !କି ଭାବଗର୍ଭକ ଲେଖା !ସବୁଆଡେ ଜଗୁନିର ଜୟ ଜୟକାର।ଫେସ୍ ବୁକିଆମାନେ ଜଗୁନିକି ମୁଣ୍ଡରେ ବସେଇଲେ।ଦିନେ ଜଗୁନି ଗଜିମିଶ୍ରଙ୍କ ପାଖରେ ପହଞ୍ଚି କହିଲା “ଗୋସେଇଁ,ତମେତ ଏତେ ବହି ନେଖିଚ।କାଇଁ ତମୁକୁ ତ କେହି ଚିହ୍ନୁ ନାହାଁନ୍ତି।ଉପନିଷଦସାର ନେଖିଚ,କାବ୍ୟ ନେଖିଚ,ସବୁଦିନ ଏତେ ଭଲ ଭଲ କଥା ଫେସ୍ ବୁକ୍ ରେ ଛାଡୁଚ।କାଇଁ ତମକୁ ତ କେହି ଆୱାର୍ଡ କି ମାନପତ୍ର ଦଉନାହାନ୍ତି।”
ମିଶ୍ରେ କହିଲେ “ଆରେ ଜଗୁନି,ମୁଁ କୋଉ ଦଉଡ ଜିଣିବାକୁ ଲେଖୁନି।ମୁଁ ମୋ ନିଜ ସଉକରେ ଲେଖୁଚି।ଯେତେବେଳେ ତମେ ପୁରସ୍କାର ଆଶାରେ ଲେଖିବ,ସେତେବେଳେ ତମ ଭିତରର କବିପଣିଆ ମରିଯିବ।ଉପେନ୍ଦ୍ରଭଞ୍ଜ,କବିସୂର୍ଯ୍ଯ,ରାଧାନାଥ,ଗଂଗାଧର,ସାମନ୍ତ ସିଂହାର,ଭୀମଭୋଇ ଇତ୍ୟାଦି କବିମାନେ କେତେ ମାନପତ୍ର ବା ପୁରସ୍କାର ପାଇଥିଲେ ?ଲିଓ ଟଲଷ୍ଟୟଙ୍କ ଭଳି ଲେଖକ ମଧ୍ୟ ନୋବେଲ ପୁରସ୍କାର ପାଇନାହାନ୍ତି।ଏ ଗୋଡଟଣା ଯୁଗରେ ସେକଥା ଭାବିଲେ କଷ୍ଟ ହେବ।ତମର ଯଦି ପ୍ରତିଭା ଥିବ ତାହା ଆପେ ଆପେ ସମୟକ୍ରମେ ଲୋକଲୋଚନକୁ ଆସିବ,ଯେପରି ଭୀମଭୋଇ ଏବଂ ହଳଧର ନାଗ୍ ଙ୍କ କ୍ଷେତ୍ରରେ ଘଟିଛି।ପ୍ରଚାର କରି କେହି କେବେ ବଡ ଲେଖକ ବା କଳାକାର ହେଇପାରିନି।

ଏ ଭିତରେ ଦୁଇବର୍ଷ ବିତି ଯାଇଛି।ଜଗୁନି ‘ଫେସବୁକ୍ କବି’ ଜଗତରେ ନାମଜାଦା ହୋଇଗଲାଣି।ତାର ଦୁର୍ବୋଧ୍ୟ ଓ ଅର୍ଦ୍ଧବୋଧ୍ୟ କବିତାରେ ଫେସ୍ ବୁକିଆମାନେ ପ୍ରଶଂସାରେ ଶତମୁଖ।ଫେସ୍ ବୁକିଆ ମାନେ ଗୋଟେ ସମ୍ମିଳନୀ କରି ଜଗୁନିକି ତାର ପୁରା ଦାୟିତ୍ବ ଦେଇଛନ୍ତି।
ଦିନେ ଜଗୁନି ଗଜିମିଶ୍ରଙ୍କ ପାଖରେ ପହଞ୍ଚି କହିଲା “ଗୋସେଇଁ ଏଥର ଅଖିଳ ଉତ୍କଳ ଫେସ୍ ବୁକିଆଙ୍କ ସମ୍ମିଳନୀରେ ତମକୁ ସାହିତ୍ୟକୃତି ପାଇଁ ସମ୍ବର୍ଦ୍ଧନା ଦିଆଯିବ।ଭୁବନେଶ୍ବରରେ ମିଟିଂ ହେବ।ଆସିବ ନିଶ୍ଚିତଭାବରେ।
ଗଜିମିଶ୍ରେ ଯିବେ ନଯିବେ ହୋଇ ଶେଷରେ ଗଲେ ସମ୍ମିଳନୀରେ ଯୋଗଦେବାକୁ।ସେଠାରେ ପହଞ୍ଚି ତାଙ୍କର ଆଖି ଖୋସି ହୋଇଗଲା।ଜଗୁନି ବିଶାଳ ସମ୍ମିଳନୀରେ ଅଧ୍ୟକ୍ଷହୋଇ ବିରାଜମାନ।ପାଖରେ ବସିଛନ୍ତି କଳାଓ ସଂସ୍କୃତି ମନ୍ତ୍ରୀ।ଜଗୁନି ଓ ମନ୍ତ୍ରୀଙ୍କ ଭାଷଣବାଜିରେ ତିନିଘଣ୍ଟା ବିତିଗଲା।ପରଶେଷରେ ଗଜିମିଶ୍ରଙ୍କୁ ମାନପତ୍ରଟିଏ ମିଳିଲା।ମାନପତ୍ରଟି ମିଳିବାପରେ ତାଙ୍କୁ କିଛି କହିବାକୁ ସୁଯୋଗ ଦିଆଗଲା।ଜଗୁନି ଜଳଦ ଗମ୍ଭୀରକଣ୍ଠରେ କହିଲା “ଗଜି ମିଶ୍ରେ ଭାଷଣକୁ ଯଥାସମ୍ଭବ କ୍ଷୁଦ୍ର କରନ୍ତୁ।ମନ୍ତ୍ରୀ ମହୋଦୟ ଯିବାକୁ ତର ତର ହେଲେଣି।”
ଗଜିମିଶ୍ରଙ୍କ ମୁହଁ ଲାଲ୍ ପଡିଗଲା।ଜଗୁନିକୁ ଖାଲି ଟିକିଏ ଚାହିଁଲେ।କିଛି ନକହି ନିଜ ସ୍ଥାନକୁ ଫେରି ଆସିଲେ।ମନେ ପଡିଗଲା କବିବର ରାଧାନାଥ ରାୟ , ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କୁ ଦରବାର କାବ୍ୟରେ କହିଥିବା ଦିପଦ–

” ଏ ସମ୍ମାନେ ତୁମ୍ଭେ ହେବକି ହେ ବଣା?
ତୁମ୍ଭଙ୍କୁ ତ ଏହା ମୂଲ୍ୟ ଅଛି ଜଣା”

ତା’ପରଠାରୁ ଗଜିମିଶ୍ରେ କୌଣସି ‘ମାନପତ୍ର ସମ୍ମିଳନୀକୁ’ ଯାଇନାହାନ୍ତି।କିନ୍ତୁ ଏ ଭିତରେ ଜଗୁନି ମାନପତ୍ର ଉପରେ ମାନପତ୍ର ପାଇ ଜଗନ୍ନାଥସଡକରୁ ଯାଇ ଶ୍ରୀମନ୍ଦିରଭିତରେ ପହଞ୍ଚି ଗଲାଣି।

Click to rate this post!
[Total: 0 Average: 0]

Leave a Reply