Monday, May 20, 2024
Devotional Poems

ହେ ମହାବାହୁ !

ହେ ମହାବାହୁ !
————
ସୁନା ବେଶରେ ବସିଛ ଠାକୁର,
ଦେଖି ପବିତ୍ର ବେନି ନେତ୍ର ମୋର।
ମୁହିଁ ଜୀବ ତୁମ୍ଭେ ପ୍ରଭୁ ପରମ,
ତୁମ୍ଭେ ସ୍ରଷ୍ଟା, ପ୍ରଭୁ ସୃଷ୍ଟି ମୋ ନାମ।
ଦୁଇ ଶୁଆ ବସିଛନ୍ତି  ରଥରେ,
ଏହି ଭାବ ବିସ୍ତାରିବା ଅର୍ଥରେ।

ଚକ ଷୋଳଗୋଟି ରଥେ ଯେମନ୍ତ,
ଦେହ ନନ୍ଦିଘୋଷ ମୋର ତେମନ୍ତ।
ମନ, ଷଡରୀପୁ,ଧୃତି,ସଙ୍ଘାତ,
ପଞ୍ଚେନ୍ଦ୍ରିୟ ଚକରେ ଦେହ ରଥ।
ଅହଙ୍କାର,ସୁଖ ତା ସଙ୍ଗେ ମିଶେ,
ଚକ ଷୋହଳ ଦେହ ନନ୍ଦିଘୋଷେ।
କର୍ମ ବଡଦାଣ୍ଡେ ଗଡି ଚାଲିଛି,
ତୁମ୍ଭ ଭାବ ସେ ରଥରେ ବସିଛି।

ତୁମ୍ଭ କୃପାବିନ୍ଦୁକୁ ମୋ ଆଶା ହେ,
ମୁହିଁ ଚାତକ ତୁମ୍ଭେ ବରଷା ହେ।
ତୁମ୍ଭ ରଙ୍ଗା ଅଧର ହସଧାରା,
ତୁମ୍ଭ କରୁଣା କୈବଲ୍ୟ ପସରା।
ତୁମ୍ଭ ଅଭୟ ଦାୟୀ ମହାଭୁଜ,
ସବୁ ଆଶ୍ରାରେ ମୁହିଁ ଦେବରାଜ।

ତୁମ୍ଭେ ଅନନ୍ତ ହେ ମହାନୁଭବ,
ତୁମ୍ଭେ ସୃଜନ,ପ୍ରଳୟ,ପ୍ରଭବ।
ତୁମ୍ଭ ବିଶାଳତା ଅନୁଭବରେ,
ତାହା ଅଦୃଶ୍ୟ ନିଶ୍ୱାସ ପ୍ରକାରେ।
ତାହା ଅଦୃଶ୍ୟ ଯଥା ପ୍ରେମଭାବ,
ଫୁଲ ସୁଗନ୍ଧରେ ତା ଅନୁଭବ।
ଅନୁଭବ ତା ଚାନ୍ଦିନି ରାତିରେ,
ଅନୁଭବ ତା ପକ୍ଷୀ କାକଳିରେ।
ମାଆ ମମତାରେ ଲୁଚି ରହିଛି,
ଓଁକାରରେ ତାହା ଅନୁଭବିଛି।
ସେହି ଭାବକୁ ପ୍ରଣମେ ହରିହେ,
ମୋତେ କର ସେହି ଭାବାଚାରୀ ହେ।

ମୁହିଁ “ପ୍ରକୃତି” ହେ ବିଶ୍ଵ ବିଧାତା,
ତୁମ୍ଭେ “ପୁରୁଷୋତ୍ତମ” ପରମାତ୍ମା ।
ମୋଦେହେ ଯେ ଆତ୍ମା ଅଛି ଦେବେଶ,
ସେହି “ଅନୁମନ୍ତା” ସେହି “ପୁରୁଷ” ।
ଏହିମାତ୍ର କୃପାକର ଦାସରେ,
ରହିବି ସେ “ପୁରୁଷ” ନିର୍ଦ୍ଦେଶରେ।

କୃପାସିନ୍ଧୁରୁ ବିନ୍ଦୁଏ ଦେଲେକି,
ସିନ୍ଧୁ ସରିଯିବ ହେ ଚକାଆଖି?
ଯେତେ ପ୍ରିୟ ବନ୍ଧୁ  ଅଛନ୍ତି ମୋର,
କୃପା ବାରିରେ ତାଙ୍କୁ ସିକ୍ତ କର।
ବିଶ୍ଵ କଲ୍ୟାଣ କରହେ ସାମନ୍ତ,
ମାତ୍ର ଏତିକି ଅଳି କରେ ଭୃତ୍ୟ।

Click to rate this post!
[Total: 0 Average: 0]

Leave a Reply