Friday, April 12, 2024
Uncategorized

ଢୁମ୍ପା ସଙ୍ଗୀତ (ଗଡ଼ଜାତ ର ପ୍ରସିଦ୍ଧ ଲୋକକଳା)

ଗଡଜାତର ପ୍ରସିଦ୍ଧ ଲୋକସଂଗୀତ ‘ଢୁମ୍ପା’
————————————————

‘ଢୁମ୍ପା ସଂଗୀତ’ ଓଡିଶାର ଗଡଜାତର ଏକ ବିଶିଷ୍ଟ ଲୋକ-କଳା।କିନ୍ତୁ ଢୁମ୍ପା ସଂଗୀତ ବିଷୟରେ ଖୁବ୍ କମ ଲୋକ ଜାଣନ୍ତି ।
ଢୁମ୍ପା ସଂଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବାପାଇଁ ପଡିବ।ଗଞ୍ଜାମର ବଡଖେମୁଣ୍ଡିରେ 1789 ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର କବିସୂର୍ଯ୍ଯ ବଳଦେବ ରଥ।1845 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା।ଜୀବନକାଳ ଭିତରେ ସେ ଯେଉଁ ସାହିତ୍ୟକୃତି କରିଯାଇଛନ୍ତି ତାର ପଟାନ୍ତର ନାହିଁ ।କିଶୋର ଚନ୍ଦ୍ରାନନ ଚମ୍ପୂ,ରତ୍ନାକର ଚମ୍ପୂ,ଚନ୍ଦ୍ରକଳା ଏବଂ ସର୍ପଜଣାଣ ତାଙ୍କ କୃତିମାନଙ୍କ ମଧ୍ୟରେ ଅନ୍ୟତମ।ଆଜିକାଲିର ତଥାକଥିତ ଓଡିଆ ସାହିତ୍ୟିକମାନଙ୍କର ଜ୍ଞାତସାରରେ ଏଭଳି ଅନନ୍ୟ କୃତିଥିବା ଆବଶ୍ୟକ ।

ତାଙ୍କଦ୍ୱାରା ରଚିତ ସଂଗୀତ ଗୁଡିକୁ ଗାଇବାପାଇଁ ସଂଗୀତ ଆସରର ଗଠନ କରାଯାଉଥିଲା।ସେହି ଆସରକୁ ‘ଢୁମ୍ପା’ ସଂଗୀତ ଆସର କୁହାଯାଉଥିଲା।ସେଥିରେ ଯେଉଁ ମୂଖ୍ୟ ବାଦ୍ୟଯନ୍ତ୍ରଟି ବ୍ୟବହୃତ ହେଉଥିଲା ତାକୁ ଢୁମ୍ପା କୁହାଯାଉଥିଲା।ଏହା ‘ରାଜମଇ’ କିମ୍ବା ‘ଭେଣ୍ଡିଆ ମର୍ଦ୍ଦନ’ ଗଛର ପଳଖ ବା ଖୋଳରୁ ପ୍ରସ୍ତୁତ ହେଉଥିଲା।’ଢୁମ୍ପା’ ସଂଗ୍ରହ ମୂଖ୍ୟତଃ ବର୍ଷାଦିନେ ଜଙ୍ଗଲରୁ ହୋଇଥାଏ।ସଳଖରେ ବଢିଥିବା ଏବଂ ମଝିରେ ଗଣ୍ଠି ନଥିବା ‘ଭେଣ୍ଡିଆମର୍ଦ୍ଦନ’ ଗଛ କିମ୍ବା ‘ରାଜମଇ’ ଗଛକୁ କାଟି, ତାର ମୋଟା ଖୋଳପାକୁ ଗଣ୍ଡିରୁ ଅଲଗାକରି, ପ୍ରାୟ ଆଠ/ଦଶ ଫୁଟ ଲମ୍ବର ବାଦ୍ୟଯନ୍ତ୍ରଟି ପ୍ରସ୍ତୁତ କରାଯାଏ।ଖୋଳଟି ଶୁଖିଗଲାପରେ ତା’ଉପରେ କାଠିରେ ,ତାଳ ଅନୁସାରେ ମାଡଦେଲେ ସୁନ୍ଦର ଶବ୍ଦର ସୃଷ୍ଟି ହୁଏ।ଢୁମ୍ପାର ଦୁଇପଟକୁ ରସିରେ ବାନ୍ଧି ଝୁଲେଇ ଦିଆହୁଏ।ଜଣେ ପୃଥୁଳ ପେଟଧାରୀ ନିଜ ପେଟଉପରେ, ଢୁମ୍ପାର ଗୋଟିଏ ପାଖ ଟାଣି, ମୃଦୁ ମୃଦୁ ମାଡ କରନ୍ତି ଓ ଅପସାରିତ କରନ୍ତି।ଏହି ପ୍ରକ୍ରିୟାକୁ “ଢୁମ୍ପିବା”କୁହାଯାଏ ଏବଂ ସେଥିପାଇଁ ଏହାକୁ ଢୁମ୍ପା ସଂଗୀତ କୁହାଯାଏ ।
ଦୁଇଖଣ୍ଡ ବାଉଁଶକାଠିରେ ଅନ୍ୟ ଦୁଇଜଣ ଦୁଇପଟେ “ତାରିଖିଟା ତାକଝିଣା” ତାଳରେ ଢୁମ୍ପା ଉପରେ ବାଜଣା କରନ୍ତି।ତା’ସଙ୍ଗେ ସଙ୍ଗେ ହାରମୋନିୟମ, ଡୁବି ତାବଲା,ପଖଜ ଇତ୍ୟାଦି ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଏ।ଢୁମ୍ପା ସଂଗୀତ ବୋଲାହୁଏ ଏବଂ ଆସର ଜମି ଉଠେ।ଗୋଟିଏ ଢୁମ୍ପାଯନ୍ତ୍ର, ଗୋଟିଏ ବା ଦୁଇଟି ଆସରରେ ନଷ୍ଟ ହୋଇଯାଏ।
ଏହି ଢୁମ୍ପା ସଂଗୀତ ରାଜୁଡା ସମୟରେ ଖଣ୍ଡପଡା,ନୟାଗଡ଼,
ଦଶପଲ୍ଲା,ରଣପୁର,ପାରଳାଖେମୁଣ୍ଡି, ବଡମ୍ବା ଇତ୍ୟାଦି ଗଡଜାତ ମାନଙ୍କରେ ରାଜକୀୟ ପୃଷ୍ଠପୋଷକତାରେ ପ୍ରସିଦ୍ଧ ଲୋକଗୀତ ର ସମ୍ମାନ ଲାଭ କରିଥିଲା।ଏବେ ତାହା ଲୁପ୍ତପ୍ରାୟ।ତଥାପି ଏହି ଲୋକକଳାକୁ ବଞ୍ଚାଇ ରଖିବାପାଇଁ ଖଣ୍ଡପଡାର କିଛି କଳାକାର ପ୍ରୟାସ ଜାରି ରଖିଛନ୍ତି ।ଦୁର୍ଗାପୂଜା ସମୟରେ ଏବଂ ସାମନ୍ତ ଜୟନ୍ତୀ ସମୟରେ ଏହି କଳାକାରମାନେ ଢୁମ୍ପା ସଂଗୀତ ପରିବେଷଣକରି ଉପସ୍ଥିତ କଳାପ୍ରେମୀ ମାନଙ୍କର ମନୋରଂଜନ କରନ୍ତି।
ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର ଗଦାଧର ସିଂହ ସାମନ୍ତଙ୍କ ରଚିତ ଢୁମ୍ପାସଂଗୀତ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ପୁରାତନ ସଂଗୀତର ପରିବେଷଣ ମଧ୍ୟ,ଖଣ୍ଡପଡାରେ, ଏହି ଆସର ମାନଙ୍କରେ ହୁଏ।
ଢୁମ୍ପା ସଂଗୀତ ଆସର ବିଶେଷତଃ ବର୍ଷା କାଳରେ ଜମିଉଠେ। ଢୁମ୍ପା ସହିତ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଢୁମ୍ପା ଗାୟକ, ଗଦାଧର ସିଂହ ସାମନ୍ତଙ୍କ ରଚିତ ସଂଗୀତ ଗାନ କରନ୍ତି। :-

” ତୁ ବୋଲ ସଖୀ,ଝେଣାଖିଟା ତାରେ,
ସୁନ୍ଦର କୁଚ କୁମ୍ଭ ଯୁଗଳ ମଣ୍ଡି କୁସୁମ ହାରେ।”
ଅଥବା
“ରାଜୀବାନନୀ ଆଜ ଆସିବଟି ହେ,ରାଜୀବାନନୀ,
ଆସିବ ନାହିଁ ସେ ମହା ମହିଧର ଅଗାଧ ସିନ୍ଧୁରେ ଭାସିବଟି ହେ,
ରାଜୀବାନନୀ।”
ଅଥବା
ଶୋଭା ଦିଶେ କିରେ ଖଣ୍ଡାରେ ନଥିଲେ ପାଳି,
ଭଣ୍ଡାରେ ନଥିଲେ ସଲକ୍ଷଣ ହୀରା ଥଣ୍ଡାରେ ନଥିଲେ ଗାଳି,
ଶୋଭା ଦିଶେ କିରେ—–
କିମ୍ବା
ଶ୍ୟାମ ଫେରିଯାଇ ହେ,କାମନାଟି ପୂରିଲାଣି,
ବାମ ନୟନାର ସୌଭାଗ୍ୟ ସୁନ୍ଦର ବିଜଟି ଗଜୁରିଲାଣି,
ଶ୍ୟାମ ଫେରିଯାଇ ହେ—-”
କିମ୍ବା
ଝୁଲି ଝୁଲି କିଏ ଆସୁଥାଏ ରେ ,ମୋର ଝୁମୁରୁ ଝୁମୁରୁ ପାୟେ,
କାଇଁଚ ମାଳିଆ କାଳିଆ ସୁନା ହେ’ଟି ମୁଁ ମରିଯାଏ,ଝୁଲି ଝୁଲି—-
ବା
ସରିହେବି କିରେ ତୋତେ ଜୀବଧନ !
ଭୂପାଳ ଜେମା ତୁ ମୁହିଁ ଗୋପାଳ ନନ୍ଦନ,
ତୋ ତନୁ ହେମମଂଜୁଳା,ମୋ ଅଙ୍ଗ ଅଙ୍ଗାର କଳା,
ତୁ ରତ୍ନ ଲଲାମା ମୁହିଁ ଶିଖଣ୍ଡ ମଣ୍ଡନ,ସରି ହେବିକିରେ—-
କିମ୍ବା
ସଖୀ ! ଆଜ ମୁଁ ଲାଜେ ମଲି,
ମନା କରୁଥିଲୁ କିପାଁ ଯମୁନାକୁ ଗଲି ଗୋ,
ଉଠି ଆସୁ ଆସୁ ସରୁ,ବସନ ପିନ୍ଧି ଜଳରୁ,
ଲତା ଉଢାଳେ ଦିଶିଲା ଗୋରଚନା କଲି ଗୋ,
ଆଜ ମୁଁ ଲାଜେ ମଲି।
ଅଥବା
ଧରା ମଣ୍ଡିଲାରେ,ଯତୀବୃନ୍ଦ ସୁମତି ହରା,
ବିପିନ ବିହାର ସମୟକୁ ପଡିଥିଲା ଡାହାଣିଆ ଖରା।

ଉପରୋକ୍ତ ପଦ ଗୁଡିକ ଗଦାଧର ସିଂହଙ୍କର ରସସିକ୍ତ ସଂଗୀତ ରଚନାର ପରିଚୟ ପ୍ରଦାନ କରେ।ଗଦାଧର, ବିଶେଷତଃ,ରାଧା-କୃଷ୍ଣ ପ୍ରେମରସାତ୍ମକ ସଂଗୀତ ରଚନାରେ ପ୍ରବୀଣ ଥିଲେ।1964 ମସିହାରେ ତାଙ୍କର ଦେହାନ୍ତ ପରେ ଆଉ ସେଭଳି ଢୁମ୍ପା ସଂଗୀତ କେହି ରଚନା କରିନାହାନ୍ତି ।

ଅଧୀନ ଖଣ୍ଡପଡାର ଯେଉଁ କେତେଜଣ ପ୍ରସିଦ୍ଧ ଢୁମ୍ପା ସଂଗୀତଜ୍ଞଙ୍କ ସଂସ୍ପର୍ଶରେ ଆସିଛି, ସେମାନେ ହେଲେ ସୁରେଶ ମହାପାତ୍ର (ବର୍ତ୍ତମାନ ଅଶୀବର୍ଷ ଉପରେ ବୟସ),ସ୍ୱର୍ଗତ ନରସିଂହ ସିଂହସାମନ୍ତ,ସ୍ୱର୍ଗତ ବୈଦ୍ୟନାଥ ଷଡଙ୍ଗୀ(ମଦୀୟ ପିତା),ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ଗଙ୍ଗାଧର ଦାଶ,ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ଇତ୍ୟାଦି।ସେମାନଙ୍କର ଦଳଗତ ପରିବେଷଣ ଅନନ୍ୟ ଥିଲା।ଗାଉଣା, ବାଜଣା, ତାଳ, ଲୟ ଇତ୍ୟାଦିରେ ସେମାନଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ ।ଖଣ୍ଡପଡାର ତତ୍କାଳୀନ ରାଜା ସାହେବ ହରିହର ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଢୁମ୍ପାପ୍ରେମୀ ଏବଂ ପୃଷ୍ଠପୋଷକ ଥିଲେ।ଆଜିକାଲି ଖଣ୍ଡପଡାରେ ଯେଉଁ ଢୁମ୍ପା ପରିବେଷଣ ହେଉଛି ,ତାହା ପୂର୍ବସୂରୀଙ୍କର ପରିବେଷଣର ଛାୟା ମାତ୍ର।ଆଜିକାର ଢୁମ୍ପା ଦଳକୁ ଅନୁରୋଧ ,ସେମାନେ ବେଶି ଅଙ୍ଗଭଙ୍ଗୀ ନକରି ତାଳ ଓ ଲୟରେ ଅଧିକ ମନୋନିବେଶ କରିବା ଉଚିତ।

ଗଡଜାତର ଏହି ଲୁପ୍ତପ୍ରାୟ ଲୋକ-କଳାକୁ ଜୀବିତ ରଖିବାର ଦାୟିତ୍ବ ଓଡିଶା ସରକାରଙ୍କର।ସଂସ୍କୃତି ବିଭାଗ ଦୃଷ୍ଟି ଦେବା ବିଧେୟ ।

Click to rate this post!
[Total: 0 Average: 0]

Leave a Reply