Thursday, June 13, 2024
Satire

ଖେଚୁଡ଼ି (୧୨)

  • ଖେଚୁଡି 12

ବୀରାଧିବୀରବର ଝପଟ ସିଂହ ରାୟବାହାଦୂର୍ ବାଳଚନ୍ଦ୍ର ନାମରେ ଜଣେ ଗଡଜାତ ରାଜା ବ୍ରିଟିଶ ଅମଳରେ କରଦ ରାଜା ଭାବରେ ରାଜୁତି କରୁଥିଲେ।ବୟୋବୃଦ୍ଧ ଦେବାନ୍ ସାହେବ ତାଙ୍କ ନାମକୁ ସଂକ୍ଷୀପ୍ତ କରି ତାଙ୍କୁ ବାଳଚନ୍ଦ୍ର ବୋଲି ଡାକୁଥିଲେ।ଦେବାନ୍ ସାହେବ ତାଙ୍କୁ ଇଁରାଜୀରେ ‘ହେୟାର୍ ମୁନ୍’ ବୋଲି ଡାକିଲେ ମଧ୍ୟ ,ଇଁରାଜୀ ଭାଷାକୁ ଅବମାନନା ହେବ ଭାବି ରାଜା  କିଛି କହୁନଥିଲେ।ତାଛଡା ସେ ସମୟରେ ଦେବାନ୍ ,ବ୍ରିଟିଶ ସରକାରଙ୍କ ପ୍ରତିନିଧି ଭାବରେ ଭାରି ପ୍ରଭାବଶାଳୀ ଥିଲେ।

ବାଳଚନ୍ଦ୍ର ଉପାଧି ଦବାରେ ଓସ୍ତାଦ୍ ଥିଲେ।ଅନେକ ତେଲିଆ ରାଜକର୍ମଚାରୀଙ୍କୁ ସେ ବିଭିନ୍ନ ଉପାଧିରେ ଭୂଷିତ କରିଥିଲେ।କିଏ ଭଲ ଚାଳ ଛୁଆଇ(ଛପର କରିବା)ପାରୁଥିଲା ତ ତାକୁ ‘ଛୁଆଳ ସିଂହ’ ଉପାଧିରେ ଭୂଷିତ କରୁଥିଲେ ,ପୁଣି କିଏ ତାଙ୍କ ପାଲଟା ଲୁଗା ସଫା କରି ଦେଉଥିଲାତ ତାକୁ’ପାଲଟା ସିଂହ’ ଉପାଧି ମିଳୁଥିଲା।’ନିଜର ‘ଝପଟ ସିଂହ’ ଉପାଧିଟି ମଧ୍ୟ ସେ କର୍ମ ଅନୁସାରେ ପାଇଥିଲେ।ଥରେ ପଲିଟିକାଲ୍ ଏଜେଣ୍ଟଙ୍କ ସାଙ୍ଗରେ ଶିକାରକୁ ଯାଇଥିବା ସମୟରେ ଗୋଟିଏ ଢେଙ୍କିଆକୁ ଦେଖି “ବାଘ ଆଇଲା”କହି ଏମିତି ଯୋରରେ ଝପଟିଯାଇ(ଧାଇଁଯାଇ) ଗୋଟିଏ ବୁଦାଭିତରେ ଲୁଚିଯାଇଥିଲେ ଯେ ,ଗୋରା ଏଜେଣ୍ଟ୍ ହସି ହସି ବେଦମ ହେଇ ତାଙ୍କୁ “ଝପଟ ସିଂହ”ଉପାଧିଟି ଦେଇଥିଲେ।

ରାଜ ନର୍ତ୍ତକୀକୁ ମଧ୍ୟ “ନୃତ୍ୟବିନ୍ ବିଜିଲୀ” ଉପାଧିଟି ବାଳଚନ୍ଦ୍ର ଅନୁଗ୍ରହ କରି ଦେଇଥିଲେ।ରାଜ ନର୍ତ୍ତକୀ ଅପରୂପା ସୁନ୍ଦରୀ ହେଲେ ମଧ୍ୟ ନାଚରେ ବେତାଳିଆ ଥିଲା।ରାଜ ନର୍ତ୍ତକୀ ପଦ ପାଇଁ ଅନେକ ପ୍ରତିଭାଶାଳୀ କଳାକାର ଆବେଦନ କରିଥିଲେ ମଧ୍ୟ ବିଜିଲୀ ଭଳି ସୁନ୍ଦରୀକୁ ହାତଛଡା କରିବାକୁ ଚାହୁଁନଥିଲେ ରାଜା।ତେଣୁ ବିଜିଲୀ ସହିତ ଏକାନ୍ତରେ ଦେଣନେଣ ସର୍ତ୍ତରେ ବିଜିଲୀକୁ ନର୍ତ୍ତକୀ ଚାକିରୀଟି ଦେଲେ।ବିନିମୟରେ ବିଜିଲୀ ଅନେକ ଏକାନ୍ତ ମୁହୁର୍ତ୍ତରେ ରାଜାଙ୍କ ମନୋରଂଜନ କରୁଥିଲା।ସର୍ତ୍ତଥିଲା ଯେ ରାଜାଙ୍କର ସୁନ୍ଦରୀ ରାଣୀ ଏବଂ ଦେବାନ ଓ ପଲିଟିକାଲ ଏଜେଣ୍ଟ୍ ଯେମିତି ଏ ଗୁପ୍ତ ପ୍ରଣୟର ଟେର୍ ନପାଆନ୍ତି।କାରଣ ସେମାନେ ଜାଣିଲେ ଚରିତ୍ର ସାର୍ଟିଫିକେଟ୍ ଖରାପ ହେବାର ସମ୍ଭାବନା।ରାଜା ମଧ୍ୟ ସୁନ୍ଦରୀ ସ୍ତ୍ରୀକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲେ।ଏ ସର୍ତ୍ତାବଳୀରେ ବିଜଲୀ ଖୁସି ଖୁସି ରାଜି ହେଇଗଲା।

ଦିକର କଥା,ପଲିଟିକାଲ୍ ଏଜେଣ୍ଟ୍ ଗସ୍ତରେ ଆସିଥାନ୍ତି।ଦେବାନ୍ କହିଲେ “ହେୟାର୍ ମୁନ୍ ! ଆଜି ସାହେବଙ୍କ ମନୋରଂଜନ ପାଇଁ ନୃତ୍ୟଗୀତର ବ୍ୟବସ୍ଥା କରାଯାଉ।” ବିଜିଲୀକୁ ଡକାଗଲା।ଦରବାରରେବିଜିଲୀ,ତାର ସୁନ୍ଦର ଅଙ୍ଗଭଙ୍ଗି ପ୍ରଦର୍ଶନ କରି ,ଗୀତର ତାଳେ ତାଳେ ନୃତ୍ୟ କରିବାକୁ ଲାଗିଲା।ଗୀତଟି ବିଜିଲୀ ନିଜେ ରଚନା କରିଥିଲା —

“କହିଦେବିରେ ବାଳା,
ଲୋକ ଅନ୍ତରରେ ତୋ ଲୀଳାଖେଳା,
କୁଞ୍ଜବନେ ଢୁକି ରହିଅଛୁ ଟାକି
ବାଳଚନ୍ଦ୍ର ଚୋରା ପୀରତି ଲୀଳା।”

ଗୀତଟି ଶୁଣି ରାଜାଙ୍କର ଯମଝାଳ ବୋହିଗଲା।ଭାବିଲେ    “ସତରେ କଣ ବିଜିଲୀ ତାଙ୍କ ଚରିତ୍ରପୃଷ୍ଟା ସମସ୍ତଙ୍କ ଆଗରେ ପଢିଦବ?କଣ ହବ ତାଙ୍କ ଅବସ୍ଥା ,ରାଣୀ କଣ ଭାବିବେ?ଭେଣ୍ଡାପୁଅଟା ଆଉ ଭେଣ୍ଡୀ ଝିଅଟାର ବୋପା ଉପରେ କଣ ଧାରଣା ହବ?ଆରେ ବାବା,ଫସିଗଲୁରେ ହେୟାର୍ ମୁନ୍।”
ବିଜିଲୀକୁ ସନ୍ତୁଷ୍ଟ କରିବାକୁ ରାଜା ପୁରସ୍କାର ଉପରେ ପୁରଷ୍କାର ଘୋଷଣା କରି ଚାଲିଲେ “ବାଃ ବିଜିଲୀ ବାଃ ! କି ସୁନ୍ଦର ନାଚୁଚୁ !ହଉ ସେତିକି ଥାଉ।ଆଉ ଆଗକୁ ଯା’ନା।” ବିଜିଲୀର ମନ କୁଣ୍ଢେମୋଟ।ଏତେ ପ୍ରଶଂସା ସେ ତାର ନର୍ତ୍ତକୀ ଜୀବନରେ କେବେ ପାଇନଥିଲା।ପାଞ୍ଚଗୁଣ ଉତ୍ସାହରେ ସେ ନାଚିଚାଲିଲା।ଗୀତଟିକୁ ବାରମ୍ବାର ଗାଇଚାଲିଲା।

ଏଣେ ଡରରେ ରାଜାଙ୍କର ପଶ୍ଚାତ୍ ସନ୍ନିପାତ ହେବାକୁ ବସିଲାଣି।ଭାବିଲେ “କ’ଣ କଲା ସେ ବିଜିଲି ! ଚରିତ୍ରବାନ ବୋଲି ତାଙ୍କର ରାଜ୍ୟରେ ଯେଉଁ ନାଁ ଅଛି ତାହା ମାଟିରେ ତ ମିଶିଯିବ,ତାଛଡା ପରିବାର ସଦସ୍ୟଙ୍କୁ ସେ ମୁହଁ ଦେଖେଇ ପାରିବେତ ?”

ଶେଷରେ ରାଜା ଉଠିଲେ।ବିଜିଲିକୁ କହିଲେ “ତୋ ପାଖରେ ଟିକିଏ କାମ ଅଛି ଭିତରକୁ ଆ।”ବିଜିଲୀ ଭିତରକୁ ଗଲା।ନିଭୃତରେ ରାଜା ପଚାରିଲେ “କ’ଣ କହିଦବୁ ବୋଲି ଧମକଉଚୁ ?ମୋର କଣ ଖାଲି ଏକା ଦୋଷ?ଖାଇବାକୁ ପାଉନଥିଲୁ, ତତେ ଦରବାରରେ ଚାକିରୀ ଦେଲି।ମୋଠୁଁ ଏତେ ପାଇମଧ୍ୟ ମନ ସନ୍ତୁଷ୍ଟ ହେଲାନି ଯେ ଡରଉଚୁ କହିଦବୁ ବୋଲି ?”

ବିଜିଲୀ ବାଳଚନ୍ଦ୍ରଙ୍କ ହାବ ଭାବ ଦେଖି ଆଶ୍ଚର୍ଯ୍ଯ।କହିଲା ” ଏ ମାଁ,ମୁଁ ସେମିତି କିଛି ଭାବିକି ଗୀତ ବୋଲୁ ନଥିଲି।ମୋର କ’ଣ ଇଜ୍ଜତ ନାହିଁ ଯେ ମୁଁ ତମକୁ ଡରେଇବି?କେଡେ ଛେରୁଆ ରଜା ଲୋ ମା’। ତମେ କହିଲା ପରେ ଜାଣୁଚି ମୋ ଗୀତର କେତେ ଭାଉ।ଯଦି ମତେ ଚାକିରୀରୁ ବାହାର କରିବା ନାଁ ଧରିଚ ତାହେଲେ—–”
ରାଜା ବାଳଚନ୍ଦ୍ର ବଲବଲକରି ବିଜିଲୀ ମୁହଁକୁ ଚାହିଁ ରହିଲେ।

ତା’ପରଠାରୁ ବିଜିଲୀ ଯେତେବେଳେ ଉଆସକୁ ଆସିଲା ରାଜାଙ୍କ ପୋଶା ଶୁଆର ପଞ୍ଜୁରୀ ପାଖକୁ ଯାଇ “ମି ଠୁ ମିଠୁ” ଡାକିଲା।ରାଜା ବିଜିଲୀର ଏ କାର୍ଯ୍ଯ କିଛି ବୁଝିପାରୁନଥିଲେ ।

Click to rate this post!
[Total: 0 Average: 0]

Leave a Reply