ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୬)
ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ
୧୭
================================
ନୀଳମାଧବଙ୍କ ରୂପ ବର୍ଣ୍ଣନା
================================
କୁହାଯାଏ ମହାପୁରାଣମାନଙ୍କ ମଧ୍ୟରେ ସ୍କନ୍ଦପୁରାଣ ଶ୍ରେଷ୍ଠ। ଏହି ପୁରାଣରେ ଏକାଅଶୀ ହଜାର ଶ୍ଳୋକ ରହିଛି।ଏହା ୭ ଖଣ୍ଡରେ ବିଭକ୍ତ।କେବଳ ଉତ୍କଳ ଖଣ୍ଡରେ ୩୮୬୩ଟି ଶ୍ଳୋକ ଅଛି। ଏହି ମହାପୁରାଣ ବ୍ୟାସଦେବଙ୍କ ଦ୍ଵାରା ଖ୍ରୀଷ୍ଟପୂର୍ବ ତିନି ହଜାର ବର୍ଷତଳେ ଲେଖାଯାଇଥିଲା ବୋଲି ଅନୁମାନ କରାଯାଏ। କିନ୍ତୁ ତା ଉପରେ ଅନେକ ବାଦାନୁବାଦ ରହିଛି।୧୮୯୮ ଖ୍ରୀଷ୍ଟାବ୍ଦରେ ହରପ୍ରସାଦ ଶାସ୍ତ୍ରୀ ମହୋଦୟ ଏବଂ ସେସିଲ୍ ବୋଣ୍ଡାଲ୍ ନାମକ ବ୍ୟକ୍ତିଦ୍ବୟ ସ୍କନ୍ଦ ପୁରାଣର ତାଳପତ୍ର ପାଣ୍ଡୁଲିପି ନେପାଳର କାଠମାଣ୍ଡୁ ଲାଇବ୍ରେରୀରେ ଠାବ କରିଥିଲେ।ଏହା ଗୁପ୍ତଯୁଗରେ ପ୍ରଚଳିତ ବ୍ରାହ୍ମୀଲିପିରେ ଲେଖା ଯାଇ ଥିବାରୁ ଏହାର ରଚନା ସମୟ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ବୋଲି ଆକଳନ କରାଯାଇଛି। ସ୍ପଷ୍ଟ ଭାବରେ କହିବାକୁ ଗଲେ ଏହି ପୁରାଣ ଅତି ପୁରାତନ କାଳରୁ ରଚିତ ହୋଇଥିଲେ ମଧ୍ୟ ବିଭିନ୍ନ, ସମୟରେ ବିଭିନ୍ନ ଭାଷାରେ ପୁନଃ ରଚିତ ହୋଇ କାଳଖଣ୍ଡମାନ ଅତିକ୍ରମ କରିଛି।ସମୟ କ୍ରମେ ମୂଳକଥା ସହିତ ଅନେକ ଉପକଥା ଯୋଡ଼ି ହୋଇଯାଇଛି, ଠିକ୍ ମହାଭାରତ ଓ ରାମାୟଣରେ ନୂତନ ଅଧ୍ୟାୟ ଯୋଡ଼ି ହେଲାପରି। ଏହି ପୁରାଣ ଭିତରେ ଐତିହାସିକ ତଥ୍ୟ ଖୋଜିବାକୁ ଚେଷ୍ଟା କଲେ ଆମକୁ ଅନ୍ଧାରରେ ବାଡି ବୁଲାଇବାକୁ ପଡ଼ିବ। କିନ୍ତୁ ଏଥିରେ ଥିବା ଭୌଗୋଳିକ ତଥ୍ୟକୁ ବିଶ୍ବସନୀୟତାର ବଳୟ ଭିତରକୁ ନିଆ ଯାଇପାରେ। ଏହି ଗ୍ରନ୍ଥର ସାଂସ୍କୃତିକ ଓ ଧାର୍ମିକ ମୂଲ୍ୟ ଅବଶ୍ୟ ଅତୁଳନୀୟ ଏଥିରେ ସନ୍ଦେହ ନାହିଁ।
ସ୍କନ୍ଦପୁରାଣରେ ଇନ୍ଦ୍ରଦ୍ୟୁମ୍ନଙ୍କ ଆଗରେ ବିଦ୍ୟାପତି ଯେପରି ନୀଳମାଧବଙ୍କ ରୂପ ବର୍ଣ୍ଣନା କରିଛନ୍ତି ତାହା ଯେ କୌଣସି ବିଷ୍ଣୁ ଭକ୍ତଙ୍କୁ ଭାବାବେଗ କରିଦେବ।ବିଦ୍ୟପତିଙ୍କୁ ଇନ୍ଦ୍ରଦ୍ୟୁମ୍ନ କହିଛନ୍ତି –ହେ ରାଜନ୍ ! ଇନ୍ଦ୍ରନୀଳମଣିରେ ନିର୍ମିତ ନୀଳମାଧବଙ୍କ ମୂର୍ତ୍ତି ଦେଖି ମୋ ଚକ୍ଷୁ ପବିତ୍ର ହୋଇଗଲା। ମୂର୍ତ୍ତିର ଉଚ୍ଚତା ଏକାଦଶୀ (୮୧)ଆଙ୍ଗୁଳ। ସ୍ବର୍ଣ୍ଣପଦ୍ମ ଉପରେ ଦଣ୍ଡାୟମାନ ହୋଇଛନ୍ତି ନୀଳାଦ୍ରିଶ।ପ୍ରଭୁ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ତାଙ୍କର ପ୍ରଶସ୍ତ ଲଲାଟ,ଭାବବ୍ୟକ୍ତ ନୟନ ଯୁଗଳ ଓ ସୁଧାମୟ ମୁଖମଣ୍ଡଳ ଉପରେ ଭକ୍ତର ନେତ୍ର ଲାଗିରହିବ। ପ୍ରଭୁଙ୍କର ନାସିକାଦ୍ବୟ ତିଳଫୁଲ ପରି ସୁନ୍ଦର;ଶରୀର ଇନ୍ଦ୍ରନୀଳ ପାଷାଣରେ ନିର୍ମିତ ହେଲେ ମଧ୍ୟ ଅଧର ଲାସ୍ୟମୟ।ଗଣ୍ଡଯୁଗଳରୁ ସତେ ଯେପରି ଝରିପଡୁଛି ହସର ଝରଣା।ଚିବୁକ ଦୁଇଟି ପ୍ରଭୁଙ୍କର କେତେ ସୁନ୍ଦର ସତେ !ଓଠର ଦୁଇପ୍ରାନ୍ତର ଗଠନ ଅତ୍ୟନ୍ତ ଅପୂର୍ବ।କର୍ଣ୍ଣଯୁଗଳରେ ମକର କୁଣ୍ଡଳ ସୁଶୋଭିତ।କଣ୍ଠଦେଶ ଅତ୍ୟନ୍ତ ମନୋହର ଏବଂ ଆଭୂଷଣରେ ପରିପୂର୍ଣ୍ଣ। ଚତୁର୍ଭୁଜ ଆଜାନୁ ଲମ୍ବିତ। ଗୋଟିଏ ହାତରେ ଦକ୍ଷିଣାବର୍ତ୍ତ ଶଙ୍ଖ ଧାରଣ କରିଛନ୍ତି।ସ୍କନ୍ଧରେଖା ସୁଉଚ୍ଚ ଓ ବିସ୍ତୃତ;ବକ୍ଷଦେଶରେ ପ୍ରଳମ୍ବିତ ମନୋହର ସୁନିର୍ମଳ ହାର,ଗଳାରେ ଦିବ୍ୟ କୌସ୍ତୁଭ ମଣି। ସେହି ମଣିରେ ପ୍ରତିବିମ୍ବିତ ହେଉଛନ୍ତି ଚଉଦ ବ୍ରହ୍ମାଣ୍ଡ।ପ୍ରଭୁଙ୍କର ଗଭୀର ନାଭୀ ମଣ୍ଡଳରେ ସୂକ୍ଷ୍ମ ରୋମାବଳୀ ସୁଶୋଭିତ।କଣ୍ଠରୁ ଲମ୍ବିତ ହାର ପ୍ରଭୁଙ୍କର ତ୍ରିବଳୀର(ଉଦରସ୍ତ ରୋମରେଖା) ମଧ୍ୟଭାଗକୁ ସ୍ପର୍ଶ କରୁଛି।ପୀତ ବସନ ପରିଧାନ କରି ଅପୂର୍ବ ଦେଖାଯାଉଛନ୍ତି ନୀଳମାଧବ।ମୁକ୍ତାମାଳା ଜାନୁ ପର୍ଯ୍ୟନ୍ତ ଲମ୍ବି ଯାଇଛି।ମନୋହର ଜାନୁଯୁଗଳ ଦୁଇଟି ସ୍ତମ୍ଭ ପରି ବିଦ୍ୟମାନ;ସତେ ଯେପରି ଏହା ଭକ୍ତର ମୋକ୍ଷ ଦ୍ଵାରର ତୋରଣ। ପ୍ରଭୁଙ୍କ ଚରଣଦ୍ବୟ ଆନୁପୂର୍ବି ଭାବେ ଗୋଲାକାର ଓ ମନୋହର।ଜାନୁଯୁଗଳଠାରୁ ପାଦ ପର୍ଯ୍ୟନ୍ତ ଲମ୍ବିଥିବା ମାଳରେ ରତ୍ନ ବଳୟ ଅପୂର୍ବ ଶୋଭା ଧାରଣ କରିଛନ୍ତି।ପ୍ରଭୁଙ୍କର ସମଗ୍ର ଅବୟବ ହାର, କେୟର, କଙ୍କଣ ଓ ମୁକୁଟରେ ଶୋଭା ପାଉଛନ୍ତି।
ଜ୍ଞାନ, ଅହଙ୍କାର, ଐଶ୍ୱର୍ଯ୍ୟ ଓ ଶବ୍ଦବ୍ରହ୍ମ (ବେଦରାଶି)ସୂକ୍ଷ୍ମ ରୂପରୁ ପରିବର୍ତ୍ତିତ ହୋଇ ସ୍ଥୁଳରୂପ ଧାରଣ କରି ଶଙ୍ଖ ଚକ୍ର ଗଦା ଏବଂ ପଦ୍ମ ରୂପରେ ପ୍ରଭୁଙ୍କ ଆୟତ୍ତରେ ରହି ଚତୁର୍ଭୁଜରେ ବିରାଜମାନ ହୋଇଛନ୍ତି।
ଏହି ପ୍ରକାର ବେଶ ଧାରଣ କରି ଚତୁର୍ଦ୍ଦିଗକୁ ଆଲୋକିତ କରି ପ୍ରଭୁ ନୀଳମାଧବ ନୀଳପର୍ବତରେ ବିରାଜମାନ ହୋଇଛନ୍ତି। ଏପରି ରୂପ ଦର୍ଶନ କରି ଜୀବ, ଭକ୍ତି ଭାବରେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କଲେ ଅଶାଶ୍ବତ ଦେହ ଜଗତରୁ ମୁକ୍ତି ପାଇଯାଏ।
ପ୍ରଭୁଙ୍କ ବାମ ପାର୍ଶ୍ବରେ ରହି, ପଦ୍ମହସ୍ତା ମହାଲକ୍ଷ୍ମୀ ପ୍ରଭୁଙ୍କୁ ଆଲିଙ୍ଗନ କରୁଛନ୍ତି।ସମଗ୍ର ବିଶ୍ବବ୍ରହ୍ମାଣ୍ଡର ସମସ୍ତ ଲାବଣ୍ୟର ଆଧାର ଯେଉଁ ମହାଲକ୍ଷ୍ମୀ ବିଭିନ୍ନ ଅଳଙ୍କାରରେ ବିଭୂଷିତା ହୋଇ ପ୍ରଭୁଙ୍କ ମୁଖପଦ୍ମରେ ଚକ୍ଷୁ ନିବନ୍ଧ କରି ଵୀଣାବାଦନ କରୁଛନ୍ତି। ପୃଷ୍ଠଭାଗରେ ଅନନ୍ତ ପଣା ଉତ୍ତୋଳନ କରି ଛତ୍ରାକାର ହୋଇ ରହିଛନ୍ତି।ମାଧବଙ୍କ ସମ୍ମୁଖରେ ପକ୍ଷୀରାଜ ଗରୁଡ଼ କୃତାଞ୍ଜଳୀପୁଟରେ ଦଣ୍ଡାୟମାନ ହୋଇ ରହିଛନ୍ତି। ଏପରି ଅପୂର୍ବ ଶୋଭା ଦର୍ଶନ କରି ମୋ ଜୀବନ ସାର୍ଥକ ହୋଇଯାଇଛି ମହାରାଜ୍।”
ବିଦ୍ୟାପତିଙ୍କ ଠାରୁ ନୀଳମାଧବଙ୍କ ରୂପ ବର୍ଣ୍ଣନା ଶୁଣିବା ଅବସରରେ ଇନ୍ଦ୍ରଦ୍ୟୁମ୍ନଙ୍କ ଆଖିରୁ ଆନନ୍ଦାଶ୍ରୁ ଧାର ଧାର ହୋଇ ବହି ଯାଉଥାଏ।
ଏହି ସମୟରେ ବୀଣା ବାଦନ କରି ଦେବର୍ଷି ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭାରେ ପହଞ୍ଚିଲେ। ଦେବର୍ଷିଙ୍କ ପାଦ ବନ୍ଦନା କରି ଇନ୍ଦ୍ରଦ୍ୟୁମ୍ନ ତାଙ୍କୁ ଦିବ୍ୟ ଆସନରେ ବସାଇଲେ।
(ସ୍କନ୍ଦପୁରାଣ ଆଧାରିତ)
କ୍ରମଶଃ….