Sunday, June 23, 2024
Stories

ଆମ ଗାଁ ଆମ ଘର (୨୦)

ଆମ ଗାଁ ଆମ ଘର
୨୦
================================
ଅନ୍ଧାର ଭିତରେ ଦୀପଶିଖା… ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ
===============================
ଅତୀତରେ ସାରାଦେଶରେ ଶିକ୍ଷା ପଦ୍ଧତିର ମାଧ୍ୟମ ଦେଵଭାଷା ସଂସ୍କୃତ ହିଁ ଥିଲା। ପୁରାତନ କାଳରୁ ଗଡିଆସିଥିବା ମୁନି ଋଷି ମାନଙ୍କ ଦ୍ବାରା ପ୍ରତିଷ୍ଠିତ ଗୁରୁକୁଳରେ ବେଦବେଦାନ୍ତ ଉପନିଷଦ ଓ ପୁରାଣ ଉପରେ ବ୍ୟୁତ୍ପତ୍ତି ଲାଭକରି ମନିଷୀମାନେ ମହାନ ଗ୍ରନ୍ଥମାନ ରଚନା କରିବା ସଙ୍ଗେ ସଙ୍ଗେ ଗଣିତ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଲାଭ କରିଥିଲେ। ଯେଉଁ ସଂସ୍କୃତ ଏକଦା ଦେବଭାଷା ଭାବରେ ସମ୍ମାନ ଲାଭକରିଥିଲା, ଇଂରେଜ ସରକାରଙ୍କ ଆଗମନରେ ତାହା ଉପେକ୍ଷିତ ହୋଇ, ଗୋରାମାନେ ଦେଶ ଛାଡିବା ବେଳକୁ ମୃତଭାଷାରେ (dead language)ରେ ପରିଣତ ହୋଇଯାଇଥିଲା।

ଖଣ୍ଡପଡାରେ ମହାନ ସଂସ୍କୃତ ଶାସ୍ତ୍ରୀ ମାନଙ୍କର ଜନ୍ମ ହୋଇଥିଲା। ଇଂରାଜୀରେ ବିନ୍ଦୁ ବିସର୍ଗ ନଜାଣି ମଧ୍ୟ ନିଜନିଜର କୃତି ବଳରେ ସେମାନେ ଖଣ୍ଡପଡାକୁ ବିଦ୍ୟାନଗରୀରେ ପରିଣତ କରିଦେଇଥିଲେ। ସେଭଳି ମନୀଷୀମାନେ ଥିଲେ ପରମ ବୈଷ୍ଣବ ଭାଗବତକାର ଦୀନବନ୍ଧୁ ଖାଡଙ୍ଗା,ପଣ୍ଡିତ ବିଦ୍ୟାଧର ରାୟଗୁରୁ,ବାଇଧର ପୁରୋହିତ, ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର,ଦାମୋଦର ବାହିନୀପତି,ରାଜବଲ୍ଲଭ ମିଶ୍ର,ବିଦ୍ୟାଧର ବାଣୀଭୂଷଣ, ପୀତବାସ ସିଂହସାମନ୍ତ,ଗଦାଧର ସିଂହ ସାମନ୍ତ, ବାଉରୀବନ୍ଧୁ ବାଣୀଭୂଷଣ ଏବଂ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର,କାବ୍ୟ ତୀର୍ଥ ଇତ୍ୟାଦି। ସେମାନଙ୍କ ଉପସ୍ଥିତି ଖଣ୍ଡପଡ଼ାକୁ ବିଦ୍ୟାନଗରୀରେ ପରିଣତ କରିଥିଲା। ଏହା ବ୍ୟତୀତ ଅନେକ କବି ଓ ଲେଖକ ବିସ୍ମୃତିର ଅତଳ ଗର୍ଭରେ ଲୁଚି ଯାଇଥିଲେ;ବେବଳ ବଞ୍ଚି ରହିଥିଲେ ସେମାନେ ଲୋକକଳା ଓ ଲୋକ ସଙ୍ଗୀତ ଭିତରେ।

୧୮୮୨ ମସିହାରେ ଲର୍ଡ ରିପନଙ୍କ ସ୍ୱାୟତ୍ତ ଶାସନ ଯୋଜନା କାର୍ଯ୍ୟକାରୀ ହେଲା। ସେତେବେଳେ ସାରା ଦେଶରେ ୫୬୨ଟି ଗଡ଼ଜାତ ଥିଲେ(ଓଡ଼ିଶାରେ ୨୬)। ଏହି ସମସ୍ତ ଗଡ଼ଜାତ ଏବଂ ଖାସମାହାଲ(direct administration under British) ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆସିଥିଲା। ଏହି ଯୋଜନାର ଅଂଶ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପିତ ହୋଇ ନୂଆ ପଦ୍ଧତିରେ ଶିକ୍ଷାଦାନ କରାଗଲା। ସେହି ଅନୁସାରେ ୧୮୮୨ ମସିହାରେ ଗଡ଼ଜାତ ରାଜ୍ୟ ଖଣ୍ଡପଢାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା।ଦିବଙ୍ଗତ ପଣ୍ଡିତ ଦୀନବନ୍ଧୁ (ମିଶ୍ର) ଖାଡଙ୍ଗାଙ୍କ ବଂଶଧର ପଣ୍ଡିତ ରାଜବଲ୍ଲଭ ମିଶ୍ର ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ଦାୟିତ୍ଵରେ ଥିଲେ।ତତ୍କାଳୀନ ଆବଶ୍ୟକତା ଅନୁଯାୟୀ ଓଡାଙ୍ଗ, ଫେଡାଙ୍ଗ,ଶୋଧି,ପଣିକିଆ,କେଶବକୋଇଲି, ଗୋପୀଭାଷା ଇତ୍ୟାଦି ବିଷୟ ସେଠାରେ ଶିକ୍ଷା ଦିଆଯାଉଥିଲା। ସେହି ସମୟରେ ଖଣ୍ଡପଡ଼ାର ରାଜା ନଟବର ସିଂହ ରାଜୁତି କରୁଥିଲେ।୧୮୯୨ ମସିହାରେ ଏହି ବିଦ୍ୟାଳୟଟିକୁ ମାଇନର୍ ଭର୍ଣ୍ଣାକୁଲାର୍ ସ୍ତରକୁ ଉନ୍ନୀତ କରାଯାଇଥିଲା।

୧୯୧୯ ମସିହାରେ, ରାଜା ରାମଚନ୍ଦ୍ର ସିଂହଙ୍କ ସମୟରେ ଏହା ଜର୍ଜ ମଧ୍ୟଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଭାବରେ ନାମିତ ହେଲା। ସେଥିରେ ଚତୁର୍ଥ ଠାରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀମାନ ଥିଲା। ଇତିମଧ୍ୟରେ ୧୯୧୨ ମସିହାରେ ଟାଉନ ମଡେ଼ଲ ସ୍କୁଲ ନାମକ ଗୋଟିଏ ମାଇନର ଶିକ୍ଷାନୁଷ୍ଠାନ ଖଣ୍ଡପଡ଼ା ବଜାର ନିକଟସ୍ଥ ଚାପ ପୋଖରୀ/ବଡପୋଖରୀ ମୁଣ୍ଡକୁ ଲାଗି ଗଢି ଉଠିଥିଲା। ସେଠାରେ ଶିଶୁ ଶ୍ରେଣୀରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିଲା।୧୯୪୪ ମସିହାରେ ଖଣ୍ଡପଡ଼ାର ତତ୍କାଳୀନ ରାଜାସାହେବ୍ ହରିହର ସିଂହ ମର୍ଦ୍ଦରାଜ “ଜର୍ଜ ମଧ୍ୟଇଂରାଜୀ ବିଦ୍ୟାଳୟ”କୁ ପରିବର୍ଦ୍ଧିତ କରି ନିଜ ପିତାଙ୍କ ନାମରେ “ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ” ସ୍ଥାପିତ କଲେ।

ସେ ସମୟରେ ଓଡ଼ିଶାରେ ଶିକ୍ଷା ପଦ୍ଧତି କିପରି ଥିଲା ସମସ୍ତଙ୍କୁ ଜଣା।୧୯୪୫ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେଲା।ଏହା ଭାରତରେ ଏକ ପରିବର୍ତ୍ତନର ସମୟ ଆଣିଦେଲା।ଅନ୍ୟ ପ୍ରଦେଶ ଭଳି ଓଡ଼ିଶାରେ ଅନେକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗଢି ଉଠିଲା। ଆଗରୁ ମାଟ୍ରିକ ପରୀକ୍ଷା ପାଟନା ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ହେଉଥିଲା,କାରଣ ଓଡ଼ିଶାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠିତ ହୋଇନଥିଲା।୧୯୪୩ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠିତ ହେଲା।ସେ ସମୟରେ ସ୍ୱାୟତ୍ତ ଶାସନ ଅନୁସାରେ ଓଡ଼ିଶାରେ ଦେଶୀ ଗଣତନ୍ତ୍ର ଶାସନ କାମ କରିବା ଆରମ୍ଭ କରିଦେଲାଣି।ପଣ୍ଡିତ ଗୋଦାବରୀଶ ମିଶ୍ର ଥାଆନ୍ତି ଶିକ୍ଷା ମନ୍ତ୍ରୀ। ତାଙ୍କ ଅମଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୪୩ତମ ବିଶ୍ବବିଦ୍ୟାଳୟ ଭାବରେ ପ୍ରତିଷ୍ଠିତ ହେଲା।ପରେ ପରେ ପୁରୀ, ବାଲେଶ୍ଵର ଏବଂ ସମ୍ବଲପୁରରେ ମହାବିଦ୍ୟାଳୟ ମାନ ଗଢିଉଠିଲା।ପ୍ରଦେଶର ଶୈକ୍ଷିକ ପରିବେଶରେ ଆସିଲା ବୈପ୍ଳବିକ ପରିବର୍ତ୍ତନ।

୧୯୪୫ ମସିହାରେ ଆମ ପ୍ରଦେଶରେ ମାଟ୍ରିକ ପରୀକ୍ଷାର ଶିକ୍ଷାବର୍ଷ ଜୁଲାଇ ମାସରୁ ଜୁନ ମାସ ପର୍ଯ୍ୟନ୍ତ ରଖାଗଲା।ଏହା ପୂର୍ବରୁ ଜାନୁଆରୀ-ଡିସେମ୍ବର ଥିଲା। ଏହି ପରିବର୍ତ୍ତନ ସହିତ ଖାପ ଖୁଆଇବା ପାଇଁ ସେ ବର୍ଷ(୧୯୪୫) ଦୁଇଥର ମାଟ୍ରିକ ପରୀକ୍ଷା ହୋଇଥିଲା।ଏ କଥା ବୋଧହୁଏ ଅନେକେ ଭୁଲି ଯିବେଣି।
ଦେଶ ଓ ପ୍ରଦେଶର ଏହି ଶୈକ୍ଷିକ ପରିବର୍ତ୍ତନ ସହିତ ତାଳ ଦେଇ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଆଗେଇ ଚାଲିଥାଏ।ସମସ୍ତଙ୍କର ଆଶା, ମାଟ୍ରିକ ପାସ କରିବାପରେ ଉଚ୍ଚ ଶିକ୍ଷା ପାଇ ଦେଶ ବିଦେଶରେ ଚାକିରୀ କରି ପେଟ ପୋଷିବେ ଏବଂ ନାଁ’ କରିବେ।

ଉଚ୍ଚ ବିଦ୍ୟାଳୟଟି ୧୯୪୪ ମସିହାରେ ପ୍ରତିଷ୍ଠିତ ହେବାପରେ ,ରାଜାସାହେବ୍ ହରିହର ସିଂହ ମର୍ଦ୍ଦରାଜ,P V Ratnam (ପ୍ରୋଟା ପ୍ରୋଗଡା ଭେଙ୍କଟରତ୍ନମ୍) ନାମକ ଜଣେ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟର ଗୁରୁଭାର ଅର୍ପଣ କଲେ।ସେ ମହାଶୟ ରାମଚନ୍ଦ୍ର ଉଚ୍ଚ ଇଁରାଜୀ ବିଦ୍ୟାଳୟ(RCHES)ର ପ୍ରଥମ ହେଡ୍ ମାଷ୍ଟର୍ ବା ପ୍ରଧାନ ଶିକ୍ଷକ।ଏହା ପୂର୍ବରୁ ସେ ବ୍ରଜେନ୍ଦ୍ର ଉଚ୍ଚ ଇଁରାଜୀ ବିଦ୍ୟାଳୟ(ନୟାଗଡ)ରେ ଉପ-ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ।

ବିଦ୍ୟାଳୟ ସିନା ପ୍ରତିଷ୍ଠା ହୋଇଗଲା, କିନ୍ତୁ ଅଷ୍ଟମଠାରୁ ଏକାଦଶ ଶ୍ରେଣୀ ମାନଙ୍କରେ ପାଠ ପଢିବାପାଇଁ ପିଲା କାହାନ୍ତି?ଖଣ୍ଡପଡା ଗଡଜାତ ଅଞ୍ଚଳ ତଥା ମହାନଦୀପାରି ବଡମ୍ବା ତିଗିରିଆ ନରସିଂହପୁର ଇତ୍ୟାଦି ଅଞ୍ଚଳରୁ, ME ସ୍କୁଲରୁ ପାଶ୍ କରିଥିବା ଛାତ୍ର ସଂଗ୍ରହ କରି ରାମଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇବାର ଗୁରୁଦାୟିତ୍ୱ ନୂତନ ପ୍ରଧାନ ଶିକ୍ଷକ ପି. ଭି. ରତ୍ନମ୍ ମହାଶୟଙ୍କ ଉପରେ ନ୍ୟସ୍ତ କରାଗଲା। ତେଣୁ ୧୯୪୪ ମସିହାରେ ସ୍କୁଲଟି ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ୧୯୪୫ ମସିହାରେ ଛାତ୍ର ସଂଗ୍ରହ କାର୍ଯ୍ୟ ଲାଗି ରହିଲା ଏବଂ ୧୯୪୬ ମସିହାରେ ଏହି ଉଚ୍ଚ ବିଦ୍ୟାଳୟର ପ୍ରଥମ ବ୍ୟାଚ୍ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।

ସେତେବେଳେ ବୋର୍ଡ (Board Of Secondary Education, Odisha) ପ୍ରତିଷ୍ଠିତ ହୋଇନଥିଲା।ତେଣୁ ହାଇସ୍କୁଲ୍ ମାନଙ୍କର ପରୀକ୍ଷା ପରିଚାଳନା ଭାର ଉତ୍କଳ ବିଶ୍ବବିଦ୍ୟାଳୟ ଉପରେ ନ୍ୟସ୍ତ ଥିଲା।ଏହି ଉତ୍କଳ ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ କଟକ ଚାଉଳିଆଗଞ୍ଜ ଠାରେ ଅବସ୍ଥିତ ଥିଲା।ଉତ୍ତୀର୍ଣ୍ଣ ହେଉଥିବା ଛାତ୍ର\ଛାତ୍ରୀ ମାନଙ୍କର ପ୍ରମାଣପତ୍ର ବା ସାର୍ଟିଫିକେଟ ବିଶ୍ବବିଦ୍ୟାଳୟର ରେଜିଷ୍ରାର୍’ଙ୍କ ଦସ୍ତଖତରେ ଦିଆଯାଉଥିଲା।

କୁସୁମୀରେ ଅନେକ ଜଳ ବହିଗଲାଣି।ହଜାର ହଜାର ପିଲାଙ୍କର ଭାଗ୍ୟ ଗଢିଥିବା ଶିକ୍ଷାର ଆଲୋକ ବର୍ତ୍ତିକା ଧାରଣ କରିଥିବା ଆମର ଏହି ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟ ସାମ୍ନାରେ ଚାଲିଗଲେ ଆପେ ଆପେ ମଥା ନଇଁଯାଏ।୧୯୪୪ ମସିହାଠାରୁ ଏ ଯାବତ ୩୨ ଜଣ ପ୍ରଧାନ ଶିକ୍ଷକ ଏହି ମଣିଷ ତିଆରି କାରଖାନାର ମୁଖିଆ ହୋଇ ଅସଂଖ୍ୟ ଉଚ୍ଚ ଶିକ୍ଷିତ ଏବଂ ଉଚ୍ଚ ପଦରେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବଶ୍ରୀ ପି ଭି ରତ୍ନମ୍, ନୃସିଂହ ଚରଣ ବେହୁରା, ରାମଚନ୍ଦ୍ର ମହାପାତ୍ର,ଯୁଗଳ କିଶୋର ପାଣିଗ୍ରାହୀ ଏବଂ ତ୍ରିଲୋଚନ ମିଶ୍ରଙ୍କ ଭଳି ଅନେକ ପ୍ରଧାନ ଶିକ୍ଷକ ଜନମାନସରେ ଚିରଞ୍ଜିବୀ ହୋଇ ରହିଛନ୍ତି। ଆଜି ଅନେକ ଡାକ୍ତର, ଇଞ୍ଜିନିୟର,ବ୍ୟାଙ୍କର୍, ଶିକ୍ଷାବିତ୍ ଏବଂ ପ୍ରଶାସନିକ ଅଧିକାରୀ ଏହି ମହାନ୍ ଶିକ୍ଷାନୁଷ୍ଠିନରୁ ଉତ୍ତୀର୍ଣ୍ଣ ହୋଇ ଦେଶବିଦେଶରେ ନାଁ କମେଇଛନ୍ତି।

ଗୋଟିଏ କଥା ମୁଁ ଗୁରୁଙ୍କଠାରୁ ଶିଖିଛି ଓ ହୃଦୟଙ୍ଗମ କରିଛି ଯେ ଅଙ୍କ ଏବଂ ଇଂରାଜୀ ଅସଲ ପାଠ ନୁହେଁ। ଗଣିତରେ ଶହେରୁ ଶହେ ରଖିବା ବିଚକ୍ଷଣତା ହେଲେ ମଧ୍ୟ ତାହା ଶିକ୍ଷାର ଅନ୍ତିମ ମାନଦଣ୍ଡ ନୁହେଁ।ମୋ ଜାଣିବାରେ ଆମରି ବିଦ୍ୟାଳୟର ଅନେକ ବ୍ୟକ୍ତି ଅଙ୍କରେ ଦୁର୍ବଳ ଥାଇ ମଧ୍ୟ ବିତ୍ତୀୟ ସଂସ୍ଥା ମାନଙ୍କରେ ଶୀର୍ଷ ପଦବୀରେ ପହଞ୍ଚି ପାରିଛନ୍ତି;ଗଣିତରେ ମଧ୍ୟମ ଧରଣର ଛାତ୍ର ହୋଇମଧ୍ୟ ଜଣେ ବ୍ୟକ୍ତି ଲେଖକ ଭାବରେ ସୁନାମ ଅର୍ଜନ କରି ସାହିତ୍ୟଏକାଡେମୀ ପୁରସ୍କାରରେ ବିମଣ୍ଡିତ ହୋଇଛନ୍ତି। ବିଦ୍ୟାଳୟରେ ସାଧାରଣ ଛାତ୍ର ଭାବେ ପରିଗଣିତ ହୋଇ ମଧ୍ୟ ଆମ ବିଦ୍ୟାଳୟର ଜଣେ ଛାତ୍ର ବ୍ୟଙ୍ଗ ସାହିତ୍ୟରେ ସାରା ଓଡ଼ିଶାରେ ନାଁ କମେଇଥିବା କଥା ଆମେ ସମସ୍ତେ ଜାଣନ୍ତି। ଦାଶ୍ ବେନହୁରଙ୍କ ଭାଷାରେ.. ଅଙ୍କରେ ଶହେରୁ ଶହେ ରଖିବା ଯେବେ ଶ୍ରେଷ୍ଠ ବିଦ୍ୟାପ୍ରାପ୍ତିର ମାନଦଣ୍ଡ ହୋଇଥାନ୍ତା ତା’ହେଲେ ମାଆ ସରସ୍ଵତୀ ବୀଣା ଧରି ବସିନଥାନ୍ତେ। ଯେଉଁମାନେ ଅଙ୍କରେ ଶହେରୁ ଶହେ ରଖିବାକୁ କିମ୍ବା କ୍ଲାସରେ ଫାଷ୍ଟ ହେବାକୁ କିମ୍ବା ଡ଼ାକ୍ତରୀ/ଇଞ୍ଜିନିୟରିଂ ସିଟ୍ ପାଇବାକୁ ଶ୍ରେଷ୍ଠ ଵିଦ୍ୟାର ମାନଦଣ୍ଡ ବୋଲି ବିବେଚନା କରନ୍ତି, ଅଜ୍ଞତା ପାଇଁ ସେମାନେ ଦୟାର ପାତ୍ର।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply