……..୬…….
ସିଂହ ଶିଶୁର ଗର୍ଜନ
……………………….
ଦଶ ଦିନ ଯୁଦ୍ଧ ଶେଷ ହେଲା ,ମାତ୍ର ଜଣା ନପଡିଲା ତିଳେ,
କିଏସେ ହାରିବ,ବିଜୟର ଜୟମାଳା ପଡିବ କା ଗଳେ।
ଦଶମ ଦିନରେ ଅର୍ଜୁନ ହସ୍ତରେ ଭୀଷ୍ମ ହେଲେ ଧରାଶାୟୀ,
ମ୍ଲାନ ହେଲା କଉରବ ରବି,ଅସ୍ତରାଗର ସୂଚନା ଦେଇ।
ସେନାପତି ଶାଢିବାନ୍ଧି ଦ୍ରୋଣଶିରେ ବୋଲେ ମାନୀ ଦୁର୍ଯ୍ୟୋଧନ
ପ୍ରଣାମ କରୁଛି ଚରଣେ ଗୁରୁହେ ଘେନ ମୋର ନିବେଦନ।
ଆଉ କିଛି ଲୋଡାନାହିଁ କଳେ ବଳେ ଯୁଧିଷ୍ଠିକୁ ଆଣ ବାନ୍ଧି,
ଧର୍ମରାଜ ଆମ୍ଭ ହାତରେ ପଡିଲେ ଭିଆଇବା ନୂଆ ଫନ୍ଦି।
ପଶାଖେଳପାଇଁ ତା ମନ ଦୁର୍ବଳ ନେଇ ସୁଯୋଗ ତାହାର,
ହରାଇଣ ଛଳେ ବନବାସେ ତାଙ୍କୁ ପଠାଇବା ପୁନର୍ବାର।
ତା ହୋଇପାରିଲେ ଭୋଗିବି ଧରଣୀ ହେବନାହିଁ ରକ୍ତପାତ,
ଆଚାର୍ଯ୍ୟ ବୋଇଲେ ତୁମ୍ଭ ଇଚ୍ଛାପୂର୍ଣ୍ଣ ହେବ ନିଶ୍ଚେ ଆର୍ଯ୍ୟସୁତ।
ବିନା ରକ୍ତପାତେ ମିଳିଗଲେ ରାଜ୍ୟ ପୂର୍ଣ୍ଣହେବ ତୁମ୍ଭ କାର୍ଯ୍ୟ,
ଯେଯାହାର ସୈନ୍ୟଘେନି ରାଜାମାନେଫେରିଯିବେ ନିଜରାଜ୍ୟ।
ଚାହେଁନାହିଁ ପ୍ରିୟ ଶିଷ୍ୟ ମାନଙ୍କୁ ମୁଁ ମାରିବାକୁ ରଣକ୍ଷେତ୍ରେ,
ଧର୍ମ ନନ୍ଦନଙ୍କୁ ବନ୍ଦୀକରି କାଲି ସମର୍ପିବି ତୁମ୍ଭ ହସ୍ତେ।”
ଏକାଦଶଦିନ ଯୁଦ୍ଧ ଭୟଙ୍କର ମୃତ୍ୟୁଦୂତ ସମ ଦ୍ରୋଣ,
ପାଣ୍ଡବ ହୃଦୟେ ଆତଙ୍କଖେଳାଇ କରୁଥିଲେ ଘୋର ରଣ।
ପ୍ରତେହେଲା ସତେ ସାରା କୁରୁକ୍ଷେତ୍ରେ ଦ୍ରୋଣ ଥିଲେ ବିଦ୍ୟମାନ
ପ୍ରଳୟ ରୂପରେ ଅଗଣିତ ସୈନ୍ୟ କରୁଥିଲେ ସଂହାରଣ।
ସହଦେବ ସଙ୍ଗେ ଶକୁନି ଯୁଝନ୍ତି,ଭୀମ ସଙ୍ଗେ ବିଭିସ୍ମତି,
ସାତ୍ୟକି ସହିତେ କୃତବର୍ମା ଘୋର ରଣେ ମଗ୍ନ ହୋଇଛନ୍ତି।
କୃପାଚାର୍ଯ୍ୟସଙ୍ଗେ ଧୃଷ୍ଟକେତୁ ଯୁଝେ,ବିରାଟ ସହିତେ କର୍ଣ୍ଣ,
ଦୁର୍ଯ୍ୟୋଧନ,ଶଲ୍ୟ,ଜୟଦ୍ରଥ ସଙ୍ଗେ ଯୁଝେ ସୁଭଦ୍ରା ନନ୍ଦନ।
ଦେଖି ଅଭିମନ୍ୟୁ ରଣ କଉଶଳ,ସ୍ତବ୍ଧ ହେଉଥିଲେ ବୀରେ,
ଭାବୁଥିଲେ ସତେ ଦ୍ବିତୀୟ ଅର୍ଜୁନ ରଣକରେ ଦର୍ପଭରେ।
ଷୋଡଶ ବରଷେ ଏ ରଣ କୌଶଳ କାହୁଁ ଶିଖିଲା ଏ ଯୁବା!
ପଛରୁ ଦେଖିଲେ ଦ୍ବାରକାଧୀଶ୍ବର ସମ ଦେଖାଯାଏ ଅବା!
ସମ୍ମୁଖରୁ ଧନଞ୍ଜୟ,ପୃଷ୍ଠଭାଗୁ କୃଷ୍ଣ,ପାର୍ଶ୍ବେ ହଳୀ ପରି,
ପ୍ରତେହୁଏ ଶୌର୍ଯ୍ୟ,ବିର୍ଯ୍ୟେ ଅଦ୍ବିତୀୟ ପାଣ୍ଡବକୁଳ କେଶରୀ।
ଉତ୍ତର ଦିଗରେ ଶୁଭେ କୋଳାହଳ ସଂଶପ୍ତକ ଗଣ ସଙ୍ଗେ,
ପାଣ୍ଡବ ଅର୍ଜୁନ ଗାଣ୍ଡିବ ଟଙ୍କାରି ମାତିଛନ୍ତି ରଣ ରଙ୍ଗେ।
ଆକାଶେ ଉଡଇ ବାନର କେତନ ଘୋଟିଛି ଧୂଳି ପଟଳ,
ଘୋର ଘର୍ଘର ନାଦରେ ଗଡିଚାଲେ ନନ୍ଦିଘୋଷ ରହୁବର।
ଏ ସମୟେ ଶଲ୍ୟ ମାତୁଳଙ୍କୁ ଦେଖି ଅଗ୍ରେ ପବନ ନନ୍ଦନ,
ଘୋର ଗରଜନେ ପର୍ବତ ସମାନ ଗଦା ତୋଳିଲେ ବହନ।
ଗଦାଘାତେ ରଥ ଭାଙ୍ଗିଗଲା,ଶଲ୍ୟ ପଛଘୂଞ୍ଚା ଦେଲେ ରଣେ,
ଭୟେ ଛତ୍ରଭଙ୍ଗକୌରବ ସଇନ ଧାଇଁଛନ୍ତି ଏଣେ ତେଣେ।
ପୁନର୍ବାର କରି କୌରବ ବାହିନୀ ଏକତ୍ରିତ ଗୁରୁବର,
ସୁବର୍ଣ୍ଣ ରଥରେ ଆରୋହି ଚଳିଲେ ଯହିଁଥିଲେ ଯୁଧିଷ୍ଠିର।
ପବନ ବେଗରେ ଚାରି ସିନ୍ଧୁଘୋଡା ଟାଣୁଥିଲେ ଦ୍ରୋଣ ରଥ,
ଦ୍ରୋଣ ବାଣ ଆଗେ ଯୁଧିଷ୍ଠିରଙ୍କର ଭାଲ ଯୁଦ୍ଧ ହେଲା ବ୍ୟର୍ଥ।
ସୁବର୍ଣ୍ଣ ସୁଯୋଗ ପାଇ ଗୁରୁବର ବାନ୍ଧିବାକୁ ଧର୍ମରାଜେ,
ହୁଅନ୍ତେ ଉଦ୍ୟତ ଦୂରୁଦେଖି ପାର୍ଥ ଗାଣ୍ଡିବ ସଘୋଷେ ଗର୍ଜେ।
ଅବନୀ ଦୁଲୁକେ,ନନ୍ଦିଘୋଷ ଘୋଷେ ଶରାସନୁ ତେଜି ତୀର,
ସାରା ଆକାଶକୁ ଅନ୍ଧକାର କଲା ମଧ୍ୟମ ପାଣ୍ଡବ ବୀର।
ପାର୍ଥ, ଯୁଧିଷ୍ଠିଙ୍କ ନିକଟେ ଆସନ୍ତେ ପଛଘୂଞ୍ଚା ଦେଲେ ଗୁରୁ,
ଅର୍ଜୁନର ରଣତାପେ ଦଗ୍ଧସମ ଯୁଝୁଥିଲେ ଯେତେ କୁରୁ।
ଦିନ ଅବସାନେ କେଶବ ଫୁଙ୍କିଲେ ଉଚ୍ଚେ ଧରି ପାଞ୍ଚଜନ୍ୟ,
ବିପୁଳ ଆନନ୍ଦେ ପାଣ୍ଡବେ ଫେରିଲେ,ଦୁଃଖେ ମଗ୍ନ କୁରୁଗଣ।
କୌରବ ଶିବିରେ ଆଶ୍ଚର୍ଯ୍ୟ ଆତଙ୍କେ ମଗ୍ନ ମହାରଥି ଦଳ,
ଯହିଁଦେଖ ତହିଁ ଆଲୋଚନା ଅଭିମନ୍ୟୁ ରଣ କଉଶଳ।
କ୍ରମଶଃ…………