Friday, February 23, 2024
Stories

ପରାସ୍ତ ସୈନିକ

ପରାସ୍ତ ସୈନିକ
=================================
ସେବା ନିବୃତ୍ତି ପରେ ନିଜକୁ ବଡ଼ ଅସହାୟ ମନେ କରୁଥିଲେ ଦେବଦତ୍ତ ପଟ୍ଟନାୟକ।ଏ ଅସହାୟତା ଛାତି ଭିତରୁ ଦୀର୍ଘ ନିଶ୍ଵାସ ହୋଇ ବାହାରି ଆସୁଥିଲା।ନିଜେଏକ ଅସଫଳତାର କାହାଣୀ ହୋଇ ରହିଗଲେ ଦେବଦତ୍ତ।ସେ କାହାଣୀ ଏକ ଅମାବାସ୍ୟାର ଜହ୍ନର କାହାଣୀ, ମୁହଁ ଲୁଚେଇଥିବା ଜହ୍ନର ଅପରପାର୍ଶ୍ବ ସେ ନିଜେ।ସେ ଏକ ଅଯାଗା ଘା,ନିଜେ ବଡ଼ କଷ୍ଟରେ ଦେଖିପାରନ୍ତି କିନ୍ତୁ ଅନ୍ୟ କାହାକୁ ଦେଖେଇ ପାରନ୍ତିନି।

…… ତିରିଶି ବର୍ଷ ତଳେ ଅର୍ଦ୍ଧାଙ୍ଗିନୀ ସୁଷମାଙ୍କ ସହିତ ମଧୁଚନ୍ଦ୍ରିକା ଦିଦିନର ଚାନ୍ଦିନୀ ରାତି ଭଳି ବିତି ଗଲା।ସେ ଚାନ୍ଦିନୀ ରାତିର ମୂଖ୍ୟ ଭାଗ ମେଘାଚ୍ଛନ୍ନ ହୋଇ ରହିଗଲା।ରୂପ ଯୌବନର ମୋହ ଭାଙ୍ଗି ଗଲାପରେ,ଅତୀତରେ ଦେବଦତ୍ତଙ୍କର ପ୍ରଗଲ୍ଭମନର,ଦୁର୍ବଳତାକୁ ଗଣ୍ଠି କରି ଧରିଲେ ପତ୍ନୀ। କେଉଁ ଏକ ସହପାଠିନୀ ପାଇଁ ଲିଖିତ ଏକ ପ୍ରେମପତ୍ର ଅର୍ଦ୍ଧାଙ୍ଗିନୀଙ୍କହାତରେ ପଡ଼ିଯିବା ପରେ ତାଙ୍କ ସନ୍ଦେହର ସୀମାରେଖା ଭିତରେ ଛଟପଟ ହେଲେ ଦେବଦତ୍ତ। ଗୋଟିଏ ଚିଠି ହଠାତ୍ ତାଙ୍କୁ ଚରିତ୍ର ହୀନ କରି ଦେଲା। ଅର୍ଦ୍ଧାଙ୍ଗିନୀଙ୍କର ପ୍ରଶ୍ନିଳ ଆଖି ଭିତରେ ମୂଖ୍ୟ ପ୍ରଶ୍ନଟି ଥିଲା…ତୁମେ ପୁଅ ପିଲା ବୋଲି ଏସବୁ କଲେ ସମାଜରେ ଗ୍ରହଣୀୟ,ତମେ ପିତଳ ହାଣ୍ଡି,ମାଜିଦେଲେ ଚିକ୍ ଚିକ୍, ମୁଁ କଲେ ତମେ ସହି ପାରିବ ତ?ତମ ସମାଜରେ ମୁଁ କାହିଁକି କଳଙ୍କିନୀ ହେବି?ଏ ପ୍ରଶ୍ନକୁ ସବୁବେଳେ ଝୁଣ୍ଟିପଡନ୍ତି ଦେବଦତ୍ତ।

…..ପୁଅ ମହେଶ୍ବରର ଫଟୋଗ୍ରାଫି-ନିଶା ଥିଲା ଚାହୁଁଥିଲା ତାଲିମ୍ ନେଇ ସିନେମାଟୋଗ୍ରାଫି କରିବା ପାଇଁ।ବାଧ୍ୟକରି ତାକୁ ଇଞ୍ଜିନିୟରିଂ ପଢାଇଲେ ଦେବଦତ୍ତ। ଚାକିରି ବାକିରି ନପାଇ ପାଞ୍ଚବର୍ଷ ହେଲା ବସିଚି ସେ। ଏବେ ଗଞ୍ଜେଇ ଟାଣିବା ସହିତ ଗଞ୍ଜେଇ ବ୍ୟବସାୟ କରୁଚି,ମୁଣ୍ଡ ଉପରେ ସବୁବେଳେ ଅବୈଧ- ନିଶା- ବ୍ୟବସାୟଜନିତ ଅପରାଧର ଖଣ୍ଡା ଝୁଲୁଚି;ଧରାହେଲେ ଜେଲ୍,ଦେବଦତ୍ତଙ୍କର ବହୁ କଷ୍ଟରେ ଅର୍ଜିତ ସମ୍ମାନ ମାଟିରେ ମିଶିଯିବାର ଡର ତାଙ୍କୁ ସବୁବେଳେ ଘାରୁଚି।ପୁଅକୁ ବାରଣ କରିବାରୁ ପୁଅର ପ୍ରଶ୍ନ….ଧରାହେବି ତ ଜେଲ୍ ଯିବି,ତମର ଏତେ ଚିନ୍ତା କାହିଁକି?ତମର କଣ ବା ସମ୍ମାନ, ଗୋଟିଏ ଅସଫଳ ବ୍ୟାଙ୍କ୍ କିରାଣୀର ପୁଣି ପ୍ରେଷ୍ଟିଜ୍ ଗୋଟାଏ କଣ?ତମେ କଣ ଭାରତର ରାଷ୍ଟ୍ରପତି ଯେ ତମର ପ୍ରେଷ୍ଟିଜ୍ ଚାଲିଯାଉଚି?

—–ଝିଅ ପ୍ରମିଳା ଚାହୁଁଥିଲା ତା ପ୍ରେମିକକୁ ବାହାହେବ,କରାଇ ଦେଲେନି ଦେବଦତ୍ତ,କାରଣ ସେ ଅଜାତିର ଥିଲା।ଝିଅ ସେଠି ବାହାହେବାକୁ ଯିଦ୍ କଲେ ଆତ୍ମହତ୍ୟା କରିବେ ବୋଲି ଦେବଦତ୍ତ ଧମକ ଦେଲେ।ଝିଅ ତାର ନିଷ୍ପତ୍ତି ପରିବର୍ତ୍ତନ କରି ବାପାଙ୍କ ଦ୍ୱାରା ନିର୍ବାଚିତ ଜୋଇଁକୁ ବାହାହେଲା।ଜୋଇଁ ଏ’କ୍ଲାସ୍ କଣ୍ଟ୍ରାକ୍ଟର୍,ଏ’ କ୍ଲାସ୍ ମଦୁଆ ମଧ୍ୟ।ମଦପିଇ ଝିଅକୁ ସବୁବେଳେ ବାଡେଇବା ଯୋଗୁଁ ଝିଅ ଆସି ତାଙ୍କ ପାଖରେ, ଛୋଟ ପିଲାଟି ସହିତ ରହୁଚି।ଝିଅର ପ୍ରଶ୍ନ…କଣ ମିଳିଲା ତୁମକୁ ସେ ଜାତିରୁ? ଜାତି ଆଉ ବଡଲୋକୀକୁ ଚାଟି ଚାଟି ତୁମର ହୁଏତ ପେଟ ପୂରୁଥିବ,ମୋର କିନ୍ତୁ ମାଡ଼ ଖାଇ ଖାଇ ପଞ୍ଜରା ହାଡ଼ ଭାଙ୍ଗିଲାଣି। ମୁଁ ଯାହାକୁ ଭଲ ପାଉଥିଲି ତାକୁ ବାହା ହୋଇ ଥିଲେ କେତେ ଖୁସିରେ ରହିଥାନ୍ତି ! ସେ ଏବେ କଲେଜରେ ଆସିଷ୍ଟାଣ୍ଟ ପ୍ରିନ୍ସପାଲ୍। କାହିଁକି ଏମିତି ମୋ ଜୀବନ ନଷ୍ଟକରିଦେଲ ବାବା?

…..ଝିଅର ସମସ୍ୟାର ସମାଧାନ ପାଇଁ ଜୋଇଁ ଓ ସମୁଦୀଙ୍କ ପାଖକୁ ଯାଇଥିଲେ ଦେବଦତ୍ତ। ସେଠାରୁ ମାଡ଼ ଖାଇ ଫେରିଲେ।ଥାନାକୁ ଯାଇ କିଳାଟିକୁ ଗୁଆ ନିମନ୍ତ୍ରଣ କରିବାର ନଥିଲା।ଏବେ କଚେରି ଦଉଡ଼ି ଦଉଡ଼ି ନାକେଦମ୍। ଯେଉଁ ଓକିଲ ସମୁଦୀଙ୍କ ପାଇଁ ଲଢୁଚି,ତାଙ୍କପୁଅ ଦେବଦତ୍ତଙ୍କ ପାଇଁ ଲଢୁଚି।ଦିପଟୁ ପକେଇ ଓକିଲ ପରିବାରଟି ମାଲା ମାଲା;ଦେବଦତ୍ତଙ୍କର ସମୁଦୀ ଘର ସହିତ ସବୁଦିନ ପାଇଁ ଦୁଆର ପଡ଼ିଯାଇଛି।ସମୁଦୀ ଚଦିଛନ୍ତି ଆଉ ଥରେ ତାଙ୍କ ଦୁଆର ମାଡିଲେ ଗୁଳି କରିଦେଵେ। ଅର୍ଦ୍ଧାଙ୍ଗିନୀଙ୍କର ପ୍ରଶ୍ନ.. କାହିଁକି ଥାନାକୁ ଯାଉଥିଲ?ଝିଅ ଦେଇଚ,ସମୁଦୀ ଚାପୁଡାଟେ ପକେଇଲେ ଯଦି ପକେଇଲେ,ତମେ‌ କୋଉ ଗଭର୍ଣ୍ଣରଟା ଯେ ପ୍ରେଷ୍ଟିଜ୍ ପଳଉଥିଲା??

……ଦେବଦତ୍ତ ଯାଇଥିଲେ ଗାଁକୁ ଜମିବାଡ଼ି ବଣ୍ଟାବଣ୍ଟି କରିବାପାଇଁ। ଚାକିରିରେ ଥିବା ସମୟରେ,ନିଜ ପେଟରୁ କାଟି ଯାହା ସଞ୍ଚୟ କରିଥିଲେ ସେଥିରେ ଘର ପାଇଁ ଜମି ଚାରିଏକର କରିଥିଲେ। ଜମି ବାପାଙ୍କ ନାଁରେ କିଣା ହୋଇଥିଲା।ବାପାଙ୍କ ପରେ ଏବେ ସେ ଜମି ଦେବଦତ୍ତଙ୍କୁ ଦେବାପାଇଁ ସାନଭାଇ ନାରାଜ୍;ସେ ଜମିରୁ ମଧ୍ୟ ସେ ଭାଗ ନେବାପାଇଁ ଚାହେଁ।ସାନ ଭାଇର ପ୍ରଶ୍ନ.. ଏତେଦିନ ବାହାରେ ବୁଲିଲ,ବାପା ମାଆଙ୍କ କଥା ବୁଝିଲନି କି ଘରକୁ କାଣି କଉଡିଟିଏ ବି ଦେଲନି।ମାଆ ତୁମ ଘରକୁ ପାଞ୍ଚଦିନ ପାଇଁ ଗଲେ ମଧ୍ୟ ବୋହୂ ଦାଉରେ ରହି ନପାରି ଗାଁ କୁ ଫେରିଆସେ।ବାପା ମାଆଙ୍କ ସବୁକଥା ମୁଁ ବୁଝିବି,ଏବକୁ ତମର ଜମି ଦର୍କାର।କୋଉ କଲେକ୍ଟରଟା କି ତମେ?

—————ଗାଁ ଲୋକମାନେ ନାକରେ ଆଙ୍ଗୁଠି ଗେଞ୍ଜି ହସିଲେ,କହିଲେ..ତୋଠୁ ବଳି ବୋକା କିଏ ଅଛି ଦେବ?ଭାଇ ଭାଇ ହଉଥିଲୁ ଏବେ ପାଆ।ଜଣେ ପୁରୁଖା ଲୋକ ପଚାରିଲା..ପାଞ୍ଚବର୍ଷରେ ଥରେ ମଧ୍ୟ ଆମେ ତମ ମୁହଁ ଗାଁ’ରେ ଦେଖିଲୁନି, ଆଜି କେମିତି ତମକୁ ସମର୍ଥନ କରିବୁ? ଏମିତି ଦୋନାବୁଡିଆ ମାନେ ଆଉ କ’ଣ ହେବେ? ନାଁ ତମେ ସହରର ନାଁ ହେଲ ଗାଁ’ର।
—–କାନମୁଣ୍ଡ ଆଉଁସି ଫେରିଲେ ଦେବଦତ୍ତ।ଘରେ ପହଞ୍ଚି ଅର୍ଦ୍ଧାଙ୍ଗିନୀଙ୍କୁ ଜଣେଇଲେ ସମସ୍ୟା।ସମବେଦନା ମଧ୍ୟ ମିଳିଲାନି। ଅର୍ଦ୍ଧାଙ୍ଗିନୀ କହିଲେ…ଭଲ ହେଇଚି,ଯେମିତି ନୁହାକୁ ସେମିତି ପାଣି।
ଦେବଦତ୍ତ ଭାବିଲେ…. ପୃଥିବୀର ସବୁ ସମସ୍ୟା ପାଇଁ ତା’ହେଲେ ସେ ଦାୟୀ !!ସବୁ ଅସଫଳତାର ଶ୍ରେୟ ତାଙ୍କ ଉପରେ !

—-ସୋଫା ଉପରେ ବସୁବସୁ ଦେବଦତ୍ତ ଦେଖିଲେ ଟି’ପୟ ଉପରେ ଥୁଆ ହେଇଚି ଇଲେକ୍ଟ୍ରିକ୍ ବିଲ୍,ମାତ୍ର ଆଠ ହଜାର ଟଙ୍କା ଦେୟ। ଦେବଦତ୍ତ ପଚାରିଲେ… ଆରେ ମହେଶ୍ବର,ତୁ ପରା ଆରମାସରେ ମୋଠୁ ପାଞ୍ଚ ହଜାର ଟଙ୍କା ନେଇଥିଲୁ ବିଲ୍ ଦେବାପାଇଁ,ଏତେ ଏରିଅର କଣ ଆସିଛି?ମହେଶ୍ବର କହିଲା.. ମୁଁ ସେ ବିଲ୍ ଦବାକୁ ଭୁଲି ଯାଇଚି।

…..ଦେବଦତ୍ତ କିଛି କହିବା ପୂର୍ବରୁ ସୁଷମା ଆସି ସୁଗାର୍ ଟେଷ୍ଟ ରିପୋର୍ଟ ଧରେଇ ଦେଇ ହସି ହସି କହିଲେ…ମୋର ଲିମିଟ୍ ଭିତରେ ଅଛି,ତମର ଫାଷ୍ଟିଙ୍ଗ୍ ୨୫୦, ଏବଂ ପିପି ୩୫୦।
ମୁଣ୍ଡ ଝାଇଁ ଝାଇଁ ହୋଇଗଲା ଦେବଦତ୍ତଙ୍କର।

……ବ୍ୟାଙ୍କରୁ କିଛି ଟଙ୍କା ଉଠେଇ ନିଜେ ବିଜୁଳି ବିଲ୍ ପଇଠ କରିବା ପାଇଁ ବାହାରିଲେ ସେ।ଚାଲି ଚାଲି ଗଲେ ବ୍ୟାଙ୍କ ଗୋଟିଏ କିଲୋମିଟର ଭିତରେ ପଡ଼ିବ।କୋଭିଡ୍ ସମୟରେ ତାହା ହିଁ ସରକାରଙ୍କର ନିର୍ଦ୍ଦେଶ। ଦେବଦତ୍ତ ବାବୁ ଚାଲିଚାଲି ଯିବା ସମୟରେ ମୁଣ୍ଡବୁଲେଇ ହେଇ ରାସ୍ତା ଉପରେ ପଡିଗଲେ।ହୋସ୍ ଆସିଲା ବେଳକୁ ଡ଼ାକ୍ତର ଖାନାର ଏମର୍ଜେନସୀ ଓ୍ବାର୍ଡରେ।

….ଚିକିତ୍ସା ପୂର୍ବରୁ କୋଭିଡ୍ ଟେଷ୍ଟରେ ପଜିଟିଭ୍ ଆସିଲା ଦେବଦତ୍ତ ବାବୁଙ୍କର।ହସିଲେ ଦେବଦତ୍ତ…ଯା’ହଉ ଏତେଦିନ ଗୋଟେ ପଜିଟିଭ୍ ଖବର ପାଇଲେ ସେ,କୋଭିଡ୍ ହେଉପଛେ।
କୋଭିଡ୍ ଯୋଗୁଁ ପରିବାରର କୌଣସି ଲୋକ ତାଙ୍କ ସହିତ ଦେଖା କରିବାକୁ ଆସିଲେ ନାହିଁ।

…..ପନ୍ଦର ଦିନପରେ ଡାକ୍ତର ଖାନାରୁ ମୁକ୍ତିପାଇ ଘରକୁ ଫେରିଲେ ଦେବଦତ୍ତ। ସନ୍ଧ୍ୟା ଆଠଟା ହେବ।ଦାଣ୍ଡଦୁଆରେ ପହଞ୍ଚି ଘର ଭିତରକୁ ଚାହିଁଲେ ଦେବଦତ୍ତ, ମିଟିଂ ଚାଲିଛି। ସୁଷମା କହୁଥିଲେ…ଆରେ ପୁଅ,ବାପା କଥା ଟିକିଏ ବୁଝିଲୁନି ଫୋନ୍ କରି, କେମିତି ଅଛନ୍ତି ତ ଜାଣିବା।

…..ମହେଶ୍ବର କହିଲା… ବୁଢ଼ାର ଏତେ ହାଇ ସୁଗାର୍,କୋଉ ବଞ୍ଚିବ ସିଏ?ଆଶା ଦିଶୁନି।

……ସୁଷମା ହସିଦେଇ କହିଲେ.. ସେମିତି କହନା,ବୁଢା ମରିଗଲେ ଆମେ ଚଳିବା କେମିତି? ଆଚ୍ଛା ଟିକିଏ ହିସାବ କଲୁ, ଯଦି ତାଙ୍କର କିଛି ହୁଏ ଫ୍ୟାମିଲି ପେନସନ୍ କେତେ ମିଳିବ?
ମହେଶ୍ବର କହିଲା..ତୁ କାହିଁକି ଚିନ୍ତା କରୁଛୁ ମାଆ,ମୋ ଗଞ୍ଜେଇ ବ୍ୟବସାୟ ଆଜିକାଲି ଭଲ ଚାଲିଛି,ଆମର କିଛି ଅସୁବିଧା ହବନି।

……ଆଉ କିଛି ଶୁଣିବା ପାଇଁ ଧୈର୍ଯ୍ୟ ନଥିଲା ଦେବଦତ୍ତ ବାବୁଙ୍କର।ଘର ଭିତରକୁ ନଯାଇ ସେ ସେଇଠୁ ଫେରିଲେ।
ଅନ୍ଧାର ରାତି, ରାସ୍ତା ଉପରେ ଚାଲିଛନ୍ତି ଦେବଦତ୍ତ, ଲକ୍ଷ୍ୟହୀନ ସେ ଯାତ୍ରା।ସମସ୍ତ କାମନା ଉର୍ଦ୍ଧ୍ବରେ,ତାଙ୍କ ମନ ଚାହୁଁଥିଲା ମିଶିଯିବା ପାଇଁ କେଉଁ ଅନନ୍ତରେ।କ୍ଷୀପ୍ର ପଦକ୍ଷେପରେ ଚାଲିଛନ୍ତି ଦେବଦତ୍ତ।ପିଲାଙ୍କ ସଂସ୍କାର ତାଙ୍କୁ ଧିକ୍କାରୁଚି..ଯା ଯା ଅସଫଳ ମଣିଷ,ତୋର ବଞ୍ଚିବା ଅଧିକାର ନାହିଁ। ପ୍ରାରବ୍ଧ ଗୋଡେଇଚି ତାଙ୍କ ପଛରେ। ଆଗରେ ରେଳ ଲାଇନ୍।ଟ୍ରାକ୍ ଉପରେ ଠିଆ ହୋଇଛି ଚେନ୍ ଟଣାଯାଇଥିବା ଉତ୍କଳ ଏକ୍ସପ୍ରେସ୍। ଗୋଟିଏ ଦ୍ବିତୀୟ ଶ୍ରେଣୀ ବଗି ଭିତରକୁ ପଶିଗଲେ ଦେବଦତ୍ତ।
+++++ +++++
ଆଜିକାଲି ନୂଆଦିଲ୍ଲୀ ରେଳଷ୍ଟେସନ ବାହାରେ ଜଣେ କୋଚଟମଳିମୁଣ୍ଡିଆ, ଶ୍ବେତସ୍ମଶ୍ରୁ ଭିକାରୀ ଅନର୍ଗଳ ଇଂରାଜୀ କହି ବହୁତ ନାଁ କମେଇଚି।ତାର ଅତୀତ ଜାଣିବାକୁ ଚେଷ୍ଟା କରି ସମସ୍ତେ ବିଫଳ ହେଲେଣି। କିନ୍ତୁ ଭିକାରୀଟିଏ ହୋଇ ମଧ୍ୟ ଇଂରାଜୀ କହି ପାରିବା ଯୋଗୁଁ ତାର ଦୈନିକ ରୋଜଗାର ଭଲ ଅଛି, ଆନୁମାନିକ ପାଞ୍ଚଶହ ଟଙ୍କା।

Click to rate this post!
[Total: 10 Average: 3.8]

Leave a Reply